Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବିଶ୍ବ ନେତାଙ୍କ ଗହଣରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:  ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ଟୋକିଓରେ ଅନୁଷ୍ଠିତ ଅନ୍ତିମ ସଂସ୍କାରରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଜାପାନରେ ପହଞ୍ଚିବା ପରେ ଶ୍ରୀ ମୋଦୀ ସିଞ୍ଜୋ ଆବେଙ୍କ ମୃତ୍ୟୁରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ସମବେଦନା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ତାଙ୍କର ଫଳପ୍ରଦ ବୈଠକ ହୋଇଛି। ସେ ଅଧିକ ଦୁଃଖ ଅନୁଭବ କଲେ। କାରଣ ସେ ଗତଥର ଆବେଙ୍କ ସହ ତାଙ୍କର ବହୁତ ଲମ୍ବା ବାର୍ତ୍ତାଳାପ ହୋଇଥିଲା। ସେ କେବେ ଭାବି ନଥିଲେ ଯେ ଦେଶ ଛାଡିବା ଯିବା ପରେ ତାଙ୍କୁ ଏପରି ଖବର ଶୁଣିବାକୁ ପଡିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ନିଶ୍ଚିତ ଯେ ନୂତନ ନେତୃତ୍ୱରେ ଭାରତ-ଜାପାନ ସମ୍ପର୍କ ଆହୁରି ମଜବୁତ ହେବ ଏବଂ ଅଧିକ ଶୀର୍ଷକୁ ଛୁଇଁବ। ଶ୍ରୀ ମୋଦୀ କହିଛନ୍ତି ଯେ ସେ ଦୃଢ ଭାବରେ ବିଶ୍ବାସ କରିଛନ୍ତି ଯେ ନୂଆଦିଲ୍ଲୀ ଏବଂ ଟୋକିଓ ବିଶ୍ବର ସମସ୍ୟାର ସମାଧାନ ଖୋଜିବାରେ ଉପଯୁକ୍ତ ଭୂମିକା ଗ୍ରହଣ କରିପାରିବ।

ଟୋକିଓରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଜାତୀୟ ଅନ୍ତିମ ସଂସ୍କାର ଚାଲିଛି। ତାଙ୍କ ଭସ୍ମକୁ ଟୋକିଓର ବୁଡୋକାନ ହଲକୁ ତାଙ୍କ ବିଧବା ପତ୍ନୀ ଆକି ଆବେ ନେଇ ଯାଇଥିଲେ ଯେଉଁଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟ ବିଶ୍ୱ ନେତାଙ୍କ ସହ ଏହି ଜାତୀୟ ଅନ୍ତିମ ସଂସ୍କାରରେ ଯୋଗଦେଇଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଇଛନ୍ତି। ଭାରତ-ଜାପାନ ସହଭାଗିତାକୁ ମଜବୁତ କରିବା ସହିତ ଏକ ମୁକ୍ତ, ଖୋଲା ଏବଂ ଅନ୍ତର୍ଭୂକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦୂରଦୃଷ୍ଟି ସମ୍ପନ୍ନ କରିବାରେ ପ୍ରଧାନମନ୍ତ୍ରୀ ଆବେଙ୍କ ଅବଦାନକୁ ସେ ଉଲ୍ଲେଖ କରିଛନ୍ତି।

ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜୁବୁତ କରିବା ଉପରେ ଦୁଇ ନେତାଙ୍କ ମଧ୍ୟରେ ଫଳପ୍ରଦ ମତ ବିନିମୟ ହୋଇଥିଲା। ସେମାନେ ଅନେକ ଆଞ୍ଚଳିକ ଏବଂ ବିଶ୍ବ ସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଭାରତ-ଜାପାନର ସ୍ୱତନ୍ତ୍ର ଷ୍ଟ୍ରାଟେଜିକ୍ ଏବଂ ଗ୍ଲୋବାଲ୍ ପାର୍ଟନରସିପ୍ ଉପରେ ମଧ୍ୟ ସହମତି ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ଆନ୍ତର୍ଜାତୀୟ ଗୋଷ୍ଠୀ ଏବଂ ଅନୁଷ୍ଠାନରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ନେତାମାନେ ସେମାନଙ୍କର ପ୍ରତିବଦ୍ଧତାକୁ ନବୀକରଣ କରିଥିଲେ।