Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସୋରଣ ପଞ୍ଚାୟତରେ ଜିଆରଏସଙ୍କ ମନମୁଖୀ କାର୍ଯ୍ୟ: ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲେ ସରପଞ୍ଚ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତରେ ୨୦୧୯/୨୦ ଆର୍ଥିକ ବର୍ଷରେ କରାଯାଇଥିବା ମାହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ ଯୋଜନାରେ ବହୁତ ଟଙ୍କା ସ୍ଥାନୀୟ ଜିଆରଏସ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ  ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏହା ସହ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୀର୍ଘ ୫ ମାସ ହେଲା କାର୍ଯ୍ଯାଳୟକୁ ଆସୁ ନଥିବା ଅଭିଯୋଗ ମଧ୍ୟ ହୋଇଛି।

ତିନି ମାସ ହେଲା କ୍ଲଷ୍ଟର ଟିଏମସିର ଟଙ୍କାକୁ ପିଇଓ ନିଜ ପାଖରେ ରଖି ବିଲ୍ ହୋଇନାହିଁ ବୋଲି କହୁଥିବାର ଅଭିଯୋଗ ହୋଇଛି। ସୋରଣ ଗ୍ରାମପଞ୍ଚାୟତର ସରପଞ୍ଚ ସୁଜାତା ବିଶ୍ଵାଳ ଏଭଳି ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଚିଲିକା ବିଡ଼ିଓଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଡ଼ିଓଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।

ସୋରଣ ପଂଚାୟତରେ ହୋଇଥିବା ଦୁର୍ନୀତିର ପୁନଃ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ସରପଞ୍ଚ। ସେପଟେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ପଚାରିବାରୁ ସେ ପିଡି ଡିଆରଡିଏଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି। ଯଦି ଦୁର୍ନୀତି ହୋଇଥାଏ, ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଏହି ଘଟଣା ଉପରେ ତଦନ୍ତ ହୋଇ ସତ୍ୟତା କେବେ ଲୋକଙ୍କ ସାମ୍ନାକୁ ଆସୁଛି ଓ ଯଦି ସେହି ପଞ୍ଚାୟତରେ ଅଧିକାରୀଙ୍କ ଦ୍ଵାରା ଦୁର୍ନୀତି ହେଉଛି, ତେବେ ଏହି ମାମଲାରେ କେବେ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି, ତାହା ଦେଖିବା ବାକି ରହିଲା।