Categories
ଅପରାଧ ଆଜିର ଖବର

ବାଲୁଗାଁ: ଦୁଇ ମୋବାଇଲ ଲୁଟେରା ଗିରଫ, ୧୦ ଫୋନ ଜବତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଏବଂ ଖୋର୍ଦ୍ଧା ରୋଡ଼ ଜିଆରପି ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଜି ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛନ୍ତି। ଉକ୍ତ ଦୁଇ ଲୁଟେରା ଟାଙ୍ଗୀ ଏବଂ ବାଣପୁର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ଏମାନେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ବିଭିନ୍ନ ପ୍ଲାଟଫର୍ମରୁ ଟ୍ରେନ ଯାଉଥିବା ସମୟରେ ଯାତ୍ରୀଙ୍କଠାରୁ ମୋବାଇଲ ଛଡାଇ ଫେରାର ହେଇଯାଉଥିଲେ।

ତେବେ ଦୀର୍ଘ ଦୁଇ ଦିନର ଅପରେସନ ପରେ ଗିରଫ ହୋଇଛନ୍ତି ଉକ୍ତ ଦୁଇ ଅଭିଯୁକ୍ତ। ସେମାନଙ୍କ ନିକଟରୁ ୬ ଗୋଟି ସ୍ମାର୍ଟ ଫୋନ ଏବଂ ୪ ଗୋଟି କି ପ୍ୟାଡ଼ ଫୋନ ଜବତ କରିଛି ରେଳବାଇ ପୋଲିସ ଯାହାର ମୂଲ୍ୟ ୯୬ ହଜାର ଟଙ୍କା ହେବ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ରୋଡ଼ ଜିଆରପି କେଶ ନମ୍ବର ୧୦୬/୨୨ ରେ ଏକ ମାମଲା ରୁଜୁକରି ଉଭୟଙ୍କୁ ଖୋର୍ଦ୍ଧା କୋର୍ଟରେ ହାଜର କରାଯାଇଥିବାର ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନର ବାଲୁଗାଁ ସମେତ ବିଭିନ୍ନ ଷ୍ଟେସନରେ ବାରମ୍ବାର ମୋବାଇଲ ଲୁଟ ଅଭିଯୋଗ ହେବା ପରେ ଆରପିଏଫ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଗକୁ ମଧ୍ୟ ଏପରି ଧରପଗଡ଼ ଜାରି ରହିବ ବୋଲି ଆରପିଏଫ କହିଛି।