Categories
ଆଞ୍ଚଳିକ

ଆସନ୍ତାକାଲି ଏନଏସି ନିର୍ବାଚନ: ବାଣପୁର ଓ ବାଲୁଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଆଜି ସନ୍ଧ୍ୟାରେ ବାଣପୁର ଓ ବାଲୁଗାଁ ଏନଏସି ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଉଭୟ ଏନଏସିରେ ପୌର ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ଉଭୟ ଏନଏସି ର ସମସ୍ତ ୱାର୍ଡରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

ଉଭୟ ସ୍ଥାନରେ ହୋଇଥିବା ଫ୍ଲାଗମାର୍ଚ୍ଚରେ ବାଲୁଗାଁ ଏସଡିପିଓ, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ଡ଼ିଏସପି ସୁଜିତ ପଣ୍ଡା, ବାଣପୁର ଆଇଆଇସି ବିଜୟିନୀ ମଲ୍ଲ, ଅତିରିକ୍ତ ଆଇଆଇସି କାହ୍ନୁଚରଣ ସ୍ୱାଇଁ, ଉଭୟ ଥାନା ଏସଆଇ, ଏଏସଆଇ ଏବଂ ବହୁ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

ତେବେ ଆସନ୍ତାକାଲି ପୌର ନିର୍ବାଚନ ସମେତ ଓଡିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚଦୋଳ ଯାତ୍ରା ଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଉଭୟ ଏନଏସି ନିର୍ବାଚନକୁ ନିରପେକ୍ଷ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ କରିବାପାଇଁ ୪ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୨ ଜଣ ଏସଆଇ, ୧୬ ଜଣ ଏଏସଆଇ ଏବଂ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି।

Categories
PanchayatElection ଅପରାଧ ଆଜିର ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅସାମାଜିକଙ୍କୁ ସାବାଡ଼ କରିବା ଉଦ୍ଦେଶ୍ୟରେ ଚାନ୍ଦପୁର ପୋଲିସର ଫ୍ଲାଗମାର୍ଚ୍ଚ

ଚାନ୍ଦପୁର: ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଚଳିତ ଥର କରୋନା ମହାମାରୀ ଲାଗି ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ଏକାଧିକ କଟକଣା ଲଗାଇଥିଲେ ସୁଦ୍ଧା ଅସାମାଜିକ ବ୍ୟକ୍ତିମାନେ ସଦା ସର୍ବଦା ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଅନେଇ ବସିଥାନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଆଇଆଇସି ରଶ୍ମିରଂଜନ ଦାସଙ୍କ ନେତୃତ୍ୱରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦପୁର, କନ୍ଧ ନୟାଗଡ଼, ଜଙ୍କିଆ ଏବଂ ଓସ୍ତାପଡ଼ା ଅଞ୍ଚଳରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି। ଅସାମାଜିକ ବ୍ୟକ୍ତିମାନଙ୍କୁ କଡ଼ା ସନ୍ଦେଶ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଅପରାଧମୁକ୍ତ, ମଦମୁକ୍ତ ନିର୍ବାଚନ କରିବାପାଇଁ ଚାନ୍ଦପୁର ପୋଲିସ ଅଣ୍ଟା ଭିଡିଛି। ଯଦି କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ରାଉଡ଼ି ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତି କିମ୍ବା ଭୋଟରଙ୍କୁ ଡରାନ୍ତି, ତେବେ ସେମାନଙ୍କୁ ସଙ୍ଗେସଙ୍ଗେ ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି।

ସୂଚନା ଥାଉ କି ଅଦ୍ୟାବଧି ଚାନ୍ଦପୁର ଥାନା ଅଧୀନରେ ଥିବା ଏଗାର ଗୋଟି ଗ୍ରାମ ପଞ୍ଚାୟତର ୧୦୨ ଜଣ ଅସାମାଜିକ ତଥା ରାଉଡ଼ି ବ୍ୟକ୍ତିଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଅଗ୍ରିମ ୱାରେଣ୍ଟ ବାହାର କରାଯାଇଅଛି।