Categories
ଆଞ୍ଚଳିକ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଲୁଗାଁ ପୋଲିସର ଫ୍ଲାଗ ମାର୍ଚ୍ଚ

ସୀତାରାମ ଅଗ୍ରୱାଲ

ଚିଲିକା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ ବାଲୁଗାଁ ଥାନା ଡ଼ିଏସପି ଇନଚାର୍ଜ ରମାକାନ୍ତ ମାହାଲିକଙ୍କ ନେତୃତ୍ୱରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।

ଅସାମାଜିକ ବ୍ୟକ୍ତିମାନଙ୍କୁ କଡ଼ା ସନ୍ଦେଶ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅପରାଧମୁକ୍ତ, ଅବାଧ, ନିରପେକ୍ଷ ଏବଂ ମଦମୁକ୍ତ ନିର୍ବାଚନ କରିବାପାଇଁ ବାଲୁଗାଁ ପୋଲିସ ଅଣ୍ଟା ଭିଡିଛି। ଯଦି କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ରାଉଡ଼ି ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତି କିମ୍ବା ଭୋଟରଙ୍କୁ ଡରାନ୍ତି, ତେବେ ସେମାନଙ୍କୁ ସଙ୍ଗେସଙ୍ଗେ ଗିରଫ କରାଯିବ ବୋଲି ଡ଼ିଏସପି ଶ୍ରୀ ମାହାଲିକ କହିଛନ୍ତି।

ସୂଚନା ଥାଉକି ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ଅବା ଗଣ୍ଡଗୋଳ ଆଶଙ୍କାରେ ବାଲୁଗାଁ ପୋଲିସ ଅଦ୍ୟାବଧି ୪୦୦ ଜଣ ବ୍ୟକ୍ତିଙ୍କୁ ଚି଼ହ୍ନଟ କରିବା ସହ ସେମାନଙ୍କ ବିରୋଧରେ ଅଗ୍ରିମ ୱାରେଣ୍ଟ ଜାରି କରିଛି। ଅନୁରୂପ ଭାବେ ଆଜି ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁ ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନାଚୁଣୀ ଫାଣ୍ଡି ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।

Categories
PanchayatElection ଅପରାଧ ଆଜିର ଖବର

ଚିଲିକା: ନିର୍ବାଚନୀ ହିଂସା ରୋକିବା ଲାଗି ବାଣପୁର ପୋଲିସର ଫ୍ଲାଗ ମାର୍ଚ୍ଚ

ସୀତାରାମ ଅଗ୍ରୱାଲ

ବାଣପୁର: ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ। ଚଳିତ ଥର କରୋନା ମହାମାରୀ ଲାଗି ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ଏକାଧିକ କଟକଣା ଲଗାଇଥିଲେ ସୁଦ୍ଧା ଅସାମାଜିକ ବ୍ୟକ୍ତିମାନେ ସଦା ସର୍ବଦା ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଅନେଇ ବସିଥାନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ବାଣପୁର ଆଇଆଇସି ରଶ୍ମିରଂଜନ ସାହୁଙ୍କ ମିଳିତ ନେତୃତ୍ୱରେ ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ଭେଟେଶ୍ୱର ଏବଂ ଗାଲୁଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି।

ଅସାମାଜିକ ବ୍ୟକ୍ତିମାନଙ୍କୁ କଡ଼ା ସନ୍ଦେଶ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଅପରାଧମୁକ୍ତ, ଅବାଧ, ନିରପେକ୍ଷ ଏବଂ ମଦମୁକ୍ତ ନିର୍ବାଚନ କରିବାପାଇଁ ବାଣପୁର ପୋଲିସ ଅଣ୍ଟା ଭିଡିଛି। ଯଦି କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ରାଉଡ଼ି ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି କରନ୍ତି କିମ୍ବା ଭୋଟରଙ୍କୁ ଡରାନ୍ତି, ତେବେ ସେମାନଙ୍କୁ ସଙ୍ଗେସଙ୍ଗେ ଗିରଫ କରାଯିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ କହିଛନ୍ତି।

ସୂଚନା ଥାଉକି ବାଣପୁର ବ୍ଲକର ଏକାଧିକ ଗ୍ରାମରେ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ରାଜନୈତିକ ଗୋଷ୍ଠୀ ସଂଘର୍ଷ ଜାରି ରହିଛି। ଅଦ୍ୟାବଧି ବାଣପୁର ଥାନା ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ୩୭୦ ଜଣ ଅସାମାଜିକ ତଥା ରାଉଡ଼ି ବ୍ୟକ୍ତିଙ୍କୁ ଚି଼ହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ୧୦୭ ରେ ଅଗ୍ରିମ ୱାରେଣ୍ଟ ବାହାର କରାଯାଇଥିବାର ଆଇଆଇସି ଶ୍ରୀ ସାହୁ କହିଛନ୍ତି।

ଅନୁରୂପ ଭାବେ ବାଲୁଗାଁ ଥାନା ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ୪୦୦ ଜଣ ଅସାମାଜିକ ତଥା ରାଉଡ଼ି ବ୍ୟକ୍ତିଙ୍କ ବିରୋଧରେ ୧୦୭ ରେ ଅଗ୍ରିମ ୱାରେଣ୍ଟ ବାହାର କରାଯାଇଥିବାର ଡ଼ିଏସପି ଇନଚାର୍ଜ ରମାକାନ୍ତ ମାହାଲିକ କହିଛନ୍ତି।