Categories
ଆଞ୍ଚଳିକ

ବାଣପୁର: ଦୀର୍ଘ ୫ ଦିନ ଧରି ବଙ୍କାଡ଼ ଜଙ୍ଗଲରୁ ଲିଭୁନି ନିଆଁ, ବନବିଭାଗ ଓ ଅଗ୍ନିଶମ ବାହିନୀ ନୟାନ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଧାରାରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ସରକାର ବହୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଜଙ୍ଗଲ ରହିଲେ ଜୀବନ ସମ୍ଭବ। ତେଣୁ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ସରକାରଙ୍କ ବିଭିନ୍ନ ପ୍ରୟାସ ପରେ କିଛି ଦୁର୍ବୃତ୍ତ ଏହାକୁ ଅଣଦେଖା କରି ନିଜ ସ୍ଵାର୍ଥ ପାଇଁ ଲାଗିପଡିଛନ୍ତି। ଜଙ୍ଗଲରେ ନିଆଁ ଲଗାଇବା ସତେ ଯେମିତି ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି। ଯାହାଯୋଗୁଁ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି।

ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲରେ ଗତ ୫ ଦିନ ହେଲା ନିଆଁ ଜଳୁଛି। ଫଳରେ ବହୁ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟଜନ୍ତୁ ମଧ୍ୟ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ବନବିଭାଗ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରୁଥିଲେ ମଧ୍ୟ ଦୁର୍ବୃତ୍ତମାନେ ପୁନଶ୍ଚ ଜଙ୍ଗଲରେ ଅଗ୍ନି ସଂଯୋଗ କରୁଛନ୍ତି।  ଯାହାଫଳରେ ପରିବେଶ ସନ୍ତୁଳନ ବିଗିଡ଼ିବା ସହ ଗ୍ରାମବାସୀମାନେ ମଧ୍ୟ ବହୁ ହଇରାଣ ହେଉଛନ୍ତି।

ତେବେ ଯଦି ଏହିପରି ଜଙ୍ଗଲରେ ନିଆଁ ଲାଗି ରହେ, ତେବେ ଆଗକୁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବା ସହ ବନ୍ୟଜନ୍ତୁ ଜନବସତି ମୁହାଁ ହେବେ। ଖୋର୍ଦ୍ଧା ଡ଼ିଏଫଓ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ହେଉଛି।