Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଜେଟ୍ -୨୦୨୩ ଉପରେ ଗଣମାଧ୍ୟମ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ ଏମଜିଏନଆରଇଜିଏ ପାଇଁ ପାଣ୍ଠି ଆବଣ୍ଟନ ହ୍ରାସ  ହୋଇନାହିଁ। ଭୁବନେଶ୍ୱର ଠାରେ ଗଣମାଧ୍ୟମ ସହିତ ବଜେଟ୍ ପରବର୍ତ୍ତୀ ଆଲୋଚନା ସମୟରେ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ ଆଜି କହିଛନ୍ତି ଯେ ଏମଜିଏନଆରଇଜିଏ ଏକ ଚାହିଦାଭିତ୍ତିକ ଯୋଜନା ହୋଇଥିବାରୁ ସରକାର ସେହି ଅନୁଯାୟୀ ବ୍ୟବସ୍ଥା ଜାରି ରଖିବେ। ସେ କହିଛନ୍ତି ଯେ ସରକାରଙ୍କ ଧ୍ୟାନ କେବଳ ପାଣ୍ଠି ଆବଣ୍ଟନ କରିବା ନୁହେଁ ବରଂ ଏହି ଯୋଜନା ପାଇଁ ଆବଣ୍ଟିତ ପାଣ୍ଠିର ସମ୍ପୂର୍ଣ୍ଣ ଉପଯୋଗକୁ ସୁନିଶ୍ଚିତ କରିବା। ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ସଂଗ୍ରହ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କୃଷକମାନଙ୍କଠାରୁ କିଣାଯାଇଥିବା ଖାଦ୍ୟ ଶସ୍ୟର ପରିମାଣ ଗତ ଆଠ ବର୍ଷ ମଧ୍ୟରେ ବଢିଛି ଏବଂ ଏଥିସହିତ ପ୍ରଦାନ କରାଯାଇଥିବା ଏମଏସପି ପରିମାଣ ମଧ୍ୟ ବୃଦ୍ଧି ପାଇଛି। ସେ କହିଛନ୍ତି ଯେ ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ ସମୁଦାୟ ପରିମାଣର ଏମଏସପି ଚାଷୀଙ୍କ ଆକାଉଣ୍ଟକୁ ଯିବ ଏବଂ ଏହାଦ୍ୱାରା ଯେକୌଣସି ଚୋରା କାରବାର ଏବଂ ମଧ୍ୟସ୍ଥିଙ୍କ ସମ୍ପୃକ୍ତି ଦୂର ହୋଇପାରିବ। ପେଟ୍ରୋଲ ଓ ଡିଜେଲକୁ ଜିଏସ୍‍ଟିରେ ଅର୍ନ୍ତଭୁକ୍ତ ପାଇଁ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହା ଉପରେ ନିଷ୍ପତ୍ତି ନେବା ଜିଏସଟି ପରିଷଦର ଡୋମେନରେ ରହିଛି। ନୂତନ ବ୍ୟବସ୍ଥାରେ ଆୟକର ହାରକୁ ହ୍ରାସ କରାଯାଇଛି ବୋଲି ଦର୍ଶାଇ ସେ କହିଛନ୍ତି ଯେ ପୁରୁଣା ବ୍ୟବସ୍ଥା ଅଧୀନରେ ପୂର୍ବପରି ୮୦ ସି ଏବଂ ୮୦ ଡି ଭଳି ସେକ୍ସନ ଅଧୀନରେ ଥିବା ସୁବିଧା ଉପଲବ୍ଧ ରହିବ। ଓଡିଶାକୁ ସ୍ୱତନ୍ତ୍ର ପାହ୍ୟାର ରାଜ୍ୟ ମାନ୍ୟତା ପ୍ରଦାନ ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଅର୍ଥ କମିଶନ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି।

ଉଜ୍ୱଳା ଯୋଜନାକୁ ଏକ ଭଲ ଯୋଜନା ଭାବରେ ପ୍ରଶଂସା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହାକୁ ବିଶେଷ କରି ଗରିବ ଲୋକ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ଗରିବଙ୍କ ଉପରେ ଆର୍ନ୍ତଜାତୀୟ ମୂଲ୍ୟ ବୃଦ୍ଧିର ବୋଝ ନଲଦିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱକୁ ଉପଲବ୍ଧି କରି ସରକାର ସିଲିଣ୍ଡର ପିଛା ଦୁଇଶହ ଟଙ୍କା ସବସିଡି ଦେଉଛନ୍ତି ଯାହା ଦ୍ୱାରା ଗରିବମାନେ ସେମାନଙ୍କ ଗ୍ୟାସ ସିଲିଣ୍ଡର ନିୟମିତ ଭାବେ ଭରି ପାରିବେ। ସେ କହିଛନ୍ତି ଯେ ଆମଦାନୀ ହୋଇଥିବା ସାମଗ୍ରୀର ମୂଲ୍ୟ ବୃଦ୍ଧିର ପ୍ରଭାବ ଲୋକମାନେ ବୁଝନ୍ତି ଏବଂ ସେହି ଅନୁଯାୟୀ ସେମାନଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତି।

ବଜେଟରେ ଘୋଷଣା ହୋଇଥିବା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ (ପିଏମ୍‍-ବିକାଶ) ଯୋଜନା ଉପରେ ଆଲୋକପାତ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହା ଓଡ଼ିଶାର କାରିଗର ବିଶେଷକରି ଯେଉଁମାନେ ପଟ୍ଟଚିତ୍ର ଏବଂ ପଥର କାମ ଇତ୍ୟାଦି କରୁଛନ୍ତି ସେମାନଙ୍କ ପାଇଁ ବହୁତ ଲାଭଦାୟକ ହେବ।

ଏହା ପୂର୍ବରୁ ଭୁବନେଶ୍ୱର ଠାରେ ହିତାଧିକାରୀଙ୍କ ସହ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରି ମନ୍ତ୍ରୀ କହିଛନ୍ତି ଯେ ଅର୍ଥନୀତିର ଅଭିବୃଦ୍ଧି ବଜାୟ ରଖିବା ପାଇଁ ବଜେଟ୍ କେବଳ ପୁଞ୍ଜି ବ୍ୟୟ ପାଇଁ ୧୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିନାହାନ୍ତି ବରଂ ସେମାନଙ୍କର ମୂଳ ପୁଞ୍ଜି ଗଠନ ପାଇଁ ରାଜ୍ୟଗୁଡିକ ଲାଗି ଅଧିକ ପାଣ୍ଠି ଆବଣ୍ଟନ କରିଛନ୍ତି। ବଜେଟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିକାଶ ଯାତ୍ରାରେ ପଛୁଆ ତଥା ଆଦିମ ଲୋକମାନଙ୍କ ପରି ବଞ୍ଚିତ ଜନସଂଖ୍ୟାର ବିଭିନ୍ନ ବିଭାଗକୁ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ତର୍ଭୁକ୍ତି ପ୍ରକ୍ରିୟାରେ ‘ସଂତୃପ୍ତି’ ପ୍ରମୁଖ ଶବ୍ଦ ବୋଲି ଦର୍ଶାଇ ସେ କହିଥଲେ ଯେ ବିକାଶର ମୌଳିକ ଲାଭ ପହଞ୍ଚିବା ପରିପ୍ରେକ୍ଷୀରେ ସଂତୃପ୍ତି ହାସଲ କରାଯିବା ଆବଶ୍ୟକ। ଏହାକୁ ଆଧାର କରି ସରକାର ବର୍ତ୍ତମାନର ୧୧୪ ଟି ଆକାଂକ୍ଷୀ ଜିଲ୍ଲା ବ୍ୟତୀତ ଦେଶରେ ଆଉ ୫୦୦ ଟି ଆକାଂକ୍ଷୀ ବ୍ଲକ ଚିହ୍ନଟ କରିବାକୁ ଚିନ୍ତା କରିଛନ୍ତି। ଅର୍ଥମନ୍ତ୍ରୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ସୂଚନା ଦେଇଛନ୍ତି ଯେପରିକି ଏମଏସଏମଇର, ଯୁବକ ଏବଂ ଶ୍ରମିକଙ୍କ ଦକ୍ଷତା ଏବଂ ଭବିଷ୍ୟତକୁ ପ୍ରସ୍ତୁତ କରିବା ଏବଂ ସବୁଜ ଶକ୍ତି ଉପରେ ଗୁରୁତ୍ୱ ଦେବା।

କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ର ବଜେଟ୍ ୨୦୨୩-୨୪ ନିଶ୍ଚିତ କରିଛି ଯେ ଅର୍ଥନୀତି ପୂର୍ବରୁ ହାସଲ କରିଥିବା ଅଭିବୃଦ୍ଧି ହ୍ରାସ ପାଇବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରେଳବାଇକୁ ମିଳିବ ବଡ ଉପହାର!, ତିଆରି ହେବ ୧ ଲକ୍ଷ କିଲୋମିଟର ଟ୍ରାକ, କେତେ ହେବ ମୂଲ୍ୟ

ନୂଆଦିଲ୍ଲୀ: ବଜେଟ୍ ୨୦୨୩ରେ ଦେଶରେ ରେଳ ନେଟୱାର୍କକୁ ମଜବୁତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବାର ସମ୍ଭାବନା ରହିଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଦେଶରେ ୧ ଲକ୍ଷ କିଲୋମିଟର ନୂତନ ରେଳ ଲାଇନ ସ୍ଥାପନ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇପାରେ। ନୂତନ ଟ୍ରାକ୍ ରେଳ ନେଟୱାର୍କକୁ ଆଧୁନିକୀକରଣ କରିବ ଏବଂ ଟ୍ରେନର ଗତି ମଧ୍ୟ ବୃଦ୍ଧି କରିବ। ବଜେଟରେ ୭ ହଜାର କିଲୋମିଟର ବ୍ରଡ ଗେଜ୍ ଲାଇନର ବିଦ୍ୟୁତିକରଣ ପାଇଁ ୧୦ ହଜାର କୋଟି ଟଙ୍କା ପାଣ୍ଠି ପାଇବାର ସମସ୍ତ ସମ୍ଭାବନା ଅଛି।

ସୂଚନା ମୁତାବକ ଦେଶର ପ୍ରତ୍ୟେକ କୋଣରେ ରେଳ ସେବା ଯୋଗାଇବା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ। ଏଥିପାଇଁ ଦେଶରେ ଦ୍ରୁତ ଗତିରେ ନୂତନ ରେଳ ଲାଇନ ନିର୍ମାଣ ଉପରେ ସରକାରଙ୍କ ଗୁରୁତ୍ୱ ରହିଛି। ୨୦୨୪ ଆର୍ଥିକ ବର୍ଷରେ ସରକାର ୪ ହଜାର କିଲୋମିଟର ନୂତନ ଲାଇନ ସ୍ଥାପନ କରିବାକୁ ଚାହୁଁଛନ୍ତି। ନୂତନ ରେଳ ଟ୍ରାକ୍ ନିର୍ମାଣ ପାଇଁ ପାଣ୍ଠି ଦ୍ୱିଗୁଣିତ ହୋଇ ୫୦ ହଜାର କୋଟି ଟଙ୍କା ହୋଇପାରେ।

ହାଇ ସ୍ପିଡ୍ ଏବଂ ସେମି ହାଇ ସ୍ପିଡ୍ ଟ୍ରେନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଲାଇନଗୁଡ଼ିକ ନିର୍ମାଣ କରାଯିବ। ବନ୍ଦେ ଭାରତ ପରି ନୂତନ ପିଢୀର ଟ୍ରେନ୍ ୧୮୦ କିଲୋମିଟର ବେଗରେ ଚାଲିପାରିବ। ଗତ ମାସରେ ହିଁ ସରକାର ୨୦୨୩-୨୪ ର କେନ୍ଦ୍ର ବଜେଟରେ ୩୦୦-୪୦୦ ନୂତନ ବନ୍ଦେ ଭାରତ ଟ୍ରେନ୍ ଘୋଷଣା କରିପାରନ୍ତି। ସେଥିପାଇଁ ସରକାର ଏକ ଆଧୁନିକ ଟ୍ରାକ୍ ନିର୍ମାଣ କରିବେ।

ଟ୍ରେନର ଗତି ବଢାଇବାକୁ ଭାରତୀୟ ରେଳ ପ୍ରତିବଦ୍ଧ। ଆଗାମୀ ସମୟରେ ରେଳବାଇର ଗତି ଘଣ୍ଟା ପ୍ରତି ୧୬୦ କିଲୋମିଟରକୁ ବୃଦ୍ଧି କରିବାକୁ ରେଳବାଇ ଯୋଜନା କରିଛି। ଚଳିତ ବର୍ଷ ରେଳବାଇର କାର୍ଗୋ ଅଭିବୃଦ୍ଧି ୮.୫-୧୦ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ରେଳବାଇର ଆୟ ୧୧ ପ୍ରତିଶତ ବୃଦ୍ଧି ପାଇଛି। ରେଳବାଇ କହିଛି ଯେ, ନଭେମ୍ବର ୨୦୨୨ରେ ଏହା ୧୩ ହଜାର ୫୬୦ କୋଟି ଟଙ୍କା ମାଲ ପରିବହନ ରାଜସ୍ୱ ହାସଲ କରିଛି। ଗତ ବର୍ଷ ସମାନ ମାସରେ ଏହା ୧୨ ହଜାର ୨୦୬ କୋଟି ଟଙ୍କା ଥିଲା।

ଟ୍ରେନ୍ ଦୁର୍ଘଟଣାକୁ ରୋକିବା ପାଇଁ ଉତ୍ତର-ପୂର୍ବ ରେଳ ଟ୍ରେନରେ ଏକ ସ୍ୱତନ୍ତ୍ର ଉପକରଣ ସ୍ଥାପନ କରିବାକୁ ଯାଉଛି। ଏହି ଡିଭାଇସ୍ ବିମାନରେ ଲାଗିଥିବା ବ୍ଲାକ ବକ୍ସ ପରି କାମ କରିବ। ଏହା ଦୁର୍ଘଟଣାର କାରଣ ବିଷୟରେ ସୂଚନା ଦେବ। ଉତ୍ତର-ପୂର୍ବ ରେଳ ଟ୍ରେନରେ କ୍ୟାବ ଅଡିଓ ଭିଡିଓ ଭିଜୁଆଲ ରେକର୍ଡିଂ ସିଷ୍ଟମ ସ୍ଥାପନ କରିବାକୁ ଯାଉଛି, ଯାହା ଲୋକୋମୋଟିଭ ଇଞ୍ଜିନରେ ସ୍ଥାପିତ ହେବ। ଏହି ଡିଭାଇସ୍ ପୂର୍ବରୁ ନୂଆ ଲୋକୋମୋଟିଭ୍ ଇଞ୍ଜିନ୍ ରେ ଇନଷ୍ଟଲ୍ ହୋଇଥିବାବେଳେ ଉତ୍ତର ପୂର୍ବ ରେଳବାଇ ଏହାକୁ ପୁରୁଣା ଲୋକୋମୋଟିଭ୍ ଇଞ୍ଜିନରେ ସ୍ଥାପନ କରିବାକୁ ଅନୁମତି ପାଇଛି। ପ୍ରଥମ ପର୍ଯ୍ୟାୟରେ ଏହା ପ୍ରାୟ ୫୦ ଟି ଟ୍ରେନରେ ସ୍ଥାପିତ ହେବ।