Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଧବଳେଶ୍ବର ପିଠରେ ବଡ ଓଷା, ଜାଣନ୍ତୁ କଣ ରହିଛି ଏହି ପୂଜାର ରହସ୍ୟ ଓ ବିଧି

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସ ସାରା ହେଉଛି ପବିତ୍ର ଦିନ। ହେଲେ ଏହି ମାସରେ ରାଧାପାଦ ଦର୍ଶନ, ଅଁଳା ନବମୀ ଏବଂ ବଡ ଓଷା ପରି ତିଥି ରହିଛି ଯାହା ଆହୁରି ପବିତ୍ର ବୋଲି କୁହାଯାଏ। ତେବେ ଏହି ମାସରେ ଶେଷ ତିଥୀ ହେଉଛି ବଡ ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମା।

ଆସନ୍ତାକାଲି ପାଳନ ହେବ ଏହି ବଡଓଷା। କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ତ୍ରୟୋଦଶୀ ତିଥିରେ ଏହି ଓଷା ପାଳନ କରାଯାଏ। ଏହି ଓଷା ମୁଖ୍ୟତଃ ଧବଳେଶ୍ୱର ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି।

ବଡଓଷାର ପୂଜାବିଧି ଓ ଉପଚାର

ବଡଓଷା ଅବସରରେ ମହାଦେବଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ। ପୂଜାଦିନ ଭୋରରୁ ଧବଳେଶ୍ୱରଙ୍କୁ ୧୦୮ ଗରା ପାଣିରେ ସ୍ନାନ କରାଯାଇ, ମଙ୍ଗଳ ଆରତୀ ଓ ମଇଲମ ଆଦି ରୀତିନୀତି କରାଯାଏ। ତରଣ ଓ ଗଜା ପିଠା ବା ଗଜା ମଣ୍ଡା ଭୋଗ ଲଗାଯାଏ। ଅରୁଆ ଚାଉଳ ଚୂନାରେ ଏହି ପିଠା ତିଆରି କରାଯାଏ। ପିଠାରେ ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ପୁର ଦିଆଯାଏ। ମହାଦେବଙ୍କୁ ପୂଜା କରାଯିବା ପରେ ଭକ୍ତମାନେ ଏହି ପିଠା ସେବନ କରନ୍ତି। ୨୦୨୦ ମସିହାରେ ୨୫ ବର୍ଷ ପରେ ଧବଳେଶ୍ୱରଙ୍କର କିରାତଅର୍ଜୁନ ବେଶ ହୋଇଥିଲା।

କିମ୍ବଦନ୍ତୀ

ପଦ୍ମ ପୁରାଣ ମତେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ର ଧବଳେଶ୍ୱରଙ୍କ ନିକଟରେ ବଡ଼ଓଷା ବ୍ରତ ପାଳନ କରି କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକେଇ ଶାପମୁକ୍ତ ହୋଇଥିଲେ । ଅନ୍ୟ ଏକ କାହାଣୀ ଅନୁସାରେ ଉତ୍କଳରେ କ୍ରତୁ ନାମକ ଧାର୍ମିକ ରାଜା ଥିଲେ। ସେ ଥରେ ଶିକାର ଉଦ୍ଦେଶ୍ୟରେ ବନକୁ ଯାଇଥିଲେ। ବନରେ ଲକ୍ଷ୍ୟହୀନଭାବେ ଯାଉଥିବା ବେଳେ ଏକ ଭଙ୍ଗା ଶିବମନ୍ଦିର ପାଖରେ ପହଞ୍ଚିଲେ। ସେଠାରେ ନାଗପୁରର ରାଜକୁମାରୀ ହରପ୍ରିୟା କ୍ରତୁଙ୍କୁ ବିବାହ କାମନା କରି ପୂଜାକରୁଥିଲେ। ମନ୍ଦିର ନିକଟରେ ଉଭୟଙ୍କର ଭେଟ ହେଲା ଓ ସେମାନେ ବିବାହ କଲେ ।

ବିବାହ ପରେ ରାଜା ଭୋଗ ବିଳାସରେ ରହି ରାଜ୍ୟକଥା ବୁଝିଲେ ନାହିଁ । ଫଳରେ ବାହ୍ୟଶତ୍ରୁଙ୍କ ପରାଜିତ ହୋଇ ରାଜ୍ୟ ହରାଇବାକୁ ପଡିଲା। ସେ ବଣରେ ରାଣୀଙ୍କ ସହିତ ଦୁଃଖରେ କାଳାତିପାତ କଲେ। ସେହି ବନରେ ଜଣେ ଶିବପୂଜକ ସନ୍ୟାସୀ ବାସ କରୁଥିଲେ। ସେ ଥରେ ଶିବଙ୍କ ପୂଜା ଉଦ୍ଦେଶ୍ୟରେ କେତକୀ ଫୁଲ ନେଇ ଯାଉଥିଲେ। ରାଜା ସେହି ଫୁଲଗୁଡ଼ିକୁ ସନ୍ୟାସୀଙ୍କଠାରୁ ବଳପୂର୍ବକ ଛଡ଼ାଇନେଇ ରାଣୀଙ୍କୁ ଅର୍ପଣକଲେ।

ଶିବ ରୁଷ୍ଟ ହେଲେ ଓ ରାଜାଙ୍କୁ କୁଷ୍ଠରୋଗ ହେଲା। ତାଙ୍କର ଦୁଃଖ ବଢ଼ି ଚାଲିଲା। ରାଣୀ ରାଜାଙ୍କ ସେବା ଓ ଈଶ୍ବର ଭକ୍ତିରେ ସମୟ ଅତିବାହିତ କରୁଥିଲେ। ସେ ଜଣେ ସନ୍ୟାସୀଙ୍କୁ ଭେଟି ରାଜାଙ୍କର ଆରୋଗ୍ୟ ଉପାୟ ପଚାରିଲେ। ଶିବଭକ୍ତଙ୍କ ଅଭିଶାପରୁ ରାଜାଙ୍କୁ କୁଷ୍ଠରୋଗ ହୋଇଛି ବୋଲି ସନ୍ୟାସୀ ଜଣାଇଲେ। ରାଣୀ ସନ୍ୟାସୀଙ୍କ ପରାମର୍ଶରେ ମହାନଦୀ ଗର୍ଭରେ ଥିବା ଧବଳେଶ୍ବରଙ୍କ ନିକଟରେ ନିଷ୍ଠାର ସହିତ ବଡ଼ଓଷା ବ୍ରତ ପାଳନ କଲେ। ଶିବ ସନ୍ତୁଷ୍ଟ ହୋଇ ବର ପ୍ରଦାନ କଲେ। କ୍ରତୁ ରୋଗମୁକ୍ତ ହୋଇ ସପତ୍ନୀକ ଓ ପୁତ୍ର ସନ୍ତାନ ସହ ରାଜତ୍ବ କଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଶିବାଳୟରେ ଲାଗିଲା ୧୪୪ ଧାରା

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳିର ସମସ୍ତ ଶିବ ମନ୍ଦିରଗୁଡ଼ିକରେ ଆଜି ଠାରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଧାରା ୧୪୪ ଜାରି କରାଯାଇଛି। ଆଗକୁ ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଆସୁଥିବାରୁ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଉପଜିଲ୍ଲାପାଳ ଉକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଆଜି ନଭେମ୍ବର ୧୭ ତାରିଖରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବାଣପୁର ଓ ଚିଲିକା ତହସିଲର ସମସ୍ତ ଶିବାଳୟ ଗୁଡିକରେ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେହିପରି ଭାବେ ମନ୍ଦିରର ପୋଖରୀ ଗୁଡିକରେ ଡ଼ଙ୍ଗା ଭସାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି।

ଏହି ପରିପ୍ରେକ୍ଷୀରେ ବାଣପୁର ତହସିଲଦାର, ଚିଲିକା ତହସିଲଦାର, ବାଣପୁର ଆଇଆଇସି ଏବଂ ବାଲୁଗାଁ ଆଇଆଇସିଙ୍କ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବା ସହ ସମସ୍ତ ଶିବ ମନ୍ଦିର ସମ୍ମୁଖରେ ସର୍ବସାଧାରଣଙ୍କ ନିମନ୍ତେ ନୋଟିସ ଜାରି କରାଯାଇଛି।

ଅନୁରୂପ ଭାବେ ପ୍ରମୁଖ ଶିବ ମନ୍ଦିରଗୁଡିକ ସମ୍ମୁଖରେ ପୋଲିସ ପ୍ରଶାସନ ଦ୍ୱାରା ପୋଲିସ କର୍ମଚାରୀ ମୁତୟନ କରାଯାଇଛି। ତେବେ ଯଦି କୌଣସି ବ୍ୟକ୍ତି ଜିଲ୍ଲା ପ୍ରଶାସନର ଉକ୍ତ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଲୁଗାଁ ଏସଡ଼ିପିଓ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିନା ଭକ୍ତରେ ପାଳନ ହେବ ବଡଓଷା

ଆଠଗଡ : ଧବଳେଶ୍ବର ପୀଠରେ ବଡଓଷା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ବିନା ଭକ୍ତରେ ବଡଓଷା ପାଳନ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ ନିୟମ ମାନି ମନ୍ଦିରର ସମସ୍ତ ନୀତିକାନ୍ତି କରାଯିବ। ବଡଓଷା ଦିନ ଧବଳେଶ୍ବର ପୀଠର ଆଖପାଖରେ ଜାରି ହେବ 144 ଧାରା। ବୈଠକ ଶେଷରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି।