Categories
ଆଜିର ଖବର ଜାତୀୟ ଖବର

୬୦ ବର୍ଷ ନୁହେଁ ଏଣିକି ୫୦ ବର୍ଷରେ ପାଇବେ ବାର୍ଦ୍ଧକ୍ୟ ଭତ୍ତା: ମୁଖ୍ୟମନ୍ତ୍ରୀ ସୋରେନଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ବାର୍ଦ୍ଧକ୍ୟ ଭତ୍ତାର ଯୋଗ୍ୟତା ବୟସ ୬୦ ବର୍ଷରୁ ୫୦ ବର୍ଷକୁ ହ୍ରାସ କରିବାକୁ ଏବଂ ରାଜ୍ୟରେ କାର୍ଯ୍ୟାଳୟ ସ୍ଥାପନ କରୁଥିବା କମ୍ପାନୀଗୁଡିକରେ ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରୀ ସଂରକ୍ଷଣ କରିବାକୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ସରକାରଙ୍କ ଚତୁର୍ଥ ବାର୍ଷିକୀରେ ସୋରେନ୍ ଏହି ଘୋଷଣା କରିଛନ୍ତି। ଏହା ସହିତ ସେ ଯୁବକମାନଙ୍କୁ ମାଗଣା କୋଚିଂ ଦେବାକୁ ଘୋଷଣା କରିବା ସହ କେନ୍ଦ୍ରକୁ ଅଭିହିତ କରି କହିଛନ୍ତି ଯେ, ଅନ୍ୟ ରାଜ୍ୟଗୁଡିକ ୧ ଲକ୍ଷ ଛତିଶ ହଜାର କୋଟି ଟଙ୍କା ପାଉଛନ୍ତି, କିନ୍ତୁ ଆମେ ଟଙ୍କା ପାଇ ନାହୁଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ଏଲପିଜି ସିଲିଣ୍ଡର ମୂଲ୍ୟ ୨୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରତ୍ୟେକ ଘରେ ଆଶ୍ୱସ୍ତି ଆଣିବା ଭଳି ଏକ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର। ସରକାର ଆଜି ରନ୍ଧନ ଗ୍ୟାସର ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଘୋଷଣା କରିଛନ୍ତି। ୩୦.୦୮.୨୦୨୩ ରୁ ଦେଶର ସମସ୍ତ ବଜାରରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇବ। ଉଦାହରଣ ସ୍ୱରୂପ, ଦିଲ୍ଲୀରେ ଏହି ନିଷ୍ପତ୍ତି ଦ୍ୱାରା ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନର ସିଲିଣ୍ଡର ପିଛା ୧୧୦୩ ଟଙ୍କାରୁ ଅଧିକ ଶସ୍ତା ହୋଇ ୯୦୩ ଟଙ୍କାକୁ ହ୍ରାସ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରକ୍ଷାବନ୍ଧନ ଅବସରରେ ଦେଶର କୋଟି କୋଟି ଭଉଣୀଙ୍କୁ ଏହା ଏକ ଉପହାର। ଲୋକଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବା ଏବଂ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କୁ ଉପକୃତ କରିବା ଲାଗି ଆମ ସରକାର ସର୍ବଦା ଯଥାସମ୍ଭବ କାର୍ଯ୍ୟ କରିବେ।

ଏହି ମୂଲ୍ୟ ହ୍ରାସ ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ପରିବାରକୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମଧ୍ୟ ଜାରି ରହିବ। ତେଣୁ ଏହି ମୂଲ୍ୟ ହ୍ରାସ ପରେ ପିଏମୟୁୱାଇ ପରିବାର ପାଇଁ ଦିଲ୍ଲୀରେ ସିଲିଣ୍ଡର ପିଛା ପ୍ରଭାବୀ ମୂଲ୍ୟ ୭୦୩ ଟଙ୍କା ହେବ।

ସୂଚନାଯୋଗ୍ୟ ଯେ ୯.୬ କୋଟି ପିଏମୟୁୱାଇ ହିତାଧିକାରୀ ପରିବାର ସମେତ ଦେଶରେ ୩୧ କୋଟିରୁ ଅଧିକ ଘରୋଇ ଏଲପିଜି ଉପଭୋକ୍ତା ଅଛନ୍ତି ଏବଂ ଏହି ହ୍ରାସ ଦେଶର ସମସ୍ତ ଏଲପିଜି ଉପଭୋକ୍ତାଙ୍କୁ ଲାଭାନ୍ୱିତ କରିବ । ପଡ଼ି ରହିଥିବା ପିଏମୟୁୱାଇ ଆବେଦନଗୁଡ଼ିକୁ ସମାଧାନ କରିବା ଏବଂ ସମସ୍ତ ଯୋଗ୍ୟ ପରିବାରକୁ ମାଗଣାରେ ଏଲପିଜି ସଂଯୋଗ ପ୍ରଦାନ କରିବା ପାଇଁ ସରକାର ଖୁବ୍ ଶୀଘ୍ର ଏଲପିଜି ସଂଯୋଗ ନଥିବା ଗରିବ ପରିବାରର ୭୫ ଲକ୍ଷ ମହିଳାଙ୍କୁ ପିଏମୟୁୱାଇ ଯୋଜନାରେ ରୋଷେଇ ଗ୍ୟାସ ବଣ୍ଟନ ଆରମ୍ଭ କରିବେ। ଏହା ଦ୍ୱାରା ପିଏମୟୁୱାଇ ଅଧୀନରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୯.୬ କୋଟିରୁ ୧୦.୩୫ କୋଟିକୁ ବୃଦ୍ଧି ପାଇବ।

ନାଗରିକଙ୍କ ଉପରେ ଆର୍ଥିକ ବୋଝକୁ କମ୍ କରିବା ଏବଂ ସାଧାରଣ ପରିବାରର କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଜାରି ରହିଥିବା ପ୍ରୟାସର ଅଂଶ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି। ଦେଶର ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା ଏବଂ ଉଚିତ୍ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ରନ୍ଧନ ଗ୍ୟାସ ଦର ହ୍ରାସ ପ୍ରତିଫଳିତ କରିଥାଏ।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ବଜେଟ୍ ପରିଚାଳନାରେ ଦେଶର ସାଧାରଣ ପରିବାରଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ଆମେ ବୁଝିଛୁ । ରନ୍ଧନ ଗ୍ୟାସ ଦର ହ୍ରାସର ଉଦ୍ଦେଶ୍ୟ ହେଉଛି ଏସବୁ ସାଧାରଣ ପରିବାର ଏବଂ ବ୍ୟକ୍ତିବିଶେଷଙ୍କୁ ସିଧାସଳଖ ଆଶ୍ୱସ୍ତି ପ୍ରଦାନ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ସୁଲଭ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ବୃହତ ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବା।

ରନ୍ଧନ ଗ୍ୟାସ ଦର ହ୍ରାସ ସମାଜର ଏକ ବିସ୍ତୃତ ବର୍ଗର ଜୀବନଧାରଣ ଖର୍ଚ୍ଚ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ସରକାରଙ୍କ ସକ୍ରିୟ ପଦକ୍ଷେପ ଦ୍ୱାରା ପରିବାର ପାଇଁ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ ସଞ୍ଚୟ ହେବ ଏବଂ ନାଗରିକମାନଙ୍କର ସୁଲଭ ଆୟରେ ଏକ ପ୍ରଶଂସନୀୟ ଅବଦାନ ରହିବ ବୋଲି ଅନୁମାନ କରାଯାଉଛି।

ଲୋକଙ୍କ ବୋଝକୁ କମ୍ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ଏବଂ ରନ୍ଧନ ଗ୍ୟାସ ଦରରେ ଏହି ହ୍ରାସ ଲୋକଙ୍କ ଆବଶ୍ୟକତା ପ୍ରତି ସରକାରଙ୍କ ଉତ୍ତରଦାୟିତ୍ୱ ଏବଂ ସେମାନଙ୍କ କଲ୍ୟାଣ ପ୍ରତି ଅତୁଟ ସମର୍ପଣର ପ୍ରମାଣ।

Categories
ଆଜିର ଖବର ଜାତୀୟ ଖବର

୬ଜି ଲଞ୍ଚ ପାଇଁ ପ୍ରସ୍ତୁତି ଚାଲିଛି: ପ୍ରଧାନମନ୍ତ୍ରୀ ମୋଦୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତ ୬ଜି ରୋଲଆଉଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଏହି ବାର୍ତ୍ତା ଦେଇଛନ୍ତି । ଅନେକ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏବେ ୬ଜି ଇଣ୍ଟରନେଟ୍ ସଂଯୋଗ ପାଇଁ ପ୍ରସ୍ତୁତ ହେଉଛି ।

ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି, କିନ୍ତୁ ଏହା ପରେ ମଧ୍ୟ ଏଠାରେ ସବୁଠାରୁ ସୁଲଭ ଡାଟା ପ୍ଲାନ୍ ଏବଂ ଇଣ୍ଟରନେଟ୍ ସେବା ଉପଲବ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏକ ସମୟ ଥିଲା ଯେତେବେଳେ ଭାରତକୁ କେବଳ ସାପର ଦେଶ କୁହାଯାଉଥିଲା କିନ୍ତୁ ବର୍ତ୍ତମାନ ଭାରତ ସବୁ ଦିଗରେ ଅଗ୍ରଗତି କରୁଛି । ୫ଜି ଆରମ୍ଭ ହେବାର ଅଳ୍ପ ସମୟ ମଧ୍ୟରେ ଭାରତ ଏବେ ୬ଜି ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି ।

୬ଜି ପାଇଁ ଟାସ୍କ ଫୋର୍ସ ପ୍ରସ୍ତୁତ

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୫ଜିରୁ ୬ଜିକୁ ସ୍ଥାନାନ୍ତର କରିବା ଜରୁରୀ ହୋଇପଡ଼ିଛି ଏବଂ ଏଥିପାଇଁ ଏକ ୬ଜି ଟାସ୍କ ଫୋର୍ସ ମଧ୍ୟ ପ୍ରସ୍ତୁତ କରାଯାଇଛି । ଦେଶର ୭୦୦ରୁ ଅଧିକ ଜିଲ୍ଲାର ଲୋକଙ୍କ ପାଖରେ ୫ଜି ସୁବିଧା ରହିଛି ଏବଂ ଏହି ସଂଖ୍ୟା ସହିତ ଭାରତ ୫ଜି କାର୍ଯ୍ୟକାରୀ କରିବାରେ ଦ୍ରୁତତମ ଦେଶ ପାଲଟିଛି ବୋଲି ସେ ସୂଚନା ଦେଇଛନ୍ତି ।

୬ଜି ପାଇଁ ପ୍ରସ୍ତୁତି ଚାଲିଛି

ଏହା ପ୍ରଥମ ଥର ନୁହେଁ ଯେ ପିଏମ ମୋଦୀ ୬ଜି ବିଷୟରେ କହୁଛନ୍ତି କିମ୍ବା ୬ଜି ପାଇଁ ପ୍ରସ୍ତୁତ ହେଉଛନ୍ତି । ଗତବର୍ଷ ଟ୍ରାଇର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଏହି ଦଶନ୍ଧି ଶେଷ ସୁଦ୍ଧା ଆମେ ୬ଜି ସେବା ଆରମ୍ଭ କରିବୁ ଏବଂ ଆମର ଟାସ୍କଫୋର୍ସ ମଧ୍ୟ ଏଥିପାଇଁ କାର୍ଯ୍ୟ କରୁଛି ।

ଦେଶରେ ଇଣ୍ଟରନେଟ୍ ବ୍ୟବହାର ବୃଦ୍ଧି ପାଉଛି

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ଇଣ୍ଟରନେଟ୍ ଉପଭୋକ୍ତା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛନ୍ତି ଏବଂ ସରକାର ଭଲ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିଛନ୍ତି, ଯେଉଁ କାରଣରୁ ଭାରତ ବିଶ୍ୱର ସବୁଠାରୁ ଶସ୍ତା ଡାଟା ପ୍ଲାନ୍ ଥିବା ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଛି ।

ବର୍ତମାନ ୬ଜି ଟେକ୍ନୋଲୋଜି ଉପଲବ୍ଧ ନାହିଁ, କିନ୍ତୁ ଟାସ୍କ ଫୋର୍ସ ଗଠନକରିବାର ଲକ୍ଷ୍ୟ ହେଉଛି ଭାରତ ବିଶ୍ୱସ୍ତରୀୟ ଅଭ୍ୟାସ ସହ ଜଡ଼ିତ ରହିବା ଉଚିତ ଏବଂ ଯେତେବେଳେ ବିଶ୍ୱକୁ ୬ଜି ସଂଯୋଗ ଆସିବ, ସେତେବେଳେ ଭାରତ ଏହି ମାମଲାରେ ପଛରେ ପଡିବା ଉଚିତ ନୁହେଁ ଏବଂ ତୁରନ୍ତ ନୂତନ ବ୍ୟାଣ୍ଡୱିଥ୍ ଆରମ୍ଭ କରିପାରିବ ।

Categories
ଆଞ୍ଚଳିକ

ବଳରାମଦେବ ବିଦ୍ୟାପୀଠର ପୁରାତନ ବିଦ୍ୟାର୍ଥୀଙ୍କ ବଡ ଘୋଷଣା, ମେଧାବୀ ଛାତ୍ରଛାତ୍ରୀଙ୍କୁ ଯୋଗାଇବେ ସହାୟତା

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବଳରାମଦେବ ବିଦ୍ୟାପୀଠର ୧୯୯୭ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇଯାଇଛି। ୨୫ ବର୍ଷ ପୂର୍ତ୍ତି ଅବସରରେ ଉକ୍ତ ଉତ୍ସବ ଗତ ୪ ତାରିଖ ରବିବାର ଦିନ ଟାଙ୍ଗୀସ୍ଥିତ ବଳଭଦ୍ର କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରରିପ୍ରେକ୍ଷୀରେ ଗତ ଶିକ୍ଷାବର୍ଷରେ ବଳରାମଦେବ ବିଦ୍ୟାପୀଠରୁ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଷଷ୍ଠ ଶ୍ରେଣୀର ତୃଷ୍ଣା ଦାସ, ସପ୍ତମ ଶ୍ରେଣୀର ରାଜେଶ ମହାପାତ୍ର, ଅଷ୍ଟମ ଶ୍ରେଣୀର ସୌମ୍ୟ ପ୍ରକାଶ ମହାପାତ୍ର, ନବମ ଶ୍ରେଣୀର ଶୁଭମ୍ ସ୍ୱରୁପ ପାତ୍ର ଓ ଦଶମ ଶ୍ରେଣୀର ଧର୍ମ ରଞ୍ଜନ ସାବତଙ୍କୁ ୧୯୯୭ ବ୍ୟାଚ ତରଫରୁ ଶିକ୍ଷକମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।

ତେବେ ବନ୍ଧୁ ମିଳନ ଅବସରରେ ୧୯୯୭ ବ୍ୟାଚର ବିଦ୍ୟାର୍ଥୀ ଏକ ବଡ ଘୋଷଣା କରିଛନ୍ତି। ପ୍ରତିବର୍ଷ ୧୯୯୭ ବ୍ୟାଚ ପକ୍ଷରୁ ବାଳରାମଦେବ ବିଦ୍ୟାପୀଠର ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର କିମ୍ବା ଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଯେଉଁଥିରେ ଜାନକୀ ବଲ୍ଲଭ ମହାପାତ୍ରଙ୍କ ଅନ୍ୟୁନ ୫୦୦୦ (ପାଞ୍ଚ ହଜାର) ଟଙ୍କା ସହିତ ୧୯୯୭ ବ୍ୟାଚର ଅନ୍ୟ ବିଦ୍ୟାର୍ଥୀମାନଙ୍କ ସହଯୋଗ ରହିବ। ଏହା ସହିତ ୧୯୯୭ ବ୍ୟାଚ ପକ୍ଷରୁ ଆହୁରି ଏକ ବଡ ଘୋଷଣା କରିଯାଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆର୍ଥିକ ରୂପେ ଦୁର୍ବଳ ଥିବା ମେଧାବୀ ଛାତ୍ର ବା ଛାତ୍ରୀଙ୍କୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପାଇଁ ସମସ୍ତ ସହାୟତା ଯୋଗାଇଦେବେ ବୋଲି ଘୋଷଣା କରାଯାଇଛି। ସେହିଭଳି ବ୍ୟାଚ ତରଫରୁ ଶଶାଙ୍କ ଶେଖର ସାହୁ ବିଦ୍ୟାଳୟକୁ ଦୁଇଟି କମ୍ପ୍ୟୁଟର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି। ୧୯୯୭ ବ୍ୟାଚର ଏଭଳି ପ୍ରୟାସକୁ ଦେଖି ବୁଦ୍ଧିଜୀବି ମହଲରୁ ପ୍ରଶଂସାର ଶୁଅ ଛୁଟିଛି। ଏଭଳି ଉଦ୍ୟମ ଯୋଗୁଁ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହେବା ସହିତ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ଏହି ଉତ୍ସବରେ ବଳରାମଦେବ ବିଦ୍ୟାପୀଠର ପୂର୍ବତନ ଶିକ୍ଷକ ନିତ୍ୟାନନ୍ଦ ସୁବୁଦ୍ଧି, ଶଙ୍କର ଜେନା, କୃଷ୍ଣଚନ୍ଦ୍ର ବେହେରା, ସୀତାଂଶୁ ଭୂଷଣ ଚକ୍ରବର୍ତ୍ତୀ, ମହେଶ୍ୱର ପ୍ରଧାନ ଓ ଶିକ୍ଷୟତ୍ରୀ ପ୍ରମିଳା ଦେଇ, ବାସନ୍ତୀ ମଲ୍ଲିକ ଓ ଶର୍ମିଳା ବେହେରା, ତତ୍କାଳୀନ ପ୍ରଧାନ ଶିକ୍ଷକ ବୁଦ୍ଧିମାନ ପ୍ରଧାନ ଓ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଶ୍ୱଜିତ ପଲାଇ ପ୍ରମୁଖଙ୍କ ସମେତ ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ମନୋଜ ପଟ୍ଟନାୟକ ଯୋଗ ଦେଇ ଇହଲୀଳା ସମ୍ବରଣ କରିଥିବା ପୂର୍ବତନ ଶିକ୍ଷକ ପଦ୍ମଚରଣ ଦାସ, ସୁବାଷଚନ୍ଦ୍ର ମହାପାତ୍ର, ବିଭୁପ୍ରସାଦ ଶତ୍ରୁଶଲ୍ୟ ଓ ବ୍ୟାଚ୍ ର ଅନ୍ୟତମ ଛାତ୍ର ଅଜିତ୍ କୁମାର ମହାପାତ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହିତ ଵ୍ୟାଚ ତରଫରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ସହିତ ମନୋଜ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ତେବେ ଉକ୍ତ ଉତ୍ସବ ଲକ୍ଷ୍ମୀକାନ୍ତ ପାତ୍ର, ଭଗବାନ ସାହୁ, ରାମଚନ୍ଦ୍ର ବେହେରା, କେଶବ ଚନ୍ଦ୍ର ସାହୁ, ଜାନକୀ ବଲ୍ଲଭ ମହାପାତ୍ର, ତପନ କୁମାର ରାଉତରାୟ, ସୂର୍ଯ୍ୟକାନ୍ତ ପ୍ରଧାନ, ଅଶୋକ ମହାପାତ୍ର, ଅଜିତ କୁମାର ପୃଷ୍ଟି, ଅଜିତ କୁମାର ମହାପାତ୍ର ଓ ପ୍ରକାଶ କୁମାର ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ପରିଚାଳିତ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପଞ୍ଜାବ ସରକାର ଦ୍ୱାରା ବଡ ଘୋଷଣା, ଜୁଲାଇ ୧ ରୁ ପ୍ରତ୍ୟେକ ଘରକୁ ମୁକ୍ତ ମିଳିବ ୩୦୦ ୟୁନିଟ୍ ବିଦ୍ୟୁତ୍

ଚଣ୍ଡିଗଡ଼: ପଞ୍ଜାବର ଆମ୍ ଆଦମୀ ପାର୍ଟିର ଭଗବନ୍ତ ମନ୍ ସରକାର ବିଦ୍ୟୁତ୍ ପ୍ରତିଶୃତି ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି। ପଞ୍ଜାବର ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ ବୋଲି ଆଜି ପଞ୍ଜାବ ସରକାରଙ୍କ ତରଫରୁ ଏକ ଘୋଷଣା କରାଯାଇଛି। ଏହି ନୂତନ ନିୟମ ଜୁଲାଇ ୧ ତାରିଖ ୨୦୨୨ ଠାରୁ ପ୍ରଯୁଜ୍ୟ ହେବ।

ପ୍ରକାଶ ଥାଉ କି କିଛି ଦିନ ପୂର୍ବେ ଆପ ମୁଖପାତ୍ର ମାଲବିନ୍ଦର ସିଂ କାଙ୍ଗ ଗଣମାଧ୍ୟମ ଆଗରେ କହିଥିଲେ ଯେ, ପଞ୍ଜାବର ଲୋକଙ୍କୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଯୋଗାଇଦେବା ଯୋଜନାର ବ୍ଲୁ ପ୍ରିଣ୍ଟ ପ୍ରାୟ ପ୍ରସ୍ତୁତ କରାଯାଉଛି। ଏଥି ସହିତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ କହିଥିଲେ ଯେ, ତାଙ୍କ ସରକାର ଖୁବ ଶୀଘ୍ର ରାଜ୍ୟବାସୀଙ୍କୁ ଏକ ‘ଖୁସି ଖବର’ ପ୍ରଦାନ କରିବେ।

ତେବେ ଏହା ଏକ ଚର୍ଚ୍ଚାର ବିଷୟ ଯେ ମାଗଣା ବିଦ୍ୟୁତ୍ ଯୋଗାଣ ଜୁଲାଇରୁ ଆରମ୍ଭ ହୋଇଥିବାବେଳେ ମେ-ଜୁନ୍ ମୁଖ୍ଯତଃ ଧାନ ରୋପଣ ପାଇଁ ସମୟ ଅଟେ। ଏହି ସମୟରେ କୃଷକମାନେ ନିୟମିତ ବିଦ୍ୟୁତ ଯୋଗାଣ ଆବଶ୍ୟକ କରନ୍ତି। ପଞ୍ଜାବରେ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ଅଭାବ ହେତୁ ଏବଂ ରୋପଣ ଋତୁ ପରେ ଏହି ନିୟମ ଲାଗୁ ହେଲା। ତେବେ ଏହାର ପ୍ରଭାବ କ’ଣ ହେବ, ତାହା ଦେଖିବାକୁ ପଡ଼ିବ।

ଉଲ୍ଲେଖ ଯୋଗ୍ୟ ଯେ, ଆମ୍ ଆଦମୀ ପାର୍ଟିର କେଜ୍ରିୱାଲ୍ ନେତୃତ୍ୱାଧୀନ ଦିଲ୍ଲୀ ସରକାର ମଧ୍ୟ ଦିଲ୍ଲୀରେ ୨୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରୁଛନ୍ତି। ପଞ୍ଜାବରେ ନିର୍ବାଚନ ପ୍ରଚାର ସମୟରେ କେଜ୍ରିୱାଲ ବିଦ୍ୟୁତ୍ ସମସ୍ୟାକୁ ଜୋରରେ ଉଠାଇଥିଲେ।

ସରକାର ଆସିବା ପରଠାରୁ ଭଗବନ୍ତ ମନ ସରକାର ଅନେକ ଯୋଜନା ଘୋଷଣା କରିଛନ୍ତି, ଯାହା ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲା। ଗତ ମାସରେ ରାସନର ଘରକୁ ଘର ବିତରଣ ଯୋଜନା ଘୋଷଣା କରାଯାଇଥିଲା। ଏଥି ସହିତ, ମାର୍ଚ୍ଚରେ ମଧ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ବିଭିନ୍ନ ସରକାରୀ ବିଭାଗରେ ୨୫ ହଜାର ନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରୁ ୧୦ ହଜାର ନିଯୁକ୍ତି ପୋଲିସ ବିଭାଗରେ କରାଯିବ।

Categories
ବିଶେଷ ଖବର

କେନ୍ଦ୍ର ସରକାରର ବଡ ନିଷ୍ପତ୍ତି: ପ୍ରାୟ 8 ସପ୍ତାହ ସ୍ଥଗିତ ରହିଲା NEET PG ପରୀକ୍ଷା

ନୂଆଦିଲ୍ଲୀ: NEET PG ପରୀକ୍ଷାକୁ ନେଇ ସରକାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, NEET PG 2022 ର ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ 6 ରୁ 8 ସପ୍ତାହ ସ୍ଥଗିତ ରଖାଯାଇଥିବା କୁହାଯାଇଛି। ଏହି ପରୀକ୍ଷା ମାର୍ଚ୍ଚ 12 ତାରିଖରେ ଅନୁଷ୍ଠିତ ହେବାର ଥିଲା।

ଆଜି NEET PG ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅନେକ ଛାତ୍ର ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ NEET ପରୀକ୍ଷାକୁ ସ୍ଥଗିତ ରଖାଯାଉ। ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଏକ ବେଞ୍ଚ ଏହି ଆବେଦନର ଶୁଣାଣି କରିବାର ଥିଲା। ଆବେଦନକାରୀମାନେ ସେମାନଙ୍କ ଆବେଦନରେ ମେଡିକାଲ ଇଣ୍ଟର୍ନସିପ ବିଷୟରେ ଉଲ୍ଲେଖ କରିଥିଲେ। ଅନେକ ଛାତ୍ର ସେମାନଙ୍କ ଇଣ୍ଟର୍ନସିପ୍ ସମାପ୍ତ କରିନାହାଁନ୍ତି। ସେମାନେ କହିଛନ୍ତି ଯେ, ସମସ୍ତ ସିଟ୍ ଏକାସାଙ୍ଗରେ ଦୁଇଟି ବ୍ୟାଚକୁ କିପରି ଯୋଗାଇ ଦିଆଯାଇପାରିବ। ସେଥିପାଇଁ ମାର୍ଚ୍ଚ 12 ତାରିଖରେ ପରୀକ୍ଷା କରିବା ଠିକ୍ ନୁହେଁ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଆଉ ଚାରି ମାସ ମିଳିବ ମାଗଣା ରାସନ

ଭୁବନେଶ୍ବର: ଆଜି ରାଜ୍ୟବାସୀଙ୍କ ପାଇଁ ଓଡିଶା ସରକାର ଏକ ବଡ ଘୋଷଣା କରିଛନ୍ତି। ଆଉ ଚାରି ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଡିସେମ୍ବର ମାସଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିବ। ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ମିଳିବ। ଏହା ଯୋଗୁଁ ୯ ଲକ୍ଷ ୧୫ ହଜାର ୫୩୨ ଜଣ ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟସରକାର ୬୮ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ହିତାଧିକାରୀଙ୍କୁ ଏହି ଅତିରିକ୍ତ ଚାଉଳ ମିଳିବ। ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଚାରି ମାସ ପାଇଁ ରାସନ ଯୋଗାଇବା ପାଇଁ ଘୋଷଣା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

କ୍ୟାପଟେନ ଅମରିନ୍ଦର ସିଂଙ୍କ ବଡ ଘୋଷଣା, ବିଜେପି ଏବଂ ଢିଣ୍ଡସା ଦଳ ସହ ମିଶି ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ପଞ୍ଜାବ ବିଧାନସଭା ନିର୍ବାଚନ ସମ୍ପର୍କରେ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଭାରତୀୟ ଜନତା ପାର୍ଟି ଏବଂ ଢିଣ୍ଡସା ଦଳ ସହ ମିଶି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଚଣ୍ଡିଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା ଘୋଷଣା କରିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଅମରିନ୍ଦର ସିଂ ରାଜ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ କଂଗ୍ରେସ ଦଳରୁ ଇସ୍ତଫା ଘୋଷଣା କରିଥିଲେ। ଏହା ସହିତ ସେ ନୂଆ ଦଳ ସହିତ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରବେଶ କରିବାକୁ ମଧ୍ୟ ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଏଣିକି ଦେଶରେ ସୂର୍ଯ୍ୟାସ୍ତ ପରେ ମଧ୍ୟ ହୋଇପାରିବ ପୋଷ୍ଟମର୍ଟମ

ନୂଆଦିଲ୍ଲୀ: ବର୍ତ୍ତମାନ ମୃତଦେହର ପୋଷ୍ଟମର୍ଟମ ସୂର୍ଯ୍ୟାସ୍ତ ପରେ ମଧ୍ୟ ଦେଶରେ କରାଯାଇପାରିବ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏନେଇ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ଯେଉଁ ଡାକ୍ତରଖାନାଗୁଡ଼ିକରେ ରାତିରେ ପୋଷ୍ଟମର୍ଟମ କରିବାର ସୁବିଧା ରହିଛି, ସେମାନେ ସୂର୍ଯ୍ୟୋଦୟ ପରେ ମଧ୍ୟ ପୋଷ୍ଟମର୍ଟମ କରିପାରିବେ। ବ୍ରିଟିଶ ସମୟର ବ୍ୟବସ୍ଥା ଶେଷ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ନୂତନ ନିର୍ଦ୍ଦେଶାନାମରେ କୁହାଯାଇଛି ଯେ, ଅଙ୍ଗ ଦାନ ପାଇଁ ପୋଷ୍ଟମର୍ଟମଗୁଡିକ ପ୍ରାଥମିକତା ଭିତ୍ତିରେ କରାଯିବା ଉଚିତ ଏବଂ ଡାକ୍ତରଖାନାରେ ସୂର୍ଯ୍ୟୋଦୟ ପରେ ମଧ୍ୟ କରାଯିବା ଉଚିତ, ଯେଉଁମାନଙ୍କର ନିୟମିତ ବ୍ୟବଧାନରେ ଏହିପରି ପୋଷ୍ଟମର୍ଟମ ପରିଚାଳନା ପାଇଁ ଭିତ୍ତିଭୂମି ଅଛି। ଏହି ନିଷ୍ପତ୍ତିରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୌଣସି ସନ୍ଦେହ ଦୂର କରିବା ତଥା ଆଇନଗତ ଉଦ୍ଦେଶ୍ୟରେ ରାତିରେ ପୋଷ୍ଟମର୍ଟମର ଭିଡିଓ ରେକର୍ଡିଂ କରାଯିବ।

କେଉଁ ମୃତଦେହ ରାତିରେ ପୋଷ୍ଟମର୍ଟମ ହେବ ନାହିଁ ସେନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ବିଚାର ଅନୁଯାୟୀ, ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ନଥାଏ, ତେବେ ହତ୍ୟା, ଆତ୍ମହତ୍ୟା, ବଳାତ୍କାର, ବିକଳାଙ୍ଗ ଶରୀର ଭଳି ବର୍ଗରେ ପୋଷ୍ଟମର୍ଟମ କରାଯିବ ନାହିଁ। ଏହି ନୂତନ ନିଷ୍ପତ୍ତି ବିଷୟରେ ସରକାର ସମସ୍ତ ସଂପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗ, ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଏକ ସୂତ୍ରରୁ ପ୍ରକାଶ ଯେ, ନିକଟରେ ସୂର୍ଯ୍ୟୋଦୟ ପରେ ପୋଷ୍ଟମର୍ଟମ ପ୍ରସଙ୍ଗକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟର ବୈଷୟିକ କମିଟି ଯାଞ୍ଚ କରିଥିଲା। ବୈଠକରେ ଆଲୋଚନା କରାଯାଇଥିଲା ଯେ, କେତେକ ଅନୁଷ୍ଠାନ ରାତି ସମୟରେ ପୋଷ୍ଟମର୍ଟମ କରୁଛନ୍ତି। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଟେକ୍ନୋଲୋଜିର ଦ୍ରୁତ ଅଗ୍ରଗତି ଏବଂ ଉନ୍ନତି, ବିଶେଷକରି ପୋଷ୍ଟମର୍ଟମ ପାଇଁ ଆବଶ୍ୟକ ଆଲୋକ ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧତାକୁ ବିଚାର କରି ଡାକ୍ତରଖାନାଗୁଡ଼ିକରେ ରାତାରାତି ଶବବ୍ୟବଚ୍ଛେଦ କରିବା ସମ୍ଭବ।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧%ବୃଦ୍ଧି 

ଭୁବନେଶ୍ବର: ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧% ମହଙ୍ଗା ଭତ୍ତା ଓ ଡିଅରନେସ ରିଲିଫ ଘୋଷଣା କରିଛନ୍ତି।

ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟର ଚାରି ଲକ୍ଷ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନ୍ ଭୋଗୀ ଉପକାର ପାଇବେ।

ଏହା ଫଳରେ ବର୍ତ୍ତମାନ ମହଙ୍ଗା ଭତ୍ତା ୧୭%ରୁ ବଢ଼ି ୨୮%ରେ ପହଞ୍ଚିଲା।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୧/୭/୨୦୨୧ ରୁ ପିଛିଲା ଭାବରେ ୧୧%ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ। ବକେୟା ତିନି ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ।

Categories
ଆଜିର ଖବର ଜାତୀୟ ଖବର

ଗୋଆବାସୀଙ୍କ ପାଇଁ କେଜ୍ରିୱାଲଙ୍କ ଆଉ ଏକ ବଡ ଘୋଷଣା: ମାଗଣାରେ ବିଦ୍ୟୁତ ଏବଂ ବେକାରୀଙ୍କୁ ୩ ହଜାର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଆଉ ଏକ ବଡ ଘୋଷଣା କରିଛନ୍ତି। ଏହି ଘୋଷଣା ଗୋଆ ରାଜ୍ୟର ଜନତାଙ୍କ ପାଇଁ କରିଛନ୍ତି। କ୍ଷମତାକୁ ଆସିବା ପରେ ଗୋଆବାସୀଙ୍କୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି। ଏହାସହ ବେକାରୀଙ୍କୁ ମାସକୁ ୩ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ, ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ସ୍ଥାନୀୟ ଲୋକଙ୍କୁ ଘରୋଇ ଚାକିରିରେ ୮୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ଆସନ୍ତା ବର୍ଷ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଗୋଆ ଅନ୍ତର୍ଭୁକ୍ତ। କେଜ୍ରିୱାଲ ଗୋଆକୁ ନେଇ ବହୁତ ଆଶାବାଦୀ ଅଛନ୍ତି। ସେଥିପାଇଁ ସେ ଗୋଆରେ ପହଞ୍ଚିଛନ୍ତି।

ଶାସକ ବିଜେପି ଏବଂ କଂଗ୍ରେସ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅରବିନ୍ଦ କେଜ୍ରିୱାଲ ଗୋଆରେ ସାତୋଟି ବଡ଼ ଘୋଷଣା କରିଛନ୍ତି। ଏଥି ସହ କେଜ୍ରିୱାଲ ଲୋକମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ, ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ଏହା ଦୁର୍ନୀତି ବନ୍ଦ କରିବ ଏବଂ ରାଜ୍ୟର ଯୁବକମାନଙ୍କ ପାଇଁ ଚାକିରୀ ସୁନିଶ୍ଚିତ କରିବ।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଚାନ୍ନିଙ୍କ ବଡ଼ ଘୋଷଣା: ପଞ୍ଜାବରେ ଛାଡ ହେବ ଜଳ ଏବଂ ବିଦ୍ୟୁତ୍ ବିଲ୍

ଚଣ୍ଡିଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଚରଣଜିତ ସିଂ ଚାନ୍ନି ଅନେକ ବଡ଼ ଘୋଷଣା କରିଛନ୍ତି। ଚାନ୍ନି ଚାଷୀଙ୍କ ଜଳ ଏବଂ ବିଦ୍ୟୁତ୍ ବିଲ୍ ଛାଡ କରିବାକୁ ଘୋଷଣା କରିଛନ୍ତି। ବାଲି ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ଵାସନା ଦେଇଛନ୍ତି। ଏଥି ସହିତ ସେ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାନ୍ନି କଂଗ୍ରେସ ହାଇକମାଣ୍ଡକୁ ଧନ୍ୟବାଦ ଜଣାଇବା ସହ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

ଚରଣଜିତ ସିଂ ଚାନ୍ନି ଚାଷୀଙ୍କ ବିଷୟରେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ‘ଏହା ହେଉଛି କୃଷକଙ୍କ ସରକାର। ଯଦି ଚାଷୀଙ୍କ ପାଇଁ କୌଣସି କ୍ଷତି ଆସେ, ତେବେ ମୁଁ ମୋର ଗଳା କାଟିଦେବି। ଯଦି କୃଷକ ବୁଡ଼ିଯାଏ ତେବେ ଦେଶ ମଧ୍ୟ ବୁଡ଼ିଯିବ, ଅର୍ଥନୀତି ବୁଡ଼ିଯିବ। କୃଷି ଖୁସି ହେଲେ ହିଁ ପଞ୍ଜାବ ଖୁସି ହେବ। ଚାଷୀଙ୍କ ପାଇଁ ବିଦ୍ୟୁତ୍ ଏବଂ ଜଳ ମାଗଣା ହେବା ଉଚିତ୍। କୃଷକଙ୍କ ବଡ ବିଦ୍ୟୁତ୍ ବିଲ୍ ଆମ ସରକାର ଛାଡ କରିବ। ଯଦି କାହାର ବିଦ୍ୟୁତ୍ କାଟ ହୁଏ, ତେବେ ଆମେ ତାଙ୍କ ଘରକୁ ବିଦ୍ୟୁତ୍ ପୁନଃସ୍ଥାପନ କରିବୁ। ଏହା ହେଉଛି ପଞ୍ଜାବର ସାଧାରଣ ଲୋକଙ୍କ ସରକାର। ଆମେ ନିଶ୍ଚିତ କରୁଛୁ ଯେ, କାହା ସହିତ କିଛି ଭୁଲ ହେବ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ ହେବ।

କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାର କୃଷି ଆଇନକୁ ରଦ୍ଦ କରିବା ଉଚିତ। ପଞ୍ଜାବ ସରକାର ଚାଷୀଙ୍କ ସହ ଅଛନ୍ତି। ଏହାସହ କୃଷକମାନେ ଆନ୍ଦୋଳନ ଶେଷ କରିବାକୁ ସେ ଅନୁରୋଧ କରିଛନ୍ତି। ମୋତେ କିଛି ସମୟ ଦିଅନ୍ତୁ, ଆପଣମାନଙ୍କର ସମସ୍ତ ଦାବି ପୂରଣ କରିବି। ମୋତେ ବିଶ୍ୱାସ କରନ୍ତୁ, ପ୍ରତ୍ୟେକ ଅଭିଯୋଗର ସମାଧାନ କରାଯିବ। ଏହା ଏକ ସାଧାରଣ ଲୋକର ସରକାର। କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବରେ ବହୁତ ଭଲ କାମ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ଘୋଷଣା: ଏଣିକି ଠିକଣା ପ୍ରମାଣ ପତ୍ର ବିନା ପ୍ରବାସୀ ଶ୍ରମିକମାନେ ଗ୍ୟାସ ସଂଯୋଗ ପାଇବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରୁ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନେ ଠିକଣା ପ୍ରମାଣ ବିନା ଗ୍ୟାସ ସଂଯୋଗ ପାଇବେ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବୁନ୍ଦେଲଖଣ୍ଡ ସମେତ ୟୁପି ତଥା ଅନ୍ୟାନ୍ୟ ରାଜ୍ୟରୁ ଆମର ଅନେକ ସାଥି ନିଜ ଗାଁ ଛାଡି ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଆନ୍ତି। କିନ୍ତୁ ସେଠାରେ ସେମାନେ ଠିକଣା ପ୍ରମାଣ ପତ୍ର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତେବେ ଉଜ୍ଜ୍ଵଳା ୨.୦ ଯୋଜନା ସେହିଭଳି ଲକ୍ଷ ଲକ୍ଷ ପରିବାରକୁ ସର୍ବାଧିକ ସହଯୋଗ ପ୍ରଦାନ କରିବ।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ମୋର ଶ୍ରମିକ ସାଥିମାନେ ଠିକଣାର ପ୍ରମାଣ ପତ୍ର ପାଇଁ କେଉଁ ଆଡେ ବୁଲିବା ଆବଶ୍ୟକ ପଡିବ ନାହିଁ। ଆପଣମାନଙ୍କର ସଚ୍ଚୋଟତା ଉପରେ ସରକାରଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଆପଣମାନଙ୍କୁ କେବଳ ଆପଣଙ୍କର ଠିକଣାର ଆତ୍ମ-ଘୋଷଣା ଦେବା, ଅର୍ଥାତ୍ ନିଜେ ଲେଖିକି ଦେବା ଦ୍ୱାରା ଆପଣମାନେ ଏକ ଗ୍ୟାସ୍ ସଂଯୋଗ ପାଇବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଜ୍ଜ୍ଵଳା ଯୋଜନାରେ ଭଉଣୀମାନଙ୍କର ସ୍ୱାସ୍ଥ୍ୟ, ସୁବିଧା ଏବଂ ସଶକ୍ତିକରଣର ଏହି ରିଜୋଲ୍ୟୁସନକୁ ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୮ କୋଟି ଗରିବ, ଦଲିତ, ବଞ୍ଚିତ, ପଛୁଆ, ଆଦିବାସୀ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ଦିଆଯାଇଥିଲା। ଆମେ ଦେଖିଛୁ କରୋନା ଅବଧିରେ ଏହା କେତେ ଲାଭ କରିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ଦେଶ ମୌଳିକ ସୁବିଧା ପୂରଣ କରି ଏକ ଉତ୍ତମ ଜୀବନର ସ୍ୱପ୍ନକୁ ପୂରଣ କରିବା ଦିଗରେ ଗତି କରୁଛି। ଆମକୁ ଆସନ୍ତା ୨୫ ବର୍ଷ ମଧ୍ୟରେ ଏହି ସାମର୍ଥ୍ୟକୁ ବହୁଗୁଣିତ କରିବାକୁ ପଡିବ। ଏକତ୍ର ଆମକୁ ଏକ ଦକ୍ଷ ତଥା ଦକ୍ଷ ଭାରତର ଏହି ସଂକଳ୍ପକୁ ପ୍ରମାଣ କରିବାକୁ ପଡିବ। ଏଥିରେ ଭଉଣୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା’ର ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ଗରିବ ପରିବାରକୁ ମୋଟ ଏକ କୋଟି ୪୭ ଲକ୍ଷ ୪୩ ହଜାର ୮୬୨ ଏଲପିଜି ସଂଯୋଗ ମାଗଣାରେ ଯୋଗାଇ ଦିଆଯାଇଛି। ଉଜ୍ଜ୍ଵଳା ଯୋଜନାର ପ୍ରଥମ ପର୍ଯ୍ୟାୟରେ ରହିଯାଇଥିବା ଏବଂ ଏହି ଯୋଜନା ଅଧୀନରେ ନଥିବା ଗରିବ ପରିବାରମାନେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଲାଭ ପାଇବେ।

ଉଜ୍ଜ୍ଵଳା ଯୋଜନା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରର ପାଞ୍ଚ କୋଟି ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ ଯୋଗାଇବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟ ସରକାରଙ୍କ ବଡ ଘୋଷଣା: ଖୋଲିବ ଆଉ ୧୦ ନର୍ସିଙ୍ଗ୍ କଲେଜ

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି। ରାଜ୍ୟରେ ଆଉ ୧୦ ଟି ନର୍ସିଙ୍ଗ୍ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ୧୦ ଜିଲ୍ଲାରେ ୬୦ ଟି ସିଟ ବିଶିଷ୍ଟ ୧୦ ଟି ନର୍ସିଙ୍ଗ୍ କଲେଜ ଖୋଲିବ।

ଅନୁଗୁଳ, ବାଲେଶ୍ଵର, ବଲାଙ୍ଗୀରି, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ନୂଆ ନର୍ସିଙ୍ଗ କଲେଜ ଖୋଲିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କରୋନାକୁ ନେଇ ଆସନ୍ତାକାଲି ସକାଳ ୧୦ ଟାରେ ହୋଇପାରେ ବଡ ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ସରକାର କରୋନାକୁ ନେଇ ସକାଳ ୧୦ ଟା ରେ ବଡ ଘୋଷଣା କରିପାରନ୍ତି। କୋଭିଡ଼ ପରିଚାଳନା ଉପରେ ରାଜ୍ୟ ସରକାର କିଛି ବଡ ଘୋଷଣା କରିପାରନ୍ତି। ତେବେ ମେ’ ମାସ ପାଇଁ ରାଜ୍ୟ ସରକାର କିଛି ନୂଆ ଗାଇଡଲାଇନ ଆଣିବେ ବୋଲି ଅନୁମାନ କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ରାଜ୍ୟରେ ୨ କୋଟି ଲୋକଙ୍କୁ ମାଗଣାରେ ମିଳିବ ଟୀକା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ୨ କୋଟି ଲୋକଙ୍କୁ ମାଗଣାରେ ଟିକା ଦେବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା। ୧୮ରୁ ବର୍ଷରୁ ଉର୍ଦ୍ଧ୍ବ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଟିକା। ଏଥି ପାଇଁ ରାଜ୍ୟ ରାଜକୋଷରୁ ସରକାର ଖର୍ଚ୍ଚ କରିବେ ୨ ହଜାର କୋଟି ଟଙ୍କା।

ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଲକଡାଉନ, ସଟଡାଉନ କଟକଣା ଲଗାଇବା ମୋର ଉଦ୍ଦେଶ୍ୟ ନହିଁ। ଏଥିରେ ରାଜ୍ୟର ଅର୍ଥନୀତି ବିପନ୍ନ ହେଉଛି। ସାରା ଭାରତ ଏବେ କଠିନ ସମୟ ଦେଇ ଗତି କରୁଛି। ଏବେ ଯାଉଦ୍ଧକାଳୀନ ସ୍ଥିତି କହିଲେ କିଛି ଭୁଲ ହେବନି। ବହୁତ ଲୋକ ଏବେ ନିଜ ନିଜର ପରିଜନଙ୍କୁ ହରାଉଛନ୍ତି। ସମସ୍ତେ କରୋନା ନିୟମକୁ ମାନନ୍ତୁ ଏବଂ ଏହି ମହାମାରୀ କବଳରୁ ନିଜକୁ ସୁରକ୍ଷା ରଖନ୍ତୁ। ବର୍ତ୍ତମାନ ମହାରାଷ୍ଟ୍ର, ଛତିଶଗଡ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ଆସାମ, ଝାଡଖଣ୍ଡ ଆଦି ରାଜ୍ୟରେ ସ୍ଥିତି ଗମ୍ଭୀର ରହିଛି। ଓଡିଶା ୬ଟି ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଉଛି । ଆଗକୁ ମଧ୍ୟ ଏହା ଜାରି ରହିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାରା ଦେଶବାସୀ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ଆସନ୍ତା ଦୁଇ ମାସ ପାଇଁ ମାଗଣାରେ ମିଳିବ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ: କରୋନା ସମୟରେ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି। ଲୋକଙ୍କୁ ଆସନ୍ତା ଦୁଇ ମାସ ପାଇଁ ଖାଦ୍ୟଶସ୍ୟ କେନ୍ଦ୍ର ସରକାର ଯୋଗାଇବ। ଆସନ୍ତା ମେ’ ଏବଂ ଜୁନ ମାସରେ ଲୋକଙ୍କ ପାଇଁ ଖାଦ୍ୟଶସ୍ୟ କେନ୍ଦ୍ର ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏଥିରେ ଦେଶର ୮୦ କୋଟି ଲୋକ ଲାଭବାନ ହେବେ। ପ୍ରଧାନମନ୍ତ୍ରୀ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ୫ କିଲୋଗ୍ରାମ ଚାଉଳ କିମ୍ବା ଗହମ ବଣ୍ଟନ କରାଯିବ। ଏହି ଯୋଜନାରେ ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରିଥିଲେ। ଏହା ଦ୍ଵାରା ତିନିମାସ (ଏପ୍ରିଲରୁ ଜୁନ୍‌) ପାଇଁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ କେନ୍ଦ୍ର ଯୋଗାଇଥିଲା। ପରେ ଏହି ଯୋଜନାକୁ ନଭେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ ଆଜି କରିପାରନ୍ତି ବଡ ଘୋଷଣା

ଭୁବନେଶ୍ବର: ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ଉପରେ କିଛି ବଡ ଘୋଷଣା ହୋଇପାରେ। ଆଜି ଅପରାହ୍ନ ୫ ଟା ୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବଡ ଘୋଷଣା କରିପାରନ୍ତି। ମେ’ ୩ ତାରିଖରୁ ମାଟ୍ରିକ ପରୀକ୍ଷା ହେବା ନେଇ ନିର୍ଦ୍ଧାରଣ କରାଯାଇଥିଲା।

କିନ୍ତୁ ଗତକାଲି ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ କେନ୍ଦ୍ର ବାତିଲ କରିଥିଲା। ତେଣୁ ରାଜ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ପରୀକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।