Categories
ବିଶେଷ ଖବର

ବାରଣାସୀରେ ୧୯,୧୫୦ କୋଟିରୁ ଅଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଉତ୍ତର ପ୍ରଦେଶର ବାରଣାସୀ ଠାରେ ୧୯,୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପ୍ରାୟ ୧୦,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର – ନ୍ୟୁ ଭାଉପୁର ଉତ୍ସର୍ଗୀକୃତ ମାଲ ପରିବହନ କରିଡର ପ୍ରକଳ୍ପର ଉଦଘାଟନ ସହ ଅନ୍ୟାନ୍ୟ ରେଳ ପ୍ରକଳ୍ପ ଅନ୍ତର୍ଭୁକ୍ତ । ବାରଣସୀ – ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌, ଦୋହରିଘାଟ – ମାଉ ମେମୁ ଟ୍ରେନ୍ ଏବଂ ନବନିର୍ମିତ ଉତ୍ସର୍ଗୀକୃତ ମାଲ ପରିବହନ କରିଡରରେ ଏକ ଯୋଡ଼ା ଲଙ୍ଗ୍ ହାଉଲ୍ ମାଲବାହୀ ଟ୍ରେନ୍‌କୁ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବନାରସ ଲୋକୋମୋଟିଭ୍ ୱାର୍କସ ଦ୍ୱାରା ନିର୍ମିତ ୧୦,୦୦୦ତମ ଲୋକୋମୋଟିଭ୍‌କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସେ ୩୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୁଇଟି ଆରଓବି ସହ ଗ୍ରୀନ୍ ଫିଲ୍ଡ ଶିବପୁର – ଫୁଲୱାରିଆ – ଲହରତାରା ରାସ୍ତାକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବା ଅନ୍ୟ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୨୦ଟି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ , କୈଥି ଗ୍ରାମର ସଙ୍ଗମ ଘାଟ ରାସ୍ତା ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଆବାସିକ କୋଠା, ପୁଲିସ ଲାଇନ୍ ଓ ପିଏସି ଭୁଲନପୁରରେ ଦୁଇଟି ୨୦୦ ଓ ୧୫୦ ଶଯ୍ୟା ବିଶିଷ୍ଟ ବହୁମହଲା ବ୍ୟାରାକ୍ କୋଠା, ୯ଟି ସ୍ଥାନରେ ସ୍ମାର୍ଟ ବସ୍ ଆଶ୍ରୟସ୍ଥଳୀ ଓ ଅଲାଇପୁରରେ ୧୩୨ କିଲୋୱାଟ୍ ସବ୍‌ଷ୍ଟେସନ ନିର୍ମାଣ କରାଯାଇଛି । ସେ ସ୍ମାର୍ଟ ସିଟି ମିଶନ ଅଧୀନରେ ୟୁନିଫାଏଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।

ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଚିତ୍ରକୁଟ ଜିଲ୍ଲାରେ ୮୦୦ ମେଗାୱାଟ ବିଶିଷ୍ଟ ସୌର ପାର୍କ, ୧୦୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମିର୍ଜାପୁର ଠାରେ ନୂତନ ପେଟ୍ରୋଲିୟମ ତୈଳ ଟର୍ମିନାଲ ନିର୍ମାଣ, ୯୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବାରଣାସୀ – ଭଦୋହି ଜାତୀୟ ରାଜପଥ ୭୩୧ ବି (ପ୍ୟାକେଜ-୨)ର ପ୍ରଶସ୍ତୀକରଣ , ଜଳ ଜୀବନ ମିଶନ ଅଧୀନରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୯ଟି ଗ୍ରାମୀଣ ପାନୀୟ ଜଳ ଯୋଜନା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରକଳ୍ପ ସମେତ ୬୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେବ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ୱଳନ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିବାରୁ ବାରଣାସୀର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଯଦିଓ ସେ ଏହି ଦୃଶ୍ୟକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ପାଇଁ ଉପସ୍ଥିତ ନଥିଲେ, ତଥାପି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦେଶରୁ ଆସିଥିବା ବିଶିଷ୍ଟ ବ୍ୟକ୍ତି ଏବଂ ପର୍ଯ୍ୟଟକ ମାନଙ୍କ ସମେତ ବାରଣାସୀ ଗସ୍ତ କରୁଥିବା ଲୋକମାନେ ତାଙ୍କୁ ଏସମ୍ପର୍କରେ ସୂଚନା ଦେଉଥିଲେ ଏବଂ ବାରଣାସୀ ଏବଂ ଏହାର ନାଗରିକ ମାନଙ୍କ ପ୍ରଶଂସା ଶୁଣି ସେ ଅନୁଭବ କରିଥିବା ଗର୍ବ ବିଷୟରେ ଉଲ୍ଲେଖ କରିଥିଲେ । “ଯେତେବେଳେ କାଶୀର ନାଗରିକ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଏ ସେତେବେଳେ ମୋତେ ଅତ୍ୟନ୍ତ ଗର୍ବ ଅନୁଭବ ହୋଇଥାଏ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ସହିତ ସେ ମଧ୍ୟ କହିଥିଲେ ଯେ, ଭଗବାନ ମହାଦେବଙ୍କ ଭୂମିର ସେବା ପ୍ରତି ସମର୍ପଣ କେବେ ବି ଯଥେଷ୍ଟ ହୋଇପାରିବ ନାହିଁ ।

ପାଖାପାଖି ୨୦,୦୦୦ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସରେ ସମାନ ବିଶ୍ୱାସ ରହିଥିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, “କାଶୀ ସମୃଦ୍ଧ ହେଲେ ୟୁପି (ଉତ୍ତର ପ୍ରଦେଶ) ସମୃଦ୍ଧ ହୁଏ ଏବଂ ୟୁପି ସମୃଦ୍ଧ ହେଲେ ଦେଶ ସମୃଦ୍ଧ ହୁଏ” । ବାରଣାସୀର ଗ୍ରାମ ଗୁଡ଼ିକରେ ଜଳ ଯୋଗାଣ, ବିଏଚୟୁ ଟ୍ରମା ସେଣ୍ଟରର କ୍ରିଟିକାଲ କେୟାର ୟୁନିଟ୍‌, ସଡ଼କ, ରେଳବାଇ, ବିମାନବନ୍ଦର, ବିଜୁଳି, ସୌର ଶକ୍ତି, ଗଙ୍ଗାର ବିଭିନ୍ନ ଘାଟ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରକୁ ଜଳ ଯୋଗାଣ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଏହା ଏହି ଅଞ୍ଚଳରେ ବିକାଶର ଗତିକୁ ଆଗକୁ ବଢ଼ାଇବ । ସେ ଗତକାଲି ସନ୍ଧ୍ୟାରେ କାଶୀ – କନ୍ୟାକୁମାରୀ ତାମିଲ ସଙ୍ଗମମ୍ ଟ୍ରେନ୍ ଏବଂ ବାରଣାସୀ – ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଦୋହରିଘାଟ – ମାଉ ମେମୁ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

“ସମଗ୍ର ଦେଶ ସହିତ କାଶୀ ବିକଶିତ ଭାରତର ସଂକଳ୍ପ ପାଇଁ ପ୍ରତିଶ୍ରୁତିବଦ୍ଧ”, ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ବିକଶିତ ଭାରତ ସଂକଳ୍ପ ଯାତ୍ରା ହଜାର ହଜାର ଗ୍ରାମ ଏବଂ ସହରରେ ପହଞ୍ଚିଛି ଯେଉଁଠାରେ କୋଟି କୋଟି ନାଗରିକ ଏହା ସହିତ ଯୋଡ଼ି ହେଉଛନ୍ତି । ଶ୍ରୀ ମୋଦୀ ବାରଣାସୀରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେବା ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଭିବିଏସୱାଇ ଭ୍ୟାନକୁ ଲୋକମାନେ ‘ମୋଦୀ କି ଗ୍ୟାରେଣ୍ଟି କି ଗାଡି’ ବୋଲି ସମ୍ବୋଧନ କରୁଛନ୍ତି । “ସରକାରୀ ଯୋଜନାର ଲାଭ ପାଇବାକୁ  ହକ୍‌ଦାର ଥିବା ସମସ୍ତ ଯୋଗ୍ୟ ନାଗରିକ ମାନଙ୍କୁ ଅନ୍ତର୍ଭୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ସରକାର ଏହା ମାଧ୍ୟମରେ ନାଗରିକଙ୍କ ନିକଟରେ ପହଞ୍ଚୁଛନ୍ତି, ଅନ୍ୟ ଉପାୟରେ ନୁହେଁ ।  “ମୋଦୀ କି ଗ୍ୟାରେଣ୍ଟି କି ଗାଡି ଏକ ସୁପରହିଟ୍‌”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ବଞ୍ଚିତ ଥିବା ହଜାର ହଜାର ହିତାଧିକାରୀ ମାନଙ୍କୁ ବାରଣାସୀରେ ଭିବିଏସ୍‌ୱାଇ ସହିତ ଯୋଡାଯାଇଛି । ସେ ଆୟୁଷ୍ମାନ କାର୍ଡ, ମାଗଣା ରାସନ କାର୍ଡ, ପକ୍କା ଘର, ଜଳ ସଂଯୋଗ ଏବଂ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଭଳି ସୁବିଧାର ଉଦାହରଣ ଦେଇଥିଲେ ଯାହା ଭିବିଏସୱାଇ ସମୟରେ ମଧ୍ୟ ଉପଲବ୍ଧ କରାଯାଇଥିଲା ।

୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ଏହି ବିଶ୍ୱାସ ଦୃଢ଼ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଭିବିଏସୱାଇ ଅନ୍ୟ କୌଣସି ଜିନିଷ ଅପେକ୍ଷା ଲୋକଙ୍କ ମଧ୍ୟରେ ଅଧିକ ବିଶ୍ୱାସ ସୃଷ୍ଟି କରିଛି” । ପ୍ରଧାନମନ୍ତ୍ରୀ ଅଙ୍ଗନବାଡ଼ି ପିଲାଙ୍କ ଆତ୍ମବିଶ୍ୱାସରେ ଅତ୍ୟନ୍ତ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଭିବିଏସୱାଇ ଗସ୍ତ ସମୟରେ ଜଣେ ହିତାଧିକାରୀ ତଥା ଲକ୍ଷପତି ଦିଦି ଶ୍ରୀମତୀ ଚନ୍ଦା ଦେବୀଙ୍କ ସହ ତାଙ୍କର ବାର୍ତ୍ତାଳାପକୁ ମଧ୍ୟ ପ୍ରଶଂସା କରିଥିଲେ । ଭିବିଏସୱାଇ ବିଷୟରେ ତାଙ୍କର ଶିକ୍ଷଣ ଅଭିଜ୍ଞତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଭିବିଏସୱାଇ ହେଉଛି ସର୍ବସାଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ପାଇଁ ଏକ ଭ୍ରାମ୍ୟମାଣ ବିଶ୍ୱବିଦ୍ୟାଳୟ” ।

ସହରର ସୌନ୍ଦର୍ଯ୍ୟକରଣର ଉପକାରିତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଆସ୍ଥା ଓ ପର୍ଯ୍ୟଟନର କେନ୍ଦ୍ର ଭାବେ କାଶୀର ଗୌରବ ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ମରାମତି ପରେ କାଶୀ ବିଶ୍ୱନାଥ ଧାମରେ ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିବାରୁ ପର୍ଯ୍ୟଟନ କ୍ଷେତ୍ର ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରୁଛି ବୋଲି ସେ ସୂଚନା ଦେଇଛନ୍ତି । ବିଦେଶ ଯିବା ପାଇଁ ଯୋଜନା କରିବା ପୂର୍ବରୁ ଦେଶ ଭିତରେ ଥିବା ୧୫ଟି ଗନ୍ତବ୍ୟସ୍ଥଳ ପରିଦର୍ଶନ କରିବା ପାଇଁ ଲାଲକିଲ୍ଲା ପ୍ରାଚୀରରୁ ତାଙ୍କର ଉପଦେଶ ବିଷୟରେ ସେ ଲୋକଙ୍କୁ ମନେ ପକାଇଥିଲେ । ଲୋକମାନେ ଘରୋଇ ପର୍ଯ୍ୟଟନକୁ ଆପଣାଉଥିବାରୁ ସେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ଅଧୀନରେ ୟୁନିଫାଇଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥା ଏବଂ ସହର ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ପର୍ଯ୍ୟଟନ ୱେବସାଇଟ୍ ‘କାଶୀ’ ର ଶୁଭାରମ୍ଭ କରିବା ସମେତ ପର୍ଯ୍ୟଟନ ସୁବିଧାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ଗଙ୍ଗା ଘାଟ, ଅତ୍ୟାଧୁନିକ ବସ୍ ଆଶ୍ରୟସ୍ଥଳୀ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସୁବିଧା ପାଇଁ ନବୀକରଣ କାର୍ଯ୍ୟ ଆରମ୍ଭ କରିବାକୁ ସେ ଉଲ୍ଲେଖ କରିଥିଲେ ।

ରେଳବାଇ ସମ୍ବନ୍ଧୀୟ ପ୍ରକଳ୍ପ ଗୁଡିକ ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବ ଏବଂ ପଶ୍ଚିମ ମାଲ ପରିବହନ କରିଡରର ଲୋକାର୍ପଣ, ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର – ନ୍ୟୁ ଭାଉପୁରର ଉଦଘାଟନ ବିଷୟରେ କହିଥିଲେ । ସ୍ଥାନୀୟ କାରଖାନାରେ ନିର୍ମିତ ୧୦,୦୦୦ତମ ରେଳ ଇଞ୍ଜିନ କାର୍ଯ୍ୟକ୍ଷମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସୌର ଶକ୍ତି କ୍ଷେତ୍ରରେ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଚିତ୍ରକୁଟରେ ୮୦୦ ମେଗାୱାଟ ସୌର ଶକ୍ତି ପାର୍କ ଉତ୍ତର ପ୍ରଦେଶରେ ବିଦ୍ୟୁତ ଯୋଗାଣ ପାଇଁ ଆମର ପ୍ରତିବଦ୍ଧତାର ଏକ ଉଦାହରଣ ବୋଲି ସେ କହିଛନ୍ତି । ଦେଓରାଇ ଏବଂ ମିର୍ଜାପୁରରେ ପେଟ୍ରୋଲ ଡିଜେଲ, ବାୟୋ – ସିଏନ୍‌ଜି ଏବଂ ଇଥାନଲ ପ୍ରକ୍ରିୟାକରଣ କ୍ଷେତ୍ରରେ ରାଜ୍ୟରେ ପେଟ୍ରୋଲିୟମ ଉତ୍ପାଦର ଆବଶ୍ୟକତା ପୂରଣ ହେବ ।

ପ୍ରଧାନମନ୍ତ୍ରୀ ବିକଶିତ ଭାରତର ପ୍ରାଥମିକତା ଭାବରେ ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଏବଂ ଗରିବ ଲୋକ ମାନଙ୍କର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।  “ଏଗୁଡିକ ମୋ ପାଇଁ କେବଳ ଚାରିଟି ଜାତି ଏବଂ ସେମାନଙ୍କୁ ମଜବୁତ କରିବା ଦ୍ୱାରା ଦେଶ ସୁଦୃଢ଼ ହେବ”, ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଏହି ବିଶ୍ୱାସ ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୃଷକ ମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି ଏବଂ ପିଏମ୍ କିଷାନ ସ୍ୱନିଧି ଭଳି ଯୋଜନା ଯାହା ମାଧ୍ୟମରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି, କିଷାନ କ୍ରେଡିଟ୍ କାର୍ଡ, ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଏବଂ କିଷାନ ଡ୍ରୋନ ଯୋଜନା ଯାହା ସାର ସିଞ୍ଚନକୁ ସହଜ କରିବ ଇତ୍ୟାଦି ବିଷୟରେ ଉଲ୍ଲେଖ କରିଛନ୍ତି । ସେ ନମୋ ଡ୍ରୋନ ଦିଦି କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡିତ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯିବ ।

ଆଗାମୀ ଆଧୁନିକ ବନାସ ଦୁଗ୍ଧ କାରଖାନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବନାସ ଡାଏରୀ ୫୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରୁଛି ଏବଂ ଦୁଗ୍ଧ ପଶୁସମ୍ପଦ ବୃଦ୍ଧି ପାଇଁ ଏକ ଅଭିଯାନ ଚଳାଇଛି, ବନାରସର କୃଷକ ମାନଙ୍କ ପାଇଁ ବନାସ ଡାଏରୀ ଏକ ବରଦାନ ସାବ୍ୟସ୍ତ ହେବ । ଲକ୍ଷ୍ନୌ ଓ କାନପୁରରେ ବନାସ ଡାଏରୀ କାରଖାନା କାର୍ଯ୍ୟ କରୁଛି । ଚଳିତ ବର୍ଷ ବନାସ ଡାଏରୀ ଉତ୍ତର ପ୍ରଦେଶର ୪ ହଜାରରୁ ଅଧିକ ଗ୍ରାମର କୃଷକ ମାନଙ୍କୁ ଏକ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ବନାସ ଡାଏରୀ ଉତ୍ତର ପ୍ରଦେଶର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟରେ ୧୦୦ କୋଟିରୁ ଅଧିକ ଟଙ୍କା ଲାଭାଂଶ ଆକାରରେ ଜମା କରିଛି ।

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ଯେ ବାରାଣସୀରେ ବିକାଶର ଧାରା ସମଗ୍ର ଅଞ୍ଚଳକୁ ନୂତନ ଉଚ୍ଚତାକୁ ନେଇଯିବ । ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ ପୂର୍ବାଂଚଳ କ୍ଷେତ୍ର ଅନେକ ଦଶନ୍ଧି ଧରି ଅବହେଳିତ ହୋଇଥିଲେ ମଧ୍ୟ ମୋଦି ଏବେ ମହାଦେବଙ୍କ ଆଶୀର୍ବାଦରେ ଏହାର ସେବାରେ ନିୟୋଜିତ ଅଛନ୍ତି । କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନର ଆଗମନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋଦି ତୃତୀୟ ପାଳିରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତିରେ ପରିଣତ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଯଦି ମୁଁ ଆଜି ଦେଶକୁ ଏହି ଗ୍ୟାରେଣ୍ଟି ଦେଉଛି, ତେବେ ଏହା ମଧ୍ୟ ଆପଣ ସମସ୍ତଙ୍କ ପାଇଁ, କାଶୀରେ ରହୁଥିବା ମୋର ସମସ୍ତ ପରିବାର ସଦସ୍ୟଙ୍କ ପାଇଁ । ଆପଣମାନେ ସର୍ବଦା ମୋ ସହିତ ଠିଆ ହୋଇଥାନ୍ତି ଏବଂ ମୋର ସଂକଳ୍ପକୁ ସୁଦୃଢ଼ କରନ୍ତି” ବୋଲି ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ।

ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଗତ ୯ ବର୍ଷ ମଧ୍ୟରେ , ପ୍ରଧାନମନ୍ତ୍ରୀ ବାରଣାସୀର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିବା ଏବଂ ବାରଣାସୀ ଏବଂ ଆଖପାଖ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ପାଇଁ ସହଜ ଜୀବନଧାରଣକୁ ବୃଦ୍ଧି କରିବା ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଏହି ଦିଗରେ ଆଉ ଏକ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ପାଖାପାଖି ୧୯,୧୫୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଲୋକାର୍ପଣ କରିଥିଲେ ଓ ଶିଳାନ୍ୟାସ କରିଥିଲେ ।

ପାଖାପାଖି ୧୦,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନ୍ୟୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ନଗର -ନ୍ୟୁ ଭାଉପୁର ଉତ୍ସର୍ଗୀକୃତ ଫ୍ରେଟ୍ କରିଡର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଉଦଘାଟନ ହେବାକୁ ଥିବା ଅନ୍ୟ ରେଳ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ବାଲିଆ – ଗାଜିପୁର ସିଟି ରେଳ ଲାଇନ ଦୋହରୀକରଣ ପ୍ରକଳ୍ପ ଇନ୍ଦାରା – ଦୋହରିଘାଟ ରେଳ ଲାଇନ୍ ଗେଜ୍ ରୂପାନ୍ତରଣ ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ନବନିର୍ମିତ ଉତ୍ସର୍ଗୀକୃତ ମାଲ ପରିବାହୀ କରିଡରରେ ବାରଣାସୀ – ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌, ଦୋହରିଘାଟ – ମାଉ ମେମୁ ଟ୍ରେନ୍ ଏବଂ ଏକ ଯୋଡ଼ା ଲମ୍ବା ହଲ୍ ମାଲବାହୀ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବନାରସ ଲୋକୋମୋଟିଭ୍ ୱାର୍କସ ଦ୍ୱାରା ନିର୍ମିତ ୧୦,୦୦୦ତମ ଲୋକୋମୋଟିଭ୍‌କୁ ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ ୩୭୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୁଇଟି ଆରଓବି ସହିତ ଗ୍ରୀନ୍ ଫିଲ୍ଡ ଶିବପୁର – ଫୁଲୱାରିଆ – ଲହରତାରା ରାସ୍ତାକୁ ଉଦଘାଟନ କରିଥିଲେ । ଏହା ଦ୍ୱାରା ବାରଣାସୀ ସହରର ଉତ୍ତର ଏବଂ ଦକ୍ଷିଣ ଭାଗ ମଧ୍ୟରେ ଟ୍ରାଫିକ ଯାତାୟତ ସହଜ ହେବ ଏବଂ ପର୍ଯ୍ୟଟକଙ୍କ ପାଇଁ ସୁବିଧା ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ଉଦଘାଟନ କରୁଥିବା ଅନ୍ୟ ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରହିଛି ୨୦ଟି ରାସ୍ତାର ସୁଦୃଢ଼ୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ , କୈଥି ଗ୍ରାମର ସଙ୍ଗମ ଘାଟ ରାସ୍ତା ଏବଂ  ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଆବାସିକ କୋଠା ନିର୍ମାଣ ।

ଏହାବ୍ୟତୀତ ପୁଲିସ କର୍ମଚାରୀଙ୍କ ଆବାସ ଆବଶ୍ୟକତାକୁ ପୂରଣ କରିବା ପାଇଁ ପୁଲିସ ଲାଇନ୍ ଓ ପିଏସି ଭୁଲନପୁରରେ ୨୦୦ ଓ ୧୫୦ ଶଯ୍ୟା ବିଶିଷ୍ଟ ଦୁଇଟି ବହୁମହଲା ବ୍ୟାରାକ୍ କୋଠା, ୯ଟି ସ୍ଥାନରେ ନିର୍ମିତ ସ୍ମାର୍ଟ ବସ୍ ଆଶ୍ରୟସ୍ଥଳୀ ଓ ଅଲାଇପୁରରେ ନିର୍ମିତ ୧୩୨ କିଲୋୱାଟ୍ ସବ୍‌ଷ୍ଟେସନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ।

ସ୍ମାର୍ଟ ସିଟି ମିଶନ ଅଧୀନରେ ପର୍ଯ୍ୟଟକଙ୍କ ବିସ୍ତୃତ ସୂଚନା ପାଇଁ ଏକ ୱେବସାଇଟ୍ ଏବଂ ୟୁନିଫାଏଡ୍ ଟୁରିଷ୍ଟ ପାସ୍ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ୟୁନିଫାଇଡ୍ ପାସ୍ ରେ ଶ୍ରୀ କାଶୀ ବିଶ୍ୱନାଥ ଧାମ, ଗଙ୍ଗା କ୍ରୁଜ୍ ଏବଂ ସାରନାଥଙ୍କ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ\’ ପାଇଁ ଏକକ ପ୍ଲାଟଫର୍ମ ଟିକେଟ୍ ବୁକିଂ କରାଯିବ, ଯେଉଁଥିରେ ସମନ୍ୱିତ କ୍ୟୁଆର୍ କୋଡ୍ ସେବା ଉପଲବ୍ଧ ହେବ ।

ପ୍ରଧାନମନ୍ତ୍ରୀ ୬୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଅକ୍ଷୟ ଶକ୍ତି ସମ୍ପଦର ଉତ୍ପାଦନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଚିତ୍ରକୁଟ ଜିଲ୍ଲାରେ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଏକ ୮୦୦ ମେଗାୱାଟ ସୌର ପାର୍କର ଶିଳାନ୍ୟାସ କରିଥିଲେ । ପେଟ୍ରୋଲିୟମ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ପାଇଁ ସେ ମିର୍ଜାପୁର ଠାରେ ୧୦୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ଏକ ନୂତନ ପେଟ୍ରୋଲିୟମ ତୈଳ ଟର୍ମିନାଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

୯୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବାରଣାସୀ – ଭଦୋହି ଜାତୀୟ ରାଜପଥ ୭୩୧ ବି (ପ୍ୟାକେଜ-୨) ର ପ୍ରଶସ୍ତୀକରଣ ; ଜଳ ଜୀବନ ମିଶନ ଅଧୀନରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୯ଟି ଗ୍ରାମୀଣ ପାନୀୟ ଜଳ ଯୋଜନା; ବିଏଚ୍‌ୟୁ ଟ୍ରମା ସେଣ୍ଟରରେ ୧୫୦ ଶଯ୍ୟା କ୍ଷମତା ବିଶିଷ୍ଟ କ୍ରିଟିକାଲ କେୟାର ୟୁନିଟ୍ ନିର୍ମାଣ; ୮ଟି ଗଙ୍ଗା ଘାଟର ପୁନଃନିର୍ମାଣ କାର୍ଯ୍ୟ, ଦିବ୍ୟାଙ୍ଗ ଆବାସିକ ମାଧ୍ୟମିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସମଗ୍ର ଦେଶରେ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀ ମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ। ପ୍ରଧାନମନ୍ତ୍ରୀ ପତାକା ପ୍ରଦର୍ଶନ କରିବା ପରେ ଚଳାଚଳ ଆରମ୍ଭ

କରିଥିବା ନୂତନ ଟ୍ରେନ୍ ଗୁଡ଼ିକ ହେଉଛି:

୧. ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍
୨. ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍
୩. ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍
୪. ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍
୫. ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍
୬. କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ
୭. ରାଉରକେଲା – ଭୁବନେଶ୍ୱର – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍
୮. ରାଂଚି – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍
୯. ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍

ଏହି ଅବସରରେ ପ୍ରଧାନମନ୍ତ୍ରୀ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିି ଏହା ଦେଶରେ ଆଧୁନିକ ଯୋଗାଯୋଗର ଏକ ଅଭୂତପୂର୍ବ ଅବସର ବୋଲି କହିଥିଲେ। ଦେଶରେ ଭିତ୍ତିଭୂମି ବିକାଶର ଏହି ଗତି ଏବଂ ବ୍ୟାପକତା ୧୪୦ କୋଟି ଭାରତୀୟ ମାନଙ୍କର ଆକାଂକ୍ଷା ସହ ସମାନ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ ହୋଇଥିବା ଟ୍ରେନ୍ ଗୁଡ଼ିକ ଅଧିକ ଆଧୁନିକ ଏବଂ ଆରାମଦାୟକ। ସେ କହିଛନ୍ତି ଯେ ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡିକ ନୂତନ ଭାରତର ନୂତନ ଉତ୍ସାହର ପ୍ରତୀକ। ବନ୍ଦେ ଭାରତ ଟ୍ରେନ୍ରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି ବୋଲି ସେ ସୂଚନା ଦେବା ସହ ବନ୍ଦେ ଭାରତକୁ ନେଇ ବଢୁଥିବା ଉତ୍ସାହ ଉପରେ ଖୁସି ବ୍ୟକ୍ତ କରିଥିଲେ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୫ଟି ବନ୍ଦେ ଭାରତ ଟ୍ରେନ୍ ଲୋକଙ୍କୁ ସେବା ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ଆଜି ଆଉ ୯ଟି ବନ୍ଦେ ଭାରତ ଯୋଡ଼ି ହେବାକୁ ଯାଉଛି ଏବଂ ସେ କହିଛନ୍ତି ଯେ ବନ୍ଦେ ଭାରତ ଦେଶର ପ୍ରତ୍ୟେକ ପ୍ରାନ୍ତକୁ ସଂଯୋଗ କରିବାର ଦିନ ଦୂର ନୁହେଁ। ଯେଉଁମାନେ ସମୟ ସଞ୍ଚୟ କରିବାକୁ ଚାହୁଁଛନ୍ତି ଏବଂ ସେହି ସମାନ ଦିନରେ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବନ୍ଦେ ଭାରତର ଉପଯୋଗୀତା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ବନ୍ଦେ ଭାରତ ସହ ଜଡିତ ସ୍ଥାନ ଗୁଡିକରେ ପର୍ଯ୍ୟଟନ ବୃଦ୍ଧି ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ସେ ଆଲୋକପାତ କରିଥିଲେ।

ଦେଶର ସଫଳତା ପାଇଁ ପ୍ରତ୍ୟେକ ନାଗରିକ ଗର୍ବ ଅନୁଭବ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଆଶା ଓ ଆତ୍ମବିଶ୍ୱାସର ବାତାବରଣ ଉପରେ ଆଲୋକପାତ କରିଛନ୍ତି। ସେ ଚନ୍ଦ୍ରଯାନ – ୩ ଏବଂ ଆଦିତ୍ୟ ଏଲ୍ – ୧ର ଐତିହାସିକ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ। ସେହିଭଳି ଜି – ୨୦ ସଫଳତା ଭାରତର ଗଣତନ୍ତ୍ର, ଜନସଂଖ୍ୟା ଓ ବିବିଧତାର ଶକ୍ତିକୁ ପ୍ରଦର୍ଶିତ କରିଛି ବୋଲି ସେ କହିଥିଲେ।

ନାରୀ ଶକ୍ତି ବନ୍ଦନ ଆଇନ୍କୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ବୋଲି ସେ ଉଲ୍ଲେଖ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ଉଲ୍ଲେଖ କରିଛନ୍ତି ଯେ ଅନେକ ରେଳ ଷ୍ଟେସନ ମହିଳା କର୍ମକର୍ତ୍ତାଙ୍କ ଦ୍ୱାରା ପରିଚାଳିତ ହେଉଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଆତ୍ମବିଶ୍ୱାସୀ ଭାରତ ତା’ର ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ଉପରେ ଏକା ସହିତ କାର୍ଯ୍ୟ କରୁଛି । ଭିତ୍ତିଭୂମି ବିକାଶରେ ନିରବଚ୍ଛିନ୍ନ ସମନ୍ୱୟ ରକ୍ଷା କରିବା ଏବଂ ପରିବହନ ଏବଂ ରପ୍ତାନୀ ସମ୍ବନ୍ଧୀୟ ଶୁଳ୍କ ହ୍ରାସ ପାଇଁ ନୂତନ ଲଜିଷ୍ଟିକ୍ ନୀତି ପାଇଁ ସେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟରପ୍ଲାନ୍ ବିଷୟରେ ଉଲ୍ଲେଖ କରିଥିଲେ । ଏକ ପରିବହନ ମାଧ୍ୟମ ଅନ୍ୟ ମାଧ୍ୟମକୁ ସମର୍ଥନ କରିବା ଉଚିତ ବୋଲି ସେ ବହୁବିଧ ସଂଯୋଗ ବିଷୟରେ ମଧ୍ୟ କହିଥିଲେ । ଏସବୁ ସାଧାରଣ ନାଗରିକ ମାନଙ୍କର ଯାତାୟାତକୁ ସହଜ କରିବା ନିମନ୍ତେ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସାଧାରଣ ନାଗରିକ ମାନଙ୍କର ଜୀବନରେ ରେଳବାଇର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ପୂର୍ବ ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପ୍ରତି ଅବହେଳା ପାଇଁ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । ଭାରତୀୟ ରେଳବାଇର ରୂପାନ୍ତରଣ ପାଇଁ ବର୍ତ୍ତମାନର ସରକାରଙ୍କ ପ୍ରୟାସ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ବର୍ଦ୍ଧିତ ବଜେଟ ବିଷୟରେ ସୂଚନା ଦେଇଥିଲେ, ସେ କହିଥିଲେ ଯେ, ଚଳିତ ବର୍ଷର ରେଳ ବଜେଟ ୨୦୧୪ର ରେଳ ବଜେଟ୍ ଠାରୁ ୮ ଗୁଣ ଅଧିକ । ସେହି ଭଳି ଦୋହରୀକରଣ, ବିଦ୍ୟୁତୀକରଣ ଓ ନୂଆ ମାର୍ଗ ପାଇଁ କାମ ଚାଲିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ବିକଶିତ ହେଉଥିବା ଏକ ଭାରତକୁ ଏବେ ଏହାର ରେଳ ଷ୍ଟେସନର ଆଧୁନିକୀକରଣ କରିବାକୁ ପଡିବ । ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଭାରତରେ ପ୍ରଥମ ଥର ପାଇଁ ରେଳ ଷ୍ଟେସନର ବିକାଶ ଓ ଆଧୁନିକୀକରଣ ପାଇଁ ଅଭିଯାନ ଆରମ୍ଭ ହୋଇଛି । ଆଜି ରେଳ ଯାତ୍ରୀ ମାନଙ୍କର ସୁବିଧା ପାଇଁ ଦେଶରେ ରେକର୍ଡ ସଂଖ୍ୟକ ଫୁଟଓଭର ବ୍ରିଜ୍, ଲିଫ୍ଟ ଓ ଏସ୍କେଲେଟର ନିର୍ମାଣ କରାଯାଉଛି ।

କିଛି ଦିନ ତଳେ ଦେଶର ୫୦୦ରୁ ଅଧିକ ପ୍ରମୁଖ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଆରମ୍ଭ ହୋଇଛି । ଅମୃତ କାଳ ସମୟରେ ନିର୍ମିତ ଏହି ନୂତନ ଷ୍ଟେସନ ଗୁଡ଼ିକୁ ଅମୃତ ଭାରତ ଷ୍ଟେସନ କୁହାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ଏହି ଷ୍ଟେସନ ଗୁଡ଼ିକ ନୂଆ ଭାରତର ପରିଚୟ ପାଲଟିବ ବୋଲି ସେ କହିଛନ୍ତି ।

ରେଳବାଇ ରେଳ ଷ୍ଟେସନ ପ୍ରତିଷ୍ଠାର ‘ସ୍ଥାପନା ଦିବସ’ ପାଳନ କରିବା ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଏବଂ କୋଏମ୍ବାଟୁର, ଛତ୍ରପତି ଶିବାଜୀ ଟର୍ମିନାସ୍ ଏବଂ ମୁମ୍ବାଇରେ ଏହି ଉତ୍ସବ ବିଷୟରେ ଉଲ୍ଲେଖ କରିଥିଲେ । କୋଏମ୍ବାଟୁର ରେଳ ଷ୍ଟେସନକୁ ୧୫୦ ବର୍ଷ ପୂରଣ ହୋଇଛି । ଏବେ ରେଳ ଷ୍ଟେସନର ଜନ୍ମଦିନ ପାଳନର ଏହି ପରମ୍ପରାକୁ ଆହୁରି ବ୍ୟାପକ କରାଯିବ ଏବଂ ଏଥିରେ ଅଧିକରୁ ଅଧିକ ଲୋକ ସାମିଲ ହେବେ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନକୁ ଦେଶ ସଂକଳ୍ପରୁ ସିଦ୍ଧିର ମାଧ୍ୟମରେ ପରିଣତ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟର ଏବଂ ପ୍ରତ୍ୟେକ ରାଜ୍ୟର ଜନସାଧାରଣଙ୍କ ବିକାଶ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ରେଳ ମନ୍ତ୍ରୀଙ୍କର ନିଜ ରାଜ୍ୟରେ ରେଳ ବିକାଶକୁ ଗୁରୁତ୍ୱ ଦେବାର ସ୍ୱାର୍ଥପର ଚିନ୍ତାଧାରା ଦେଶକୁ ବହୁତ କ୍ଷତି ପହଞ୍ଚାଇଛି ଏବଂ ବର୍ତ୍ତମାନ ଆମେ କୌଣସି ରାଜ୍ୟକୁ ପଛୁଆ ରଖି ପାରିବୁ ନାହିଁ । “ଆମକୁ ସବ୍କା ସାଥ୍, ସବକା ବିକାଶର ଏକ ପରିକଳ୍ପନା ସହିତ ଆଗକୁ ବଢ଼ିବାକୁ ପଡିବ ବୋଲି ସେ କହିଛନ୍ତି ।

କଠିନ ପରିଶ୍ରମୀ ରେଳ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ଯାତ୍ରାକୁ ସ୍ମରଣୀୟ କରିବାକୁ କହିଥିଲେ । ରେଳବାଇର ପ୍ରତ୍ୟେକ କର୍ମଚାରୀଙ୍କୁ ସହଜ ଯାତ୍ରା ପ୍ରତି ନିରନ୍ତର ସମ୍ବେଦନଶୀଳ ରହିବାକୁ ପଡିବ ଏବଂ ଯାତ୍ରୀ ମାନଙ୍କୁ ଏକ ଭଲ ଅନୁଭୂତି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରେଳବାଇର ସ୍ୱଚ୍ଛତାର ନୂତନ ମାନଦଣ୍ଡକୁ ପ୍ରତ୍ୟେକ ନାଗରିକ ଦେଖିଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଅକ୍ଟୋବର ୧ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରସ୍ତାବିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅକ୍ଟୋବର ୨ରୁ ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଖଦି ଓ ସ୍ୱଦେଶୀ ଦ୍ରବ୍ୟ କ୍ରୟରେ ନିଜକୁ ପୁନଃ ସମର୍ପଣ କରିବା ସହ ସ୍ଥାନୀୟ ଜିନିଷ ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଭାରତୀୟ ରେଳବାଇ ଏବଂ ସମାଜରେ ପ୍ରତ୍ୟେକ ସ୍ତରରେ ଘଟୁଥିବା ପରିବର୍ତ୍ତନ ଏକ ବିକଶିତ ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମୋର ବିଶ୍ୱାସ ରହିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପ୍ତ କରି କହିଥିଲେ । .

ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରଗଣ, ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ ।

ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସେମାନଙ୍କ ଚଳାଚଳ ମାର୍ଗରେ ଦ୍ରୁତତମ ଟ୍ରେନ୍ ହେବ ଏବଂ ଯାତ୍ରୀଙ୍କ ଯଥେଷ୍ଟ ସମୟ ସଞ୍ଚୟ କରିବାରେ ସହାୟକ ହେବ । ଏହି ମାର୍ଗରେ ଚଳାଚଳ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ରାଉରକେଲା – ଭୁବନେଶ୍ୱର – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୩ ଘଣ୍ଟା ଦ୍ରୁତ ହେବ । ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଆଗୁଆ ଚାଲିବ । ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ୨ ଘଣ୍ଟା ଅଧିକ ସମୟ ଆଗୁଆ ଚାଲିବ । ରାଞ୍ଚି- ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍, ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୧ ଘଣ୍ଟା; ଏବଂ ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ପ୍ରାୟ ଅଧ ଘଣ୍ଟା ଦ୍ରୁତ ଗତିରେ ଚାଲିବ ।

ଦେଶର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳୀ ଗୁଡ଼ିକର ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ରାଉରକେଲା – ଭୁବନେଶ୍ୱର – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସହର ପୁରୀ ଏବଂ ମଦୁରାଇକୁ ସଂଯୋଗ କରିବ । ଏଥି ସହିତ ବିଜୟୱାଡ଼ା – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ରେନିଗୁଣ୍ଟା ମାର୍ଗ ଦେଇ ଚଳାଚଳ କରିବ ଏବଂ ତିରୁପତି ତୀର୍ଥସ୍ଥଳକୁ ସଂଯୋଗ ପ୍ରଦାନ କରିବ ।

ଏହି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଦେଶରେ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ କରିବ । କବଚ ଟେକ୍ନୋଲୋଜି ସମେତ ବିଶ୍ୱସ୍ତରୀୟ ସୁବିଧା ଏବଂ ଉନ୍ନତ ନିରାପତ୍ତା ବୈଶିଷ୍ଟ୍ୟରେ ସଜ୍ଜିତ ଏହି ଟ୍ରେନ୍ ସାଧାରଣ ଲୋକ, ପେଶାଦାର, ବ୍ୟବସାୟୀ, ଛାତ୍ର ସମୁଦାୟ ଏବଂ ପର୍ଯ୍ୟଟକ ମାନଙ୍କୁ ଆଧୁନିକ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ମାଧ୍ୟମ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ସେପ୍ଟେମ୍ବର ୩୦ରୁ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍!

ଭୁବନେଶ୍ୱର: ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ପୁରୀ-ରାଉରକେଲା ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାର ଉପକୂଳ ଓ ପଶ୍ଚିମ ଭାଗ ମଧ୍ୟରେ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରେନ ଏହି ରୁଟ୍ ବ୍ୟବହାର କରିବ। ଆଶା କରାଯାଉଛି ଯେ, ସେପ୍ଟେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ସେମି-ହାଇ ସ୍ପିଡ୍ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବାର ସମ୍ଭାବନା ରହିଛି।

ଏହା ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ତେଜସ କୋଚ୍ ସହ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବା ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ସେବା ଖୁବ୍ ଶୀଘ୍ର ଆରମ୍ଭ ହେବ।

ଗତ ମଇ ୧୮ ତାରିଖରେ ପୁରୀ-ହାଓଡ଼ା ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପାଇଁ ଆଉ ଏକ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ପାଳନ କରି ଦ୍ୱିତୀୟ ବନ୍ଦେ ଭାରତ ଖୁବ୍ ଶୀଘ୍ର ରାଉରକେଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିବ ବୋଲି ବୈଷ୍ଣବ ଅଗଷ୍ଟରେ କହିଥିଲେ।

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ରୁଟ୍

ଶନିବାର ବ୍ୟତୀତ ସପ୍ତାହରେ ୬ ଦିନ ଏହି ଟ୍ରେନ ଚଳାଚଳ କରିବ । ଏହି ଟ୍ରେନ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, କେରେଜଙ୍ଗା, ସମ୍ବଲପୁର ସହର, ଝାରସୁଗୁଡ଼ାରେ ଅଟକିବ । ଏହି ସେମି ହାଇସ୍ପିଡ୍ ଟ୍ରେନ ପୁରୀ-ରାଉରକେଲାରୁ ୭ ଘଣ୍ଟା ୩୦ ମିନିଟରେ ୫୦୫ କିଲୋମିଟର ଦୂରତା ଏବଂ ଡାଉନ୍ ଲାଇନ୍ ଅର୍ଥାତ୍ ରାଉରକେଲାରୁ ପୁରୀ ପର୍ଯ୍ୟନ୍ତ ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ ।

ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ତାଳଚେର ଆଦି ସ୍ଥାନ ଦେଇ ଯିବ ।

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସମୟ

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସମୟ ବିଷୟରେ କହିବାକୁ ଗଲେ ଏହି ଟ୍ରେନ ପୁରୀରୁ ସକାଳ ୫ଟାରେ ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ ଏବଂ ରାଉରକେଲାରୁ ଟ୍ରେନ୍ ଅପରାହ୍ନ ୨ଟା ୧୦ରେ ବାହାରି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ ।