Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁରେ ବ୍ୟବସାୟୀ ସଂଗଠନ ପକ୍ଷରୁ ରାଲି: ଜିଏସଟି ଆଇନରେ ବ୍ୟାପକ ପରିବର୍ତ୍ତନକୁ ନେଇ ବନ୍ଦ ଡାକରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: କେନ୍ଦ୍ର ସରକାରଙ୍କ ଜିଏସଟି ଆଇନରେ ବାରମ୍ବାର ସଂଶୋଧନ ବା ପରିବର୍ତ୍ତନ ପ୍ରକ୍ରିୟାକୁ ନେଇ ସର୍ବଭାରତୀୟ ସ୍ତରର ବ୍ୟବସାୟୀ ସଂଗଠନ ସିଏଆଇଟି (CAIT) ଏବଂ ଓଡିଶା ବ୍ୟବସାୟୀ ମହାସଂଘ ଓବିଏମ (OBM) ବିରୋଧ କରୁଛି।

ତେବେ ଏନେଇ ସଂଗଠନ ପକ୍ଷରୁ ଆସନ୍ତା ୨୬ ତାରିଖ ଶୁକ୍ରବାର ଦିନ ସାରା ଭାରତରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖି ସରକାରଙ୍କ ନିକଟରେ ପ୍ରତିବାଦ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପ୍ରତିବାଦକୁ ସମର୍ଥନ ଜଣାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘର ଶତାଧିକ ସଦସ୍ୟ ଏକ ରାଲିର ଆୟୋଜନ କରିଥିଲେ। ଏହି ରାଲିରେ ସଂଘ ପକ୍ଷରୁ ସମଗ୍ର ବାଲୁଗାଁ ବଜାର ପରିକ୍ରମା କରି ଆଇନ ବିରୋଧରେ ହେବାକୁ ଥିବା ପ୍ରତିବାଦ ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ସେମାନେ କେନ୍ଦ୍ର ସରକାରଙ୍କ ଏହି ଆଇନ ଉପରେ ବିଭିନ୍ନ ଅଭିଯୋଗ ଆଣିଥିଲେ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏକ ଦେଶ ଏକ ଟିକସ ନାମରେ ଦ୍ରବ୍ୟ ଏବଂ ସେବା କର ଆଇନ (GST) କୁ ୨୦୧୭ ମସିହା ଠାରୁ ପ୍ରଚଳନ କରାଯାଇଛି। ଏହି ଆଇନ ପରଠାରୁ ଆଜି ପର୍ଯ୍ୟନ୍ତ ୪ ବର୍ଷ ମଧ୍ୟରେ ୯୫୦ ଥରରୁ ଅଧିକ ଥର ଅର୍ଥାତ ପ୍ରାୟ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ସଂଶୋଧନ ବା ପରିବର୍ତ୍ତନ କରାଯାଇଛି। ଯାହାଫଳରେ ଏହାର ମୂଳ ସ୍ବରୁପକୁ ସମ୍ପୂର୍ଣ୍ଣ ଭାବରେ ବଦଳାଯାଇ ଏକ ଗୋଳମାଳିଆ ବ୍ୟବସ୍ଥା ବା ଜଟିଳ ଟିକସରେ ପରିବର୍ତ୍ତନ କରାଯାଇଛି। ଏହା ବ୍ୟବସାୟୀ ତଥା ଜନସାଧାରଣ ବିରୋଧ ଆଇନରେ ପରିଣତ ହୋଇଛି ବୋଲି ସଂଗଠନ ଅଭିଯୋଗ କରିଛି।

ଦୁଃଖର କଥା କୌଣସି ସଂଶୋଧନ ପୂର୍ବରୁ କେବେହେଲେ ବ୍ୟବସାୟୀଙ୍କ ମତାମତ ନିଆଯାଇ ନାହିଁ। ଏହି ସଂଶୋଧନକୁ ବୁଝି କାର୍ଯ୍ୟକାରୀ କରିବା କାଠିକର ପାଠ ହୋଇଗଲାଣି। ଭାରତୀୟ ସଂବିଧାନ ଅନୁଯାୟୀ ଶହେ ଦୋଷୀ ଯାଉ ପଛେ ଜଣେ ନିର୍ଦ୍ଦୋଷୀ ଦଣ୍ଡ ନ ପାଉ କିନ୍ତୁ ଏହି ଆଇନରେ ଏହାର ବିପରୀତ ଅର୍ଥାତ ଜଣେ ବ୍ୟବସାୟୀ ଯଦି ଭୁଲ କରିଦିଏ ତେବେ ତା’ର ଦଣ୍ଡ ଶହେ ବ୍ୟବସାୟୀଙ୍କୁ ଭୋଗିବାକୁ ବାଧ୍ୟ କରାଯାଉଅଛି।

ମଣିଷ ମାତ୍ରକେ ଭୁଲ ଅଛି, ଯଦି କୌଣସି କାରଣ ବଶତଃ ଭୁଲ ଏଣ୍ଟ୍ରି ହୋଇଗଲା ତେବେ ତାର ସଂଶୋଧନ କରିବାର ଅବକାଶ ଦିଆଯାଉ ନାହିଁ। ଏହିପରି କଥାକଥାକେ ପେନାଲଟି, ଲାଇସେନ୍ସ ରଦ୍ଦ ଇତ୍ୟାଦି। ଏହିପରି ଅନେକ ସଂଶୋଧନ ଅଛି ଯାହାକି ମୌଳିକ ଅଧିକାରକୁ ଛଡାଇ ହିଟଲରୀ ଆଇନରେ ପରିଣତ କରାଯାଉଛି ବୋଲି ସଂଗଠନ ଅଭଯୋଗ କରିଛି।