Categories
ଆଜିର ଖବର ଆଞ୍ଚଳିକ

ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ମହ୍ଲାସାହି ଗ୍ରାମର ଲୋକେ ଆତଙ୍କିତ! ଭୁଲ୍ ତଥ୍ୟ ଦେଉଥିବାରୁ ଅଞ୍ଚଳବାସୀ ଚିନ୍ତାରେ

ରଞ୍ଜିତ ପଣ୍ଡା
କୁଜଙ୍ଗ: ଗତକାଲି ବମିଖାଲରୁ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ବେଶ୍‌ ଚିନ୍ତା ବଢିଯାଇଛି। ବମିଖାଲରୁ ସମୁଦାୟ 19 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ବରରୁ ମୋଟ୍‌ 32 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 2 ଜଣ ସୁସ୍ଥ ରହିଛନ୍ତି। ରାଜ୍ୟର ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଏହାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ରାଜ୍ୟବାସୀ । କରୋନା ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଅଞ୍ଚଳକୁ ପ୍ରଶାସନ ସିଲ୍‌ କରି ସର୍ଭେଲାନ୍ସରେ ରଖାଯାଇଛି। ତେବେ ଏହି କରୋନା ଆକ୍ରାନ୍ତଙ୍କୁ ନେଇ ବେଶ୍‌ ଚିନ୍ତାରେ ରହିଛନ୍ତି କୁଜଙ୍ଗ ବାସୀ ।

ଭଡ଼ା ନେଇ ରହିଥିବା କୁଜଙ୍ଗ ବ୍ଲକ୍ ମହ୍ଲାସାହି ଅଞ୍ଚଳର ବିଭିନ୍ନ ଗ୍ରାମର ପରିବାର ଏବେ ସେହି ଅଞ୍ଚଳରୁ କୌଶଳ କ୍ରମେ ଲୁଚି ଆସି ନିଜ ଅଞ୍ଚଳର ନିଜ ଘରେ ପହଞ୍ଚି ଯାଇଛନ୍ତି। ଏମାନେ ନିଜ ଗ୍ରାମରେ ପହଞ୍ଚିବା ପରେ ଗାଁ ଲୋକେ ଆଶଙ୍କା ମଧ୍ୟରେ ଗତି କରୁଥିବା ବେଳେ ଏମାନଙ୍କୁ ବୁଝାଇବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଓ ପୋଲିସ ପ୍ରଶାସନର କର୍ମଚାରୀମାନେ ନାକେଦମ୍ ହୋଇ ସାରିଲେଣି। ଭୁବନେଶ୍ବରରୁ ଆସିଥିବା ଏହି ପରିବାରର ଲୋକ ବା ବ୍ୟକ୍ତିମାନେ  ପୋଲିସ ଅଧିକାରୀ କଥା ନ ମାନିବାରୁ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ି ଯାଇଛି। ଏହି ବ୍ୟକ୍ତିମାନେ ଘରେ ନ ରହି ଖୋଲାଖୋଲି ଭାବରେ ଏଣେ ତେଣେ ବୁଲା ବୁଲି କରିବା ସହିତ ଅନେକଙ୍କ ସହ ମିଶାମିଶି କରୁ ଥିବାର ଶୁଣିବାକୁ ମିଳୁଛି। ଯଦି ଏମାନଙ୍କ ପାଇଁ କୌଣସି ପ୍ରକାର କରୋନା ସଂକ୍ରମଣ ହୁଏ ତେବେ ଖାଲି ମହ୍ଲାସାହି ନୁହେଁ ସାରା ଅଞ୍ଚଳରେ ସମସ୍ୟା ବଢିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବମିଖାଲ ଲକ୍ଷ୍ମୀସାଗର ଅଞ୍ଚଳରୁ ଆସିଥିବା ଲୋକଙ୍କ ବିଷୟରେ ସ୍ଥାନୀୟ ପୋଲିସ୍‌ ପ୍ରଶାସନକୁ ଖବର ଦେଇଥିବା ଜନସାଧାରଣଙ୍କୁ ତାଙ୍କ ପରିବାର ପକ୍ଷରୁ ଅଶ୍ଲୀଳ ଗାଳି ଗୁଲଜ କରୁଥିବାର ଶୁଣିବାକୁ ମିଳୁଛି । ଅପରପକ୍ଷରେ ସେମାନେ ତାଙ୍କ ସମ୍ପର୍କରେ ମଧ୍ୟ ସଠିକ୍‌ ତଥ୍ୟ ଦେଉନାହାନ୍ତି । ଏପ୍ରିଲ୍‌ 2 ତାରିଖରେ ସେମାନେ ଗ୍ରାମକୁ ଆସିଥିବାବେଳେ ମାର୍ଚ୍ଚ 20 ତାରିଖରୁ ଆସିଛନ୍ତି ବୋଲି କହୁଛନ୍ତି । ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ସହିତ ସତର୍କ ରହିବା ଆଜିର ସମୟରେ ବଡ ଆବଶ୍ୟକତା ଥିବାବେଳେ ଏହି ଲୋକମାନେ ବେଖାତିର ରହିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ନେଇ ଆତଙ୍କିତ ରହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବମିଖାଲର 15 ଜଣ ଆକ୍ରାନ୍ତ ଗୋଟିଏ ପରିବାରର

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଭୁବନେଶ୍ବରର କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି । ମିଳିଥିବା ସୂଚନା ଅନୁସାରେ ବମିଖାଲର ସବୁ କେସ୍‌ ଗୋଟିଏ ପରିବାରର ବୋଲି ଜଣାପଡିଛି । ଭୁବନେଶ୍ବରରେ 30ଟି କରୋନା ସକ୍ରିୟ କେସ୍‌ ରହିଛି । ସେଥିମଧ୍ୟରୁ ଅଧିକାଂଶଙ୍କ ସୂର୍ଯ୍ୟନଗର ଓ ବମିଖାଲ୍‌ କେସ୍‌ ସହ ଲିଙ୍କ ରହିଛି । ପ୍ରାୟ ବମିଖାଲର ସମସ୍ତ କେସ୍‌ ଗୋଟିଏ ପରିବାରର ସୂଚନା ମିଳିଛି । ସୂର୍ଯ୍ୟନଗର ଓ ବମିଖାଲ ଅଞ୍ଚଳକୁ ସିଲ୍‌ କରି ସର୍ଭେଲାନ୍ସରେ ରଖାଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବରରୁ 18ଟି ପଜିଟିଭି  ମାମଲା ସାମ୍ନାକୁ ଆସିଥିଲା । ସେମାନଙ୍କ ମଧ୍ୟରୁ 16ଟି ବମିଖାଲର ହୋଇଥିବାବେଳେ ଆଉ ଦୁଇଟିରୁ ଗୋଟିଏ କପିଳପ୍ରସାଦରୁ ଜଣାପଡିଥିଲା । ଅନ୍ୟଟି ଏପର୍ଯ୍ୟନ୍ତ କେଉଁ ଅଞ୍ଚଳର ତାହା ସମ୍ପର୍କରେ ଜଣାପଡିନାହିଁ । ଗତକାଲି ଦିନବେଳେ ବମିଖାଲ ଅଞ୍ଚଳରୁ ଗୋଟିଏ କେସ୍‌ ଜଣାପଡିଥିବାବେଳେ ସନ୍ଧ୍ୟା ସମୟରେ ବମିଖାଲ ଅଞ୍ଚଳରୁ 15ଟି କେସ୍‌ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଓଡିଶାରେ ଏହି କରୋନା ରୋଗୀ ସଂଖ୍ୟା 39ରେ ପହଁଚିଛି।