Categories
ଆଜିର ଖବର ରାଜ୍ୟ ଖବର

ବରଯାତ୍ରୀ ରୂପେ ଆସି ଶବ ହୋଇ ଫେରିଲେ ଯୁବକ

ଖୋର୍ଦ୍ଧା: ବାହାଘରରେ ବରଯାତ୍ରୀ ହୋଇ ଆସିଥିଲେ ଯୁବକ, କିନ୍ତୁ ଫେରିଲା ତାଙ୍କର ମୃତଦେହ। ଏପରି ଏକ ଅଘଟଣ ଖୋର୍ଦ୍ଧା ଜିଲ୍ଲାରେ ଘଟିଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲି ଗ୍ରାମର ଏକ କୂଅରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ନିରାକପୁର ଥାନା ଅନ୍ତର୍ଗତ ଡିଆଗ୍ରାମର ବୋଲି ସୂଚନା ରହିଛି। ଯୁବକଙ୍କ ନାମ ହେଉଛି ବିକାଶ ସାହୁ। ତେବେ ବିକାଶ ଗତ ୯ ତାରିଖ ଦିନ ଡିଆ ଗ୍ରାମର ତ୍ରିନାଥ ବାରିକଙ୍କ ପୁଅ ବାହାଘରରେ ବରଯାତ୍ରୀ ହୋଇ ରମାବିଲି ଗ୍ରାମକୁ ଆସିଥିଲେ। ତେବେ ବରଯାତ୍ରୀ ଆସିବା ସମୟରେ ବାଟରେ ଗଣ୍ଡଗୋଳ ହୋଇଥିଲା। କନ୍ୟାଯାତ୍ରୀ ଓ ବରଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ତେବେ ବାହାଘର ପରେ ବରଯାତ୍ରୀ ଫେରିଥିଲେ, କିନ୍ତୁ ବିକାଶ ଫେରିନଥିଲେ। ବହୁ ଖୋଜାଖୋଜି ପରେ ବିକାଶ ନ ଫେରିବାରୁ ସେ ନିଖୋଜ ହୋଇନଥିବା ନେଇ ତାଙ୍କ ବାପା ଥାନାରେ ଏତଲା ଦେଇଥିଲା। ତେବେ ଆଜି ସକାଳୁ ସକାଳୁ ରମାବିଲିର ଏକ କୂଅରୁ ବିକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘରର ଏକମାତ୍ର ପୁଅକୁ ହରାଇ ସେହି ପରିବାରର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ବିବାହ କାହା ପାଇଁ ଖୁସି ଆଣିଥିବାବେଳେ ଆଉ କାହାର ଓଠରୁ ଛଡାଇନେଇଛି ହସ।