Categories
ଆଜିର ଖବର

ଭାରତୀୟ ରେଳବାଇ ପକ୍ଷରୁ ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ ଆସନ୍ତାକାଲି

ଭୁବନେଶ୍ବର, ୧୨/୧୨: ଭାରତୀୟ ରେଳବାଇ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍‌ ଡିସେମ୍ବର ୧୩ ତାରିଖରୁ ବାଲେଶ୍ବର ଓ ହରିଦ୍ବାର ମଧ୍ୟରେ ଏକ ବରିଷ୍ଠ ନାଗରିକ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରାଯାଉଛି। ଓଡିଶା ସରକାରଙ୍କ ସହାୟତାରେ ଉତ୍ତର ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ ତୀର୍ଥ ଭ୍ରମଣ ପାଇଁ ସହାୟକ ହେବ। ୦୮୪୧୫/୦୮୪୧୬ ଭୁବନେଶ୍ୱର-ହରିଦ୍ୱାର-ଭୁବନେଶ୍ୱର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ବାଲେଶ୍ୱର ଠାରୁ ଆସନ୍ତାକାଲି ପୂର୍ବାହ୍ନ ୧୧ଘ.୪୫ମି.ରେ ଛାଡି ହରିଦ୍ୱାର ଠାରେ ତା ପରଦିନ ରାତ୍ର ୧୦ଘ.୧୫ମି.ରେ ପହଞ୍ଚିବ। ଫେରିବା ବାଟରେ ଏହି ଟ୍ରେନ ହରିଦ୍ୱାର ଠାରୁ ଡିସେମ୍ବର ୧୬ ତାରିଖ ଦିନ ରାତ୍ର ୧୦ ଘଟିକାରେ ଛାଡି ବାଲେଶ୍ୱର ଠାରେ ଡିସେମ୍ବର ୧୮ ତାରିଖ ପୂର୍ବାହ୍ନ ୧୦ ଘ.୧୫ମି.ରେ ପହଞ୍ଚିବ। ଏହି ତୀର୍ଥ ସ୍ୱତନ୍ତ୍ର ଟ୍ରେନ ହିଜୀଲୀ-ଆଦ୍ରା-ଗୋମୋ-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ-ବାରଣାସୀ-ଲକ୍ଷ୍ନୋ ଓ ମୋରାଦାବାଦ ମାର୍ଗରେ ଚଳାଚଳ କରିବାକୁ ଥିବାବେଳେ ଏଥିରେ ୧୫ଟି ସ୍ଲିପର କ୍ଲାସ, ୨ଟି ଗାର୍ଡ ଭ୍ୟାନ ଓ ଗୋଟିଏ ପ୍ୟାଣ୍ଟ୍ରି କାର ଉପଲବ୍ଧ ଅଛି ।

ଓଡିଶା ରାଜ୍ୟ ସରକାରଙ୍କ ପାଇଁ ଭାରତୀୟ ରେଳବାଇ କ୍ୟାଟେରିଙ୍ଗ ଓ ଟୁରିଜିମ କର୍ପୋରେସନ (ଆଈଆରସିଟିସି) ଚଳାଚଳ କରାଯାଉଥିବାବେଳେ ପୂର୍ବତଟ ରେଳପଥ ପକ୍ଷରୁ ଏଥିପାଇଁ ଆଧାରଭୁକ୍ତ ସୁବିଧା ପ୍ରଦାନ କରାଯାଉଅଛି। ଏହି ସମୟରେ ତୀର୍ଥଯାତ୍ରୀ ମାନେ ବିଭିନ୍ନ ତୀର୍ଥସ୍ଥାନ ଯଥା ହରିଦ୍ୱାର, ମନସାଦେବୀ ମନ୍ଦିର, ହର-କି-ପୌରୀ ସହିତ ହୃଷିକେଶର ରାମଝୁଲା ଓ ଲକ୍ଷ୍ମଣଝୁଲା ଇତ୍ୟାଦି ପରିଦର୍ଶନ କରିବେ ।

ବିଭିନ୍ନ ତୀର୍ଥଯାତ୍ରା ପାଇଁ ସାଧାରଣ ଜନତା ଓ ତୀର୍ଥଯାତ୍ରୀମାନେ ଆଇଆରସିଟିସି ୱେବସାଈଟ www.irctctourism.comରେ ସୂଚନା ପାଇପାରିବା ସହିତ +୯୧ ୮୨୮୭୯୩୨୨୩୧ ନମ୍ବରରେ ମଧ୍ୟ ଫୋନ ଦ୍ୱାରା ସୂଚନା ସମ୍ବନ୍ଧରେ ଅବଗତ ହେଇପାରିବେ। (ଏଜେନ୍ସି)