Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଛତ୍ରପୁର: ବରିଷ୍ଠ ନାଗରିକ ମଞ୍ଚ ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

କୈଳାଶ ଚନ୍ଦ୍ର ଚୌଧୁରୀ

ଛତ୍ରପୁର: ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣ ପୁର ବରିଷ୍ଠ ନାଗରିକ ମଞ୍ଚ ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ଇକୋସ୍ ଚକ୍ଷୁ ଚିକିତ୍ସା ହସ୍ପିଟାଲ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ୫୨ ଜଣଙ୍କ ଚକ୍ଷୁ ଚିକିତ୍ସା କରିବା ସହ ଔଷଧ ପ୍ରଦାନ କରାଯାଇଥିଲା ଓ ୧୧ ଜଣଙ୍କ ପରଳ ଚିକିତ୍ସା ପାଇଁ ହସ୍ପିଟାଲ୍ ବସ୍ ରେ ବ୍ରହ୍ମପୁର ହସ୍ପିଟାଲ କୁ ପଠାଯାଇଥିଲା।

ଏହି ମାଗଣା ସେବା କାର୍ଯ୍ୟକ୍ରମକୁ ଇକୋସ୍ ହସ୍ପିଟାଲ ଶିବିର ପରିଚାଳକ ରସିକ ରାଜ ଦିଗାଲ୍, ଚକ୍ଷୁ ପରୀକ୍ଷିକ ହରିସ ସାହୁ, ସବିତା ନାୟକ ଓ ଫାର୍ମାସିଷ୍ଟ ଗୌରୀ ଶଙ୍କର ମହାନ୍ତି ଓ ହେମନ୍ତ କୁମାର ସିଂ ପରିଚାଳନା କରିଥିଲେ। ଏତଦବ୍ୟତୀତ ବରିଷ୍ଠ ନାଗରିକ ମଞ୍ଚର ସମସ୍ତ କର୍ମକର୍ତ୍ତା ଓ ମଞ୍ଚ ସଂଯୋଜକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପୁର୍ବତନ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ‘ବରିଷ୍ଠ ନାଗରିକ ମଞ୍ଚ’ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ‘ବରିଷ୍ଠ ନାଗରିକ ମଞ୍ଚ’ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ଯୋଗ ଦେଇଥିଲେ।

ବାଲୁଗାଁ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡ଼ା ଯୋଗିନ୍ଦ୍ର ନାଥ ସେନାପତିଙ୍କ ସଭାପତିତ୍ୱରେ ସମ୍ପାଦକ ମୁରଲୀ ସାମନ୍ତସିଂହାର ମଞ୍ଚ ପରିଚାଳନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମଞ୍ଚ କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ସହ ନିବନ୍ଧକ ପ୍ରଫୁଲ କୁମାର ଜାଲି ଅତିଥି ପରିଚୟ ପ୍ରଦାନ କରିଥିଲେ। ବୟସର ତାଳେ ତାଳେ ପରିଣତ ବୟସରେ ପ୍ରତିଟି ମୁହୂର୍ତ୍ତରେ ଉପେକ୍ଷିତ ହେଉଥିବା ବରିଷ୍ଠ ନାଗରିକମାନେ ପରିବାର ପ୍ରତି ମଧ୍ୟ ଅଲୋଡ଼ା ହୋଇଯାଉଥିବାର ଦୃଶ୍ୟ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବର୍ତ୍ତମାନ ସମାଜରେ ଦେଖିବାକୁ ମିଳୁଛି।ଯାହାକି ପ୍ରତିଷ୍ଠିତ ମାନବ ସମାଜରେ ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ଏବଂ ଗୁରୁଜନମାନେ ସଦାସର୍ବଦା ପୂଜ୍ୟ ତେଣୁ ସେମାନଙ୍କ ସମସ୍ତ ଜରୁରୀ ସୁବିଧା ହାତ ପାହାନ୍ତାରେ ଯୋଗାଇ ଦେବାପାଇଁ ଅନୁଷ୍ଠିତ ମଞ୍ଚରେ ଉପସ୍ଥିତ ଅତିଥିମାନେ ଦୃଷ୍ଟିପାତ କରିଥିଲେ।

ଏଥିସହିତ ଗରିବ ଶ୍ରେଣୀର ନାଗରିକଙ୍କୁ ସହାୟତା ଓ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ ସହ ମୌଳିକ ଅଧିକାର ତଥା ବିଭିନ୍ନ ସମସ୍ୟା ସମାଧାନ କରିବା ଦିଗରେ ମଞ୍ଚ ପକ୍ଷରୁ ସର୍ବସମ୍ମତି ପ୍ରକାଶ ପାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ବରିଷ୍ଠ ନାଗରିକ ମଞ୍ଚରେ ୩୩ ଜଣ ସଭ୍ୟ ନିଷ୍ଠାପର ଭାବେ କାର୍ଯ୍ୟ ଜାରି ରଖିଥିବା ବେଳେ ଆଗାମି ଦିନରେ ଅଧିକରୁ ଅଧିକ ସଭ୍ୟ ଯୋଡିବାପାଇଁ ପ୍ରୟାସ ଜାରିରହିଛି।

ଉକ୍ତ ଉତ୍ସବରେ ସ୍ଥାନୀୟ ଚାଷଙ୍ଗରା ଗ୍ରାମର ଉଦୟମାନ ୧୮ ବର୍ଷରୁ କମ ବାଳକ ଆନ୍ତର୍ଜାତିକ ସ୍ତରରେ ଦେଶ ପାଇଁ ତେହେରାନ ଠାରେ ୧୪ ତମ ଏସିଆ ଭଳିବଲ ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ବ କରିଥିବା ଆଶିଷ ସ୍ୱାଇଁ ଏବଂ ଉତ୍କଳ ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟ ସ୍ତରୀୟ ପୁରସ୍କୃତ ହୋଇଥିବା ଶିଶିକାନ୍ତ ସାମନ୍ତସିଂହାରଙ୍କୁ ମଞ୍ଚ ପକ୍ଷରୁ ସମ୍ମାନିତ କରାଯାଇଥିଲା। ନାଗରିକ ମଞ୍ଚ ଉପ ସଭାପତି ତଥା ବାଲୁଗାଁ ଉମା ମହେଶ୍ୱର ବଣିକ ସଙ୍ଘ ସଭାପତି ରବି ନାରାୟଣ ନାୟକ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ 10 ହଜାର ଟଙ୍କା ଦାନ

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୋଭିଡ୍‌-19ର ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌। ଏହି ସମୟରେ ବହୁ ବ୍ୟକ୍ତି, ଅନୁଷ୍ଠାନ ଆର୍ଥିକ ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ଆଜି କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌କୁ 10 ହଜାର ଟଙ୍କା ଦାନ କରାଯାଇଛି। କୁଜଙ୍ଗ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ବାବୁରାମ ଚୌଧୁରୀଙ୍କ ନେତୃତ୍ବରେ ଅନଙ୍ଗ କୁମାର ମହାପାତ୍ର, ବିଷ୍ଣୁ ଚରଣ ମୁଦୁଲି, ସତ୍ୟାନନ୍ଦ ନାଥ, ଦେବୀ ପ୍ରସାଦ ପଟ୍ଟନାୟକ ଭାରପ୍ରାପ୍ତ ବିଡିଓ ଡ. ପୂଜା ଲେଙ୍କାଙ୍କୁ ଏହି ଅର୍ଥ ପ୍ରଦାନ କରିଛନ୍ତି।