Categories
DurgaPujaNews ଧର୍ମ ବିଶେଷ ଖବର ସଂସ୍କୃତି

ମା’ ଭଗବତୀ ମନ୍ଦିରରେ ବଳି ପ୍ରଥା ଓ ତାହାର କିମ୍ବଦନ୍ତୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦିବ୍ୟରଂଜନ ପରିଡା

ଲୋକକଥା ଓ କିମ୍ବଦନ୍ତୀର ସହର ଆମ ବାଣପୁର। ଯେଉଁ ଭୂଖଣ୍ଡ ଉପରେ ଆମେ ଛିଡା ହେଇଛେ, କେତେ ଇତିହାସର କଥାସବୁ ତା ଭିତରେ ଲୁପ୍ତଭାବେ ସାଇତା ରହିଛି, ଆମେ କଳ୍ପନା ବି କରିପାରିବାନି। ଭାଲେରୀ, ଘଣ୍ଟଶିଳା, ସୋଲରୀ, ମାମୁଁଭଣଜା, ବରକନ୍ୟା ଓ ଶୂଳିଆ ପାହାଡ ପରି ଅନେକ ପାହାଡର ପଥର ଦେହରେ ଲୁପ୍ତ ରହିଛି ଆମର ଇତିହାସ।

ସତ୍ୟ, ତ୍ରେତୟା, ଦ୍ବାପର ପରେ ଆମେ କଳିଯୁଗର ବସତି ସ୍ଥାପନ କରିଛେ। ଆମର ଗୋଟିଏ ଯୁଗ ପୂର୍ବ ଅର୍ଥାତ୍ ଦ୍ବାପର ଯୁଗର ପ୍ରବଳ ପ୍ରତାପୀ ଶିବଭକ୍ତ ବାଣାସୁରର ବଣଘେରା ରାଜ୍ୟ ବାଣପୁରରେ ଯେଉଁ ସୋଲରୀ ପାହାଡ ଅଛି, ଗବେଷଣାରୁ ଅନେକ ଆଚମ୍ବିତ କଲାପରି ତଥ୍ୟ ମିଳେ। ଅଦ୍ଭୁତଭାବରେ ସେଠାରେ ପାହାଡ ଉପରେ ପୋଖରୀ ଦେଖିବାକୁ ମିଳେ। ଆଉ ସେଠାରେ ଥିବା ରହସ୍ୟମୟୀ ଅଭେଦ୍ୟ ଗୁମ୍ଫାରୁ ବାଣାସୁର ସମ୍ପର୍କରେ ଆହୁରି ଠୋସ୍ ପ୍ରମାଣ ମିଳିବାର ଆଶଙ୍କା କରାଯାଉଛି। ଜଣେ ଶୈବ ହେଇଗଲେ ଆପେ ଶାକ୍ତ ହେବାକୁ ଇଚ୍ଛା ଜାଗ୍ରତ ହୁଏ। କାରଣ ଶକ୍ତି ବିନା ଶିବ ଯେ ଶବ! ତେଣୁ ଶିବପୂଜା ସଙ୍ଗେସଙ୍ଗେ ବାଣାସୁର ମାଆ ଭଗବତୀଙ୍କୁ ଆରାଧନା କରୁଥିବାର କିମ୍ବଦନ୍ତୀ ରହିଛି।

ଚତୁର୍ଦ୍ଦଶ ଶତାବ୍ଦୀର କଥା। ସେତେବେଳର ରାଜା ଜଗନ୍ନାଥ ହରିଚନ୍ଦନ ବାଣପୁରକୁ ଶାସନ କରୁଥାଆନ୍ତି। ସେତେବେଳେ ଆମର ଏ ଭଗବତୀଙ୍କ ମନ୍ଦିର କିମ୍ବା କଳାମୁଗୁନିପଥରର ପ୍ରତିମା ନଥିଲା। କାଳକ୍ରମେ ମନ୍ଦିର ଭାଙ୍ଗି ପ୍ରତିମାଟି ମାଟିରେ ପୋତି ହେଇ ରହିଥିଲା। ରାଜକାର୍ଯ୍ୟ ପାଇଁ ଦେବୀ ଆଶୀର୍ବାଦ ଅବଶ୍ୟମ୍ଭାବୀ। ତେଣୁ ଆଦିଶକ୍ତି ଭଗବତୀ ରାଜାଙ୍କୁ ସ୍ବପ୍ନାଦେଶ ଦେଇ ପୁନଶ୍ଚ ବାଣପୁରରେ ନିଜର ଲୀଳାଖେଳା କରିବାକୁ ମନ ବଳେଇଲେ। ଅବଶ୍ୟ ପରେ ଏକ ତପସ୍ବୀ ସାଧୁଙ୍କ ସଙ୍କେତ ପାଇବା କ୍ଷଣି ରାଜା ଭଗବତୀ ମୁର୍ତ୍ତିଟି ଉଦ୍ଧାରକରି ମନ୍ଦିର ତୋଳି ମାଆଙ୍କୁ ସ୍ଥାପନା କରାଇଲେ।

ଆଶ୍ବିନମାସରେ ମାଆଙ୍କର ଷୋଡଶ ଉପଚାର ପୂଜାରେ ନରବଳି ପକେଇବାର ଏକ ଅନ୍ଧଭାବନା ରାଜାଙ୍କ ମନରେ ଆସିବା କ୍ଷଣି ସେ ଏକ ଅତ୍ୟନ୍ତ ଗରିବ ପରିବାରର ସହମତି କ୍ରମେ କିଛି ଧନ ଓ ଜମି ପ୍ରଦାନ କରି ନରବଳିର ପ୍ରଥା ଆରମ୍ଭ କରିଥିଲେ। ପ୍ରତିବର୍ଷ ଭଗବତୀଙ୍କ ଶାରଦୀୟ ଉପଚାରରେ ଗୋଟିଏ ପୁରୁଷର ବଳି ପଡିବ ବୋଲି କଥା ହେଇଥିଲା। ସମୟକ୍ରମେ ଉକ୍ତ ପରିବାର ପୁରୁଷ ଶୂନ୍ୟ ହେବାକୁ ବସିଲା। ଶେଷକୁ ମାତ୍ର ପୁରୁଷ ଛୁଆଟେ ବାକି ଥିଲା। ସେ ବର୍ଷ ମଧ୍ୟ ଭଗବତୀଙ୍କ ଶାରଦୀୟ ପୂଜାରେ ନରବଳିର ଆବଶ୍ୟକତା ଥିଲା। ହେଲେ କୋଉ ଜନ୍ମକଲା ମାଆ ସହିବ ତା ପୁଅର ଗଣ୍ଡିରୁ ମୁଣ୍ଡକୁ ଅଲଗା କରାଯାଉ ବୋଲି! ତେଣୁ ପୂଜାର ଅବ୍ୟବହିତ ପୂର୍ବ ରାତିରେ ସେ ମାଆଟି ଛୁଆଟିକୁ ସାଙ୍ଗରେ ଧରି ବଣ ଜଙ୍ଗଲ ରାସ୍ତାରେ ଖଲ୍ଲିକୋଟ ରାଜ୍ୟକୁ ଯିବାକୁ ମନସ୍ଥ କଲା।

ରଣପୁରକୁ ଲାଗି ବାଣପୁର ଓ ବାଣପୁରକୁ ଲାଗି ଖଲ୍ଲିକୋଟ ରାଜ୍ୟ ରହିଥାଏ। ଏ ସବୁ ରାଜ୍ୟର ସୀମାନ୍ତକୁ ପାହାଡମାନେ ବିଚ୍ଛିନ୍ନ କରୁଥିଲେ ଯାହା। ଏପଟେ ସନ୍ତାନର ମନର କଥା ବୁଝୁଥିବା ଭଗବତୀ ବ୍ୟଥିତ ହେଲା। ନିଜ ପୀଠରେ ଏ ଅନ୍ଧବିଶ୍ବାସ ପାଇଁ ପ୍ରତିବର୍ଷ ଜଣକର ଜୀବନ ଯାଉଛି। ଆଉ ଆଜି କଅଁଳା ଛୁଆଟିର ଜୀବନ ବଞ୍ଚେଇବାକୁ ଗୋଟେ ମାଆ ଆଉ ଗୋଟେ ମାଆକୁ ଡାହାଣୀ ସମ୍ବୋଧନ କରି ଭତ୍ସନା କରୁଛି। ଆଉ ଧୈର୍ଯ୍ୟଧରି ମନ୍ଦିରରେ ରହିପାରିଲାନି ଭଗବତୀ। ଏକ ନବଯୌବନା ଯୁବତୀର ବେଶ ଧରି ଉକ୍ତ ମାଆପୁଅଙ୍କ ରାସ୍ତାରେ ଆସିଲା। ସେତେବେଳକୁ ସେମାନେ ଭାଲେରୀ ପାହାଡର ପାଦଦେଶରେ ଥିବା ଛତ୍ରଗଡ ଜଙ୍ଗଲରାସ୍ତାରେ ପହଞ୍ଚିସାରିଥାଆନ୍ତି। ଆଉ କିଛି ରାସ୍ତା ଅତିକ୍ରମ କଲା ପରେ ଆରମ୍ଭ ହେବ ଖଲ୍ଲିକୋଟ ରାଜ୍ୟର ସୀମା।

ଜନାକୀର୍ଣ୍ଣ କଣ୍ଟକିତ ରାସ୍ତାରେ ମାଆଟି ପୁଅକୁ କୋଳେଇ କାନ୍ଦିକାନ୍ଦି ଆଗକୁ ବଢୁଥାଏ। ଯୁବତୀଟିକୁ ସେ ରାସ୍ତାରେ ଦେଖି ମାଆଟି ଡରିସାରିଥିଲା। ହେଲେ ଅସାମାନ୍ୟା ସୌନ୍ଦର୍ଯ୍ୟର ଅଧିକାରିଣୀ ସେ ଯୁବତୀର ଦେହର ଆଭା ଆଉ ତା ମିଠା କଥାରେ ସେ ଦୀର୍ଘଶ୍ବାସଟେ ମାରି ସବୁ କଥା ତା’ ଆଗରେ କହିଲା। ଯୁବତୀଟି ସେ ଛୁଆଟିର ମୁଣ୍ଡକୁ ଆଉଁସି ଅଭୟ ଦେଲାପରି ମନେମନେ ହସୁଥାଏ। ଏଥର ଆଉ ସମ୍ଭାଳି ରହିପାରିଲାନି ଯୁବତୀରୂପି ଭଗବତୀ। ଏତେବାଟର ଚାଲିବା ଫଳରେ ମୁଣ୍ଡବିନ୍ଧା ଯୋଗୁଁ ମୁଣ୍ଡଟି ଟିକିଏ ଚିପିଦେବାକୁ ସେ ମାଆକୁ ଅନୁରୋଧ କଲା। ହେଲେ ଇଏ କ’ଣ ! ମୁଣ୍ଡଟି ଚିପିବା ସମୟରେ ସେ ମାଆଟି ଯାହା ଦେଖିଲା, ତା’ ପାଦ ତଳୁ ମାଟି ଖସିଗଲା ପରି ଲାଗିଲା।

ଯୁବତୀଟିର ମୁଣ୍ଡରେ ଏକାଧିକ ଆଖି! ଛିଟିକିପଡି ନିଜ ଛୁଆକୁ ଜାବୁଡି ଧରିଲା ମାଆଟି। ଅଳ୍ପହସି ମାଆ ସ୍ବୟଂ ସେଠାରେ ପ୍ରକଟ ହେଲା। ଆଉ ସେ ଛୁଆଟିକୁ ଅଭୟ ଦେଇ ସେ ବାଣପୁରରେ ପ୍ରସିଦ୍ଧ ହେଇ ଭଗବତୀର ମହିମା ବିସରଣ କରିବ ବୋଲି ବର ପ୍ରଦାନ କରି ସେଠାରୁ ଉଭେଇଗଲା।

ସେହିଦିନଠାରୁ ବାଣପୁରରେ ନରବଳିପରି କୁତ୍ସିତ ପ୍ରଥାର ବିଲୋପ ହେଲା। ଆଉ ବଳିପ୍ରଥାରୁ ମୁକ୍ତି ପାଇଥିବା ପିଲାଟିର ନାଆଁ ହେଲା ‘ବଳିଜିଣା’। ପ୍ରତିବର୍ଷ ଶାରଦୀୟ ଉତ୍ସବର ଷୋଡଶ ଉପଚାରରେ ବଳି ବେକରେ ଭଗବତୀର ଆଜ୍ଞାମାଳଟେ ପଡିବା କ୍ଷଣି ସେ ମୂର୍ଚ୍ଛାଯାଏ। ଆଉ ସେହି ସମୟରେ ମାଆ ତା’ ସନ୍ତାନର ଗର୍ବ ଅହଙ୍କାର ପରି ଖରାପ ସ୍ବଭାବସବୁର ବଳି ଗ୍ରହଣ କରେ। ପରେ ସେ ସତେଜ ହେଇ ଆଗପରି ସ୍ବାଭାବିକ ହୁଏ।

ଆଜି ମଧ୍ୟ ଦଶହରାରେ ସେହି ବଳି ଜେନାର ପୁରଷ ଦାୟାଦମାନେ ସେହି ନୀତିକୁ ମାନି ଭଗବତୀ ନିକଟରେ ନିଜକୁ ସମର୍ପଣ କରୁଛନ୍ତି। ଆଉ ସେହି ସମୟରେ ତାଙ୍କ ପରିବାର ମୃତ ବ୍ୟକ୍ତିର ଶୋକ କରିବା ସହ ପତ୍ନୀ ବିଧବା ବେଶରେ ରୁହନ୍ତି।

ବି.ଦ୍ର – କୌଣସି ନୀରିହ ଜୀବନ୍ତ ପ୍ରାଣୀର ବଳି କେବେବି ଜଣେ ଶକ୍ତିସ୍ବରୂପା ମାଆ ଚାହେଁନି। ଆମମାନଙ୍କର ଅଜ୍ଞାନତା କାରଣରୁ ପରମ୍ପରା ଆଳରେ ଆମେ ଏମିତି କରୁ। ଯଦି ବଳି ଦେବାର ଅଛି, ତେବେ ନିଜ ଭିତରର ଥିବା ଆତ୍ମବଡିମା, ଗର୍ବ, ଅହଙ୍କାର, ପରଶ୍ରୀକାତରତା ପରି ଖରାପ ଗୁଣସମୂହର ଦିଅ।

ଦିବ୍ୟରଂଜନ ପରିଡା, ଓଡଗାଁ, ବାଣପୁର, ଖୋର୍ଦ୍ଧା

ଯୋଗାଯୋଗ ନଂ- ୯୯୩୮୬୮୪୭୦୬

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାଶିଙ୍ଗିରେ ଧରଣୀପେନୁ ଯାତ୍ରା: ମାଟି ମାଆକୁ ଶାନ୍ତ କରିବା ପାଇଁ ପୋଢ ବଳି

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅନେକ ଯୁଗରୁ ଆଦିବାସୀ ପରମ୍ପରା ଅନୁସାରେ ଚାଲି ଆସିଛି ବଳି ପ୍ରଥା। ଜିଲ୍ଲାରେ ଆଦିବାସୀ ମାନଙ୍କ ଧରଣୀ ପେନୁ ଯାତ୍ରାବେଳେ ମାଟି ମାଆକୁ ପୂଜା କରାଯିବା ପାଇଁ ଏବଂ ଏହା ଦ୍ୱାରା ମାଟି ମାଆ ଖୁସି ହେବା ଦ୍ୱାରା ଭଲ ଫସଲ ହୁଏ ବୋଲି ଲୋକଙ୍କର ଏହି ବିଶ୍ୱାସ ପୂର୍ବରୁ ରହିଥିବାବେଳେ କାଳକ୍ରମେ ସରକାର ଏହାକୁ ଅନ୍ଧ ବିଶ୍ୱାସ ଦର୍ଶାଇବା ସହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ଏହି ପୂଜା ବେଳେ ଲୋକଙ୍କ ଚାଷ ଜମିରେ ପଶୁ ବଳି ଦେଲେ ଜମିରେ ଭଲ ଚାଷ ହେଉଥିବା ଏହି ବିଶ୍ୱାସ ଯୋଗୁଁ ଗ୍ରାମାଂଚଳର ଲୋକେ ପଶୁ ବଳି ପ୍ରଥାକୁ ଜାରୀ ରଖିଛନ୍ତି।

ଏପରିକି ପୂର୍ବରୁ ମଣିଷ ବଳି (ମେରିଆ) ପ୍ରଥା ମଧ୍ୟ ଜିଲ୍ଲାରେ ଚାଲି ଆସିଛି। ହେଲେ କାଳକ୍ରମେ ଏହି ପ୍ରଥା ସବୁକୁ ଅନ୍ଧ ବିଶ୍ୱାସ ଭାବରେ ପରିଗଣିତ କରି ସରକାର ବଳି ପ୍ରଥାକୁ ବନ୍ଦ କରିଛନ୍ତି। ଏହାର ପରିଣାମ ସ୍ୱରୁପ କନ୍ଧମାଳ ଜିଲ୍ଲାର ବଲସକୁମ୍ପା ବରାଳଦେବୀ ପୀଠ ଭଳି ଅନେକ ପୀଠରେ ପୂର୍ବରୁ ଚାଲି ଆସିଥିବା ବଳି ପ୍ରଥା ସବୁକୁ ବନ୍ଦ କରାଯାଇଛି। ହେଲେ ଜିଲ୍ଲାରେ କେତେକ ଯଗାରେ ଆଜି ମଧ୍ୟ ମାଟି ପୂଜା କରିବା ନାମରେ କେତେକ ଯାଗାରେ ଏହି ପଶୁ ସମ୍ପଦ ପ୍ରତି କ୍ରୁରତା ଦେଖିବାକୁ ମିଳୁଛି।

କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଂଚଳର ମହାଶିଙ୍ଗି ପଂଚାୟତର ମାଟାମାହା, ମାଳାଙ୍ଗା ପଦର, ସାକାପାଲି ସମେତ କିଛି ଗ୍ରାମର ଲୋକେ ମିଳିମିଶି ପୋଢ ବଳି ଏବଂ ମାଟି ପୂଜା କରିଛନ୍ତି। ଗାଁର ଏକ ପଡିଆରେ ଗୋଟିଏ ଖୁଣ୍ଟରେ ଗୋଟିଏ ପୋଢକୁ ବନ୍ଧା ଯାଇ ସେଠାରେ ଶତାଧିକ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସେହି ପୋଢକୁ ତିଳତିଳ କରି ମାରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ପ୍ରଥମେ ପୋଢକୁ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ତାକୁ ଗୋଡାଇ ଗୋଡାଇ ତାକୁ ହାଲିଆ କରିବା ପରେ ଲୋକମାନେ ସେଠାରେ ତାକୁ ନିର୍ମମ ଭାବରେ ଧାରୁଆ ଛୁରିରେ ଜଣକ ପରେ ଜଣେ କାଟି କାଟି ହତ୍ୟା କରି ଥାଆନ୍ତି। ଏହି ଦୃଶ୍ୟ ଜଣେ ସାଧାରଣ ଲୋକ ଦେଖିବା କଷ୍ଟକର। ଏନିମାଲ କ୍ରୁଏଲିଟିକୁ ବାରଣ କରିବାକୁ ରାଜ୍ୟ ତଥା କେନ୍ଦ୍ର ସରକାର ବିଭିନ୍ନ ଆଇନ ପ୍ରଣୟନ କରିଥିବା ସହିତ ଖୋଲା ବଜାରରେ ଛେଳି କୁକୁଡ଼ାଙ୍କୁ ମଧ୍ୟ ମାରିବାକୁ ବାରଣ କରିବା ସହିତ ବୁଲା କୁକୁର ମାନଙ୍କୁ ମଧ୍ୟ ସେମାନଙ୍କ ଜନ୍ମ ନିୟନ୍ତ୍ରଣ ପାଇଁ ମାରିବା ବନ୍ଦ କରାଯାଇଛି। ଏହାସହିତ ବିଭିନ୍ନ ପୂଜା ପାର୍ବଣରେ ବଳି ପ୍ରଥାକୁ ବନ୍ଦ କରିଛନ୍ତି ସରକାର।

ତେବେ ଚାଷ ପାଇଁ ବୈଜ୍ଞାନିକ ପଦ୍ଧତିରେ ଅନେକ ରାସାୟନିକ ସାର ତଥା ଜୈବିକ ସାର ବାହାରିଛି। ଲୋକମାନେ ଚାଷରେ ଏହାକୁ ବ୍ୟବହାର କରି କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ କରୁଛନ୍ତି। ହେଲେ ମାଟି ମାଆକୁ ଖୁସି କରିବା ନାମରେ ଏହି କ୍ରୁରତାର ଆଉ କୌଣସି ଆବଶ୍ୟକତା ନାହିଁ, ବରଂ ଏହା ଦ୍ୱାରା ଆୟୋଜିତ ଏହି ପୋଢ ଯାତ୍ରାରେ ଆଖପାଖରେ ଏହାକୁ ଦେଖୁଥିବା ଛୋଟ ପିଲାଙ୍କ ଭିତରେ ଏକ ପ୍ରକାରର ଆତଙ୍କ ସୃଷ୍ଟି ହେବା ସେମାନଙ୍କ ମାନସିକତାରେ ଏହି ଦୃଶ୍ୟର କୁପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆଖପାଖ ଅଂଚଳରେ ଥିବା ଜନ ପ୍ରତିନିଧି, ସରକାରୀ କର୍ମଚାରୀ, ପ୍ରଶାସନିକ ଅଧିକାରୀ ତଥା ପୋଲିସ ଅଧିକାରୀ ମାନଙ୍କ ଜାଣତରେ ଏହି ପୋଢ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନର ପଦାଧିକାରୀ ଏବଂ ପୋଲିସ ମଧ୍ୟ ଏଥିରେ କିପରି ନିରବ ଦ୍ରଷ୍ଟା ସାଜିଛନ୍ତି ତାହା ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।