ବେଙ୍ଗାଲୁରୁ: କରୋନା କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀ ଚଳିତ ବର୍ଷ ବେଙ୍ଗାଲୁରୁ ଠାରେ ଆରମ୍ଭ ହୋଇଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, କେନ୍ଦ୍ର ସାର ଓ ରସାୟନ ତଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଦୁଇ ଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଦେଶର କୃଷି ଏବଂ କୃଷକଙ୍କ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଏହି ସମ୍ମିଳନୀକୁ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ଏହି ସମ୍ମିଳନୀ ଆୟୋଜନ କରାଯାଉଥିବା ବେଳେ କୃଷି ଓ କୃଷକଙ୍କ କଲ୍ୟାଣ ନିମନ୍ତେ ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଓ ବିଚାରବିମର୍ଶ କରାଯିବ।
ଏହି ସମ୍ମିଳନୀରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ ଏବଂ ଶୋଭା କରନ୍ଦଲାଜେ, କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବା, କର୍ଣ୍ଣାକଟକ କୃଷି ମନ୍ତ୍ରୀ ବି.ସି. ପାଟିଲଙ୍କ ସମେତ ରାଜ୍ୟର କୃଷି ଓ ଉଦ୍ୟାନ କୃଷି ମନ୍ତ୍ରୀମାନେ ଯୋଗ ଦେଇଛନ୍ତି। କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ସାର ସଚିବ ଆରତୀ ଆହୁଜାଙ୍କ ସମେତ ଡାଏରୀ ସଚିବ ତଥା ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ତ୍ରିଲୋଚନ ମହାପାତ୍ର, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି।
ଶ୍ରୀ ତୋମର କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ମିଶି କୃଷି କ୍ଷେତ୍ରର ଉନ୍ନତି ପାଇଁ ଯଥାସମ୍ଭବ କାର୍ଯ୍ୟ କରିଛନ୍ତି। କୃଷି କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରିବା ଲାଗି ଚେଷ୍ଟା କରାଯାଉଛି। ଏଥିପାଇଁ ନୀତି ନିର୍ଦ୍ଧାରଣ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଭାରତ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଥିବା କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ। ଗାଁର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁରୂପ କ୍ଷେତରେ ଯାହା ହେଉଛି ତା’କୁ ପରୀକ୍ଷାଗାର ପର୍ଯ୍ୟନ୍ତ ନେଇଯିବା – ଲେବ ଟୁ ଲେଣ୍ଡକୁ କାର୍ଯ୍ୟକାରୀ ନିମନ୍ତେ କୃଷି ମନ୍ତ୍ରୀ ଆହ୍ବାନ କରିଥିଲେ। ସେ କହିଥିଲେ ଯେ, ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାର ସବସିଡି ଆକାରରେ ବାର୍ଷିକ ପାଖାପାଖି ଅଢ଼େଇ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଭାରତ ସାର ଆମଦାନୀ ଉପରେ ନିର୍ଭରଶୀଳ ଥିବାରୁ ବିଦେଶରେ ଦରବୃଦ୍ଧିର ପ୍ରଭାବ ଯେପରି ଭାରତୀୟ ଚାଷୀଙ୍କ ଉପରେ ପଡ଼ିବ ନାହିଁ ତାହା କେନ୍ଦ୍ର ସରକାର ସୁନିଶ୍ଚିତ କରୁଛନ୍ତି।
ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ମେକ୍ ଇନ୍ ଇଣ୍ଡିଆ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ନାନୋ ଫର୍ଟିଲାଇଜର ଉପରେ ଜୋର ଦେଇ ଏଥିରେ ରାଜ୍ୟମାନଙ୍କର ଭୂମିକା ରହିଥିବା ସେ କହିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ବିଚାର ବିମର୍ଶ କରାଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ସୂଚନା ଦେଇଥିଲେ। ଡିଜିଟାଲ କୃଷି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଜାତୀୟ କୃଷି ବଜାର (ଇ-ନାମ), କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ସାଚୁରେସନ ଲକ୍ଷ୍ୟ ହାସଲ, ଅନ୍ତର୍ଜାତୀୟ ପୋଷକ-ସଶ୍ୟ ବର୍ଷ (୨୦୨୩), ଏକ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି, ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ, ନ୍ୟୁ ଏଜ୍ ଫର୍ଟିଲାଇଜର, ଆଇସିଏଆର ଦ୍ବାରା ବିକଶିତ ନୂଆ ପ୍ରଯୁକ୍ତି ଆଦି ବିଷୟରେ ସମ୍ମିଳନୀରେ ଆଲୋଚନା କରାଯିବ।
ସମ୍ମିଳନୀରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ, ବର୍ତ୍ତମାନର ବିଶ୍ବ ପରିସ୍ଥିତିରେ ଭାରତକୁ ବହୁ ପରିମାଣରେ ସାର ଏବଂ ରସାୟନ ଆମଦାନୀ କରିବାକୁ ପଡ଼ୁଛି। କଞ୍ଚା ମାଲ ମଧ୍ୟ ବେଶ ମହଙ୍ଗା ରହିଛି, ଏହା ସତ୍ତ୍ବେ କେନ୍ଦ୍ର ସରକାର ଅତ୍ୟଧିକ ସବସିଡି ଦେଉଛନ୍ତି। ଡିଏପି ଉପରେ ସବସିଡିକୁ ୨୦୨୦-୨୧ରେ ୫୧୨ ଟଙ୍କା ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦୨୨-୨୩ ଖରିଫ ଋତୁ ପାଇଁ ୨୫୦୧ ଟଙ୍କା କରି ଦିଆଯାଇଛି। ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଡିଏପି ଦାମ୍ ସବୁଠୁ କମ୍ ରହିଛି। ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କୃଷକଙ୍କ ଉପରେ ଦରବୃଦ୍ଧିର ବୋଝ ହ୍ରାସ କରିବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ଚାଷୀମାନଙ୍କୁ ଯଥେଷ୍ଟ ସାର ଉପଲବ୍ଧ କରିବା ଲାଗି କେନ୍ଦ୍ର ସରକାର ସଂକଳ୍ପବଦ୍ଧ କାର୍ଯ୍ୟ କରୁଛନ୍ତି। ଏବେ ଦେଶରେ ଏକ ଅଭିଯାନ ରୂପରେ ନାନୋ ଫର୍ଟିଲାଇଜର ଉପଯୋଗ ବଢ଼ାଇବାର ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ ସେ ରାଜ୍ୟମାନଙ୍କ ଠାରୁ ସହଯୋଗ ଲୋଡ଼ିଥିଲେ। ଚାଷୀଙ୍କ ସାର ଯେପରି ଉଦ୍ୟୋଗ ନିକଟକୁ ଚାଲି ନଯିବା ତା’ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ ସାରା ଦେଶରେ ମଡେଲ ଆଉଟଲେଟ୍ ଶୀଘ୍ର ଖୋଲାଯିବ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବୋମ୍ମଇ କହିଥିଲେ ଯେ, କୃଷି ଆମ ସଂସ୍କୃତି ଏବଂ ଆମ ଅର୍ଥବ୍ୟବସ୍ଥାର ପ୍ରମୁଖ ଆଧାର। ଭାରତୀୟ କୃଷି କ୍ଷେତ୍ର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ବରେ ଗତ ୮ ବର୍ଷ ମଧ୍ୟରେ ଭାରତୀୟ କୃଷି କ୍ଷେତ୍ର ମହତ୍ବପୂର୍ଣ୍ଣ ପ୍ରଗତି ହାସଲ କରିଛି।