Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ, ୧୭୨୨ଟି ଜଣ ହିତାଧିକାରୀ ଘର ପାଇଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା- ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ସୁଲଭ ବାସଗୃହ, ସତ୍ୟନଗର ଶାନ୍ତିପଲ୍ଲିରେ ବସ୍ତି ପୁନଃର୍ବିକାଶ ପ୍ରକଳ୍ପ ଓ ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପ।

ଏହି ସବୁ ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ ନୂଆ ଘରର ଚାବି ହସ୍ତାନ୍ତର କରିଛନ୍ତି। ଏହି ୩ଟି ପ୍ରକଳ୍ପରେ ସମୁଦାୟ ୧୭୨୨ ଜଣ ହିତାଧିକାରୀ ଘର ପାଇଛନ୍ତି। ଏହି ପ୍ରକଳ୍ପ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ମାଣ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରର ବିକାଶରେ ବସ୍ତିଲୋକଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକ ମାନଙ୍କୁ ନୂଆ ଘର ଭଲ ଘର ଯୋଗାଇ ଦେଇ ସେ ବହୁତ ଖୁସି।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଯାଇ ସେଠାରେ ସୁଲଭ ବାସଗୃହ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ସହରାଞ୍ଚଳରେ ‘ସମସ୍ତଙ୍କ ପାଇଁ ଘର’ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପଟି ୫ ମହଲା ବିଶିଷ୍ଟ ଏବଂ ଏହା ୧୨ ଏକର ଜମିରେ ନିର୍ମାଣ କରାଯାଇଛି। ଏଥିରେ ୮୨୦ଟି ଘର ସମ୍ପୁର୍ଣ୍ଣ ହୋଇ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଛି । ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ପାଇଁ ସମୁଦାୟ ୨୬୦୦ଟି ଘର ନିର୍ମାଣର ଲକ୍ଷ୍ୟ ରଖାଯାଇଛି।

ସେହପରି ସତ୍ୟନଗର ଶାନ୍ତିପାଲିଠାରେ ବସ୍ତି ପୁନଃଉନ୍ନୟନ ଯୋଜନାରେ (In Situ Slum Redevelopment Project) ସମୁଦାୟ ୧୩୦୦ଟି ଘର ନିର୍ମାଣ କରାଯାଉଛି। Bhubaneswar Town Centre District (BTCD) ଅଞ୍ଚଳରେ ଥିବା ବସ୍ତି ଅଞ୍ଚଳ ଗୁଡିକର ରୂପାନ୍ତର ଲକ୍ଷ୍ୟରେ ଏହା ହେଉଛି ପ୍ରଥମ ପ୍ରକଳ୍ପ। ୫୬୦ଟି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି।

ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପରେ ୩୪୨ଟି ଘର ନିର୍ମାଣ କରାଯାଇ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି। ଏହି ସମସ୍ତ ପ୍ରକଳ୍ପ ଗୁଡିକ ୫ ମହଲା ବିଶିଷ୍ଟ। ଏହି ସବୁ ପ୍ରକଳ୍ପ ପାଇଁ ପାନୀୟ ଜଳଯୋଗାଣ, ଡ୍ରେନେଜ୍ ବ୍ୟବସ୍ଥା, ସ୍ୱେରେଜ୍ ବ୍ୟବସ୍ଥା, ରାସ୍ତା ଆଲୋକୀକରଣ, ଦୋକାନ ଘର ସହିତ ପାଠାଗାର, ରିଡିଙ୍ଗ ରୁମ୍, ଡିସ୍‌ପେନ୍‌ସରି ଆଦି ଅନେକ ସୁବିଧାର ବ୍ୟବସ୍ଥା କରାଯାଇଛି।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର, ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ବି.ଏମ୍.ସି, ବି.ଡି.ଏ. ଗୃହ ନଗର ଉନ୍ନୟନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଅଧିକାର, ୭୦୭ ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସହରର ବସ୍ତିବାସିନ୍ଦା ମାନଙ୍କ ପାଇଁ ଆଜି ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର କାର୍ଯ୍ୟକ୍ରମ ଆରମ୍ଭ କରି ଏହା କହିଛନ୍ତି। ସ୍ଥାନୀୟ କିଟ୍ କନ୍ଭେନସନ ହଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି ବସ୍ତି ଉନ୍ନୟନ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

୫ଟି ମହାନଗର ନିଗମରେ ବସ୍ତିବାସିନ୍ଦା ମାନଙ୍କୁ ଭୂମି ଅଧିକାର ଦେବା ପାଇଁ ଡ୍ରୋନ ସର୍ଭେକ୍ଷଣ ଆରମ୍ଭ ହୋଇଛି । ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ ବୈଷୟିକ ସହାୟତା ଯୋଗାଇ ଦେବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଞ୍ଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରିଥିଲେ ଏବଂ ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ଆଜି ଠାରୁ ସଂପୂର୍ଣ୍ଣ ବସ୍ତିମୁକ୍ତ ସହର ହେବାର ନୂଆ ପରିଚୟ ପାଇଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ବହୁତ ଖୁସିର ବିଷୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜମି ଅଧିକାର ସହିତ ବସ୍ତି ଅଞ୍ଚଳକୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନୀ ଗଠନ କରାଯାଉଛି। ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ଏବଂ ସାରା ରାଜ୍ୟ ବସ୍ତିମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଜାଗା ମିଶନ କାର୍ଯ୍ୟକ୍ରମ ସାରା ବିଶ୍ବରେ ସୁନାମ ପାଇଛି। ଭାରତ ସରକାର ମଧ୍ୟ ଏହି ନୂଆ ଚିନ୍ତାଧାରା ପାଇଁ ପୁରସ୍କାର ଦେଇଛନ୍ତି। ଏ ମିଶନର ଫୋକସ ହେଉଛି People first. ଜାଗା ମିଶନରେ ଆଜି ପର୍ଯ୍ୟନ୍ତ ରାଜ୍ୟର ୧୦୫ଟି ସହରର ବସ୍ତି ଅଞ୍ଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ଅଢେଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ନିଜର ଜାଗାଟିଏ ଓ ଘରଟିଏ ଥିଲେ, ଆମର ସ୍ବାଭିମାନ ବଢିଥାଏ। ଆମର ଏ ଅଭିଯାନ ସହରର ଗରିବ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ, ଏହା ତାଙ୍କର ଦୃଢ ବିଶ୍ବାସ ବୋଲି ସେ କହିଥିଲେ।

୨୦୧୭ରୁ ଆରମ୍ଭ ହୋଇଥିବା ଜାଗା ମିଶନକୁ ଏକ ଆଧ୍ୟାତ୍ମିକ ଯାତ୍ରା (Spiritual journey) ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହି ଯାତ୍ରା ବର୍ତ୍ତମାନ ସୁଦ୍ଧା ଆମ ପାଇଁ ଯଥେଷ୍ଟ ସଫଳତା ଓ ସନ୍ତୋଷ ଆଣିପାରିଛି।

ବସ୍ତିର ବିକାଶରେ ବସ୍ତି ଉନ୍ନୟନ ସଂଘ ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସଂଘ ଗୁଡିକୁ ଆମେ ବିକାଶ ବ୍ୟବସ୍ଥାରେ ଭାଗିଦାର ହେବାର ସୁଯୋଗ ଦେଇଛୁ। ବସ୍ତି ଉନ୍ନୟନ ସଂଘ ଗୁଡିକ ହିଁ ବିଜୁ ଆଦର୍ଶ କଲୋନୀର ପରିଚାଳନା କରିବେ। ବସ୍ତି ସମୁହର ଭିତ୍ତିଭୂମି ବିକାଶ ପାଇଁ ପୌରସଂସ୍ଥା ବଜେଟରେ ୨୫ ପ୍ରତିଶତ ଖର୍ଚ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସହର ଗୁଡିକ ଯେପରି ବସ୍ତିମୁକ୍ତ ହୋଇ ରହିବ, ବସ୍ତି ସୃଷ୍ଟି ହେବାର କାରଣର ଅନୁସଂଧାନ କରି ତାର ନିରାକରଣ ପାଇଁ ରାଜ୍ୟ ସରକାର ପାଇଲଟ ପ୍ରୋଗ୍ରାମ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକାଶ ଓ ଅଭିବୃଦ୍ଧିର ସୁଫଳ ଉପରେ ଦେଶର ଗରିବ ଲୋକଙ୍କର ସମାନ ଅଧିକାର ଅଛି । ଗରିବ ଲୋକଙ୍କୁ ସାମାଜିକ ଓ ଆର୍ଥିକ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଉଦ୍ୟମ ଜାରି ରଖିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ବସ୍ତି ବିକାଶ କାର୍ଯ୍ୟକ୍ରମ ସହରର ଗରିବ ଲୋକଙ୍କୁ ସମାନ ଅଧିକାର ଓ ନ୍ୟାୟ ପ୍ରଦାନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟର ୧୭ ଲକ୍ଷ ବସ୍ତିବାସିନ୍ଦାଙ୍କ ଜୀବନରେ ଦୀର୍ଘସ୍ଥାୟୀ ଖୁସି ଆଣିବା ପାଇଁ ଆମର ଏହି ଆଧ୍ୟାତ୍ମିକ ଯାତ୍ରା ତାର ଭୂମିକା ଗ୍ରହଣ କରିଚାଲିବ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗ ଦେଇ ରାଜ୍ୟର ସହର ଗୁଡିକର, ବିଶେଷ କରି, ବସ୍ତି ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ସାରା ଦେଶରେ ଏଭଳି ପଦକ୍ଷେପ ଅନନ୍ୟ ବୋଲି ସେ କରିଥିଲେ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଜି. ମାଥିଭାତନନ ସ୍ବାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମର ବିଭିନ୍ନ ସହରାଞ୍ଚଳରେ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର ଓ ପୌର ପରିଷଦ ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।