Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗିରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଟାଙ୍ଗି (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେଡି ରାଜ୍ୟ ମହିଳା ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କ ନେତୃତ୍ବରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ ର ତିନୋଟି ପଂଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖକୁ ଯାଇଛନ୍ତି।

ଏହି ଅବସରରେ ମହିଳା, ଯୁବ, ଛାତ୍ର ବିଜେଡିର ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ। ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଜୟମଙ୍ଗଳପୁରରୁ ବାହାରି କୁଞ୍ଜୁରୀ, କୁହୁଡି ଓ ରତନପୁର ପଂଚାୟତ ପରିକ୍ରମା କରିଥିଲେ। ସମସ୍ତ ଗ୍ରାମରେ ଲୋକଙ୍କ ସହ ମିଶି ଓଡ଼ିଶାରେ ନବୀନ ସରକାରଙ୍କ ସଫଳତାକୁ ପାଥେୟ କରି ଆଗମୀ ଦିନରେ ବିଜେଡିକୁ ଆହୁରି ସଶକ୍ତ କରିବା ପାଇଁ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ନବନିର୍ମାଣ ଯୁବଛାତ୍ର ସଂଗଠନର ବାଇକ୍ ଶୋଭାଯାତ୍ରା

ଭୁବନେଶ୍ବର: ଦୀର୍ଘଦିନର ଚାଷୀ ଆନ୍ଦୋଳନର ଐତିହାସିକ ବିଜୟ ପରେ ଏହି ବିଜୟ ଉତ୍ସବକୁ ଆନୁଷ୍ଠାନିକ ଭାବେ ପାଳନ କରିବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱନରେ ନବନିର୍ମାଣ କୃଷକ ସଂଗଠନ ଓ ଯୁବଛାତ୍ର ସଂଗଠନର ବିଜୟ ଉତ୍ସବ, ସଭା ସମିତି ଶୋଭାଯାତ୍ରା ପାଳିତ ହୋଇଯାଇଛି। ଅଦିନିଆ ବର୍ଷା ଓ ଜୱାଦ ପ୍ରଭାବରେ ଓଡ଼ିଶା ଚାଷୀ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବାରୁ ଯଥାଯୋଗ୍ୟ ନିରାଡ଼ମ୍ବର ଭାବରେ ଏହି ଉତ୍ସବକୁ ପାଳନ କରିବା ପାଇଁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆହ୍ୱାନ କରିଥିଲେ।

ଆଜି ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର ଠାରୁ ଆରମ୍ଭ କରି ବଲାଙ୍ଗୀର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଚାଷୀମାନେ ସଭା, ସମିତି କରି ଏହି ଉତ୍ସବକୁ ପାଳନ କରିଛନ୍ତି। ସରକାର ତିନି କଳା କାନୁନ୍ ପ୍ରତ୍ୟାହାର ସହ ଚାଷୀମାନଙ୍କ ନାମରେ ଆନ୍ଦୋଳନ ସମୟରେ ହୋଇଥିବା ମୋକଦ୍ଦମା ପ୍ରତ୍ୟାହାର କରିଥିବାରୁ ଚାଷୀମାନେ ଖୁସିବ୍ୟକ୍ତ କରିଥିଲେ। ଚାଷୀ ଆନ୍ଦୋଳନ ସ୍ୱାଧୀନତା ପରେ ପ୍ରମାଣ କରିଦେଲା ଯେ, ସରକାର ଯେତେ ସଶକ୍ତ ହୁଅନ୍ତୁ, ଗଣମାଧ୍ୟମ ପ୍ରଚାର କରୁ କି ନକରୁ, ଆନ୍ଦୋଳନକାରୀମାନେ ଜିଦ୍‌ରେ ଅଟଳ ରହିଲେ ଆନ୍ଦୋଳନ ସଫଳ ହୁଏ। ଏହା ପରେ ଏମ୍‌.ଏସ୍‌.ପି. ଆଇନରେ ଅନ୍ତର୍ଭୁକ୍ତ କରିବା ପାଇଁ ଯେଉଁ ଦାବି ରହିଛି, ସେ ଦାବିକୁ ସଫଳ କରିବା ପାଇଁ ସଂଯୁକ୍ତ ମୋର୍ଚ୍ଚା ଲଗାତର ସରକାରଙ୍କ ସହ ଆଲୋଚନାରେ ରହିବା ସହ ଏହାର ଅଗ୍ରଗତିକୁ ସମୀକ୍ଷା କରିବ। ସେହିଭଳି ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତିକୁ ସରକାର ଭରଣା ନକଲେ ଆନ୍ଦୋଳନ ବଢିବ ବୋଲି ସେ କହିଛନ୍ତି।

ଆଜି ଭୁବନେଶ୍ୱରରେ ଯୁବଛାତ୍ର ସଂଗଠନ ତରଫରୁ ସଂଗଠନର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ ଓ ଭୁବନେଶ୍ୱର ସଭାପତି ଅମିତ ଜେନାଙ୍କ ନେତୃତ୍ୱରେ ବିଜେବି ନଗରରୁ ଯୁବଛାତ୍ରମାନେ କାର୍ ଓ ବାଇକ୍‌ରେ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ରାଜମହଲ, ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ପରିକ୍ରମା କରିଥିଲେ। ଚାଷୀ ଏକତା ଜିନ୍ଦାବାଦ, ସରକାର ହାରିଲେ, ଚାଷୀ ଜିତିଲେ, ଭାରତ ବର୍ଷରେ ଚାଷୀ ବିରୋଧୀ କାନୁନ ଚଳିବ ନାହିଁ, ଏମ୍‌.ଏସ୍‌.ପି.କୁ ଆଇନ ପରିସରକୁ ଆଣିବା ଆମର ଦାବି ସ୍ଲୋଗାନମାନ ଦେଇଥିଲେ।

ଶେଷରେ ମନୱାର ଅଲ୍ଲୀ ଯୁବଛାତ୍ରମାନଙ୍କୁ ବକ୍ତବ୍ୟ ଦେଇ କହିଥିଲେ ଯେ, ଅନ୍ନଦାତାଙ୍କ ପ୍ରତି ଯେଉଁ ସରକାର ବେଇମାନ କରିବ, ତା ବିରୁଦ୍ଧରେ ଯୁବଛାତ୍ରମାନେ ଚାଷୀଙ୍କ ସପକ୍ଷ ନେଇ ରାସ୍ତାରେ ଠିଆ ହେବେ। ଆଜି ବିଜୟ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଯୁବଛାତ୍ର ସମାଜ ଏହା ପ୍ରମାଣ କରିଦେଇଛି। ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର କାର୍ଯ୍ୟକାରିଣୀ ସଦସ୍ୟ ମଧୁମିତା ସାମଲ, ସୌମ୍ୟରଞ୍ଜନ ପଣ୍ଡା, ରଞ୍ଜନ ନାୟକ, ରୀତେଶ ଦାସ, ସତ୍ୟପ୍ରକାଶ ଦାସ ପ୍ରମୁଖ ସାମିଲ୍ ଥିଲେ।

Categories
ଆଜିର ଖବର ଆଞ୍ଚଳିକ

ସଡ଼କ ସୁରକ୍ଷା ସପ୍ତାହ ପାଳନର ଶେଷ ଦିନରେ ଜଗତସିଂହପୁରରେ ବାଇକ୍ ଶୋଭାଯାତ୍ରା

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ହୋଇଯାଇଛି। ଏହି ସଡ଼କ ସୁରକ୍ଷା ସଚେତନତା ମାସର ଶେଷ ଦିନରେ ଏକ ବାଇକ୍ ଶୋଭାଯାତ୍ରାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ପତାକା ହଲାଇ ଶୁଭ ଉଦଘାଟନ କରିଥିଲେ।

ଏହି ବାଇକ୍ ଶୋଭାଯାତ୍ରାରେ ୩୦ଜଣ ପୋଲିସ୍, ହୋଣ୍ଡା ସୋରୁମ୍, ଟିଭିଏସ୍ ସୋରୁମ୍ ଓ ହିରୋ ସୋରୁମ୍ ର ପ୍ରତ୍ୟେକ ୧୦ଜଣ ଲେଖାଏଁ କର୍ମଚାରୀ ଭାଗ ନେଇଥିଲେ। ଏହି ବାଇକ୍ ଶୋଭାଯାତ୍ରା ଏସ୍.ପି ଅଫିସରୁ ବାହାରି ତିର୍ତ୍ତୋଲ ଥାନା ଓ ପରେ ରଘୁନାଥପୁର ଦେଇ ଗାନ୍ଧୀଛକ ବାଟେ ଏସ୍.ପି ଅଫିସରେ ପହଞ୍ଚିଥିଲେ। ଦୁଇଚକିଆ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବା, ମୋବାଇଲ ବ୍ୟବହାର ନକରିବା, ଦୃତ ଗତିରେ ଗାଡ଼ି ନ ଚଲାଇବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ।

ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ମାସ ଜାନୁୟାରୀ ୧୮ ତାରିଖରେ ଆରମ୍ଭ ହୋଇଥିଲା। ସଡ଼କ ସୁରକ୍ଷା ସଚେତନତା ରଥକୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସ୍ଥାନୀୟ କଲେଜ ଛକଠାରେ ଉଦଘାଟନ କରିଥିଲେ। ଏକ ସଚେତନତା ଶୋଭାଯାତ୍ରା କଲେଜ ଛକଠାରୁ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ସଚେତନତା ରଥ ସମଗ୍ର ଜିଲ୍ଲା ପରିକ୍ରମା କରିଥିଲା। ସେହିପରି ସ୍ଥାନୀୟ ଏସ୍.ପି ଅଫିସ୍ ଠାରୁ ୭୦ଜଣ ଛାତ୍ରଛାତ୍ରୀ ସାଇକେଲ ଶୋଭାଯାତ୍ରାରେ ବାଲିଭଉଁରି ଛକ ପର୍ଯ୍ୟନ୍ତ ଯାଇଥିଲେ। ଜାନୁୟାରୀ ୨୦ ତାରିଖରେ ଏସ୍.ପି ଶ୍ରୀ ପ୍ରକାଶ ଆର୍ ଏହି ସାଇକେଲ୍ ଶୋଭାଯାତ୍ରାକୁ ଉଦଘାଟନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଏହି ଶୋଭାଯାତ୍ରାରେ କ୍ୟାରିଅର କ୍ରିଏଟରର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଶେଷଦିନର ଏହି ବାଇକ୍ ଶୋଭାଯାତ୍ରାରେ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରତାପ କୁମାର ପଣ୍ଡା, ଟ୍ରାଫିକ ଇନିସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ଡି.ଏସ୍.ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଆଇ.ଆଇ.ସି ରଜନୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।