Categories
ଆଜିର ଖବର ରାଜ୍ୟ ଖବର

ଲାଞ୍ଜିଗଡ ତହସିଲଦାରଙ୍କ ଗାଡି ଦୁର୍ଘଟଣା ଘଟାଇଥିବା ଚର୍ଚ୍ଚା, ବାଇକ ଚାଳକ ଗୁରୁତର

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ତଦାରଖ କରୁଥିବା ବେଳେ ଲାଞ୍ଜିଗଡ ତହସିଲଦାରଙ୍କ ସରକାରୀ ଗାଡି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଦୁର୍ଘଟଣା ଘଟାଇଥିବାର ଜିପ ଗାଡିର ଫିଟନେସ ନ ଥିବା ବେଳେ ସରକାରୀ ଗାଡି ବୋଲି ସାତଖୁନ ମାଫ କି ବୋଲି ଆଲୋଚନା ହେଉଛି। ଏପଟେ ତହସିଲଦାର ଅନ୍ତର୍ଦ୍ଧାନ, ଗୁରୁତର ବ୍ୟକ୍ତିଙ୍କ ଡାକ୍ତରଖାନାରେ ଜୀଵନ ମରଣ ସହ ସଂଗ୍ରାମ କରୁଛି।

ଗତ ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବୃନ୍ଦାବହାଲକୁ ଆସି ବିଜୁ ଏକ୍ସପ୍ରେସରାସ୍ତାର ଉଦଘାଟନ କରିଥିଲେ। କିଛି ଦିନ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ପଦାଧିକାରୀ ଏଠାରେ ଲାଗିପଡିଥିଲେ। ହେଲେ ବାଟରେ ଯିବା ବେଳେ ଘଟିଲା ଅଭାବନୀୟ ଘଟଣା। ଲାଞ୍ଜିଗଡ଼ ତହସିଲଦାରଙ୍କ ସରକାରୀ ଗାଡି ଜଣେ ନିରୀହ ଲୋକଙ୍କୁ ଏହି ବିଜୁ ଏକ୍ସପ୍ରେସ ରାସ୍ତାରେ ଦୁର୍ଘଟଣା ଘଟାଇଦେଲା।

ଦୁର୍ଘଟଣା ଘଟିଥିବା ବ୍ୟକ୍ତି ଏବେ ଜୀଵନ ମରଣ ସହ ଡାକ୍ତରଖାନାରେ ସଂଗ୍ରାମ କରୁଛନ୍ତି। ଏପଟେ ଜିପ ଗାଡିର ଫିଟନେସ ନ ଥିବା ବେଳେ ସରକାରୀ ଗାଡି ବୋଲି ମାଫକରାଯାଇଥିବା ଶୁଣିବାକୁ ମିଳୁଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ମହୁଳମୁଣ୍ଡା ଗ୍ରାମର ରାମେଶ୍ୱର ନାଏକ ଗତ ମାର୍ଚ୍ଚ ୪ ତାରିଖ ଦିନ ଖାଲିଆକାନି ପେଟ୍ରୋଲ ପମ୍ପରୁ ବାଇକରେ ପେଟ୍ରୋଲ ପୁରାଇ ଘରକୁ ଫେରୁଥିବା ସମୟରେ ଲାଞ୍ଜିଗଡ଼ ତହସିଲଦାରଙ୍କ ସରକାରୀ ଜିପ ରାମେଶ୍ୱରଙ୍କୁ ବିଜୁ ଏକ୍ସପ୍ରେସ ରାସ୍ତାରେ ଧକ୍କା ଦେଇଥିଲା। ଗୁରୁତର ଭାବେ ରାମେଶ୍ୱରଙ୍କୁ ପ୍ରଥମେ ଧର୍ମଗଡ଼, ଭବାନୀପାଟଣା ଓ ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣାରେ ରାମେଶ୍ୱରଙ୍କ ଗୋଡ ଓ ପଞ୍ଜରା ହାଡ଼ ଭାଙ୍ଗି ଯାଇଛି। ବର୍ତ୍ତମାନ ମଧ୍ୟ ସେ ଜୀଵନ ମରଣ ସହ ସଂଗ୍ରାମ କରୁଛନ୍ତି।

ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନଙ୍ଗା ବିଜୁ ଏକ୍ସପ୍ରେସ ୱେ ଉଦଘାଟନ ସମୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ତଦାରଖ ପାଇଁ ତାଙ୍କ ସରକାରୀ ଗାଡିରେ ଆସିଥିଲେ। ଏହି ଜିପ ଗାଡିନଂ ଓଆର୦୮ ଡ଼ି ୦୮୬୮ ଗାଡିକୁ ୧୫ ବର୍ଷ ୯ ମାସ ଚାଲୁଛି। ଏହି ଗାଡ଼ିର ଫିଟନେସ ମଧ୍ୟ ନାହିଁ। ସରକାରଙ୍କ ମଧ୍ୟ ବିଚିତ୍ର ନିୟମ। ଯଦି ଜଣେ ବେସରକାରୀ ଲୋକ ଯଦି ଫିଟନେସ ନଥିବା ଗାଡି ଚଢ଼ିବ ତାହେଲେ ଧରପଗଡ଼ କରି ଫାଇନ ଆଦାୟ କରିବେ, ଯଦି ସରକାରୀ ଗାଡିର ଫିଟନେସ ନ ଥିବ ତାହେଲେ ସବୁ ମାଫ କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଲାଞ୍ଜିଗଡ଼ ତହସିଲଦାର ଦୁର୍ଘଟଣା ଘଟାଇ ୧୫ଦିନ ଧରି ଛୁଟିରେ ନିଜ ଗାଁକୁ ପଳାଇ ଯାଇଛନ୍ତି। ସାହାଯ୍ୟ ତ ଦୁରର କଥା ସମବେଦନା ମଧ୍ୟ ଟିକେ ନାହିଁ। ଏପଟେ ରାମେଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇ ଜୀଵନ ମରଣ ସହ ସଂଗ୍ରାମ କରୁଛନ୍ତି। ବର୍ତ୍ତମାନ ରାମେଶ୍ୱରଙ୍କ ପୁଅ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଘରେ କେଵଳ ଅଜାଙ୍କ ସହିତ ରହୁଛନ୍ତି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବାପାଙ୍କ କଥା ଭାବି ଭାବି ପାଠ ପଢ଼ାରେ ମଧ୍ୟ ମନ ରହୁନଥିବା ସେ କହିଛନ୍ତି। ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହୋଇଛି।

Categories
ଆଞ୍ଚଳିକ

ନାଚୁଣୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ ଚାଳକ ମୃତ

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବରଡ଼ି ଛକରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମର ଯୋଗି ବେହେରାଙ୍କ ପୁତ୍ର କୃଷ୍ଣ ବେହେରା (୨୩) ଆଜି ପୂର୍ବାହ୍ନରେ ବାଇକ ଯୋଗେ ଚାକିରୀ ନିମନ୍ତେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ତେବେ ବରଡ଼ି ଛକରେ କୃଷ୍ଣ ଅସାବଧାନତା ବଶତଃ ପୁର୍ବରୁ ଛିଡା ହୋଇଥିବା ଏକ କଣ୍ଟେନରକୁ ଶକ୍ତ ଧକ୍କା ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ସଙ୍ଗେସଙ୍ଗେ ସ୍ଥାନୀୟ ଅଞ୍ଚଳବାସି ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର: କାୟାତୋଟା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ ଚାଳକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କାୟାତୋଟା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଖବର ମୁତାବକ ଆଜି ଅପରାହ୍ନରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ବିଶ୍ୱମ୍ଭର ନାୟକ କ୍ଷିପ୍ର ଗତିରେ ନିଜ ଗ୍ରାମ ଗୁଆଲଡିହରୁ ବାଇକ ଯୋଗେ କଲେଜ ଯାଉଥିବା ବେଳେ କାୟାତୋଟା ନିକଟରେ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଗଞ୍ଜାମ ଜିଲ୍ଲା କୁମାରୀପାରି ଅଞ୍ଚଳର ମାଛ ବେପାରି ଶିବ ବେହେରାଙ୍କ ମୋପେଟକୁ ଧକ୍କା ଦେଇ ପୁନଶ୍ଚ ଏକ ଗଛରେ ପିଟି ହୋଇଯାଇଥିଲେ। ଫଳରେ ଉଭୟ ଗାଡ଼ି ଚାଳକ ଛିଟିକରି ତଳେ ପଡିଯାଇଥିଲେ।  ସଙ୍ଗେସଙ୍ଗେ ଉଭୟଙ୍କୁ ସ୍ଥାନୀୟ ଲୋକେ ବାଣପୁର ମେଡିକାଲ ନେଇଥିବା ବେଳେ ବିଶ୍ୱମ୍ଭରଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି। ତାଙ୍କୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତରିତ କରିଥିବାର ଜଣାପଡିଛି।