Categories
ଆଜିର ଖବର ରାଜ୍ୟ ଖବର

୧୦ ପୋଲିସ୍‌ କର୍ମଚାରୀ କରୋନାରେ ଆକ୍ରାନ୍ତ : ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡିକୁ ୪୮ଘଣ୍ଟା ପାଇଁ କଣ୍ଟନେମେଣ୍ଟ ଅଞ୍ଚଳ ଘୋଷଣା କଲେ ଜିଲ୍ଲାପାଳ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ‌ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଦ ପଡ଼ିନାହାନ୍ତି କରୋନା ଯୋଦ୍ଧା ମାନେ । ଗତକାଲି ରାତିରେ ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡି ର ୧0 ଜଣ କରୋନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଛି ଯାହା ଅଞ୍ଚଳବାସୀଙ୍କ ଆଶ୍ଚର୍ଯ୍ୟ କରିଦେଇଛି ।  ଏହି ୧୦ କରୋନା ଯୋଦ୍ଧାରେ ଜଣେ ଏସ୍‌ଆଇ ଦୁଇଜଣ ଏଏସ୍‌ଆଇ, ତିନି କନେଷ୍ଟବଳ, ଦୁଇ ହୋମଗାର୍ଡ, ଦୁଇ ଜଣ ଓଏପିଏଫ୍‌ କର୍ମଚାରୀ ରହିଥିବାର ସୂଚନା ରହିଛି ।

ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଗତ ଚାରି ମାସ ହେଲା ନିରବଚ୍ଛିନ୍ନ ଭାବେ ନିଜ ଜୀବନକୁ ପାଣି ଛଡେଇ ସେବା କରୁଥିବା ଏହି ଯୋଦ୍ଧାମାନେ ଆକ୍ରାନ୍ତ ହେବା ବିଡମ୍ବନାର ବିଷୟ । ଏହାକୁ ଗୁରୁତର ଭାବେ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ ରାଉତ ଆସନ୍ତା ୪୮ ଘଣ୍ଟା ଯାଏଁ ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡିକୁ କଣ୍ଟନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି ବୋଲି ଆମ ପ୍ରତିନିଧିକୁ ସୂଚନା ଦେଇଛନ୍ତି। ଏହି ସମୟରେ ଥାନାର ସମସ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କଣ୍ଟାକ୍ଟ ଟ୍ରେସିଙ୍ଗ ପ୍ରକ୍ରିୟାକୁ ଜୋରଦାର କରାଯିବ । ସମସ୍ତ କର୍ମଚାରୀ ଙ୍କ ସ୍ୱାବ ଟେଷ୍ଟ ହେବ।ଯଦି ସମସ୍ତ ପ୍ରକ୍ରିୟା ୪୮ ଘଣ୍ଟା ପୂର୍ବରୁ ସରିଯାଏ ତାହାଲେ ଉକ୍ତ ଦୁଇ ଥାନାରୁ ସେବେଠାରୁ କଣ୍ଟନମେଣ୍ଟ ଉଠାଇଦିଆଯିବ ଏବଂ ଥାନା କାର୍ଯ୍ୟ ସ୍ୱାଭାବିକ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନୁରୂପ ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ ସମୀକ୍ଷା ନିୟୁଜ ମାଧ୍ୟମରେ ଜନସାଧାରଣଙ୍କୁ ଘରେ ରହିବା ସହ ବିନା କାରଣରେ ଥାନାକୁ ନଆସିବା ପାଇଁ ଅନୁରୋଧ କରିଛନ୍ତି ।

Categories
ଆଜିର ଖବର

ସ୍ବାମୀଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ବାଣପୁର ଥାନା ଆଗରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ସମୀକ୍ଷା ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସମ୍ମୁଖରେ ଆଜି ଜଣେ ମହିଳା ତାଙ୍କ ଝିଅ ସହ ଆତ୍ମାହୂତି  ଉଦ୍ୟମ କରିଛନ୍ତି। ମହିଳା ଜଣକ କିରୋସିନ ଢାଳି ନିଆଁ ଲଗାଇବାବେଳେ ଗାଁ ଲୋକେ ଉଦ୍ଧାର କରିଛନ୍ତି। ସ୍ବାମୀଙ୍କ ହତ୍ୟାକାରୀ ଗିରଫ କରିବାରେ ପୋଲିସ୍‌ର ନିଷ୍କ୍ରିୟତା ପ୍ରତିବାଦରେ ମହିଳା ଜଣକ ଏପରି ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ବାଣପୁର ବ୍ଲକର ନିକଟସ୍ଥ ନଚ୍ଛିପୁର ଗ୍ରାମର ବବି ନାୟକ (ଛଦ୍ମ ନାମ) ମହିଳା ଜଣକ ଗମ୍ଭାରୀମୁଣ୍ଡା ନିକଟସ୍ଥ ଏକ ଗ୍ରାମର ପ୍ରଶାନ୍ତ ନାୟକଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ବିଦେଶରେ ଚାକିରି କରୁଥିବାବେଳେ ସ୍ବାମୀଙ୍କ ଅନୁପସ୍ଥିତିରେ ତାଙ୍କ ଶାଶୁ, ଦିଅର ତାଙ୍କୁ ଅତ୍ୟାଚାର ଦେଇ ଆସୁଥିଲେ। ମହିଳା ଜଣକ ଅତ୍ୟାଚାର ସହି ନ ପାରି ପ୍ରାୟ ବର୍ଷେ ହେବ ତାଙ୍କ ଝିଅଙ୍କ ସହିତ ବାପଘରେ ରହିଆସୁଥିଲେ।  ନିକଟରେ ସ୍ବାମୀ ବିଦେଶରୁ ଘରକୁ ପ୍ରତ୍ୟାବର୍ତ୍ତନ କରି ତା‘ଙ୍କ ମା ଓ ଭାଇଙ୍କୁ ତାଙ୍କ ସ୍ତ୍ରୀଙ୍କ ସହ କରିଥିବା ଅନ୍ୟାୟ ବିଷୟରେ ପଚାରିଥିଲେ। ଏହି ଘଟଣାକୁ ନେଇ ଗତକାଲି ମା’ ଓ ଭାଇଙ୍କ ସହ ପ୍ରଶାନ୍ତଙ୍କ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ପରେ ପ୍ରଶାନ୍ତଙ୍କ ମା’ ଓ ଭାଇ ପ୍ରଶାନ୍ତଙ୍କୁ ହତ୍ୟା କରି ରାତାରାତି ତାଙ୍କ ଦାହ ସଂସ୍କାର କରିବା ପାଇଁ ଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଶବକୁ ପୁରୀ ନେଇଯାଉଥିବା ସମୟରେ ବାଣପୁର ପୋଲିସ୍‌ ମାଧ୍ୟମରେ ଖୋର୍ଦ୍ଧା ପୋଲିସ୍‌ ପ୍ରଶାନ୍ତଙ୍କ ଶବକୁ ଜବତ କରିଛି। ତେବେ ଆସାମୀ ଦ୍ବୟ ଫେରାର ହୋଇଯାଇଛନ୍ତି।

ସ୍ବାମୀଙ୍କୁ ହତ୍ୟା ଅଭିଯୋଗରେ ଗତକାଲି ମହିଳା ଜଣକ ଶାଶୁଘରଙ୍କ ପରିବାର ଲୋକଙ୍କ ନାମରେ ବାଣପୁର ଥାନାରେ ଏତଲା ଦେଇଥିବାବେଳେ ନିଜ ସହ ହୋଇଥିବା ଅନ୍ୟାୟ ତଥା ଅତ୍ୟାଚାର ପାଇଁ ମହିଳା ଜଣକ ଆଜି ଏତଲା ଦାୟର କରିଛନ୍ତି। ତେବେ ମହିଳାଜଣକ ପରିବାର ପାଇଁ  ବର୍ଷକ ପର୍ଯ୍ୟନ୍ତ ଅତ୍ୟାଚାର ସହି ଥିବାବେଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ସେ ତାଙ୍କ ଶାଶୁଘରଙ୍କ ନାମରେ ଅତ୍ୟାଚାରର ଅଭିଯୋଗ କରିଛନ୍ତି ବୋଲି ଅତିରକ୍ତି ପୋଲିସ୍‌ ଏସ୍‌ପିଙ୍କ ନିକଟରେ କହିଛନ୍ତି।

ତେବେ ପୋଷ୍ଟମର୍ଟମ ରିପୋର୍ଟରେ ବିଳମ୍ବ ତଥା ଅପରାଧୀଙ୍କୁ ଧରିବାରେ ପୋଲିସ୍‌ର ନିଷ୍କ୍ରିୟତାକୁ ନେଇ ପ୍ରଶାନ୍ତଙ୍କ ସ୍ତ୍ରୀ ବାଣପୁର ଥାନା ଆଗରେ ବିରୋଧ ପ୍ରଦର୍ଶନ କରିବା ସହିତ ଆତ୍ମାହୂତି କରିବାର ଉଦ୍ୟମ କରିଛନ୍ତି। ସମ୍ପୃକ୍ତ ଗ୍ରାମବାସୀ ଓ ତୋରସିଂହ ପଞ୍ଚାୟତର ବହୁ ଗ୍ରାମବାସୀମାନେ  ମଧ୍ୟ ଏହି ଘଟଣା ପାଇଁ ବାଣପୁର ଥାନା ଅବରୋଧ କରିଛନ୍ତି। ଅତିରିକ୍ତ ପୋଲିସ୍‌ ଏସ୍‌ପି ଯଥାଶୀଘ୍ର ଅପରାଧୀଙ୍କୁ ଧରିବା ତଥା ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Categories
ଆଜିର ଖବର

ବାଣପୁର ବ୍ଲକ ଭୀମପୁର ଗ୍ରାମର ‘ବୃନ୍ଦାବନ ଚନ୍ଦ୍ର ଦେବ’ ମନ୍ଦିରରୁ ଚୋରି: ଜଣେ ଯୁବକ ଗିରଫ

ସମୀକ୍ଷାବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ଭୀମପୁର ଗ୍ରାମରେ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଗ୍ରାମର କାନୁନଗୋ ସାହିରେ ଥିବା ବୃନ୍ଦାବନ ଚନ୍ଦ୍ର ଦେବ ମନ୍ଦିରରେ ଏପରି ଅଭାବନୀୟ ଘଟଣା ଘଟିଛି। ମନ୍ଦିରରେ ଥିବା ଅଷ୍ଟଧାତୁରେ ନିର୍ମିତ ରାଧାକୃଷ୍ଣ ମୂର୍ତ୍ତି, ଲକ୍ଷ୍ମୀନାରାୟଣ ମୂର୍ତ୍ତି, ରାମଲକ୍ଷ୍ମଣ ମୂର୍ତ୍ତି, ବିଭିନ୍ନ ପୂଜା ସାମଗ୍ରୀ, ଦାନବାକ୍ସରୁ ନଗଦ ୪୦୦୦ ଟଙ୍କା ଏବଂ ବହୁ ମୁଲ୍ୟବାନ ଜିନିଷ ଚୋରି ହୋଇଥିଲା। ଗତକାଲି ଶନିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବାର ଅନୁମାନ କରାଯାଉଛି। ଏହାକୁ ନେଇ ଭୀମପୁର ଗ୍ରାମବାସୀଙ୍କ ଦ୍ଵାରା ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗ ଅନୁଯାୟୀ ବାଣପୁର ଥାନା ଏସ.ଆଇ ଦିଗବିଜୟ ବିଶ୍ଵାଳ ତୁରନ୍ତ ତଦନ୍ତ ଆରମ୍ଭ କରି ଆସାମୀକୁ ଧରିବାରେ ସଫଳ ମଧ୍ୟ ହୋଇଛନ୍ତି।

ସମ୍ପୃକ୍ତ ଆସାମୀ ଜଣଙ୍କ ଦୀପକ କୁମାର ତ୍ରିପାଠୀ (ବୟସ ୨୦ବର୍ଷ) ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ସେ ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ଏଚ.ଡି.ଏଫ.ସି ବ୍ୟାଙ୍କ ଏ.ଟି.ଏମରୁ ଚୋରି କରିବାକୁ ପ୍ରଚେଷ୍ଟା କରିଥିଲା। ହେଲେ ସେଠାରୁ ସେ ବିଫଳ ହେବା ପରେ ମନ୍ଦିରରୁ ବିଭିନ୍ନ ମୁଲ୍ୟବାନ ମୂର୍ତ୍ତି ଓ ନଗଦ ଟଙ୍କା ଚୋରି କରିଥିବାର ପୋଲିସ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ତାହାର ସମସ୍ତ ଯୋଜନା ବିଫଳ ହୋଇଛି। ସମ୍ପୃକ୍ତ ଆସାମୀ ଜଣଙ୍କ ଓଡି-୦୨ ଏ.ଟି ୫୩୧୬ ନମ୍ବରର ଏକ କଳା ରଙ୍ଗର ମୋଟର ସାଇକେଲ ବ୍ୟବହାର କରୁଥିବାର ପୋଲିସ ପ୍ରକାଶ କରିଛି। ଏବଂ  ପୋଲିସ ତାକୁ ଗିରଫ କରି ତାହା ବିରୋଧରେ ମାମଲା ରୁଜୁ କରିଛି।