Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ତ୍ବରିତ ପଦକ୍ଷେପ, ଗୋଟିଏ ଫୋନ ପରେ କଲେ ଡାକ୍ତର ନିଯୁକ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ବୃହତ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ବେଳେ ଏଠାରେ ଡାକ୍ତରଙ୍କ ଅଭାବ ବର୍ଷତମାମ ଲାଗି ରହିଥାଏ। କିଛି ମାସ ପୂର୍ବେ ଗଣମାଧ୍ୟମରେ ଖବର ପ୍ରସାରଣ କରାଯିବାରୁ ମେଣ୍ଢାଶାଳ ରୁ ଡେପୁଟେସନ ରେ ଦୁଇ ଜଣ ଡାକ୍ତରଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ସିଡ଼ିଏମଓ।

ତେବେ ବର୍ତ୍ତମାନ ପୁଣି ସେଇ ଅବସ୍ଥା। ସମ୍ପ୍ରତି ବାଣପୁରରେ ମାତ୍ର ୩ ଜଣ ସ୍ଥାୟୀ ଡାକ୍ତର ଅଛନ୍ତି। ଡେପୁଟେସନରେ ଆସିଥିବା ଦୁଇ ଡାକ୍ତର ନିଜ ପୂର୍ବସ୍ଥାନକୁ ଫେରିଯାଇଥିବା ବେଳେ ଆଉ ଜଣେ ସ୍ଥାୟୀ ଡାକ୍ତର ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ୱର ପଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଏତେ ବଡ ମେଡିକାଲକୁ ମାତ୍ର ୩ ଜଣ ସ୍ଥାୟୀ ଡାକ୍ତର ଚଳାଇବା କଷ୍ଟକର।

ପ୍ରତିଦିନ ରୋଗୀଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ତେଣୁ ଏ ନେଇ ଆଜି ଅପରାହ୍ନରେ ଜଣେ ସ୍ଥାନୀୟ ସମାଜସେବୀ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନୂତନ ଡାକ୍ତର ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ଜିଲ୍ଲାପାଳ ଏହାକୁ ଗୁରୁତ୍ୱ ଦେବାସହ ସଙ୍ଗେସଙ୍ଗେ ଏ ନେଇ ଖୋର୍ଦ୍ଧା ସିଡ଼ିଏମଓ ଡ଼ା ଆର୍ତ୍ତବନ୍ଧୁ ନାୟକଙ୍କ ସହ ଆଲୋଚନା କରିଥିଲେ। ଆଲୋଚନାର ଏକ ଘଣ୍ଟା ମଧ୍ୟରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩ ଜଣ ନୂତନ ଡାକ୍ତରଙ୍କର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଖୁବ ଶୀଘ୍ର ଉକ୍ତ ଡାକ୍ତରମାନେ ବାଣପୁର ମେଡିକାଲରେ ଯୋଗଦେବେ ବୋଲି ଜଣାପଡିଛି। ତେବେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଉକ୍ତ ତ୍ୱରିତ ପଦକ୍ଷେପ ଏବଂ ସିଡ଼ିଏମଓ ଙ୍କ ତତ୍ପରତାକୁ ବାଣପୁରବାସି ଉଚ୍ଚ ପ୍ରଶଂସା କରିଛନ୍ତି।