Categories
ଆଞ୍ଚଳିକ

ସମ୍ଭାବ୍ୟ ବାତ୍ୟାକୁ ନେଇ ବାଣପୁର ପ୍ରଶାସନ ତପ୍ତର: ପ୍ରତ୍ୟେକ ପଞ୍ଚାୟତ ପାଇଁ ନିଯୁକ୍ତ କଲା ନୋଡାଲ ଅଫିସର

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତା ୭ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ପାଣିପାଗ ବିଭାଗର ଆକଳନକୁ ନଜରରେ ରଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରଶାସନ ତପ୍ତର ହୋଇ ଉଠିଛି। ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ, ତୁମୁରାପୁଟ ଓ ଭେଟେଶ୍ୱର ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ବିଡ଼ିଓ ଶୀତଲ ଅଗ୍ରୱାଲ, ଜିପିଇଓ ମମତା ମଞ୍ଜରୀ ଚିନ୍ନାରା, ବିଧାୟକଙ୍କ ପ୍ରତିନିଧି ମନୋଜ ପ୍ରଧାନ ଓ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ବୁଲି ସେଠାରେ ବିଦ୍ୟୁତ, ପାଣି ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ବାବଦରେ ତନଖି କରିଛନ୍ତି।

ଅନୁରୂପ ଭାବେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଅପରାହ୍ନରେ କୁଲେଇ ଓ ମୋରାମରୀ ପଞ୍ଚାୟତ ଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପରଖିଛନ୍ତି।  ବ୍ଲକରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇ ପ୍ରତ୍ୟେକ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଥିବାର ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ସୂଚନା ଦେଇଛନ୍ତି।

ତତସହିତ ଓଡ୍ରାଫ ଟିମକୁ ମଧ୍ୟ ସଜାଗ ରଖି ପରିସ୍ଥିତି ଉପରେ ନଜର ରଖାଯାଇଥିବାର ଜଣାପଡ଼ିଛି।

Categories
ଆଜିର ଖବର ଆଞ୍ଚଳିକ

ବାତ୍ୟା “ୟଶ”ର ମୁକାବିଲା ପାଇଁ ବାଣପୁର ପ୍ରଶାସନର ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ଗୋଟିଏ ପଟେ ବୈଶ୍ବିକ ମହାମାରି କରୋନା ଘାତକ ସାଜିଥିବାବେଳେ ଅପର ପକ୍ଷେ ଭାରତୀୟ ପାଣିପାଗ ବିଭାଗର ସମ୍ଭାବ୍ୟ ବାତ୍ୟା ସମ୍ପର୍କିତ ସୂଚନା ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା “ୟଶ”ଏବେ ଓଡିଶା ମୁଁହା ହୋଇଛି। ଏହା ମେ ୨୬ ତାରିଖରେ ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ ଏହାର ପ୍ରଭାବକୁ ନେଇ ଆଶା ଆଶଙ୍କାରେ ରାଜ୍ୟ ସରକାର।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏସ ଆର ସିଙ୍କ ପକ୍ଷରୁ ଆଲର୍ଟ ଜାରିକରାଯାଇଥିବା ବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି। ଏ ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନରେ ଥିବା ସମସ୍ତ ବିଭାଗୀୟ ଅଧିକାରୀ ଓ ସରପଂଚ ମାନଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜନସାଧାରଣଙ୍କୁ କିଭଳି ସମସ୍ତ ପ୍ରକାର ସହଯୋଗ ସାଙ୍ଗକୁ ସୁରକ୍ଷିତ କାରାଯାଇପାରିବ ତାହାକୁ ନେଇ ଆାଜି ଏ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୈଠକରେ ଉପସ୍ଥିତ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିମାନେ ନିଜ ନିଜର ସୁଚିନ୍ତିତ ମତାମତ ଦେବା ସହ ସମସ୍ତ କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷାର ପୂର୍ଣ୍ଣ ପ୍ରତିଶୃତି ଦେଇଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ବାଣପୁର ଥାନାଧିକାରୀ ରଶ୍ମିରଂଜନ ସାହୁ ସଂପୂର୍ଣ୍ଣ ସହଯୋଗ କରିବାର ପ୍ରତିଶୃତି ଦେଇଥିବାବେଳେ ବ୍ଲକ ଅଧ୍ୟକ୍ଷା ମଧ୍ୟ ସହଯୋଗର ସଂପୂଣ୍ଣ ପ୍ରତିଶୃତି ଦେଇଥିଲେ।

ଆଜିର ଏହି ପ୍ରସ୍ତୁତି ବୈଠକରେ ବାଣପୁର ତହସିଲଦାର ମନ୍ମଥ କୁମାର ବେହେରା, ଏବିଡିଓ ସିମାଦ୍ରୀ ପାତ୍ର, ସିଡିପିଓ ବିଦ୍ୟୁତ ପ୍ରଭା ରଥ, ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ, ବିଦ୍ୟୁତ ବିଭାଗ ଜେଇ ଓ ସମସ୍ତ ବିଭାଗୀୟ ଯନ୍ତ୍ରୀ, ବ୍ଲକ ଅଧ୍ୟକ୍ଷା ରଂଜିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବାଣପୁର ବିଡିଓ ପ୍ରଦ୍ୟୁମ୍ନ କୁମାର ନାୟକ ଉକ୍ତ ବୈଠକରେ ପରିଚାଳନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୋଭିଡ୍‌ ନିୟମ ଉଲ୍ଲଂଘନ: ଦୋକାନ ସିଲ କରିବା ସହ ଜରିମାନା ଆଦାୟ କଲେ ବାଣପୁର ପ୍ରଶାସନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳ ଭିଡିଓ କନଫେରେନ୍ସରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ପ୍ରତିନିଧିଙ୍କ ସହ ଆଲୋଚନା କରି ନିର୍ଦିଷ୍ଟ ସମୟ ଯାଏଁ ସର୍ତ୍ତମୂଳକ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ନିୟମ ଗୁଡିକରେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଥିବାସ୍ଥଳେ ଦୋକାନ ଓ ଗ୍ରାହକ ମଧ୍ୟରେ ୬ଫୁଟ ଦୂରତ୍ଵ ରକ୍ଷା କରିବା ସହ ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନ ମଧ୍ୟ ବାଧ୍ୟତାମୂଳକ କରାଯାଇଅଛି। ଯଦି କୌଣସି ଦୋକାନରେ ଏହାର ବ୍ୟତିକ୍ରମ ଘଟେ ତାହାଲେ ସମ୍ପୃକ୍ତ ଦୋକାନ ଉପରେ ଜରିମାନା ଏବଂ ଦରକାର ପଡିଲେ ସିଲ କରିବା ପାଇଁ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଆଜି ତତ୍ପର ହୋଇଉଠିଛି ବାଣପୁର ପ୍ରଶାସନ।

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାଣପୁର ବଜାରରେ ସମ୍ଭାବ୍ୟ ଭିଡ଼କୁ ପରିଲକ୍ଷିତ କରି ସକାଳେ ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲ ବଜାରରେ ପାଟ୍ରୋଲିଂକୁ କଡ଼ାକଡ଼ି କରିଥିଲେ। ଖାସ କରି ସହରର ବିଭିନ୍ନ ମିଠା ଦୋକାନ ଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବାରୁ କୋଭିଡ ନିୟମ ଉଲଂଘନରେ ସହରର ଏକ ପ୍ରମୁଖ ମିଠା ଦୋକାନୀ ରୁ ୫୦୦୦ ଟଙ୍କା ଜରିମାନା ଆଦାୟ କରିବା ସହ ବାଣପୁର ପୋଲିସ ସହଯୋଗ ରେ ଉକ୍ତ ଦୋକାନକୁ ସିଲ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଅନୁରୂପ ଭାବେ ପଲଟନ ପଡ଼ିଆର ଦୁଇ ଗୋଟି ମିଠା ଦୋକାନଠୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ଉକ୍ତ ଚଢ଼ାଉରେ ବାଣପୁର ପୋଲିସ ଏବଂ ଏନ.ଏ.ସି କର୍ମଚାରୀ ସାମିଲ ଥିଲେ।

ଲୋକଙ୍କୁ ଦୋକାନୀମାନେ କଟକଣାକୁ ମାନିବାକୁ ଅନୁରୋଧ କରୁଥିଲେ ମଧ୍ୟ ଜୋରଜବରଦସ୍ତି ଦୋକାନ ଭିତରେ ଗ୍ରାହକମାନେ ପସି ମିଠା କିଣୁଥିବା ସମୟରେ ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା। ଫଳରେ ଅମାନିଆ ଗ୍ରାହକଙ୍କ କାରଣରୁ ଦୋକାନୀଙ୍କ ସମସ୍ୟା ସୃଷ୍ଟି ହେଉଛି।

ଅନୁରୂପ ଭାବେ ଆଜି ବାଣପୁର ତହସିଲଦାର ଶ୍ରୀ ମନ୍ମଥ ବେହେରା ତହସିଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ନାଚୁଣୀ ଫାଣ୍ଡି କର୍ମଚାରୀଙ୍କ ସହଯୋଗରେ ନାଚୁଣୀ ବଜାରର ଗାଙ୍ଗୁରାମ ମିଠା ଦୋକାନକୁ ସାତ ଦିନ ପାଇଁ ସିଲ କରିବା ସହିତ ୫୦୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି। ଉକ୍ତ ଦୋକାନରେ କୋଭିଡ ଗାଇଡ଼ଲାଇନର ଖୋଲାଖୋଲି ଉଲଂଘନ ହୋଇଥିବାର ଦେଖିବାକୁ ପାଇଥିଲେ ତହସିଲଦାର।  ଆଗାମୀ ଦିନରେ ଏହି କଟକଣା କୁ ଅଧିକ କଡାକଡି କରାଯିବା ସହ ପାଟ୍ରୋଲିଂ ଜୋରଦାର କରାଯିବ ବୋଲି ତହସିଲଦାର ମନ୍ମଥ ବେହେରା, ବାଣପୁର ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଏନଏସି କାର୍ଯନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ପ୍ରଶାସନର ଅଜବ ନୀତି: ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ଦିଆଯାଉଛି ଥାନାରେ ଏତଲା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କ୍ବାରେଣ୍ଟିନ୍‌ ସେଣ୍ଟରରେ ଅବ୍ୟବସ୍ଥାର ଖବର ସାମ୍ନାକୁ ଆସୁଛି। ଏନେଇ ପ୍ରବାସୀ ମାନେ ଅଭିଯୋଗ କରିବା ସହ ଧାରଣା ମଧ୍ୟ ଦେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ନାଚୁଣୀ କ୍ବାରେଣ୍ଟିନ୍‌ ସେଣ୍ଟର ଅବ୍ୟବସ୍ଥାକୁ ନେଇ ଏକ ଚର୍ଚ୍ଚାର ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ନାଚୁଣୀଠାରେ ଥିବା ଏକ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ବ୍ୟାପକ ଅବ୍ୟବସ୍ଥା ନେଇ ପ୍ରବାସୀଙ୍କ ଅଭିଯୋଗ କ୍ରମେ ଜନୈକ ଗଣମାଧ୍ୟମର ସମ୍ପାଦକ ଏନେଇ ସମ୍ପୃକ୍ତ କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବରେ ଥିବା ନୋଡାଲ୍‌ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ସମ୍ପୃକ୍ତ ନୋଡାଲ୍‌ ଅଫିସର ଜଣକ ଏ ସମ୍ପର୍କରେ ସେ କିଛି କହିପାରିବେ ନାହିଁ, ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। କ୍ବାରେଣ୍ଟାଇନ୍‌ ସେଣ୍ଟରର ଦାୟିତ୍ବ ନୋଡାଲ୍‌ ଅଫିସରଙ୍କ ଅଧୀନରେ ରହୁଥିବାବେଳେ ସେ ନିଜ ଦାୟିତ୍ବକୁ ଅତି ହାଲୁକା ଭାବରେ ଗ୍ରହଣ କରୁଥିବାର ଦେଖାଯାଉଛି। ପରବର୍ତ୍ତୀ ସମୟରେ ଏନେଇ ତାଙ୍କୁ ଅଧିକ ପଚରାଯିବାରୁ ସେ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ପ୍ରତି ସଙ୍ଗୀନ ଅଭିଯୋଗ କରିଛନ୍ତି। ଉକ୍ତ ସଂସ୍ଥାର ସମ୍ପାଦକ ଜଣକ ଫୋନ୍‌ ମାଧ୍ୟମରେ ତାଙ୍କୁ ଦୁର୍ବ୍ୟବହାର କରିବା, ଜାତିକୁ ଆକ୍ଷେପ କରିବା ସହିତ ମାରିବାକୁ ଧମକ ଦେଇଥିବାର ଅଭିଯୋଗ କରିଛନ୍ତି ନୋଡାଲ୍‌ ଅଫିସର୍‌।

ଏଠାରେ ପ୍ରଶ୍ନ ଉଠୁଛି ଯେ, କ୍ବାରେଣ୍ଟିନ୍‌ରେ ପ୍ରବାସୀଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କାର ଅନୁଦାନ ମଧ୍ୟ ଦିଆଯାଉଛି। କିନ୍ତୁ ସରକାରୀ କର୍ମଚାରୀମାନେ ନିଜକୁ ସର୍ବେସର୍ବା ଭାବି ଏହାର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଯାହା ଫଳରେ ପ୍ରବାସୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ବାରେଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀଙ୍କୁ ସାନିଟାଇଜର୍‌ ଦିଆଯାଉନଥିବାବେଳେ ପରିଷ୍କାର ପରିଚ୍ଛନ୍ନ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ ବୋଲି ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ଏପରିକି କ୍ବାରେଣ୍ଟିନ୍‌ ସେଣ୍ଟରରେ ଶୌଚାଳୟ ନଥିବାର ପ୍ରବାସୀମାନେ ଅଭିଯୋଗ କରିଛନ୍ତି। ଏପରି ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ଯଦି କୌଣସି ସରକାରୀ କର୍ମଚାରୀଙ୍କୁ ପଚରାଯାଉଛି, ତେବେ ସେମାନେ ଏହାର ଉତ୍ତର ଦେବା ପରିବର୍ତ୍ତେ ପାଲଟା ଅଭିଯୋଗ କରୁଛନ୍ତି। ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତିକୁ ନେଇ ସରକାର ବେଶ୍‌ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ସମ୍ପୃକ୍ତ କର୍ମଚାରୀମାନେ ଏପ୍ରକାର ଅବହେଳା ପ୍ରଦର୍ଶନ କରିବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛୁ।