Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ହିଂସାରେ ଆହତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ଘଟିଥିବା ହିଂସା ଘଟଣାରେ ଏକାଧିକ ଜନସାଧାରଣ, ବାଣପୁର ଆଇଆଇସି, ପୋଲିସ କର୍ମୀ ଓ ୨ ସାମ୍ବାଦିକ ଆହତ ହୋଇଥିଲେ। ଗୁରୁତର ଆହତମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଆଉ କେତେକ ଆହତ ବ୍ୟକ୍ତିମାନଙ୍କ ଆଶୁ ଚିକିତ୍ସା କରାଯାଇ ନିଜ ନିଜ ଘରେ ଚିକିତ୍ସିତ ହେଉଛନ୍ତି।

ତେବେ ଉକ୍ତ ଘଟଣାରେ ମର୍ମାହତ ହୋଇ ଆଜି ସକାଳେ ଦିଲ୍ଲୀରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ଼ା ସମ୍ବିତ ପାତ୍ର ଭୁବନେଶ୍ୱର ଆସି ସିଧାସଳଖ ଏମ୍ସ ହସ୍ପିଟାଲ ଯାଇଥିଲେ। ସେଠାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଦୁଇ ଜଣ ମହିଳାଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହାପରେ ଡ଼ା ପାତ୍ର ବାଣପୁର ଗସ୍ତ କରି ଭେଟେଶ୍ୱର ଏବଂ ନୀଳାଦ୍ରି ପ୍ରସାଦ ପଞ୍ଚାୟତକୁ ଯାଇ ସେଠାରେ ଏକାଧିକ ଆହତଙ୍କୁ ଭେଟିବାସହ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଅନୁରୂପ ଭାବେ ଡା. ପାତ୍ର ଆହତ ହୋଇଥିବା ସାମ୍ବାଦିକଙ୍କ ସହ ଟେଲିଫୋନ ଯୋଗେ ଯୋଗାଯୋଗ କରି ସେମାନଙ୍କର ସ୍ୱାସ୍ଥବ୍ୟସ୍ଥା ପଚାରି ବୁଝିଥିଲେ।

ଉକ୍ତ ଘଟଣାରେ ରାଜ୍ୟ ସରକାରଙ୍କୁ ଡା. ପାତ୍ର ସମାଲୋଚନା କରିବା ସହ ଏଭଳି ବର୍ବର କାଣ୍ଡ ଭିଆଇଥିବା ମୁଖ୍ୟ ଅଭିଯୁକ୍ତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କେବେ ନିଆଯିବ ବୋଲି ପ୍ରଶ୍ନ କରିଥିଲେ। ସେହିପରି ଭାବେ ଶ୍ରୀ ଜଗଦ୍ଦେବଙ୍କୁ ନିଲମ୍ବନ କରିବା ବିଜେଡିର ଏକ ନାଟକ ବୋଲି ଡା. ପାତ୍ର କହିଛନ୍ତି। ତତସହିତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ କେବେ ବହିଷ୍କାର କରିବ ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଉକ୍ତ ଗସ୍ତରେ ଶ୍ରୀ ପାତ୍ରଙ୍କ ସମେତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଜେପି ବିରଜାଇ ମଣ୍ଡଳ ସଭାପତି ଜିତେନ୍ଦ୍ର ଭୋଳ, ଜିତେନ୍ଦ୍ର ସାମନ୍ତରାୟ ଆଦି ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ବାଣପୁର ହିଂସା: ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲା ବିଜେଡ଼ି

ଭୁବନେଶ୍ବର: ବାଣପୁର ହିଂସାକୁ ନେଇ ବିଜେପି ପକ୍ଷରୁ କଡା ନିନ୍ଦା କରିବା ସହ ବଡ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହା ସହ ରାଜ୍ୟ ସରକାରକୁ ମଧ୍ୟ ବିଜେପି ସମାଲୋଚନା କରିଛି। ତେବେ ବିଜେପିର ଏହି ସମାଲୋଚନା ପରେ ବିଜେଡ଼ି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ବିଜେଡ଼ି ସାଂସଦ ଡା ସସ୍ମିତ ପାତ୍ର ବିଜେପିର ପ୍ରଶ୍ନ ଉପରେ ଉତ୍ତର ରଖିଛନ୍ତି।

ସେ କହିଛନ୍ତି ଯେ, ବିଜେପିର ଆଜି ଯେଉଁ ପ୍ରେସ ବାର୍ତ୍ତାରେ ଦାବି କରିଛି, ତାହା ଉପରେ ବିଜେଡ଼ି ଗତକାଲି ସ୍ପଷ୍ଟିକରଣ ରଖିଛି। ବିଜେଡ଼ି ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡ଼ି ସ୍ପଷ୍ଟ କରିଛି।

କିନ୍ତୁ ଏହାକୁ ବିଜେପି ରାଜନୀତିକରଣ କରିବାକୁ ପ୍ରୟାସ କରୁଛି। ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡା ସଂବିତ ପାତ୍ର ଏହି ଘଟଣାକୁ ରାଜନୀତିକରଣ ନକରିବାକୁ କହିଥିଲେ ମଧ୍ୟ ଏହାକୁ ନେଇ ରାଜନୀତି କରାଯାଉଛି। ତେଣୁ ବିଜେପିର ଏହା ଦୋହରା ନୀତି ବୋଲି ବିଜେଡ଼ି ସାଂସଦ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଗତକାଲି ଏହି ଅଭାବନୀୟ ଘଟଣା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଚିଲିକା ବିଧାୟକ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ଆଜି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡା ସଂବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବର୍ବରତାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପ୍ରଶାନ୍ତ ଜଗଦ୍ଦବେଙ୍କୁ ଦଳରୁ ବହିଷ୍କାର କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ଦାବି କରିଥିଲେ।

ପ୍ରଶାନ୍ତଙ୍କୁ ନିଲମ୍ବନ କରାଯାଇଛି ବୋଲି ଶାସକ ଦଳର ମୁଖପାତ୍ର ସସ୍ମିତ ପାତ୍ର ଗତକାଲି କହିଥିଲେ। ହେଲେ ବାସ୍ତବରେ ତାହା ହୋଇଥିବା ଭଳି ଲାଗୁନଥିଲା। ନିଲମ୍ବନ ସତ୍ତ୍ୱେ ପ୍ରଶାନ୍ତ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ବୋଲି ସମ୍ବିତ ଅଭିଯୋଗ କରିଥିଲେ।