Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ବିରୋଧରେ ତାଲିବାନ ଦେଖାଇଲା ପ୍ରକୃତ ରୂପ: ଲଗାଇଲା ବାଣିଜ୍ୟିକ ପ୍ରତିବନ୍ଧକ

ନୂଆଦିଲ୍ଲୀ: ତାଲିବାନ ଭାରତ ବିରୋଧରେ ନିଜର ପ୍ରକୃତ ରୂପ ଦେଖାଇବାକୁ ଆରମ୍ଭ କରିଦେଇଛି। ତାଲିବାନ ଭାରତରୁ ଆମଦାନୀ ଏବଂ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନି ସଂଗଠନ ଅନୁଯାୟୀ ତାଲିବାନ ପାକିସ୍ତାନକୁ ଗମନାଗମନ ମାର୍ଗ ଦେଇ ସମସ୍ତ ମାଲ ପରିବହନକୁ ବନ୍ଦ କରି ଦେଇଛି। ଯାହାର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ଦୃଶ୍ୟମାନ ହେଉଛି। ଶୁଖିଲା ଫଳର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ଦିଲ୍ଲୀର ବୃହତ୍ତମ ଶୁଖିଲା ଫଳ ବଜାର ଖାରି ବାବଲିରେ ଶୁଖିଲା ଫଳ ୨୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଛି।

ଗୋଟିଏ ସପ୍ତାହ ମଧ୍ୟରେ ଭାରତରେ ଶୁଖିଲା ଫଳର ମୂଲ୍ୟ କିଲୋଗ୍ରାମ ପିଛା ୨୦୦-୨୫୦ ଟଙ୍କା ବୃଦ୍ଧି ପାଇଛି। ପିସ୍ତା, ବାଦାମ, ଡିମ୍ବିରି ପରି ଅନେକ ଶୁଖିଲା ଫଳ ଆଫଗାନିସ୍ତାନରୁ ଭାରତକୁ ଆସିଥାଏ। ବ୍ୟବସାୟୀମାନେ କହିଛନ୍ତି ଯେ ୧୫-୨୦ ଦିନ ହେଲା କୌଣସି ଦ୍ରବ୍ୟ ଭାରତକୁ ଆସୁନାହିଁ, ଯେଉଁ କାରଣରୁ ବଜାରରେ ଶୁଖିଲା ଫଳର ଅଭାବ ରହିଛି। ଏଥିସହିତ ଭାରତରେ ରକ୍ଷା ବନ୍ଧନ ଆସୁଛି, ତେଣୁ ଭାରତରେ ଶୁଖିଲା ଫଳର ଚାହିଦା ମଧ୍ୟ ବୃଦ୍ଧି ପାଇଛି।

ଆଫଗାନିସ୍ତାନ ହେଉଛି ଭାରତ ପାଇଁ ଶୁଖିଲା ଫଳର ଏକ ପ୍ରମୁଖ ଉତ୍ସ। କିନ୍ତୁ ବର୍ତ୍ତମାନ ତାଲିବାନ ପୁଣି ଥରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଛି। ଫଳରେ ଏହା ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ପ୍ରଭାବିତ କରିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ତାଲିବାନ ଯୁଗରେ ଭାରତ-ଆଫଗାନିସ୍ତାନ ସମ୍ପର୍କ ପୂର୍ବ ଭଳି ରହିବା ସମ୍ଭବ ନୁହେଁ।