Categories
ଆଜିର ଖବର ରାଜ୍ୟ ଖବର

ନଳବଣ୍ଟା ଗ୍ରାମରୁ ବିପୁଳ ପରିଣାମରେ ବାଣ ଜବତ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ଗୁରୁବାର ରାତ୍ର ସମୟରେ ଆସିକା- ବ୍ରହ୍ମପୁର ମୁଖ୍ୟରାସ୍ତାର ୫୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ଆସିକା ଥାନା ଅନ୍ତର୍ଗତ ମିନି ଶିବକାଶୀ ରୂପେ ପରିଚିତ ନଳବଣ୍ଟା ଗ୍ରାମରେ ଆସିକା ପୁଲିସ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ବିପୁଳ ପରିମାଣର ବାଣ ଓ ବାରୁଦ ଜବତ କରାଯାଇଛି। ବାଣ ବ୍ୟବସାୟୀମାନେ ପ୍ରାୟ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ କିସମର ବାଣ ମହଜୁଦ ରଖୁଥ‌ିବା ଖବରପାଇ ଆସିକା ଥାନା ଅଧିକାରୀ ପି.ସ୍ୱରୂପ କିଶାନଙ୍କ ନେତୃତ୍ୱରେ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ଗୁରୁବାର ରାତ୍ର ରେ ନଳବଣ୍ଟା ଗ୍ରାମର ଭଣ୍ଡାରୀସାହି, ପାଟଣା ସାହି, ରୋଡ୍ ସାହି, ଆଡୁଆ ସାହି ସମେତ ଆଖପାଖ ସାହିବସ୍ତିର ପ୍ରାୟ ୧୦ଟି ଘର ଉପରେ ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରି ଥିବା ବେଳେ ଘଟଣାସୁଳରୁ ଚୋରା ବାଣମାଫିଆମାନେ ଫେରାର୍ ହୋଇଯାଇଛନ୍ତି।

ଏ ସଂକ୍ରାନ୍ତରେ ଆସିକା ଥାନାରେ ଦୁଇଟି ମାମଲା ଦାୟର ହୋଇଛି। ଫେରାର ବାଣବେପାରୀଙ୍କୁ ଗିରଫ କରିବା ଲାଗି ପୁଲିସର ଚଢ଼ଉ ଜାରି ରଖୁଛି। ନଳବଣ୍ଟାରେ ଚାଲିଥିବା ବେଆଇନ ବାଣ କାରବାରକୁ ନିୟନ୍ତ୍ରଣ କରିବା ଲାଗି ଆସିକା ଥାନା ଅଧିକାରୀ ପି. ସ୍ଵରୂପ କିଶାନଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ଫୋର୍ସ ଚଢ଼ଉ କରି ଯେଉଁ ଭଳି ଭାବେ ସଫଳତା ପାଇଲେ ତାହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗାରଗାଁ ଏବଂ ନୂଆଁଗଡ଼ ରୁ ବିପୁଳ ପରିମାଣର ବାଣ ଜବତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ଅଙ୍ଗାରଗାଁ ଏବଂ ନୂଆଁଗଡ଼ରୁ ବେଗୁନିଆପଡା ଥାନା ପୋଲିସ ବିପୁଳ ପରିମାଣର ବାଣ ଜବତ କରିଛି। ଏହା ସହ ପ୍ରକାଶ ଚନ୍ଦ୍ର ସାହୁଙ୍କୁ ବେଆଇନ ବାଣ ବିକ୍ରି ଅଭିଯୋଗରେ ଅଟକ ରଖିଥିଲା। ବେଗୁନିଆପଡା ଥାନା ପୋଲିସ ପକ୍ଷରୁ ସୂଚନା ଅନୁଯାୟୀ ଅଙ୍ଗାରଗାଁର ରୂପକ ସାହୁ ବେଆଇନ ଭାବେ ଅଙ୍ଗାରଗାଁ ଏବଂ ନୂଆଁଗଡ଼ରେ ବାଣ ମହଜୁଦ ରଖିଥିଲା।

କୌଣସି ସୂତ୍ରରୁ ଖବର ପାଇ ବେଗୁନିଆପଡା ଥାନା ପୋଲିସ ଚଢାଉ କରିବା ସହ ଉକ୍ତ ଦୁଈଟି ସ୍ଥାନରୁ ବିପୁଳ ପରିମାଣର ବାଣ ଜବତ କରିବା ସହ ପ୍ରକାଶକୁ ଅଟକ ରଖିଥିଲା।ପରେ ରୂପକ ଥାନାକୁ ଯିବା ପରେ ୨୫୧/୨୦୨୩ ରେ ଏକ ମାମଲା ରୁଜୁ କରି ପି ଆର୍ ବଣ୍ଡ ରେ ଛାଡିଥିବା ନେଇ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ବିପୁଳ ପରିମାଣର ବାଣ ଜବତ, ୪ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ବିପୁଳ ପରିମାଣର ବେଆଇନ ବାଣ ଜବତ କରିଛନ୍ତି।

ବଡ଼ବଜାର ପୋଲିସ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହିରେ ବାଣ ଚାଲାଣ ବେଳେ ୯ ପେଟି ବାଣ ସହ ଏକ ଅଟୋ ରିକ୍ସା ଜବତ କରିବା ସହ ରବି ଯେନା ନାମରେ ଜଣେ ବ୍ୟବସାୟୀ କୁ ଗିରଫ କରିବା ପରେ ପାଣିଗ୍ରାହୀପେଣ୍ଠ ଚୈତନ୍ୟ ନଗର ରେ ଏକ ଗୋଦାମରେ ଚଢ଼ାଉ କରି ବାଣ ଜବତ କରିଛନ୍ତି ଓ ସଦର ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମ ର ଶିବ ସାହୁ ନାମକ ଜଣେ ଯୁବକ କୁ ଗିରଫ କରିଛନ୍ତି। ଏତଦବ୍ୟତୀତ ରାଜାମ୍ ସାହିର ପିତାମ୍ବର ସେଠୀ ଓ ପଣ୍ଡିତ ସାହିର ଏମ୍ ସତ୍ୟନାରାୟଣ ପ୍ରମୁଖ ଙ୍କୁ ଅଟକ ରଖି ବିପୁଳ ପରିମାଣର ବାଣ ଜବତ କରିବା ସହ ଉକ୍ତ ସମସ୍ତ ବ୍ୟବସାୟୀ ମାନଙ୍କୁ ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛନ୍ତି।

ପ୍ରକାଶ ଥାଉକି ବ୍ରହ୍ମପୁର ପୋଲିସ ପକ୍ଷରୁ ପୁର୍ବରୁ ସଦର ଥାନା ଅଞ୍ଚଳରେ ୨ ଟି ସ୍ଥାନରେ ଚଢାଉ କରି ବାଣ ଜବତ କରିଥିବା ବେଳେ ବୈଦ୍ୟନାଥ ପୁର ଥାନା ପୋଲିସ ଲାଞିପଲୀ ଅଞ୍ଚଳରୁ ଏକ ଗୋଦାମରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହ ବ୍ୟବସାୟୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଗୁନିଆରେ ବେଆଇନ ବାଣ ଗୋଦାମରେ ଚଢାଉ: ବିପୁଳ ପରିମାଣରେ ବାଣ ଜବତ

ଖୋର୍ଦ୍ଧା: ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ନାଗରିକଙ୍କ ସୁରକ୍ଷା ପାଇଁ ଓଡିଶା ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି। ଅନୁରୂପ ଭାବେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ପାର୍ବଣ ଋତୁ ସମୟରେ ଜିଲ୍ଲା ବାସୀଙ୍କ ସୁରକ୍ଷା ପାଇଁ ଏକାଧିକ ପଦକ୍ଷେପ ନେଇଛି ଜିଲ୍ଲା ପୋଲିସ।

ଦୀପାବଳି ଆହୁରି ପାଖାପାଖି ଏକ ମାସ ଥିବା ବେଳେ ବେଆଇନ ବାଣ କାରବାର ଉପରେ କଡ଼ାକଡି ନଜର ରଖିଛି ପୋଲିସ। ତେବେ ବେଗୁନିଆ ଥାନା କଣ୍ଟାବାଡ ଗ୍ରାମରେ ବିପୁଳ ପରିମାଣରେ ବେଆଇନ ବାଣ କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ।

ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଦର ଏସଡିପିଓ ଦିଲ୍ଲୀପ ଦାସଙ୍କ ତତ୍ୱାବଧାନରେ ଆଜି ବେଗୁନିଆ ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ନେତୃତ୍ୱରେ କଣ୍ଟାବାଡ ଗ୍ରାମସ୍ଥିତ ଏକ ଗୋଦାମରେ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣରେ ବେଆଇନ ବାଣ ଓ ବାରୂଦ ଜବତ କରାଯାଇଛି।

ସୂଚନା ମୁତାବକ କଣ୍ଟାବାଡ଼ ଗ୍ରାମରେ ବିଶ୍ୱନାଥ ମହାପାତ୍ରଙ୍କ ଗୋଦାମ ଘରେ ଚଢ଼ାଉ ହୋଇଥିବା ବେଳେ ସେଠାରୁ ଦୁଇ ଗୋଟି ବାଣ ବୋଝେଇ ମିନି ଟ୍ରକ ଏବଂ ୨୫ କେଜି ବାରୂଦ ଜବତ ହୋଇଛି। ଜବତ ବାଣ ଓ ବାରୂଦର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସମସ୍ତ ଜବତ ବାଣକୁ ନଷ୍ଟ କରାଯାଇଥିବା ବେଳେ ବାଣ ବେପାରି ବିଶ୍ୱନାଥ ମହାପାତ୍ର ଏବଂ ତାଙ୍କ ସମ୍ପର୍କୀୟ ପ୍ରସନ୍ନ ମହାପାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନେତୃତ୍ବରେ ଗମ୍ଭାରିମୁଣ୍ଡାରୁ ଲକ୍ଷାଧିକ ଟଙ୍କାର ବାଣ ଜବତ: ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ମହାମାରୀ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ବାଣ ବିକ୍ରି ଏବଂ ଫୁଟେଇବା ବେଆଇନ ଘୋଷିତ ହୋଇଥିବା ସ୍ଥଳେ କେତେକ ବାଣ ବେପାରୀ ଏହାକୁ ଖାତିର ନକରି ଲୁଚିଛପି ବାଣ ବିକ୍ରି କରୁଛନ୍ତି। ଦୁଇଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣ ନିଷିଦ୍ଧ କୁ ନେଇ ଏକ ନିର୍ଦ୍ଦେଶନାମା ଜାରିକରିଥିବାବେଳେ ଆଜି ବାଣପୁର ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି।

ମିଳିଥିବା ସୂଚନା ମୁତାବକ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ ଦାସଙ୍କ ତତ୍ତ୍ବାବଧାନରେ ବାଣପୁର ପୋଲିସ ଗତକାଲି  ରାତି ୮ ଘଟିକାରେ  ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଦ୍ମପୁର ଗ୍ରାମର ଅଶୋକ ପାତ୍ରଙ୍କ ଘରେ ଚଢାଉ କରିଥିଲା। ଅଶୋକଙ୍କ ଘର, ଦୋକାନ ଏବଂ ତାଙ୍କ ସାନଭାଇଙ୍କ ଘରେ ଚଢାଉ କରି ପୋଲିସ ପାଖାପାଖି ତିନି ଟ୍ରିପ ବାଣ ଜବତ କରିଛି। ଯାହାର ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଖୋଦ ଏସ.ଡ଼ି.ପି.ଓ ଶ୍ରୀ ଦାସ ଉପସ୍ଥିତ ରହି ବାଣଗୁଡିକୁ ଜବତ କରିଥିଲେ। ଏନେଇ ବାଣପୁର ପୋଲିସ ଅଶୋକଙ୍କୁ ଅଟକ ରଖିଥିବା ସୂଚନା ରହିଛି।

ଉକ୍ତ ଚଢାଉରେ ବାଣପୁର ଏସ.ଆଇ ବିଜୟ ମଲ୍ଲିକ, ପ୍ରସନ୍ନ ଜେନା, ରାଜକିଶୋର ବେହେରା, ସି.ଏସ.ଆଇ ଆଶୁତୋଷ ପାଇକରାୟ, ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ଏବଂ ଗମ୍ଭାରୀମୁଣ୍ଡା ଫାଣ୍ଡି କର୍ମଚାରୀମାନେ ସାମିଲ ହୋଇଥିଲେ।