Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଖୋର୍ଦ୍ଧା: ଆସନ୍ତା ୧୦ ରୁ ବାତଜ୍ବର (ଫାଇଲେରିଆ) ନିରାକରଣ ପାଇଁ ସାମୁହିକ ଔଷଧ ସେବନ

ଖୋର୍ଦ୍ଧା: ଆଜି ଅପରାହ୍ନ ୪.୩୦ ମିନିଟ ସମୟରେ ସି ଡିଏମ୍ ଓ ଙ୍କ ଡ଼ିଟିୟୁ କକ୍ଷରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ନେଇ ବୈଠକରେ ଆଲୋଚନା ହୋଇଯାଇଛି। ଏଥିରେ ଭାରପ୍ରାପ୍ତ ସିଡିଏମଓ ଡଃ ରଘୁନାଥ ନାୟକ ପୌରହିତ୍ୟ କରିଥିବା ବେଳେ, ଏ ଡ଼ି ପି ଏଚ ଓ ଡଃ ଜୀବନ୍ତ ଆଚାର୍ଜି, ଭି ଵି ଡ଼ି ଡଃ ଶ୍ୟାମବନ୍ଧୁ ରାୟ, ସ୍ମୃତି ରଞ୍ଜନ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ବାତଜ୍ଵର (ଫାଇଲେରିଆ) ନିରାକରଣ ପାଇଁ ସାମୁହିକ ଔଷଧ ସେବନ ବା M.D.A କାର୍ଯ୍ୟକ୍ରମ ଚଳିତ ବର୍ଷ ଫେବୃୟାରି ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ଗ୍ରାମାଚଂଳ ବେଗୁନିଆ ବ୍ଲକ୍‌ର ୨୧ଟି ପଂଚାୟତରେ ଅନୁଷ୍ଠିତ ହେବ। ଏହା ସହିତ ଏହି କାର୍ଯ୍ୟକ୍ରମ ଖୋର୍ଦ୍ଧା ମ୍ୟୁନିସିପାଲିଟିର ୨୨ଟି ୱାର୍ଡ଼ ଓ ଭୁବନେଶ୍ଵର ମହାନଗର ନିଗମ ଅଚଂଳର ବରମୁଣ୍ଡା, ପୋଖରୀପୁଟ ଓ ଆଇଆରସି ଭିଲେଜର ୧୨ଟି ଓ୍ୱାର୍ଡ଼ ଯଥା ୧୫, ୫୦, ୫୧, ୬୩, ୪୬, ୫୨, ୫୩, ୬୨, ୨୫, ୨୭, ୨୮ ଓ ୩୭ ରେ ଅନୁଷ୍ଠିତ ହେବ।ଏଥିପାଇଁ ୧୧୩୩ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେଟର (DA) ନିୟୋଜିତ ହେବେ।

ପ୍ରତ୍ୟେକ ଡ୍ରଗ୍ ଆଡ଼ମିନିଷ୍ଟେଟର ୬୦ ରୁ ୭୦ ଘର ପାଇଁ ନିୟୋଜିତ ହେବେ। ୧୧୩୩ ଡ୍ରଗୁ ଆଡ଼ମିନିଷ୍ଟ୍ରେଟର ମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ୧୧୨ ସୁପରଭାଇଜର ମଧ୍ୟ ନିୟୋଜିତ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଶା, ଅଙ୍ଗନଓ୍ବାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା, ମହିଳା ଆରୋଗ୍ୟ ସମିତିର ସଭ୍ୟା ତଥା ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ଡ୍ରଗ୍ ଆଡ଼ମିନିଷ୍ଟ୍ରେଟର ଭାବରେ ନିୟୋଜିତ ହେବେ ଏବଂ ସେମାନଙ୍କ ଅଧୀନରେ ଥିବା ୬୦ ରୁ ୭୦ ଘରର ସଦସ୍ୟମାନଙ୍କୁ ଦ୍ଵାର ଦ୍ଵାର ବୁଲି ୧୦ରୁ ୧୯ ଫେବୃୟାରୀ ମଧ୍ୟରେ ଡିଇସି ଏବଂ Albendazole ବଟିକାର ଗୋଟିଏ ମାତ୍ରା ଖୁଆଇବେ।

ଏହା ସହିତ ଏହି କାର୍ଯ୍ୟକ୍ରମ ଉପରୋକ୍ତ ଅଂଚଳର ସମସ୍ତ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଅନୁଷ୍ଠିତ ହେବ। ଏହି ଔଷଧ ସଂପୂର୍ଣ୍ଣ ନିରାପଦ ଅଟେ ଓ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ କିନ୍ତୁ ଏହାକୁ ଖାଇବା ଦ୍ବାରା ମୁଣ୍ଡ ବୁଲାଇବା କିମ୍ବା ବାନ୍ତି ହେବାର ଲୋକମାନଙ୍କ ମନରେ ଥିବା ଧାରଣା ସଂପୂର୍ଣ୍ଣ ଭୁଲ ଅଟେ।

ଏହି ଔଷଧ ୨ ବର୍ଷରୁ କମ୍ ପିଲା, ଗର୍ଭବତୀ ମହିଳା ତଥା ଗୁରୁତର ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କୁ ଖାଇବାକୁ ବାରଣ କରାଯାଇଅଛି।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ଉପରୋକ୍ତ ଅଂଚଳ ଗୁଡ଼ିକର ୩,୮୧,୧୯୨ ସର୍ବସାଧାରଣଙ୍କୁ ୯,୨୫,୦୦୦ ଡିଇସି ଓ ୩,୮୨,୦୦୦ Albendazole ବଟିକା ଯୋଗାଇ ଦିଆଯିବ।

ଏହି ଅଂଚଳର ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଗାଇ ଦିଆଯାଇଥିବା ଔଷଧ ଖାଇବାକୁ ପ୍ରେସ୍ ମାଧ୍ୟମରେ ଅନୁରୋଧ କରାଯାଉଅଛି ତଥା ସ୍ୱେଚ୍ଛାସେବୀମାନଙ୍କ ସମ୍ମୁଖରେ ସେବନ କରିବା ପାଇଁ ପରାମର୍ଶ ଦିଆଯାଉଅଛି। ଏହି ଔଷଧ ଖାଲି ପେଟରେ ଖାଇବା ପାଇଁ ବାରଣ କରାଯାଇଅଛି।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଫେବୃଆରୀ ୧୦ ତାରିଖରୁ ୭ଟି ଜିଲ୍ଲାର ସମସ୍ତେ କରିବେ ଔଷଧ ସେବନ, ଜାଣନ୍ତୁ କାରଣ

ଭୁବନେଶ୍ୱର: ଓଡିଶାର ୩୦ ଟି ଜିଲ୍ଲା ମଧ୍ୟରୁ ୭ଟି ଜିଲ୍ଲା ଯଥା- ବଲାଙ୍ଗିର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ଡି, ନୟାଗଡ ଓ ରାୟଗଡା ଜିଲ୍ଲାରେ ବାତଜ୍ୱର ନିରାକରଣ ପାଇଁ ସାମୂହିକ ଔଷଧ ସେବନ (ଏମ୍‌ଡିଏ) କାର୍ଯ୍ୟକ୍ରମ ଆସନ୍ତା ୧୦-୧୯ ଫେବୃଆରୀ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି।

ଉପରୋକ୍ତ ୭ଟି ଜିଲ୍ଲାରେ ୫୬ଟି ବ୍ଲକ ତଥା ସହରାଞ୍ଚଳର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଯେଉଁଠି ବାତଜ୍ୱରର ଅଧିକ ପ୍ରଭାବ ରହିଛି, ସେହି ସ୍ଥାନମାନଙ୍କରେ ହେବ। ୩ଟି ଜିଲ୍ଲା ଯଥା ବଲାଙ୍ଗିର, କଳାହାଣ୍ଡି ଓ ରାୟଗଡାରେ ତିନି ପ୍ରକାର ବଟିକା ଯଥା (ଡି.ଇ.ସି, ଆଲବେଣ୍ଡାଜୋଲ ଓ ଆଇଭରମେକcିନ) ଖାଇବାକୁ ଦିଆଯିବ ଏବଂ ୪ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ନୟାଗଡ ଓ କନ୍ଧମାଳରେ ଦୁଇ ପ୍ରକାରର ଔଷଧ (ଡି.ଇ.ସି ଓ ଆଲବେଣ୍ଡାଜୋଲ) ଖାଇବାକୁ ଦିଆଯିବ।

ଉପରୋକ୍ତ ୭ଟି ଜିଲ୍ଲାରେ ପ୍ରାୟ ୪୫ ଲକ୍ଷ ୮୯ ହଜାର ୭୯୪ ଲୋକଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ୧୬୭୪୭ ଡ୍ରଗ ଆଡମିନିଷ୍ଟ୍ରେଟର ବା ସେ୍ୱଚ୍ଛାସେବୀଙ୍କୁ ତାଲିମ ଦିଆଯାଇ ନିୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସଠିକ୍‌ ଭାବରେ ତଦାରଖ କରିବା ପାଇଁ ୧୭୧୨ ଜଣ ତଦାରଖକାରୀ ବା ସୁପରଭାଇଜରଙ୍କୁ ନିୟୋଜିତ କରାଯାଇଛି।

ତାଲିମପ୍ରାପ୍ତ ସେ୍ୱଚ୍ଛାସେବୀମାନେ ଘରକୁ ଘର ଯାଇ ଏହି ଔଷଧ ଖୁଆଇବେ। ଭ୍ରାମ୍ୟମାଣ ଟିମ୍‌ଗୁଡିକ ବିଭିନ୍ନ ସ୍କୁଲ, କଲେଜ ଓ ଅଫିସକୁ ଯାଇ ଖୁଆଇବେ। ଦୁଇବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଲୋକମାନଙ୍କୁ ଛାଡି ସମସ୍ତଙ୍କୁ ଆଶା ତଥା ଅନ୍ୟ ସେ୍ୱଚ୍ଛାସେବୀଙ୍କ ସାମ୍ନାରେ ଫାଇଲେରିଆ ନିରାକରଣ ଔଷଧଗୁଡିକ ସେବନ କରିବାକୁ ହେବ।

ଆଇଭରମେକଫିନ ବଟିକା ୬ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକମାନଙ୍କୁ ଉଚ୍ଚତା ଅନୁଯାୟୀ ଦିଆଯିବ। ଏହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ସମନ୍ୱୟ ଲୋଡାଯାଇଛି। ଏହି ଅଞ୍ଚଳର ଲୋକମାନେ ଫାଇଲେରିଆ ନିରୋଧି ଔଷଧ ସେବନ କରିବା ସହ ସରକାରଙ୍କୁ ଫାଇଲେରିଆ ମୁକ୍ତ ଓଡିଶା ଗଠନ ପାଇଁ ଆହ୍ୱାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଏମ୍‌ସ ରେ ଫାଇଲେରିଆ ନିରାକରଣ ଅଭିଯାନ: ଗୋଟିଏ ଦିନରେ ୫୪୪ ବ୍ୟକ୍ତିଙ୍କ ବାତଜ୍ବର ଔଷଧ ସେବନ

ଭୁବନେଶ୍ୱର: ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମକୁ ତ୍ବରିତ କରିବା ଉଦ୍ଦେଶ୍ୟରେ ବୁଧବାର ଦିନ ଏମ୍‌ସ ଭୁବନେଶ୍ୱର ପରିସରରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାକୁ ସଫଳ ତଥା ସର୍ବବ୍ୟାପି କରିବା ନିମନ୍ତେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସର୍ବପ୍ରଥମେ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଟାବଲେଟ୍‌ ସେବନ କରିଥିଲେ। ଏଥିସହିତ ସମସ୍ତେ ଫାଇଲେରିଆ ନିରାକରଣ ଅଭିଯାନରେ ସାମିଲ ହୋଇ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଟାବଲେଟ୍‌ ସେବନ କରିବାକୁ ଡ. ବିଶ୍ବାସ ଆହ୍ବାନ ଦେଇଥିଲେ। ନିଜେ ପ୍ରଥମେ ଏହି ଔଷଧ ସେବନ କରି ସମସ୍ତଙ୍କୁ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ଡ. ବିଶ୍ବାସ।

ଭାରତ ସରକାରଙ୍କ ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ ଅଧୀନରେ, ଦେଶର ୨୫୬ ଫାଇଲେରିଆପ୍ରବଣ ଜିଲ୍ଲାରେ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ଷିକ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ର ଆବଶ୍ୟକ ମାତ୍ରା ଦିଆଯାଇଥାଏ। ଉପରୋକ୍ତ ୨୫୬ ଫାଇଲେରିଆ ପ୍ରବଣ ଜିଲ୍ଲାଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ଖୋର୍ଦ୍ଧା ସମେତ ୨୦ଟି ଏଣ୍ଡେମିକ୍ ଜିଲ୍ଲା ରହିଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏମ୍‌ସ ଭୁବନେଶ୍ୱରରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଟ୍ୟାବଲେଟ୍‌ର ମାଗଣା ବଣ୍ଟନ ପାଇଁ ଓପିଡି ପରିସରରେ ଏକ ସ୍ବତନ୍ତ୍ର ସାର୍ବଜନୀନ ବାତଜ୍ବର ସେବନ କେନ୍ଦ୍ର (ଏମ୍‌ଡିଏ କର୍ଣ୍ଣର) ସ୍ଥାପନ କରାଯାଇଛି। ଏଥିସହିତ ଏମ୍‌ସର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଏହାର ପରିସରରେ ରହୁଥିବା ସମସ୍ତ ପରିବାରକୁ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ଦଳ ଦ୍ୱାରା ଏହି ଔଷଧ ବିତରଣ କରାଯାଉଛି। ଆଜି ଗୋଟିଏ ଦିନରେ ଏମ୍‌ସ ଭୁବନେଶ୍ୱରରେ ୫୪୪ରୁ ଅଧିକ ବ୍ୟକ୍ତି ମାଗଣା ବାତଜ୍ବର ଔଷଧ ସେବନ କରିଛନ୍ତି।

ଆଜି ଅନୁଷ୍ଠିତ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମରେ ଡିନ୍‌ (ଏକାଡେମିକ୍) ଡ. ପି ଆର ମହାପାତ୍ର, ଡିନ୍‌ (ଗବେଷଣା) ଡ. ବିନୋଦ ପାତ୍ର, ସିଏମ୍ଏଫ୍‌ଏମ୍‌ ବିଭାଗର ଅଧ୍ୟାପକ ଡ. ବିନୋଦ ବେହେରା ପ୍ରମୁଖ ଏହି ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ଡିଇସି ଏବଂ ଆଲବେଣ୍ଡାଜୋଲ୍‌ ଔଷଧ ଖାଇଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସିଡିଏମ୍‌ଓ ଡ. ଆର୍ତ୍ତବନ୍ଧୁ ନାୟକ, ଡିଏମ୍‌ଓ ଡ. ଜୀବନ୍ତ କୁମାର ଆଚାରି, ଭିବିଡିଟି ଦୀପକ କୁମାର ନାୟକ, ସୁସ୍ମିତା ସାମନ୍ତରାୟ, ଜିଲ୍ଲା ଅଧିକାରୀ ପିସି ଜୋବକମସନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟଯେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ୨୦୦୪ରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ଦୂର କରିବା ପାଇଁ ଏହି ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏନେଇ ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଫାଇଲେରିଆ ନିରାକରଣ ନେଇ ଅନ୍ତର୍ଜାତୀୟ ସ୍ତରରେ ରଖାଯାଇଥିବା ଲକ୍ଷ୍ୟର ତିନିବର୍ଷ ପୂର୍ବ 2027 ସୁଦ୍ଧା ଭାରତକୁ ଲିମ୍ଫାଟିକ୍ ଫାଇଲେରିଆସିସ୍ ମୁକ୍ତ କରିବାକୁ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟଯେ, ଗର୍ଭବତୀ ମହିଳା, ଦୁଇ ବର୍ଷରୁ କମ୍ ଶିଶୁ ଏବଂ ଗୁରୁତର ଅସୁସ୍ଥ ରୋଗୀ ଏହି ଔଷଧ ସେବନ ନକରିବାକୁ ପରାମର୍ଶ ଦିଆଯାଇଛି।