Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରର ନୂଆ କୃଷି ଆଇନ ବାତିଲ୍ ଦାବିରେ ରାଜଭବନ ଘେରାଉ

ଭୁବନେଶ୍ୱର: କେନ୍ଦ୍ର ସରକାରର ନୂତନ କୃଷି ଆଇନ୍ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ରାଘଭବନ ଘେରାଉ ଡ଼ାକରାକୁ ସମର୍ଥନ ଜଣାଇ ଆଜି ‘ଆମ ଅଧିକାର’ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ, କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଆମ ଅଧିକାର ପକ୍ଷରୁ ଏଜି ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା।

କୃଷି ଓ କୃଷକ ବିରୋଧୀ କଳା ଆଇନ ବିରୋଧୀ ପ୍ଲାକାର୍ଡ଼ ଓ ବ୍ୟାନର ଧରି କର୍ମକର୍ତ୍ତାମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ। ସଂଗଠନର ରାଜ୍ୟ ଅବାହାକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସଞ୍ଜୟ କୁମାର ପରିଡ଼ା, ବିଶ୍ୱଭୂଷଣ ମହାପାତ୍ର ଓ ଶଙ୍କର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ୍ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଗଠନର ନେତୃବୃନ୍ଦ ଘୋଷଣା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଯୁକ୍ତ ୨ ପରୀକ୍ଷା ବାତିଲ ଦାବି: ବାଲୁଗାଁରେ ରାଜ ରାସ୍ତା ଅବରୋଧ କଲେ ଆନ୍ଦୋଳନରତ ଛାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁର ଗାନ୍ଧୀ ଛକଠାରେ ଆଜି ପୂର୍ବାହ୍ନରେ ବାଲୁଗାଁ ଓ ବାଣପୁରର ବିଭିନ୍ନ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରମାନେ ପରୀକ୍ଷା ବାତିଲ ଦାବି ନେଇ ରାଜ ରାସ୍ତା ଅବରୋଧ କରିଥିଲେ।

ସୂଚନା ମୁତାବକ ଚଳିତ ବର୍ଷ ରାଜ୍ୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ବାତିଲ ହେବା ପରେ ଯୁକ୍ତ ୨ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସରକାର ଘୋଷଣା କରିବା ପରେ ଏଥିରେ ଛାତ୍ରଛାତ୍ରୀ ଉତକ୍ଷିପ୍ତ ହୋଇପଡିଛନ୍ତି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୁକ୍ତ ଦୁଇ ପରୀକ୍ଷା ବନ୍ଦ ପାଇଁ ଦାବି ଜୋର ଧରିଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଯୁକ୍ତ ଦୁଇ ଛାତ୍ର ଛାତ୍ରୀ।

କରୋନା ମହାମାରୀକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ମହାବିଦ୍ୟାଳୟ ବନ୍ଦ ପଡିଥିବା ହେତୁ ସଠିକ ଭାବରେ ପାଠ ପଢ଼ାଯାଇପାରିନଥିଲା। ଅନଲାଇନରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖେ ପାଠ ପଢା ସମ୍ଭବ ହୋଇପାରିନି। ତେବେ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଛାତ୍ର ଛାତ୍ରୀମାନେ ସଠିକ ଭାବରେ ମହାବିଦ୍ୟାଳୟ ଗୁଡିକରେ ପଢ଼ାପଢି ହୋଇନଥିବା ହେତୁ ଏବଂ ବଢୁଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ବାତିଲ କରିବା ପାଇଁ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ଦୀର୍ଘ ସମୟ ଧରି ବାଲୁଗାଁ ଗାନ୍ଧିଛକ ଠାରେ ରାସ୍ଥା ଅବରୋଧ କରିଥିଲେ।

ପରିକ୍ଷା ବାତିଲ ନ ହେଲେ ଆଗାମୀ ଦିନମାନଙ୍କରେ ବାଲୁଗାଁ ଏବଂ ବାଣପୁର ଅଞ୍ଚଳର ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓଲ୍ହାଇବାକୁ ପଛାଇବେ ନାହିଁ ବୋଲି ସରକାରଙ୍କୁ ଆନ୍ଦୋଳନରତ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।

ତେବେ କୌଣସି ଅଘଟଣକୁ ଏଡ଼େଇବା ତଥା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦୃଷ୍ଟିରୁ ବିକ୍ଷୋଭ ସ୍ଥଳରେ ବାଲୁଗାଁ ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପହଂଚି ଆନ୍ଦୋଳନରତ ଛାତ୍ରଙ୍କୁ ବୁଝାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।