Categories
ବିଶେଷ ଖବର ରାଜ୍ୟ ଖବର

Cyclone Breaking: ଆସନ୍ତା କାଲି ୧୧ଟି ଜିଲ୍ଲାର ସବୁ ସ୍କୁଲ କଲେଜ ବନ୍ଦ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲି ପ୍ରଭାବିତ ସମସ୍ତ ୧୧ଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ସମୟରେ ଜିଲ୍ଲାପାଳମାନେ ସ୍ଥାନୀୟ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଖୋଲିବା ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଯେଉଁ ଜିଲ୍ଲାଗୁଡିକ ବାତ୍ୟା ପ୍ରଭାବିତ ସମ୍ଭାବନା ରହିଛି ସେଗୁଡିକ ହେଲା ଖୋର୍ଦ୍ଧା, କଟକ, ନୟାଗଡ଼, ଗଂଜାମ , ଗଜପତି, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡା ଏବଂ କୋରାପୁଟ।

ଆଜି ଭିଡିଓ କନଫ୍ରେସିଂ ମାଧ୍ୟମରେ ଆସନ୍ନ ବାତ୍ୟା ମୁକାବିଲା ଉପରେ ସମୀକ୍ଷା ବୈଠକ କରି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲେ ଏବଂ ଏହା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଆଜି ଅପରାହ୍ନ ସୁଦ୍ଧା ଗୁଲ୍‌ଆବ ପ୍ରଭାବିତ ଜିଲ୍ଲା ମାନଙ୍କର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନ ମାନଙ୍କରୁ ଏବଂ କଚ୍ଚା ଘର ମାନଙ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରିଯିବ ସହିତ ଭୂସ୍ଖଳନ ସଂଭାବନା ଥିବା ଅଞ୍ଚଳ ମାନଙ୍କରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର‌୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।