Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟାରେ ଗାଈମଇଁଷି ମରିଥିଲେ ୩୦ ହଜାର,ଅନ୍ୟ ପଶୁଙ୍କ ପାଇଁ ୨୫ ହଜାର, ନବୀନଙ୍କ ପ୍ୟାକେଜ ଘୋଷଣା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର ପଶୁ ସଂପଦ ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ମଇ ୨୬ ତାରିଖ ଦିନ ବାତ୍ୟା ୟାସ ଯୋଗୁଁ ଅନେକ ଜିଲ୍ଲାରେ ଫସଲ ନଷ୍ଟ ହେବା ସହିତ ପଶୁସଂପଦ, ମତ୍ସ୍ୟ, ହସ୍ତତନ୍ତ ଓ ରେଶମ ଚାଷ ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ଚାଷୀ ମାନଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏହାକୁ ତୁରନ୍ତ କାର‌୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଶୁ ସଂପଦ ପ୍ୟାକେଜରେ କଣ ଅଛି

1- ବାତ୍ୟାରେ ଦୁଧିଆଳୀ ଗାଈ, ମଇଁଷି, ଛେଳି, ମେଣ୍ଢା ଓ କୁକୁଡା ହରାଇଥିବା ଚାଷୀ ମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦,୦୦୦ ଟଙ୍କା ସହାୟତା ଘୋଷଣା କରାଯାଇଥିବା ବେଳେ, ଖୀର ଦେଉ ନଥିବା ପ୍ରାଣୀ ମାନଙ୍କ ପାଇଁ ୨୫,୦୦୦ ଟଙ୍କା ସହାୟତା (ସର୍ବାଧିକ ୩ଟି ପାଇଁ) ଦିଆଯିବ । ସେହିପରି ସର୍ବାଧିକ ୬ଟି ବାଛୁରୀ ପାଇଁ – ପ୍ରତି ବାଛୁରୀ ପାଇଁ ୧୬,୦୦୦ ଟଙ୍କା, ୩୦ଟି ଛେଳି ଓ ମେଣ୍ଢା ପର୍ଯ୍ୟନ୍ତ ୩୦୦୦ ଟଙ୍କା ଏବଂ ପ୍ରତି କୁକୁଡା ପିଚ୍ଛା ୫୦ ଟଙ୍କା ଲେଖାଏ, ସର୍ବାଧିକ ୫୦୦୦ ଟଙ୍କା ଲେଖାଏ ପ୍ରତି କ୍ଷତିଗ୍ରସ୍ତ ଚାଷୀଙ୍କୁ ଦିଆଯିବ।

2- ବାତ୍ୟାରେ ଭାଙ୍ଗି ଯାଇଥିବା ଗୁହାଳର ପୁନନିର୍ମାଣ ପାଇଁ ୨୧୦୦ ଟଙ୍କା ସହାୟତା ଦିଆଯିବ।

3- ବାତ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟ ଚାଷୀଙ୍କୁ ସେମାନଙ୍କର ଆଂଶିକ ଭାବରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪୧୦୦ ଟଙ୍କା ଲେଖାଏ, ଆଂଶିକ ଭାବରେ କ୍ଷତିଗ୍ରସ୍ତ ମାଛଧରା ଜାଲ ମରାମତି ପାଇଁ ୨୧୦୦ ଟଙ୍କା ଲେଖାଏ, ପୁରା ଭାଙ୍ଗିଯାଇଥିବା ଡଙ୍ଗା ନିର୍ମାଣ ପାଇଁ ୯୬୦୦ ଟଙ୍କା ଲେଖାଏ ଏବଂ ପୁରା ନଷ୍ଟ ହୋଇଯାଇଥିବା ମାଛଧରା ଜାଲ କ୍ଷେତ୍ରରେ ୨୬୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।

4- ବାତ୍ୟାରେ ପଟୁ ମାଟି ମାଡି ଯାଇଥିବା ମାଛ ଚାଷ ଫାର୍ମ ବା ମାଛ ବିହନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଚ୍ଛା ୧୨,୨୦୦ ଟଙ୍କା ଏବଂ କ୍ଷତିଗ୍ରସ୍ତ ମାଛ ବିହନ ଫାର୍ମ ପାଇଁ ହେକ୍ଟର ପିଚ୍ଛା ୮୨୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଭାବରେ ଯୋଗାଇ ଦିଆଯିବ।

5- ବାତ୍ୟାରେ ମଧ୍ୟ ଅନେକ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ କ୍ଷତିଗ୍ରସ୍ତ କାରିଗର ମାନଙ୍କୁ ସେମାନଙ୍କର ଉପକରଣ ପାଇଁ ୪୧୦୦ ଟଙ୍କା ଲେଖାଏ ଏବଂ ନଷ୍ଟ ହୋଇଥିବା କଂଚା ମାଲ ତଥା ତିଆରି ହୋଇଥିବା ଜିନିଷ ପାଇଁ ପ୍ରତି କାରିଗରଙ୍କୁ ୪୧୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ।

6- ଏରି, ମଲବେରୀ ଓ ଟସର ଚାଷୀ ମାନଙ୍କ ପାଇଁ ଇନ୍‌ପୁଟ ସବ୍‌ସିଡି ଭାବରେ ହେକ୍ଟର ପିଚ୍ଛା ୪୮୦୦ ଟଙ୍କା ଏବଂ ମୁଗା ଚାଷୀଙ୍କ ପାଇଁ ହେକ୍ଟର ପିଚ୍ଛା ୬୦୦୦ ଟଙ୍କା ଲେଖାଏ ସହାୟତା ଦିଆଯିବ।

7- କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ MGNREGS ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଏଥିରେ ଗ୍ରାମ ପଂଚାୟତ ରାସ୍ତା, ଖେଳ ପଡିଆ, କେନାଲ, ମାଟି ବନ୍ଧ ଆଦିର ମରାମତି ଓ ରକ୍ଷଣା ବେକ୍ଷଣ ସହିତ ଗାଈ ଗୁହାଳ, ଛେଳି ଗୁହାଳ ଓ ଗୋଖାଦ୍ୟ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ। ଯୋଗ୍ୟ ହିତାଧିକାରୀଙ୍କୁ SDRF/NDRF ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଜାତୀୟ ରାଜନୀତିରେ ନବୀନଙ୍କ ନିଷ୍ପତି ସୃଷ୍ଟି କଲା ହଇଚଇ, ଏପଟେ ରାଜ୍ୟ ବିଜେପିର ମୁହଁ ମଧ୍ୟ ବନ୍ଦ

ଭୁବନେଶ୍ବର, ସାରା ଦେଶରେ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ନେଇ ବେଶ ପ୍ରସଂଶା ସହିତ ଚର୍ଚ୍ଚା ମଧ୍ୟ ଚାଲିଛି। ତାହା ହେଲା ଯେ, ବାତ୍ୟା କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ରକୁ ନବୀନ ପଇସାଟିଏ ମଧ୍ୟ ଦାବୀ କଲେ ନାହିଁ। ସାଧାରଣତଃ ବାତ୍ୟା ହେଉ କିମ୍ବା ବନ୍ୟା, ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟମାନେ କେନ୍ଦ୍ର ପାଖରେ  କ୍ଷତିପୂରଣ ପାଇଁ ସହାୟତା ରାଶି ଦାବୀ କରିଥାନ୍ତି। ପ୍ରଥମ ଥର ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ଏପରି ଜଣେ ବ୍ୟକ୍ତି ଯେ କି ସିଧାସିଧା ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତାର ଆବଶ୍ୟକ ନାହିଁ ବୋଲି କହିଥିଲେ। ତେବେ ସେତେବେଳେ ଏହାର କାରଣ କଣ ବୋଲି ହଠାତ୍ କେହି ଜାଣିପାରିଲେ ନାହିଁ।

ଏହାର କିଛି ସମୟ ପରେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଯାହା ଲେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନବୀନ ଟୁଇଟ କରି ଜଣାଇଲେ ଯେ, ବର୍ତ୍ତମାନ ମହାମାରି ନେଇ କେନ୍ଦ୍ର ସରକାର ଚାପରେ ଅଛନ୍ତି। ସେପରି କ୍ଷେତ୍ରରେ ରାଜ୍ୟ ସରକାର ତାଙ୍କ ଉପରେ ଅଧିକ ଚାପ ସୃଷ୍ଟି କରିବାକୁ ଚାହାଁନ୍ତି ନାହିଁ। ଯାହା କିଛି କ୍ଷତି ହୋଇଛି ତାହା ରାଜ୍ୟ ତରଫରୁ ଭରଣା କରାଯିବ। ନବୀନଙ୍କ ଏପରି ମହନୀୟତା ନେଇ ବର୍ତ୍ତମାନ ସାରା ଦେଶରେ ଚାଲିଛି ଚର୍ଚ୍ଚା । ନୀବନଙ୍କ ଏପରି ନିଷ୍ପତି ଟୁଇଟରେ ଦିନ ତମାମ ଟ୍ରେନଣ୍ଡିଂ ମଧ୍ୟ ହୋଇଛି।

ତେବେ ପଶ୍ଚିମବଂଗ ଘଟଣାକୁ ନେଇ ନବୀନଙ୍କ ଏପରି ନିଷ୍ପତି ଜାତୀୟ ସ୍ତରରେ ଆହୁରି ଯୋରଦାର ହୋଇଗଲା। ଓଡିଶାରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ନବୀନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସି ରହିଥିଲେ। ହେଲେ ପଶ୍ଚିମବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ଡେରିରେ ଆସି ଶିଘ୍ର ପଳାଇଲେ। ଫଳରେ  କୋଲକତାରେ ସରକାରଙ୍କ ପାଇଁ ପଡିଥିବା ଆସନ ଖାଲି ଥିବା ଏବଂ ଓଡିଶାରେ ସରକାରଙ୍କ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟମାନେ ବସିଥିବାର ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ଫଳରେ ଜାତୀୟ ସ୍ତରର ନବୀନଙ୍କ ଭାବମୂର୍ତ୍ତିକୁ ଏହି ଘଟଣା ଆହୁରି ଉଚ୍ଚକୁ ନେଇଯାଇଛି।

ନବୀନଙ୍କ ଏପରି ନିଷ୍ପତିରେ ରାଜ୍ୟ ବିଜେପିର ମୁହଁ ବନ୍ଦ

ନବୀନଙ୍କ ଏହି ନିଷ୍ପତି ଜାତୀୟ ସ୍ତରରେ ପ୍ରଶଂସା ହୋଇଛି ସତ, ହେଲେ ଅନ୍ୟପକ୍ଷରେ ବିରୋଧୀ ବିଜେପି ନେତାଙ୍କ ମୁହଁ ମଧ୍ୟ ବନ୍ଦ କରିବାରେ ସକ୍ଷମ ହୋଇଛି। କାରଣ ଯଦି ନବୀନ ପଟ୍ଟନାୟକ କିଛି ସହାୟତା ରାଶି ମାଗି ଥାଆନ୍ତେ ଆଉ କେନ୍ଦ୍ର ସରକାର ତାହା ପୂରଣ କରିଦେଇଥାଆନ୍ତେ ତେବେ ରାଜ୍ୟ ବିଜେପି ବାହାବା ନିଶ୍ଚିତ ନେଇ ଥାଆନ୍ତେ। ଦଳର ଯେପରି ସାମାଜିକ ଗଣମାଧ୍ୟମ ସକ୍ରିୟ ଅଛି ସେଥିରେ ପୁରା ମାଇଲେଜ ଉଠାଇଥାଆନ୍ତା ବିଜେପି। ହେଲେ ତାହା ହୋଇପାରିଲା ନାହିଁ।

ଦ୍ବିତୀୟରେ ପ୍ରଧାନମନ୍ତ୍ରୀ ଓଡିଶାର ବାତ୍ୟା ପରିଚାଳନା ନେଇ ବେଶ୍ ସନ୍ତୁଷ୍ଠ ହେବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି। ଏହାଦ୍ବାରା ରାଜ୍ୟ ବିଜେପି ରାଜ୍ୟ ସରକାରଙ୍କ ଉପରେ କାଦୁଅ ଫିଙ୍ଗା ଖେଳଟି ଆଉ ଖେଳିପାରିଲେ ନାହିଁ। କହିବାକୁ ଗଲେ ନବୀନଙ୍କ ଏହି ମାଷ୍ଟ୍ରର ଷ୍ଟ୍ରୋକରେ ରାଜ୍ୟ ବିଜେପିର ମଙ୍ଗୁଆଳମାନେ ଚୁପ ରହିବାକୁ ବାଧ୍ୟ ହୋଇଛନ୍ତି। କିମ୍ବା ସିଧା କହିଲେ ନବୀନ ସେମାନଙ୍କୁ ଚୁପ କରାଇ ଦେଇଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ମାଇଲେଜ ବିଜେପିକୁ ନ ଯାଇ ସିଧା ବିଜେଡି ଖାତାରେ ଜମା ହୋଇଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ବାତ୍ୟା ପରବର୍ତ୍ତି ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା ବୈଠକ

ନୂଆଦିଲ୍ଲୀ, ୟସ ବାତ୍ୟାର ପ୍ରଭାବ ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି, କ୍ଷୟକ୍ଷତି ଆକଳନ ଏବଂ ତତ୍ ସଂକ୍ରାନ୍ତ ବିଷୟର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ।

ଓଡ଼ିଶା ଓ ପଶ୍ଚିମବଙ୍ଗରେ 46ଟି ଲେଖାଏଁ ଦଳ ସହିତ ଏନଡିଆରଏଫର ମୋଟ 106ଟି ଦଳ ନିୟୋଜିତ କରାଯାଇଥିଲା। ଏମାନେ ଏକ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ସହିତ ରାସ୍ତା ଅବରୋଧ କରିଥିବା 2500 ଗଛ ଏବଂ ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ପଦକ୍ଷେପ ନେଇଥିଲେ। ସ୍ଥଳ ସେନା ଓ ତଟରକ୍ଷୀ ବାହିନୀ ପକ୍ଷରୁ ଅସହାୟ ଲୋକମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନୌସେନା ଓ ବାୟୁସେନାକୁ ସଜାଗ ରଖାଯାଇଥିଲା।

ୟାସ ବାତ୍ୟା ଯିବା ପରେ ରାଜ୍ୟଗୁଡ଼ିକ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ କରାଯାଇଛି। ପ୍ରାଥମିକ ରିପୋର୍ଟରୁ ଯାହା ଜଣାଯାଇଛି, ସଠିକ୍ ପୂର୍ବାନୁମାନ, ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ପ୍ରଭାବୀ ଢଙ୍ଗରେ ସୂଚୀତ କରିବା ଓ ଠିକଣା ସମୟରେ ଉଦ୍ଧାର କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରୀ ଏଜେନ୍ସିଗୁଡ଼ିକ ସୁନିଶ୍ଚିତ ପଦକ୍ଷେପ ନେବା କାରଣରୁ ଧନଜୀବନ ହାନିକୁ ସର୍ବନିମ୍ନ ସ୍ତରରେ ରଖାଯାଇପାରିଛି। ତେବେ, ବନ୍ୟା କାରଣରୁ, କ୍ଷୟକ୍ଷତି ହୋଇଛି, ଯାହାକୁ ଏବେ ଆକଳନ କରାଯାଉଛି। ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଓ ଟେଲିଯୋଗାଯୋଗ ସେବାକୁ ସ୍ବାଭାବିକ କରାଯାଇପାରିଛି।

ବାତ୍ୟା ଯୋଗୁ ଦେଖାଦେଇଥିବା ଆହ୍ବାନର ମୁକାବିଲା କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରୀ ଏଜେନ୍ସିଗୁଡ଼ିକ ପ୍ରଭାବୀ ଓ ସକ୍ରିୟ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ତେବେ ପ୍ରଭାବିତ ଅଞ୍ଚଳରେ ସାଧାରଣ ଜନଜୀବନକୁ ସ୍ବାଭବିକ କରିବା ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ପରାମର୍ଶ ଦେଇଥିଲେ। ସେହିପରି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଉପଯୁକ୍ତ ଭାବେ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ଗୃହ ସଚିବ, ଶକ୍ତି ସଚିବ, ଟେଲି ଯୋଗାଯୋଗ ସଚିବ, ଆଇଏମଡି ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅପରାହ୍ନରେ ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଗତ ଦୁଇଦିନ ଭିତରେ ଉପକୂଳ ଜିଲ୍ଲାରେ ବାତ୍ୟା ୟଶ୍ ବେଶ ତାଣ୍ଡବ ସୃଷ୍ଟି କରିଦେଇଛି। ବହୁ ଗ୍ରାମ ପାଣି ଘେରରେ ରହିଥିବା ବେଳେ ଚାଷଜମି ଉଜୁଡି ଯାଇଛି। ଏପରି ପରିସ୍ଥିତିରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସାତ ଦିନ ପାଇଁ ରିଲଫ ଦେବା ପାଇଁ ଘୋଷଣା କରିଛନ୍ତି।

ତେବେ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ। ଏହାପରେ ସେ ବିଭାଗୀୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତାଣ୍ଡବ କରି ବାତ୍ୟା ୟଶ ଫେରିଲା ସତ, ହେଲେ ଛିନ୍ନିଭିନ୍ନି କରିଦେଲା ଉପକୂଳବର୍ତ୍ତି ଓଡିଶା

ଭୁବନେଶ୍ବର, ଆଜି ସକାଳ ପ୍ରାୟ ୯ ଟା ରେ ସାମୁଦ୍ରିକ ବାତ୍ୟା ‘ୟାସ’ ସ୍ଥଳଭାଗ ସ୍ପର୍ଶ ପ୍ରକ୍ରିୟା ଆରମ୍ଭ ହୋଇ ବାଲେଶ୍ୱର ସଦର, ରେମୁଣା, ବାହାନଗା ମଧ୍ୟ ଦେଇ ଗତି କରିଥିଲା । ପ୍ରାୟ ଅପରାହ୍ନ ୧ ଟା ସୁଦ୍ଧା ବାତ୍ୟା ସଂପୂର୍ଣ୍ଣ ରୂପେ ସ୍ଥଳଭାଗ ସ୍ପର୍ଶ କରିଥିଲା । ଏହି ସମୟରେ ବାଲେଶ୍ୱର ସଦର, ରେମୁଣା, ନୀଳଗିରିରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୧୩୦-୧୪୦ କି.ମି. ରହିଥିଲା । ବାଲେଶ୍ୱର ଜିଲ୍ଲା ଅତିକ୍ରମ କରି ଏହା ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦-୮୦ କି.ମି. ରହିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବାତ୍ୟା ସଂପର୍କରେ ଅବଗତ କରିବା ସମୟରେ ସେ କହିଛନ୍ତି ଯେ, ବାତ୍ୟା ସମୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ ଜିଲ୍ଲାର କୁସୁମି ବ୍ଲକରେ ପ୍ରାୟ ୩୦୪ ମି.ମି., ଭଦ୍ରକର ଚାନ୍ଦବାଲି ବ୍ଲକରେ ୨୮୮ମି.ମି., କେନ୍ଦ୍ରାପଡାର ରାଜନଗର ବ୍ଲକରେ ୨୭୫ ମି.ମି., ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ୨୭୧ ମି.ମି. ବୃଷ୍ଟିପାତ ରେକର୍ଡ କରାଯାଇଛି । ଆମ ରାଜ୍ୟର ୩୬ ଟି ସ୍ଥାନରେ ୧୦୦ ମି.ମି. ରୁ ଅଧିକ ବୃଷ୍ଟିପାତ ହେବାର ରେକର୍ଡ କରାଯାଇଛି । ଏହିପରି ୩୭ଟି ବ୍ଲକରେ ୫୦-୧୦୦ ମି.ମି. ବର୍ଷା ରେକର୍ଡ ହୋଇଛି।

ଅଧିକ ବୃଷ୍ଟିପାତ ଓ ଉଚ୍ଚ ଜୁଆର ଯୋଗୁଁ ବିଶେଷ କରି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛିିି । ଏହି ଗ୍ରାମ ଗୁଡିକରେ ଗ୍ରାମବାସୀମାନଙ୍କୁ ଆଶ୍ରୟସ୍ଥଳକୁ ପୂର୍ବରୁ ଅଣାଯାଇଥିବାରୁ ସେମାନଙ୍କୁ ସୁରକ୍ଷିତ ରଖାଯାଇ ପାରିଛି । ଆଜି ଅପରାହ୍ନ ଠାରୁ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଲାଗି ରହିଛି ।

ମୟୁରଭଞ୍ଜ ଶିମିଳିପାଳଠାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବୁଢାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଏଣୁ ଏ ସମସ୍ତ ନଦୀକୂଳିଆ ଅଂଚଳରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ମୟୁରଭଞ୍ଜ ଜିଲ୍ଲାରୁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନିଆଯାଇଛି ।

୬ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବିପଦସଂକୁଳ ସ୍ଥାନରୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । ବାଲେଶ୍ୱର ଓ ଭଦ୍ରକ ଜଳମଗ୍ନ ଗ୍ରାମ ଜଳ ଅପସାରିତ ହେଲା ପରେ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ । ଏତଦ୍‌ବ୍ୟତୀତ ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ।

ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଜଗତସିଂହପୁର ଜିଲ୍ଲାରେ ସରିଥିବାବେଳେ କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ କାମ ଚାଲୁରହିଛି । ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଜଳମଗ୍ନ ଅଂଚଳ ବ୍ୟତୀତ ଅନ୍ୟ ସ୍ଥାନମାନଙ୍କରେ ବିଦ୍ୟୁତ ଯୋଗାଣ ଶୀଘ୍ର କରାଯିବ । ଜୁଆର ପାଣି ଆସିବା ଫଳରେ ରେମୁଣା, ଧାମରାର ଅନେକ ଗ୍ରାମରେ ପାଣି ପଶୁଛି । ପ୍ରଶାସନ ଜନସାଧାରଣଙ୍କ ସହାୟତାରେ ଜଳନିଷ୍କାସନ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଏବେ ସୁଦ୍ଧା ପୂର୍ତ୍ତ ବିଭାଗର ୨୯୫ଟି ରାସ୍ତା ଓ ଗ୍ରାମ ଉନ୍ନୟନ ବିଭାଗର ୨୦୦ ରାସ୍ତା ସଫା କରାଯାଇ ଯୋଗାଯୋଗ ସୁବିଧା କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀ ଓ ଅଧିକାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି । ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ପ୍ରପୀଡିତ ଲୋକଙ୍କ ପାଇଁ କଲେ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହିତ ବାତ୍ୟା ୟାସର ପ୍ରଭାବ, ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ୧୨୮ଟି ଜଳମଗ୍ନ ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପାଇଁ ରିଲିଫ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବାତ୍ୟା ୟାସ ସମୟରେ ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସହଯୋଗ ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ନାଗରିକ ସଂଗଠନ (Community Organizations) NDRF, ODRF ଏବଂ ପୋଲିସ- ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ବାତ୍ୟା ସମୟରେ ରୋଗୀ ମାନଙ୍କୁ ନିରବଚ୍ଛିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଯୋଗାଯୋଗ ସ୍ବଭାବିକ କରାଯିବା ଏବଂ ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ପୁନଃସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ଯୋଗୁ ଉଚ୍ଚ ଜୁଆର ଆସି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ ସଡକ, ବିଦ୍ୟୁତ ଓ ଟେଲି ଯୋଗାଯୋଗ ପ୍ରଭାବିତ ହୋଇଛି। ଏହି ସମୟରେ କୋଭିଡ ହସ୍‌ପିଟାଲ ଗୁଡିକରେ କିନ୍ତୁ ସ୍ବଭାବିକ ଭାବରେ ଚାଲିଥିଲା ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ।

ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ପ୍ରଭାବିତ ଜିଲ୍ଲା ଗୁଡିକରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ମତେ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ସାଢେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ଅନ୍ୟାନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।

ବାତ୍ୟା ସମୟରେ ଘର ଭାଙ୍ଗିବା ଯୋଗୁ କୌଣସି ଲୋକ ମୃତାହତ ହୋଇଥିବାର ସୂଚନା ନାହିଁ ବୋଲି ସେ କହିଥିଲେ। କିନ୍ତୁ ବାଲେଶ୍ବରରେ ଆଶ୍ରୟସ୍ଥଳରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଏବଂ କେନ୍ଦୁଝରରେ ଘରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଗଛ ପଡିବା ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ବୋଲି ସେ କହିଥିଲେ।

ରାସ୍ତା, ବିଜୁଳି, ପାନୀୟ ଜଳ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ଏବଂ ଖୁବଶୀଘ୍ର ପରିସ୍ଥିତି ସ୍ବଭାବିକ ହେବ ବୋଲି ସେ କହିଥିଲେ। ଗଛ ପଡିବା ଯୋଗୁ ରାସ୍ତା ଅବରୋଧ ଦୂର କରିବା ପାଇଁ ଓଡ୍ରାଫ, ଅଗ୍ନିଶମ ଓ ବନ ବିଭାଗ ନିରନ୍ତର ଭାବେ ଗଛ କାଟିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ମୟୂରଭଂଜର କୁସୁମି ବ୍ଲକ୍‌ରେ ଏହି ସମୟରେ ସର୍ବାଧିକ ୩୦୫ ମିଲିମିଟର ଓ କେନ୍ଦ୍ରାପଡା ଜିଲ୍ଲାରେ ୨୧୦ ମିଲିମିଟର ବର୍ଷା ହୋଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Cyclone Yaas: ଆରମ୍ଭ ହେଲା ୟଶ୍ ର ତାଣ୍ଡବ, ପ୍ରବଳ ବର୍ଷା ସହ ପବନ , ବଡବଡ ଗଛ ହେଲା ଧରାଶୟୀ

ଭୁବନେଶ୍ବର, ବାତ୍ୟା ୟଶ୍ ର ଲ୍ୟାଣ୍ଡଫଲ ପକ୍ରିୟା ଆରମ୍ଭ ହୋଇଯାଇଛି। ଆଉ ଘଣ୍ଟାଏ ମଧ୍ୟରେ ଏହା ରେମୁଣା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ଧାମରାରୁ ମାତ୍ର 80 କିଲୋମଟିର ଦୂରରେ ରହିଛି। ତେବେ ଲ୍ୟାଣ୍ଡଫଲ ପୂର୍ବରୁ ୟଶ୍ ର ତାଣ୍ଡବ ଆରମ୍ଭ ହୋଇଯାଇଛି।

ବିଶେଷ କରି ଧାମରା, ପାରାଦ୍ବୀପ, ବାଲେଶ୍ବର ଭଦ୍ରକ ପ୍ରଭୃତି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଯାଇଛି। ଲ୍ୟାଣ୍ଡଫଳ ବେଳେ ଏହାର ଗତି ଆହୁରି ତୀବ୍ର ରହିବ। ସେତେବେଳେ ଘଣ୍ଟାକୁ ପ୍ରାୟ 155 କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ତେବେ ୟଶ ଆଜି ସକାଳୁ ତାହାର ତାଣ୍ଡବ ଆରମ୍ଭ କରିଦେଇଛି। ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚାଳଛପର ଘର ଭାଙ୍ଗିବା ସହିତ ରାସ୍ତାଘାଟରେ ଗଛ ଏବଂ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ପ୍ରବଳ ପବନ ସତ୍ବେ ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିସେବା କର୍ମଚାରୀ ତାହା ସଫା କରିବାରେ ଲାଗିଛନ୍ତି।

ପାଣିପାଗ ବିଭାଗ ଅନୁସାରେ ଏହି ପବନ ଏବଂ ବର୍ଷା ଆଜି ଦିନ ତମାମ ଲାଗି ରହିବ। ୟଶ୍ ଲ୍ୟାଣ୍ଡଫଲ ହେବା ପରେ ଏହାର ପ୍ରଭାବ ତିନି ରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ରହିବ। ଆଜି ସଂଧ୍ୟା ବେଳକୁ ଏହାର ପ୍ରଭାବ ସାମନ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧାମରାରେ ସ୍ଥଳଭାଗ ଛୁଇଁବ ବୋଲି ହେଲା ସ୍ପଷ୍ଟ, ଘଣ୍ଟାକୁ 15 କିଲୋମିଟର ବେଗରେ ଆସୁଛି ୟଶ୍

ନୂଆଦିଲ୍ଲୀ, ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା 6 ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ୟାସ୍ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ଏକ ଭୟଙ୍କର ଘୂର୍ଣ୍ଣିିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଉତ୍ତର ଓଡ଼ିଶା ଉପକୂଳ ନିକଟ ଧାମରା ବନ୍ଦର ଛୁଇଁବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଅପରାହ୍ନରେ ଧାମରାର ଉତ୍ତର ଏବଂ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ପାର ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗ କହିଛି ଯେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ଉତ୍ତର-ପଶ୍ଚିମ ଦିଗରେ ସୃଷ୍ଟି ହୋଇଥିବା ଏହି ବାତ୍ୟା 6 ଘଣ୍ଟା ତଳେ ପ୍ରାୟ 15 କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହା ପାରାଦୀପ ଠାରୁ ପ୍ରାୟ 200 କିଲୋମିଟର ଦକ୍ଷିଣ-ପୂର୍ବରେ, ବାଲେଶ୍ବରର 290 କିଲୋମିଟର ଦକ୍ଷିଣ-ପୂର୍ବରେ, ଏବଂ ସାଗର ଦ୍ୱୀପର 280 କିଲୋମିଟର ଦକ୍ଷିଣରେ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ଗୃହମନ୍ତ୍ରୀ, ଜାଣନ୍ତୁ କେଉଁ ମୁଖ୍ୟମନ୍ତ୍ରୀ କଣ କହିଲେ

ନୂଆଦିଲ୍ଲୀ, ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡବାତ୍ୟା “ୟାସ୍‍”ର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜର ଉପ ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ସାମୁଦ୍ରିକ ଝଡ଼ବାତ୍ୟା “ୟାସ୍‍” ଫଳରେ ଯେଉଁ ସମ୍ଭାବ୍ୟ ସ୍ଥିତି ଉତ୍ପନ୍ନ ହେବ ତାହାର ମୁକୁବିଲା ନିମନ୍ତେ ବିସ୍ତୃତ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଝଡ଼ବାତ୍ୟା ସମ୍ପର୍କରେ ଗତକାଲି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ ।

ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିର୍ଦ୍ଦିଷ୍ଟ ଭାବେ ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ କ୍ଷେତ୍ର ପ୍ରଶାସନଙ୍କୁ କୋଭିଡ଼ ୧୯ ହସପିଟାଲ, ପରୀକ୍ଷାଗାର, ଟିକା କୋଲ୍ଡ ଚେନ୍‍ ତଥା ଅନ୍ୟାନ୍ୟ ମେଡ଼ିକାଲମାନଙ୍କରେ ବିଜୁଳି ଯୋଗାଣର ପର‌୍ୟ୍ୟାପ୍ତ ବିକଳ୍ପ ବ୍ୟବସ୍ଥା ସୁନିଶ୍ଚିତ କରିବା ସକାଶେ ପରାମର୍ଶ ଦେଇଛନ୍ତି । ଅଧିକନ୍ତୁ, ସେ ପରମର୍ଶ ଦେଇଛନ୍ତି ଯେ ହସପିଟାଲମାନଙ୍କରେ ପର‌୍ୟ୍ୟାପ୍ତ ମାତ୍ରାର ଅତ୍ୟାବଶ୍ୟକ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବା ଉଚିତ ।

ବାତ୍ୟା ପରେ ଯେହେତୁ ଯାନବାହନ ଚଳାଚଳ କ୍ଷେତ୍ରରେ ସାମୟିକ ପ୍ରତିବନ୍ଧକ ଉପୁଜିପାରେ ଏହାକୁ ଦୃଷ୍ଟିରେ ରଖି ଏଭଳି ଔଷଧପତ୍ର ମହଜୁଦ ରଖିବା ଆବଶ୍ୟକ । ଅସ୍ଥାୟୀ ହସପିଟାଲ ସମେତ ସ୍ୱାସ୍ଥ୍ୟକେନ୍ଦମାନ, ଯେଉଁମାନେ କି ଏହି ସାମୁଦ୍ରିକ ଝଡ଼ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି ସେଠାରେ ଯେଭଳି ବିଶେଷ କ୍ଷୟକ୍ଷତି ନହୁଏ ଏବଂ ଯେଉଁଠାରେ ଆବଶ୍ୟକ ସେହିସବୁ ସ୍ଥାନମାନଙ୍କୁ ଆଗୁଆ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ନିମନ୍ତେ ସ୍ୱରାଷ୍ଟ୍ର ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତିଯେ ଦେଶର ପଶ୍ଚିମ ତଟୀୟ ରାଜ୍ୟମାନଙ୍କରେ ଏଭଳି ଆଗୁଆ ପଦକ୍ଷେପ ନିଆଯାଇଥିବାରୁ ସେଠାରେ ଚିକିତ୍ସା ବ୍ୟବସ୍ଥା ଉପରେ ସାମୁଦ୍ରିକ ଝଡ଼ବାତ୍ୟାର କୌଣସି ପ୍ରତିକୂଳ ପ୍ରଭାବ ପଡ଼ିନଥିଲା ।

ରାଜ୍ୟ ସରକାରଙ୍କୁ ବାତ୍ୟା ପ୍ରସ୍ତୁତି ନିମନ୍ତେ ସହାୟତା ଯୋଗାଣର ପ୍ରତିଶ୍ରୁତି ପ୍ରଦାନ ନିମନ୍ତେ ବୈଠକ କରିଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ । ସେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ଓଡ଼ିଶା ସରକାର ଏହି ସାମୁଦ୍ରିକ ଝଡ଼ବାତ୍ୟାର ମୁକାବିଲା ସକାଶେ ସବୁମତେ ପ୍ରସ୍ତୁତ ରହିଛନ୍ତି ।

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଯେ ବାତ୍ୟା ମୁକାବିଲା ନିମନ୍ତେ ତାଙ୍କ ରାଜ୍ୟ ସରକାର ଆବଶ୍ୟକ ପ୍ରାବଧାନ ଓ ପ୍ରସ୍ତୁତି କାର‌୍ୟ୍ୟ ଶେଷ କରିଛନ୍ତି ।ଏହି ବାତ୍ୟା ଯୋଗୁ ଯେଭଳି ସର୍ବନିମ୍ନ ଧନଜୀବନ ହାନି ଘଟେ ତାହା ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ସେହିଭଳି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରି କହିଥିଲେ ଯେ ବାତ୍ୟାଜନିତ ପରିସ୍ଥିତିର ମୁକାବିଲା ଲାଗି ତାଙ୍କ ରାଜ୍ୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଉପ ରାଜ୍ୟପାଳ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସୂଚାଇଥିଲେ ଯେ ଏହି ବାତ୍ୟାର ଦ୍ୱୀପପୁଞ୍ଜ ଉପରେ ଅତି ସାମାନ୍ୟ ପ୍ରଭାବ ରହିବ ।

ଏହି ସମୀକ୍ଷା ବୈଠପରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ, କ୍ୟାବିନେଟ ସଚିବ, ସ୍ୱରାଷ୍ଟ୍ର ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶକ୍ତି, ଟେଲିଯୋଗାଯୋଗ, ସଡ଼କ ପରିବହନ ଓ ରାଜମାର୍ଗ, ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ, ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସଚିବଗଣ, ଏନଡିଏମଏ, ସିଆଇଏସସି, ସମନ୍ୱିତ ଡିଫେନ୍ସ ଷ୍ଟାଫ୍ରୀ ସଦସ୍ୟଗଣ, ଭାରତୀୟ ପାଣିପାଗ ବିଭାଗ, ତଟରକ୍ଷୀ ବାହିନୀ ଏବଂ ଏନଡିଆରଏଫର ମହାନିର୍ଦ୍ଦେଶକବୃନ୍ଦ, ସଂପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାଣନ୍ତୁ, ବାତ୍ୟା ୟଶ୍ କେଉଁଦିନ କେଉଁ ରୂପ ଧାରଣ କରିବା ସହିତ ପବନର ଗତି କେତେ ରହିବ

ଭୁବନେଶ୍ବର, ବାତ୍ୟା ୟଶ୍ ବର୍ତ୍ତମାନ ଧିରେ ଧିରେ ସ୍ଥଳଭାଗ ଆଡକୁ ମାଡି ଆସୁଛି। ତାଜା ସୂଚନା ଅନୁସାରେ ଏହା ଘଣ୍ଟାକୁ 12 କିଲୋମିଟର ବେଗରେ ଗତି କରୁଛି। ଏହା ଆସନ୍ତା 26 ତାରିଖରେ ସ୍ଥଳ ଭାଗ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହି ବାତ୍ୟା କେଉଁ ଦିନ କିପରି ରୂପ ଧାରଣ କରୁଛି ତାହା ଆସନ୍ତୁ ଜାଣିବା

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ୟଶ୍ ଘଣ୍ଟାକୁ ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି

ଭୁବନେଶ୍ବର, ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟଶ୍ ତୀବ୍ର ରୂପ ଧାରଣ କରିଛି। ବର୍ତ୍ତମାନ ଏହି ବାତ୍ୟା ୟଶ୍ ଘଣ୍ଟାକୁ ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି। ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ତେବେ ଏହା କେଉଁଠାରେ ସ୍ଥଳ ଭାଗ ଛୁଇଁବ ତାହା ନିର୍ଦ୍ଧାରଣ କରାଯାଇ ପାରି ନାହିଁ। ବର୍ତ୍ତମାନର ଗତିପଥ ଅନୁସାରେ ବାଲେଶ୍ବରରେ ସ୍ଥଳ ଭାଗ ଛୁଇଁବ ବୋଲି ସମ୍ଭାବନା ରହିଛି।

ବର୍ତ୍ତମାନ ବାତ୍ୟା ୟଶ୍ ପାରାଦୀପଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୪୯୦ କିଲୋମିଟର ଦୂରରେ ଥିବା ବେଳେ ଦକ୍ଷିଣ-ଦକ୍ଷିଣପୂର୍ବ ବାଲେଶ୍ବର ଠାରୁ ୫୯୦ କିଲୋମିଟର ଓ ଦୀଘା ଠାରୁ ୫୪୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ।

ଭାରତୀୟ ପାଣିପାଗ ସୂଚନା ଅନୁସାରେ ବାତ୍ୟା ୟଶ୍ ଆସନ୍ତା ୨୬ ତାରିଖ ଦିନ ପୂର୍ବାହ୍ନରେ ଲ୍ୟାଣ୍ଡଫଲ କରିବ। ପାରାଦୀପ ଓ ସାଗରଦ୍ବୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବରୁ କୁହାଯାଉଛି ।

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡଫଲ୍‌ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ କି.ମିରୁ ୧୬୫ କି.ମି ରହିବ । ଏ ନେଇ ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ମଙ୍ଗଳବାରରୁ ରାଜ୍ୟରେ ବର୍ଷା ଆରମ୍ଭ ହେବର ସମ୍ଭାବନା ରହିଛି। ଧିରେ ଧରେ ଏହି ବର୍ଷାର ପ୍ରକୋପ ବଢିବ। ଏଥିସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ମୁକାବିଲାରେ ପ୍ରଶାସନକୁ ସହଯୋଗ କରନ୍ତୁ, ଡବଲ ମାସ୍କ ପିନ୍ଧନ୍ତୁ, ରାଜ୍ୟବାସୀଙ୍କୁ ନବୀନଙ୍କ ନିବେଦନ

ଭୁବନେଶ୍ବର, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ – କୋଭିଡ ଓ ବାତ୍ୟା ୟଶ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ। ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତର ରେ ପ୍ରଶାସନକୁ ପୁରା ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଅନୁରୋଧ କରି ଆହୁରି କହିଛନ୍ତି ଯେ ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ। ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଜରୁରୀ। ଡବଲ ବିପଦ ପାଇଁ ଡବଲ ମାସ୍କ। ତା ସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି।

ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି ଏବଂ ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ୟଶ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଭାବରେ ଦେଖା ଦେଇଛି । ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କୋଭିଡ ର ମୁକାବିଲା ଆମକୁ କରିବାକୁ ହେବ ।

ଗତ ବର୍ଷ ମେ ମାସରେ ମଧ୍ୟ ଆମେ କୋଭିଡ ସହ ବାତ୍ୟା ଅମ୍ଫନ ର ସାମନା କରିଥିଲେ ଏବଂ ଲୋକଙ୍କ ସହଯୋଗରେ ଆମେ ସଫଳତାର ସହ ସେ ପରିସ୍ଥିତିର ମୁକାବିଲା କରିଥିଲେ ବୋଲି ସେ ମନେପକାଇ ଦେଇଥିଲେ।

ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ। ସାମାନ୍ୟ ହେଳା ବଡ ବିପଦ ସୃଷ୍ଟି କରିପାରେ ବୋଲି ସେ ସତର୍କ କରିଥିଲେ। ସରକାର ବାତ୍ୟା ଓ କୋଭିଡ ଦୁଇଟି ଯାକ ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜନସାଧାରଣଙ୍କ ସହଯୋଗ ହିଁ ଆମର ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ।

ଜନସାଧାରଣଙ୍କୁ ଆହୁରି ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ ପାଇଁ ଅଧିକ ସାବଧାନ ରହିବାକୁ ହେବ । ଆବଶ୍ୟକତାକୁ ଦେଖି ମିଶନ୍ ଶକ୍ତି ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ସେ କଲେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ।

ପ୍ରାକୃତିକ ବିପର‌୍ୟ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜର ବନ୍ଧୁମାନେ ସମସ୍ତେ ସରକାରଙ୍କୁ ପୁରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ, ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୁଦ୍ଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି ଥରେ ସମସ୍ତଙ୍କୁ ଦୁଇଟି ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ। ବାତ୍ୟା ଆଶ୍ରୟସ୍ଥଳରେ ଓ ଘରେ ପିନ୍ଧିବା ସହିତ ବାତ୍ୟା ଗଲା ପରେ ମଧ୍ୟ ଦୁଇଟି ମାସ୍କ ପିନ୍ଧିବା ଜାରି ରଖିବାକୁ ସେ ଅନୁରୋଧ କରିଥିଲେ । ପରିଶେଷରେ ଏହି ଦୁଇ ଲଢେଇରେ ବିଜୟ ପାଇଁ ପ୍ରଶାସନକୁ ପୁରା ସହଯୋଗ ଦେବାକୁ ସେ ନିବେଦନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନୁଭବ ହେଲା ବାତ୍ୟାର ପୂର୍ବ ସଙ୍କେତ, ଆରମ୍ଭ ହେଲା ବିଭିନ୍ନ ସ୍ଥାନରେ ବର୍ଷା ସହିତ କୋହଲା ପବନ

ଭୁବନେଶ୍ବର, ଆଜି ମଧ୍ୟାହ୍ନରୁ ଭୁବନେଶ୍ବର କଟକ ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରେ ଆଜି ମଧ୍ୟାହ୍ନରୁ କଳାହାଣ୍ଡିଆ ମେଘ ଆସି ଅନ୍ଧାର କରିଦେଇଛି। କିଛି ସମୟ ପରେ ବର୍ଷା ସହିତ କୋହଲା ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି।

ପାଣିପାଗ ବିଭାଗ ଅନୁସାରେ ଆଜି ଉପକୂଳ ଜିଲ୍ଲାର ସମସ୍ତ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଏହା ହେଉଛି ବାତ୍ୟା ୟଶ୍ ଆସିବାର ପୂର୍ବ ସଙ୍କେତ। ଏଥିସହିତ ଏହି ଅଞ୍ଚଳରେ ପବନ ମଧ୍ୟ ପ୍ରବାହିତ ହେଉଛି। ତେବେ ଏହି ବର୍ଷା ଧିରେ ଧିରେ ପ୍ରବଳ ଆକାରକୁ ଧାରଣ କରିବ ବୋଲି ଅନୁମାନ କରାଯାଇଛି। ତେବେ ବାଲେଶ୍ବର ପାରାଦ୍ବୀପ ପ୍ରଭୃତି ସ୍ଥାନରେ ଏହି ବର୍ଷା ପ୍ରବଳ ହୋଇଥିବାର ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଳମ୍ବ ନ କରି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତରିତ କର, ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ ଦେଲେ ଏସଆରସି

ଭୁବନେଶ୍ବର, ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଶିଘ୍ର ସ୍ଥାନାନ୍ତରିତ କର। କୌଣସି ବିଳମ୍ବ ନ କରି ଏହି ନେଇ ପଦକ୍ଷେପ ନିଅ। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏହିପରି ଏକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଏହି ଜରୁରୀ ବାର୍ତ୍ତାରେ ଏସଆରସି ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ଏହାକୁ ଗୁରୁତର ସହ ନେବାକୁ କହିଛନ୍ତି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହି ସ୍ଥାନାନ୍ତରିତ ପକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ମଙ୍ଗଳବାରରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଥିଲା। ହେଲେ ବର୍ତ୍ତମାନ ବାତ୍ୟାର ପ୍ରଭାବକୁ ଦେଖି ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି। ସେହି ପରିବର୍ତ୍ତନ ଅନୁସାରେ ଆଜି ତୁରନ୍ତ ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇଛି। ଗତ ୬ ଘଣ୍ଟା ଯାଏଁ ସମୁଦ୍ର ଭିତରେ ଏହା ଗତି କରି ନ ଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି।

ତେବେ ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ପାରାଦୀପ ଏବଂ ସାଗର ଦୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ୧୦ଟି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ୧୦ ଟି ଜିଲ୍ଲାରେ କଟକଣାକୁ ୨ ଘଣ୍ଟା ପାଇଁ କୋହଳ କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି।

ଆଜି ଏବଂ ଆସନ୍ତାକାଲି ପାଇଁ କଟକଣାକୁ କୋହଳ କରାଯାଇଛି। ସକାଳ ୭ ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ପୂର୍ବରୁ ଏହି କଟକଣାକୁ ଦିନ ୧୧ ଟା ପର୍ଯ୍ୟନ୍ତ ରଖାଯାଇଥିଲା। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ପାଇଁ ୨୨ଟି ଏନଡିଆରଏଫ, ୬୬ ଟି ଓଡ୍ରାଫ, ୧୭୭ଟି ଅଗ୍ନିଶମ ସେବା ଟିମକୁ ରଖାଗଲା ସଜାଗ

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାର ମୁକାବିଲା ପାଇଁ ନିୟମିତ ଭାବେ ପ୍ରସ୍ତୁତି ବୈଠକ କରାଯାଉଛି। ସମସ୍ତ ସଂପୃକ୍ତ ବିଭାଗ ଏଥିପାଇଁ ପ୍ରସ୍ତୁତ ରହିଛନ୍ତି। ଲୋକଙ୍କ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖାଯାଇଛି। ଜଳ ଓ ବିଦ୍ୟୁତ ଯୋଗାଣ ପୁନଃସ୍ଥାପନ ପାଇଁ ଆବଶ୍ୟକ ଟିମ୍‌ ଓ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଥିଲେ।

ଉନ୍ନୟନ କମିଶନର ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା କହିଥିଲେ ଯେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସଂପର୍କରେ ସଠିକ ସୂଚନା ମିଳିବ। ବାତ୍ୟାର ମୁକାବିଲା ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି। ୨୨ଟି ଏନଡିଆରଏଫ ଟିମ୍‌, ୬୬ ଟି ଓଡ୍ରାଫ ଟିମ୍‌ ଏବଂ ୧୭୭ଟି ଅଗ୍ନିଶମ ସେବା ଟିମ୍‌ ଆଦି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି।

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ସହିତ ଲୋକଙ୍କ ସ୍ଥାନାନ୍ତର ପାଇଁ ଅତିରିକ୍ତ ଆଶ୍ରୟସ୍ଥଳ ମଧ୍ୟ ଚିହ୍ନଟ କରାଯାଇଛି। ସବୁ ସ୍ଥାନାନ୍ତର କ୍ଷେତ୍ରରେ କୋଭିଡ ନିୟମାବଳୀର ପାଳନ କରାଯିବ। ସେହିପରି ଟେଲିକମ୍‌ ଓ ବିଦ୍ୟୁତ ବିଭାଗକୁ ମଧ୍ୟ ତୁରନ୍ତ ପୁନଃସଂଯୋଗ ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜୁନ୍‌ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ସମ୍ଭାବନା ଥିବା ସମସ୍ତ ଗର୍ଭବତୀ ମହିଳାଙ୍କୁ ହସ୍‌ପିଟାଲକୁ ନେବା ପାଇଁ ଜିଲ୍ଲାଗୁଡିକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ୟଶ୍ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, କେହି ଭୟଭୀତ ହୁଅନ୍ତୁ ନାହିଁ: ଏସଆରସି ପ୍ରଦୀପ ଜେନା

ଭୁବନେଶ୍ୱର: ଆସନ୍ତାକାଲି ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୪ ତାରିଖରେ ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ପରେ ଏହା ୨୬ ତାରିଖ ସକାଳ ସୁଦ୍ଧା ସ୍ଥଳ ଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଇଛି।

ଆସନ୍ତା ୨୬ ଅପରାହ୍ନରେ ଭଦ୍ରକ କିମ୍ବା ବାଲେଶ୍ୱର ଉପକୂଳ କିମ୍ବା ଏହାର ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳର ଦୀଘା ବା କଣ୍ଟାଇ ପାଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ପରେ ଏହା ମୟୂରଭଞ୍ଜ, ଝାଡ଼ଖଣ୍ଡ ଦେଇ ବିହାର ଆଡ଼କୁ ଗତି କରିପାରେ। ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। କଟକର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗାରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୪ ତାରିଖ ରାତିରୁ ବାଲେଶ୍ୱର ଓ ଆଖାପାଖ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇପାରେ। ୨୫ ଓ ୨୬ରେ ଉତ୍ତର ପୂର୍ବ ଓଡ଼ିଶାରେ ବର୍ଷା, ପବନ ଅଧିକ ରହିବ। ଏହି ସମ୍ଭାବ୍ୟ ବାତ୍ୟା ଅଧିକ ଘନୀଭୂତ ହେଲେ ଭୀଷଣ ବାତ୍ୟା (ଭେରି ସିଭିୟର) ରୂପ ନେଇପାରେ। ଏହା ବାତ୍ୟା ସ୍ଥିତିରେ ରହିଲେ ଘଣ୍ଟା ପ୍ରତି ୬୫ରୁ ୯୦ କିମି ଓ ଭୀଷଣ ବାତ୍ୟା ହେଲେ ୯୦ରୁ ୧୨୦ କିମି ବେଗରେ ପବନ ବହିବା ଆଶଙ୍କା ଅଛି।

ତେବେ ଏହାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପ୍ରାକ ଆକଳନ କରିବା ସହ ସତର୍କ ରହିବାକୁ କହିଛନ୍ତି। ସେଥିପାଇଁ ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ଵତନ୍ତ୍ର ରିଲିଫ କମିଶନର ଏକ ପ୍ରସ୍ତୁତି ବୈଠକ କରିଛନ୍ତି। ଏହି ବୈଠକ ପରେ ଏସଆରସି ପୂର୍ବ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି। ଏହି ସମୟରେ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ସମୁଦ୍ର ମଧ୍ୟରେ ରହିଯାଇଛନ୍ତି, ସେମାନଙ୍କୁ ଫେରାଇ ଅଣାଯାଉଛି। ଓଡ୍ରାଫ,  ଅଗ୍ନିଶମ  ଏବଂ ଏନଡିଆରଏଫ ଟିମକୁ ପଠାଯାଉଛି। ଗୁଜୁରାଟ ଯାଇଥିବା ୫ଟି ଏନଡିଆରଏଫର ଟିମ ଏଥିରେ ନିୟୋଜିତ ହେବେ। ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ ତଳକୁ ଖସାଇ ଦିଆଯାଇଛି। ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ, ବୋର୍ଡ ଖୋଲିବାକୁ କୁହାଯାଇଛି। କୋଭିଡ ସଙ୍କଟ ଥିବାରୁ ଅଧିକ ସଂଖ୍ୟାରେ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ଆଶ୍ରୟସ୍ଥଳୀକୁ ଯେପରି ଠିକ୍‌ ବ୍ୟବସ୍ଥାରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ, ସେ ଦିଗରେ ଗୁରୁତ୍ୱ ଦିଆଯାଇଛି। ବୟସ୍କ, ଅସୁସ୍ଥ, ଶିଶୁ, ଗର୍ଭବତୀ, ଭିନ୍ନକ୍ଷମଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି। ଡାକ୍ତରଖାନାରେ ଜେନେରେଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚାଇବା ପାଇଁ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ଯୋଗାଣ ସ୍ୱାଭାବିକ ରହିବାକୁ ଆବଶ୍ୟକ ମୁତାବକ ଜେନେରୋଟ ମହଜୁଦ ରଖିବାକୁ କୁହାଯାଇଛି। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ତ୍ୱରିତ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ତେଣୁ କେହି ଆତଙ୍କିତ ନ ହେବା ପାଇଁ ଶ୍ରୀ ଜେନା ଅନୁରୋଧ କରିଛନ୍ତି।