Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ‘ୟଶ’ ନିମନ୍ତେ ଓଡିଶା ସରକାରଙ୍କୁ ସହାୟତାର ହାତ ବଢ଼େଇଲା ଆଈଏନଏସ ଚିଲିକା

ସୀତାରାମ ଅଗ୍ରୱାଲ

ଚିଲିକା: ମହାବାତ୍ୟା ‘ୟଶ’ ର ମୁକାବିଲା ପାଇଁ ଭାରତୀୟ ନୌସେନା ସମ୍ପୂର୍ଣ ପ୍ରସ୍ତୁତ ଅଛି ବୋଲି ନାଭାଲ ଅଫିସର ଇନଚାର୍ଜ(ଓଡିଶା) ଏନ. ପି ପ୍ରଦୀପ ଆଜି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଆଈଏନଏସ ଚିଲିକା ବାତ୍ୟା ‘ୟଶ’ରେ ଓଡିଶାର ବେସାମରିକ ନାଗରିକମାନଙ୍କୁ ସହଯୋଗ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି। ହଜାର ହଜାର ଜନସାଧାରଣଙ୍କ ନିମନ୍ତେ ପାଣି ଏବଂ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରି ସଜାଗ ଅଛି ଆଈଏନଏସ ଚିଲିକା।

ତତ ସହିତ ନାଗରିକମାନଙ୍କୁ ରିଲିଫ ଯୋଗାଣ ଏବଂ ଉଦ୍ଧାର କାର୍ଯ୍ୟ ନିମନ୍ତେ ନୌସେନାର ବିଭିନ୍ନ ଟିମ ପ୍ରସ୍ତୁତ ହୋଇସାରିଛି। ଓଡିଶା ସରକାରଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଆଈଏନଏସ ଚିଲିକା ତାର ସେବା କାର୍ଯ୍ୟ ଆରମ୍ଭ କରିଦେବ। ଗତ ମଇ ୨୪ ତାରିଖରୁ ଭାରତୀୟ ନୌସେନା ଓଡ଼ିଶା ସରକାରଙ୍କ ସହ ପ୍ରତ୍ୟକ୍ଷ ଭାବେ ସମ୍ପର୍କରେ ଅଛି। ଏଥି ନିମନ୍ତେ ଆଈଏନଏସ ଚିଲିକାରେ ଏକ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି। ତତସହିତ ଉକ୍ତ କଣ୍ଟ୍ରୋଲ ରୁମ ଧାମରା, ଗୋପାଳପୁର ଏବଂ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗରେ ବାତ୍ୟା ସମୟରେ ସମୁଦ୍ରର ତଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଜାହାଜ ଗୁଡିକର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ମୁକାବିଲା କରିବା ପାଇଁ ଅଧିକାରୀମାନେ ଅଫିସରେ ରହିବାକୁ ଖାଦ୍ୟଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଦ୍ୱାରା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ଦୃଷ୍ଟିରୁ ଜନସାଧାରଣଙ୍କ ଅତ୍ୟାବଶ୍ରକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ସଦ୍ୟତମ ସ୍ଥିତି ଏବଂ ରବିଧାନ ସଂଗ୍ରହ ବିଷୟରେ ସମୀକ୍ଷା କରିବା ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ ରହି ସ୍ଥିତିର ମୁକାବିଲା କରିବା ପାଇଁ କହିଛନ୍ତି ।

ସମ୍ବେଦନଶୀଳ ଅଞ୍ଚଳ ଏବଂ ବାତ୍ୟା ଦ୍ୱାରା ବିଚ୍ଛିନ୍ନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଖାଉଟିମାନଙ୍କ ନିକଟରେ ରାସନ ସାମଗ୍ରୀ ଯେପରି ଠିକଣା ଭାବରେ ପହଞ୍ଚିପାରିବ ସେଥି ନିମନ୍ତେ ପଦକ୍ଷେପ ନେବାକୁ କହିଛନ୍ତି । ମଇ ଓ ଜୁନ ମାସର ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକୁ କାଲି ସୁଦ୍ଧା ଶେଷ କରିବାକୁ ମନ୍ତ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ସମୟରେ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଚୁଡ଼ା ଓ ଗୁଡ଼ ଗଚ୍ଛିତ ରଖିବା ସହିତ ଯେପରି ଆବଶ୍ୟକ ପରିମାଣର ଡିଜେଲ, ପେଟ୍ରୋଲ, କିରୋସିନି ଏବଂ ଏଲ୍‌ପିଜି ଗ୍ୟାସ ଉପଲବ୍ଧ ହୋଇପାରିବ ସେଥି ନିମନ୍ତେ ପ୍ରେଟ୍ରୋଲ ପମ୍ପ ଏବଂ ଡିଲରମାନଙ୍କ ସହିତ ଯୋଗାଯୋଗ କରି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ଆଶଙ୍କା ଦୃଷ୍ଟିରୁ କିଛି ଲୋକ ଆବଶ୍ୟକତାଠାରୁ ଅଧିକ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ଯଥା-ଚାଉଳ, ଅଟା, ଡାଲି, ଖାଇବା ତେଲ, ଆଳୁ, ପିଆଜ ଇତ୍ୟାଦି କ୍ରୟ କରିବାର ସମ୍ଭାବନା ଥିବାରୁ ଖାଉଟିମାନଙ୍କୁ ଅଧିକ ସାମଗ୍ରୀ ନକିଣିବା ପାଇଁ ସଚେତନ କରିବା ପାଇଁ କହିଛନ୍ତି । ଏଥି ସହିତ କିଛି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରି କରିବାର ଆଶଙ୍କା ଦୃଷ୍ଟିରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରି ଖିଲାପୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ସମୟରେ କୌଣସି ଅଧିକାରୀ ଏବଂ କର୍ମଚାରୀ ସଦର ମହକୁମା ଛାଡ଼ି ନଯିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସଂପ୍ରତି ବିଭିନ୍ନ ଜିଲ୍ଲାରେ ଚାଷୀମାନଙ୍କଠାରୁ ରବିଧାନ ଏବଂ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଚାଲୁ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ବାତ୍ୟାର ସ୍ଥିତିକୁ ବିଚାରକୁ ନେଇ ନିହାତି ଆବଶ୍ୟକ ସ୍ଥଳେ ରବିଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଳ୍ପ ସମୟ ପାଇଁ ସ୍ଥଗିତ ରଖିବା ଦିଗରେ ନିଷ୍ପତ୍ତି ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ସଂଗୃହୀତ ହୋଇଥିବା ଧାନକୁ ତୁରନ୍ତ ମିଲରମାନେ ଉଠାଇ ନେବା ସହିତ ମଣ୍ଡିରେ ତାରପୋଲିନ୍‌ ଦ୍ୱାରା ଧାନକୁ ସୁରକ୍ଷିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଆର୍‌ଏମ୍‌ସି ପକ୍ଷରୁ ମଣ୍ଡିଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣର ତାର୍‌ପୋଲିନ୍‌ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ କହିଲେ ଯେ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ବିଭାଗ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଶୁଖିଲା ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ଏବଂ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆବଶ୍ୟକ ପରିମାଣରେ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବ(ଧାନ ସଂଗ୍ରହ) ଏବଂ ଅତିରିକ୍ତ ସଚିବ (ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌), ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ନିବନ୍ଧକ, ସମବାୟ ସମିତି ସମୂହ, ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ, ଓସାମ୍‌ ବୋର୍ଡର ସଦସ୍ୟ ସଚିବଙ୍କ ସମେତ ଉପକୂଳ ଜିଲ୍ଲାର ଜିଲ୍ଲା ଯୋଗାଣ ଅଧିକାରୀ, ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ ପ୍ରମୁଖ ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବାତ୍ୟା ‘ୟଶ’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ପ୍ରଭାବିତ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ନିର୍ଦ୍ଦେଶ

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ୟଶ’କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳୀରେ କମ ସଂଖ୍ୟକ ଲୋକଙ୍କୁ ରଖିବା ପାଇଁ କୁହାଯାଇଛି। ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣରେ ଅସୁବିଧା ନହେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି।

ହସ୍ପିଟାଲରେ ଯେଭଳି ବିଦ୍ୟୁତ ସମସ୍ୟା ନହେବ ସେଥିଲାଗି ପଦକ୍ଷେପ ନେବା ଲାଗି କୁହାଯାଇଛି। ହସ୍ପିଟାଲରେ ପର୍ଯ୍ୟାପ୍ତ ଅମ୍ଳଜାନ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆଡକୁ ଆସୁଛି ବାତ୍ୟା ୟଶ୍, ମୁକାବିଲା ପାଇଁ ଏସଆରସି ନେଲେ ଜରୁରୀ ବୈଠକ

ଭୁବନେଶ୍ୱର,  ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୭୨ ଘଣ୍ଟା ମଧ୍ୟରେ ୨୫ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟାର ରୂପ ନେବାର ପୂର୍ବାନୁମାନ କରାଯାଇଛି ।  ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ବାତ୍ୟାର ନାମ ରଖାଯାଇଛି ୟଶ୍।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ଏହି ସମ୍ଭାବନାକୁ ଭିତ୍ତିକରି ପ୍ରାକ୍‌ ଆକଳନ ସ୍ୱରୂପ ସମସ୍ତ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମତ୍ସ୍ୟଜୀବୀମାନଙ୍କୁ ସତର୍କ ରହିବାକୁ ଏବଂ ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ଉପକୂଳକୁ ଫେରି ଆସିବାକୁ କୁହାଯାଇଛି ଏବଂ ଏ ସମୟରେ ଆଉ କେହି ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ମାଇକ୍‌ ମାଧ୍ୟମରେ ପ୍ରଚାର କରାଯାଇ ଏ ବିଷୟରେ ଜଣାଇ ଦିଆଯିବ ବୋଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।  ଏ ସଂପର୍କରେ ସେ ଓଡ଼ିଶା ପୋଲିସ, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ ସେବା, ଓଡ୍ରାଫ, ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ, ଭାରତୀୟ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ଏବଂ ଓସ୍‌ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା କରିଛନ୍ତି ।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପୁନଶ୍ଚ କହିଛନ୍ତି ଯେ ଲଘୁଚାପର ତୀବ୍ରତା, ବେଗ, ରୂପ ବାବଦରେ ଏ ପର୍ଯ୍ୟନ୍ତ ସଠିକ୍‌ ଆକଳନ କରାଯାଇ ନାହିଁ ଏବଂ ଏହା କେଉଁଠାରେ ସ୍ଥଳଭାଗ ସ୍ପର୍ଶ କରିବ ଜଣାପଡ଼ିନାହିଁ । ଏଣୁ କୌଣସି ପ୍ରକାର ମିଥ୍ୟା ସମ୍ବାଦ ତଥା ଆକଳନ ଉପରେ ଧ୍ୟାନ ନଦେବାକୁ ସେ ସତର୍କ କରାଇ ଦେଇଛନ୍ତି । ରାଜ୍ୟ ସରକାର ଏହି ସମ୍ଭାବ୍ୟ ବାତ୍ୟା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପୂର୍ବ ପ୍ରସ୍ତୁତି କରିବା ନିମନ୍ତେ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି।