Categories
ଆଜିର ଖବର ରାଜ୍ୟ ଖବର

ଡିଏଭି ପୋଖରୀପୁଟରେ ବାର୍ଷିକ ପ୍ରଦର୍ଶନୀ (ପ୍ରଜ୍ଞାନ୍-ଦ ମାଭ୍ରିକ୍ ଏକ୍ସପ୍ଲୋରର୍) ଆୟୋଜିତ

ଭୁବନେଶ୍ୱର: ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଡିଏଭି ପୋଖରୀପୁଟରେ ପ୍ରତିବର୍ଷ ପରି ଚଳିତ ବର୍ଷ ବାର୍ଷିକ ପ୍ରଦର୍ଶନୀ (ପ୍ରଜ୍ଞାନ୍-ଦ ମାଭ୍ରିକ୍ ଏକ୍ସପ୍ଲୋରର୍) ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଓଡ଼ିଆ, ହିନ୍ଦୀ ଆଦି ବିଭିନ୍ନ ବିଭାଗରେ ପ୍ରାୟ ଚାରିଶହରୁ ଊର୍ଦ୍ଧ୍ୱ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ୧୫୮ଟି ପ୍ରକଳ୍ପକୁ ସେମାନଙ୍କ ଯାଦୁକରୀ ସ୍ପର୍ଶରେ ଚିତ୍ତାକର୍ଷକ ଭାବେ ଉପସ୍ଥାପନ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ପ୍ରଦର୍ଶନୀକୁ ଉଦ୍ଘାଟନ କରି ବିଦ୍ୟାର୍ଥୀଙ୍କ ପ୍ରତିଭା ବିକାଶର ଏହା ପ୍ରକୃଷ୍ଟ ମାଧ୍ୟମ ହେବ ବୋଲି କହିଥିଲେ।

ବିଦ୍ୟାଳୟ ପରିଚାଳନା ସମିତିର ମ୍ୟାନେଜର ଡ. ଭାଗ୍ୟବତୀ ନାୟକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ପିଲାମାନଙ୍କ ସୃଜନଶୀଳତା ତଥା ବୌଦ୍ଧିକ ବିକାଶ ନିମନ୍ତେ ପ୍ରଦର୍ଶନୀ ଆୟୋଜନର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ରଛାତ୍ରୀଙ୍କର ଏତାଦୃଶ ଅଭିନବ ପ୍ରକଳ୍ପ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିବା ସହ ସେମାନେ ସମାଜ ପାଇଁ ନୂତନ ଦିଗ୍.ଦର୍ଶକ ସାଜନ୍ତୁ ବୋଲି ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ବିଭାଗର ପ୍ରକଳ୍ପ ଗୁଡ଼ିକ ବିଚାରକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ବିଦ୍ୟାଳୟର ପଦାର୍ଥ ବିଜ୍ଞାନର ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ସାମଲଙ୍କ ସଂଯୋଜନାରେ ଏହି ବାର୍ଷିକ ପ୍ରଦର୍ଶନୀ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୂବନେଶ୍ୱର: ଧଉଳି ଚାରୁକଳା ମହାବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ- ୨୦୨୩ ଓଡିଶା ଲଳିତ କଳା ଏକାଡେମୀର ରାଜ୍ୟ ସଂଗ୍ରାହାଳୟ ପରିସରରେ ଥିବା କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଅତିଥି ମାନଙ୍କ କରକମଳ ରେ ଉଦ୍ଦଘାଟିତ ହୋଇ ଯାଇଛି। ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ରୂପେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶୀଳ୍ପୀ ମାହେନ୍ଦ୍ର ପ୍ରସାଦ ମହାପାତ୍ର, ସମ୍ମାନୀତ ଅତିଥି ରୂପେ ଓଡିଶା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ, ଓଡିଶା ଲଳିତ କଳା ଏକାଡେମୀର ସଚିବ ତଥା ଚିତ୍ର ଶିଳ୍ପୀ ଡ଼ଃ. ପଞ୍ଚାନନ ସାମଲ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ନାତକତ୍ତୋର ବିଭାଗର ମୁଖ୍ୟ ଡ଼ଃ. ଚକ୍ରଧର ବେହେରା ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଦଘାଟନ କରିଥିଲେ।

ଅତିଥି ମାନେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଅଙ୍କିତ ଚିତ୍ର କଳା ଗୁଡ଼ିକୁ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରି ଥିଲେ। ପ୍ରତ୍ତେକ ଶଳ୍ପୀ ଛାତ୍ର, ଛାତ୍ରୀ ଆଗାମୀ ଦିନରେ ଜଣେ ଜଣେ ପ୍ରତିଷ୍ଠିତ ଚିତ୍ରକର ହୁଅନ୍ତୁ ବୋଲି ଅତିଥି ମାନେ ମତ ପ୍ରକାଶ କରିବା ସହ ଶଳ୍ପୀଙ୍କ ସୃଜନ ଶୀଳ କଳା କୃତି ସମାଜକୁ ଉଦବୁଦ୍ଧ କରିଥାଏ ବୋଲି କହିଥିଲେ।

ପ୍ରଦର୍ଶନୀ ଅବସରରେ ମହାବିଦ୍ୟାଳୟର କୃତି ଛାତ୍ରୀ ସୋଫିଆ ୟାସମିନ୍ ଓ ଛାତ୍ର ସୁବ୍ରତ କୁମାର ମୁଦୁଲିଙ୍କୁ ଅଧୀର କୁମାର ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରରେ ଯାତୀୟ ଲଳିତ କଳା ଏକାଡେମି ପୁରଷ୍କାର ପାଇଁ ମନୋନୀତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ନରୋତ୍ତମ ଦାସ ଙ୍କୁ କଳାକ୍ଷେତ୍ର ରେ ସଫଳତା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା।

ଏହି ପ୍ରଦର୍ଶନୀରେ ୫୦ଟି ଏକ୍ରେଲିକ ଚିତ୍ର, ୧୫ ଟି ଭାସ୍କର୍ଯ୍ୟ କଳା, ୧୨ଟିଡ୍ରଇଁ, ୮ଟ ିମୁଦ୍ରଣ କଳା, ୧୨ଟି ପାରମ୍ପାରିକ କଳା, ୧୯ଟି ଜଳ ରଂଗ ଚିତ୍ର ଓ ୬ଟି ବ୍ୟବହାରିକ କଳା ପ୍ରଦର୍ଶୀତ ହୋଇ ଅଛି। ପ୍ରାରମ୍ଭରେ ଅଧ୍ୟକ୍ଷ ଚନ୍ଦନ କୁମାର ସାମଲ ଓ ସମ୍ପାଦକ ରବିଶଙ୍କର ଦାସ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ମହାବିଦ୍ୟଳ୍ୟର କାର୍ଯ୍ୟକାରୀ ସଭାପତି ଡ଼. ହ୍‌ୃଷିକେଶ ମିଶ୍ର କର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ। ଏହିଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ବହୁ ଚିତ୍ର ଶିଳ୍ପୀ ଓ କଳାନୁରାଗୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ କଳାକୃତି କୁ ବୁଲି ଦେଖିଥିଲେ।

ଏହି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।