Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆଫଗାନିସ୍ତାନ ଉପରେ ଆଭିମୁଖ୍ୟ ସ୍ପଷ୍ଟ କଲା ଭାରତ, ଏସସିଓ ସମ୍ମିଳନୀରେ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ତାଜିକିସ୍ତାନର ରାଜଧାନୀ ଦୁଶାମ୍ବେରେ ଆଜି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ବାର୍ଷିକ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଯଦି ଆଫଗାନିସ୍ତାନରେ ଅସ୍ଥିରତା ଏବଂ ହିଂସା ଜାରି ରହେ, ତେବେ ଏହା ସମଗ୍ର ବିଶ୍ୱରେ ଆତଙ୍କବାଦୀ ଏବଂ ଉଗ୍ରବାଦୀ ଚିନ୍ତାଧାରାକୁ ଉତ୍ସାହିତ କରିବ। ଅନ୍ୟ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟ ହିଂସା ମାଧ୍ୟମରେ କ୍ଷମତା ହାସଲ କରିବା ପାଇଁ ଉତ୍ସାହିତ ହୋଇପାରନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଫଗାନିସ୍ତାନରେ ହୋଇଥିବା ବିକାଶ ଦ୍ୱାରା ନିଶା କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ମାନବ ଚାଲାଣର ଅନିୟନ୍ତ୍ରିତ ପ୍ରବାହ ହୋଇପାରେ। ଏଥି ସହିତ ସେ କହିଛନ୍ତି ଯେ, ମିଳିତ ଭାବେ ଆଫଗାନିସ୍ତାନରେ ମାନବିକ ସହାୟତା ପହଞ୍ଚିବା ନିଶ୍ଚିତ ହେବା ଉଚିତ।

ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଆମ ଭଳି ପଡୋଶୀ ଦେଶ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ। ତେଣୁ, ଏହି ପ୍ରସଙ୍ଗରେ ଆଞ୍ଚଳିକ ଧ୍ୟାନ ଏବଂ ସହଯୋଗର ଆବଶ୍ୟକତା ଅଛି। ବିକାଶ ଏବଂ ମାନବିକ ସହାୟତା ପାଇଁ ଭାରତ ଦୀର୍ଘ ବର୍ଷ ଧରି ଆଫଗାନିସ୍ତାନର ଜଣେ ବିଶ୍ୱସ୍ତ ଅଂଶୀଦାର ଅଟେ। ଭିତ୍ତିଭୂମି ଠାରୁ ଆରମ୍ଭ କରି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆମେ ଆମର ଅବଦାନ ରଖିଛୁ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ବି ଆମର ଆଫଗାନିସ୍ତାନ ବନ୍ଧୁମାନଙ୍କୁ ଖାଦ୍ୟ ସାମଗ୍ରୀ, ଔଷଧ ଇତ୍ୟାଦି ବିତରଣ କରିବାକୁ ଆଗ୍ରହୀ। ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଯାହାଦ୍ୱାରା ଆଫଗାନିସ୍ତାନରେ ମାନବିକ ସହାୟତା ବାଧାପ୍ରାପ୍ତ ହେବ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ମାସରେ ଅଗଷ୍ଟ ୧୫ ତାରିଖରେ ତାଲିବାନ ପଞ୍ଜଶୀର ବ୍ୟତୀତ ସମଗ୍ର ଆଫଗାନିସ୍ତାନକୁ କାବୁ କରିଥିଲା। ଏହା ପରେ ତାଲିବାନ ସେପ୍ଟେମ୍ବର ୭ ତାରିଖରେ ସରକାର ଗଠନ କରିବାକୁ ଘୋଷଣା କରିଥିଲା। ତାଲିବାନର କବ୍ଜା ପରେ ହଜାର ହଜାର ଲୋକ ଆଫଗାନିସ୍ତାନ ଛାଡିଛନ୍ତି। ଆଫଗାନିସ୍ତାନ ଏକ ମାନବିକ ସଙ୍କଟର ସମ୍ମୁଖୀନ ହେଉଛି।