Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜସ୍ବ ଲୁଟୁଛନ୍ତି ବାଲିମାଫିଆ!: ଶତାଧିକ ବାଲିବୋଝେଇ ହାଇୱାକୁ ଅଟକାଇଲେ ସ୍ଥାନୀୟ ବାସିନ୍ଦା

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ତହସିଲ୍ ଅନ୍ତର୍ଗତ କିଲିପାଳ ଘାଟ ବାଲିମାଫିଆଙ୍କ ମନମାନି ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁଯାୟୀ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ବଜାର ସ୍ଥିତ ତାଳଦଣ୍ଡା କେନାଲ ଉପରେ ଥିବା ଏକ ଗ୍ରାମୀଣ ପାଦଚଲା ପୋଲ କୁହାଯାଉଥିବା ଛୋଟ ପୋଲ ଉପର ବାଟଦେଇ ଆଖପାଖ ଗ୍ରାମର ଲୋକେ ମହାନଦୀ ପାଖ କଣ୍ଡିଆରେ ଚାଷବାସ କରିବାକୁ ଓ ମହାନଦୀ ପଠା ଅଞ୍ଚଳରେ ଗାଈଗୋରୁ ଚରାଇବାକୁ ଯିବା ପାଇଁ ଏହି ପୋଲ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏହି ପୋଲ ଉପରେ ଦୈନିକ ଶତାଧିକ ଟ୍ରିପ୍ ବାଲିବୋଝେଇ ହାଇୱା କିଲିପାଳ ଘାଟରୁ ବାଲି ଉଠାଇ ଯାତାୟତ କରୁଥିବାରୁ ଏହି ପୋଲର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କିଲିପାଳ (ଦକ୍ଷିଣପାର୍ଶ୍ଵ) ବାଲିଘାଟକୁ ନିଲାମ ନେଇଥିବା ନିଲାମଧାରୀ ବ୍ୟକ୍ତି ଉକ୍ତ ଘାଟରୁ ବିନା ୱାଇ ଫର୍ମରେ ବେଆଇନ୍ ଭାବେ ଦୈନିକ ଶତାଧିକ ଟ୍ରିପ୍ ବାଲି ହାଇୱାରେ ନିଧଡକ ଭାବେ ଉକ୍ତ ପୋଲ ଉପର ଦେଇ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ସ୍ଥାଣୁ ପାଲଟିଥିବା କୁହାଯାଉଛି। ଏମିତିକି ଏହି ବାଲି ବୋଝେଇ ହାଇୱା ଗୁଡିକ କଟକ-ପାରାଦ୍ୱୀପ ରାସ୍ତାର ବାଲିପାଟଣା ବଜାର ଦେଇ ଯାତାୟତ କରୁଥିବାରୁ ରାସ୍ତାରେ ବାଲି ଜମାହୋଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଏନେଇ ସ୍ଥାନୀୟ ଲୋକମାନେ ଅତିଷ୍ଠ ହୋଇ କିଛିଦିନ ପୂର୍ବେ ଉକ୍ତ ପୋଲ ଉପରେ ଯାତାୟତ କରୁଥିବା ବାଲିବୋଝେଇ ହାଇୱା ଗୁଡିକୁ ଅଟକାଇଥିଲେ ଏବଂ ତିର୍ତ୍ତୋଲ ପୋଲିସ୍ ହସ୍ତକ୍ଷେପ କରିବା ପରେ ସେମାନେ ବାଲିଗାଡି ଗୁଡିକୁ ଛାଡିଦେଇଥିଲେ।

ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଯାହାକି ଏକ ସପ୍ତାହ ମଧ୍ୟରେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆନଗଲେ ଏକ ସପ୍ତାହ ପରେ ସ୍ଥାନୀୟ ବାସିନ୍ଦା ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ସ୍ଥାନୀୟ ଲୋକମାନେ ଅଭିଯୋଗ କରିବାର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଉକ୍ତ ଘାଟରୁ ବାଲିଗାଡି ଗୁଡିକ ସେହି ପୋଲ ଉପରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି। ଏନେଇ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।