Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜସ୍ବ ଲୁଟୁଛନ୍ତି ବାଲିମାଫିଆ!: ଶତାଧିକ ବାଲିବୋଝେଇ ହାଇୱାକୁ ଅଟକାଇଲେ ସ୍ଥାନୀୟ ବାସିନ୍ଦା

ରମେଶ ମହାନ୍ତି
ଜଗତସିଂହପୁର: ତିର୍ତ୍ତୋଲ ତହସିଲ୍ ଅନ୍ତର୍ଗତ କିଲିପାଳ ଘାଟ ବାଲିମାଫିଆଙ୍କ ମନମାନି ଏବେ ତିର୍ତ୍ତୋଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁଯାୟୀ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ବଜାର ସ୍ଥିତ ତାଳଦଣ୍ଡା କେନାଲ ଉପରେ ଥିବା ଏକ ଗ୍ରାମୀଣ ପାଦଚଲା ପୋଲ କୁହାଯାଉଥିବା ଛୋଟ ପୋଲ ଉପର ବାଟଦେଇ ଆଖପାଖ ଗ୍ରାମର ଲୋକେ ମହାନଦୀ ପାଖ କଣ୍ଡିଆରେ ଚାଷବାସ କରିବାକୁ ଓ ମହାନଦୀ ପଠା ଅଞ୍ଚଳରେ ଗାଈଗୋରୁ ଚରାଇବାକୁ ଯିବା ପାଇଁ ଏହି ପୋଲ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଏହି ପୋଲ ଉପରେ ଦୈନିକ ଶତାଧିକ ଟ୍ରିପ୍ ବାଲିବୋଝେଇ ହାଇୱା କିଲିପାଳ ଘାଟରୁ ବାଲି ଉଠାଇ ଯାତାୟତ କରୁଥିବାରୁ ଏହି ପୋଲର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କିଲିପାଳ (ଦକ୍ଷିଣପାର୍ଶ୍ଵ) ବାଲିଘାଟକୁ ନିଲାମ ନେଇଥିବା ନିଲାମଧାରୀ ବ୍ୟକ୍ତି ଉକ୍ତ ଘାଟରୁ ବିନା ୱାଇ ଫର୍ମରେ ବେଆଇନ୍ ଭାବେ ଦୈନିକ ଶତାଧିକ ଟ୍ରିପ୍ ବାଲି ହାଇୱାରେ ନିଧଡକ ଭାବେ ଉକ୍ତ ପୋଲ ଉପର ଦେଇ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ସ୍ଥାଣୁ ପାଲଟିଥିବା କୁହାଯାଉଛି। ଏମିତିକି ଏହି ବାଲି ବୋଝେଇ ହାଇୱା ଗୁଡିକ କଟକ-ପାରାଦ୍ୱୀପ ରାସ୍ତାର ବାଲିପାଟଣା ବଜାର ଦେଇ ଯାତାୟତ କରୁଥିବାରୁ ରାସ୍ତାରେ ବାଲି ଜମାହୋଇ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଏନେଇ ସ୍ଥାନୀୟ ଲୋକମାନେ ଅତିଷ୍ଠ ହୋଇ କିଛିଦିନ ପୂର୍ବେ ଉକ୍ତ ପୋଲ ଉପରେ ଯାତାୟତ କରୁଥିବା ବାଲିବୋଝେଇ ହାଇୱା ଗୁଡିକୁ ଅଟକାଇଥିଲେ ଏବଂ ତିର୍ତ୍ତୋଲ ପୋଲିସ୍ ହସ୍ତକ୍ଷେପ କରିବା ପରେ ସେମାନେ ବାଲିଗାଡି ଗୁଡିକୁ ଛାଡିଦେଇଥିଲେ।

ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ମାନେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଯାହାକି ଏକ ସପ୍ତାହ ମଧ୍ୟରେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆନଗଲେ ଏକ ସପ୍ତାହ ପରେ ସ୍ଥାନୀୟ ବାସିନ୍ଦା ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ସ୍ଥାନୀୟ ଲୋକମାନେ ଅଭିଯୋଗ କରିବାର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ଉକ୍ତ ଘାଟରୁ ବାଲିଗାଡି ଗୁଡିକ ସେହି ପୋଲ ଉପରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି। ଏନେଇ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲି ମାଫିଆଙ୍କ ଆକ୍ରମଣରେ ବୃଦ୍ଧା ଗୁରୁତର, କଟକ ସ୍ଥାନାନ୍ତର

ରଞ୍ଜିତ୍‌ ପଣ୍ଡା 

କୁଜଙ୍ଗ : କୁଜଙ୍ଗଥାନା ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତର ମହାନଦୀରୁ ବେଆଇନଭାବେ ବାଲିଉଠାଣକୁ କେନ୍ଦ୍ରକରି ଆଜି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ସରପଂଚଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କର ଜେସିବି ଏବଂ ଟ୍ରାକ୍ଟର ଜରିଆରେ ପ୍ରତ୍ୟେକ ସରକାରୀ ଛୁଟିଦିନରେ ଏହିପରିଭାବେ ବେଆଇନଭାବେ ବାଲିଉଠାଯାଉଥିବା ନେଇଆସୁଥିବାବେଳେ ଏନେଇ ସ୍ଥାନୀୟ ତହସିଲଦାରଙ୍କର ନୀରବତା ରହସ୍ୟ ସୃଷ୍ଟି କରିଥିବା ଜଣାପଡ଼ିଛି।

ତେବେ ଗତକାଲି ଏକ ଦୈନନ୍ଦିନ ବ୍ୟବହୃତ ହେଉଥିବା ଏକ ଗାଧୁଆତୁଠ, ଗାଇଗୋଠ ତଥା ଯାତାୟତ ପଥରୁ ବାଲିଉଠାଯାଉଥିବା ବେଳେ ସ୍ଥାନୀୟ କିଛିଲୋକ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।

ଏନେଇ ଗୁରୁତର ଆହତଙ୍କୁ ଚିକିତ୍ସାପାଇଁ କଟକ ବଡ଼ଡ଼ାକ୍ତରଖାନାକୁ ପଠାଯାଇଥିବାବେଳେ ପୀଡ଼ିତଙ୍କ ପରିବାର ତରଫରୁ ଏନେଇ ଥାନାରେ ଅଭିଯୋଗ କରାଯାଇଛି । ବାଲି ଉଠାକୁ ନେଇ ସମ୍ପୃକ୍ତ ବୃଦ୍ଧ ଜଣକ ସରପଞ୍ଚ ପ୍ରମୋଦ ସ୍ବାଇଁ ଓ ଓ୍ବାର୍ଡମେମ୍ବରକୁ ନଦୀକୁ ଯିବା ଆସିବା ପାଇଁ ହଇରାଣ ହେଉଛୁ ଏଠୁ ବାଲି ନିଅ ନାହିଁ ବୋଲି କହିବା ସହିତ ବାଲି ଚାଲାଣ ହେଉଥିବା ଗାଡ଼ି ଆଗରେ ଠିଆ ହୋଇ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସରପଞ୍ଚ ଓ ଓ୍ବାର୍ଡମେମ୍ବର ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ମାରଧାର କରି ରକ୍ତାକ୍ତ କରିଥିବାର ଅଭିଯୋଗ ହୋଇଛି। ଏହା ସହିତ ବୃଦ୍ଧାଙ୍କର 1800 ଟଙ୍କାର ଶ୍ରବଣ ଯନ୍ତ୍ରଟିକୁ ମଧ୍ୟ ଦୁବୃର୍ତ୍ତମାନେ ଛଡାଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି। ପୋଲିସ୍‌  କେଶ ନଂ 51/2020ରେ ଏତଲାକୁ ଗ୍ରହଣ କରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା 325, 323, 294, 379 34ରେ ମାମଲା ରୁଜୁ କରାଯାଇଛି ।  ଅନ୍ୟପକ୍ଷରେ ସରପଂଚଙ୍କ ସମର୍ଥକ ତଥା ୱାଡ଼ ସଭ୍ୟଙ୍କ ପକ୍ଷରୁ ଏକ ପାଲଟା ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

ପ୍ରକାଶଯେ, ଜିଲ୍ଲାନାସୀ ସରପଂଚ ନିଜର ଜେସିବି ଏବଂ ଟ୍ରାକ୍ଟରକୁ ନିୟୋଜିତ କରିବା ଲାଗି ପ୍ରତ୍ୟେକ ସରକାରୀ ଛୁଟି ଦିନରେ ମହାନଦୀରୁ ବାଲି ଉଠାଇଥାନ୍ତି। ଏନେଇ ତାଙ୍କୁ ପଚାରିବାରୁ ସେ ସରକାରୀ ଭାବେ ଲିଜ୍‌ କାଟି ବାଲି ନେଉଥିବା ସଫେଇ ଦେଇଥାନ୍ତି। ମାତ୍ର ତହସିଲଦାରଙ୍କୁ ଏନେଇ ପଚାରିଲେ କାହାକୁ ନଦୀରୁ ବାଲି ଉଠାଇବାକୁ ଲିଜ୍‌ ପ୍ରଦାନ କରଯାଇ ନାହିଁ ବୋଲି ଉତ୍ତର ମିଳିଥାଏ। ସେହିପରି ଭାବେ ଗତକାଲି ସରକାରୀ ଛୁଟିଯୋଗୁ ତହସିଲ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଏହାର ସୁଯୋଗନେଇ ସ୍ଥାନୀୟ ସରପଂଚଙ୍କ ଜେସିବି, ଟ୍ରାକ୍ଟର ଯୋଗେ କିଛି ୱାର୍ଡ଼ ସଭ୍ୟ ଏବଂ ସରପଂଚଙ୍କ ସମର୍ଥକମାନେ ପୂର୍ବାହ୍ନ ସମୟରେ ବାଲି ଉଠାଉଥିଲେ।  ମାତ୍ର ଜୟଶଙ୍ଖପୁର ଗ୍ରାମର ଏକ ସ୍ଥାନୀୟ ଲୋକମାନଙ୍କ ନିତ୍ୟ ବ୍ୟବହୃତ ଗାଧୁଆତୁଠ, ଶୌଚ କର୍ମ, ଯାତାୟତ ପଥକୁ ଖୋଳି ବାଲି ଉଠାଯାଉଥିବାରୁ ସ୍ଥାନୀୟ ଅଂଚଳର ପ୍ରସନ୍ନ ମହାପାତ୍ର, ତାଙ୍କର ବୟସ୍କା ମାଆ ସାକ୍ଷୀ ମହାପାତ୍ର ଏହାକୁ ରୋକିବାକୁ ଉଦ୍ୟମ କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା କିଛି ସରପଂଚଙ୍କ ସମର୍ଥକ ଏବଂ ୱାର୍ଡ଼ସଭ୍ୟ ମାନେ ସେମାନଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରିଥିବାନେଇ ଅଭିଯୋଗ ହୋଇଛି। ପ୍ରସନ୍ନ ମହାପାତ୍ର ଏବଂ ତାଙ୍କ ମାଆ ସାକ୍ଷୀ ମହାପାତ୍ର ଆହତ ଅବସ୍ଥାରେ ଥାନାରେ ପଂଚିଥିବାବେଳେ ସେମାନଙ୍କୁ ପ୍ରଥମେ ଚିକିତ୍ସା ହେବାକୁ କୁହାଯାଇଥିଲା। ପ୍ରଥମେ କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ଗୁରୁତର ଆହତ ବୃଦ୍ଧାଙ୍କୁ ସ୍ଥାନାନ୍ତର କରଯାଇଥିବା ଜଣାପଡ଼ିଛି। ତାଙ୍କର ଏହି ଆକ୍ରମଣ ଫଳରେ ଅଣ୍ଟା ଏବଂ ହାତରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।

ଅନ୍ୟ ପକ୍ଷରେ ଜନୈକା ୱାର୍ଡ଼ ସଭ୍ୟାଙ୍କ ପକ୍ଷରୁ ମଧ୍ୟ ଅନ୍ୟଏକ ପାଲଟା ଅଭିଯୋଗ କରାଯାଇଛି। ଏନେଇ ଆହତ ସାକ୍ଷୀଙ୍କ ପୁତ୍ରଙ୍କୁ ପଚାରିବାରୁ ସେ ସରପଂଚ ପ୍ରମୋଦ କୁମାର ସ୍ୱାଇଁ ଏବଂ ତିନିଜଣ ୱାର୍ଡ଼ସଭ୍ୟଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହିତ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି। ପ୍ରକାଶଯେ ଏହିପରିଭାବେ ବେଆଇନ ବାଲି ବର୍ଷବର୍ଷ ଧରି ମହାନଦୀରୁ ଉଠାଯାଉଛି। ଲଘୁ ଖଣିଜ ସମ୍ପଦ ସଂରକ୍ଷଣ କରିବା ତହସିଲଦାରଙ୍କ ଦାୟିତ୍ୱ ହୋଇଥିବାବେଳେ ଏନେଇ ତାଙ୍କୁ ବାରମ୍ବାର ଅବଗତ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏନେଇ ଯୁବସମାଜସେବୀ ତଥା ବିଜୁଜନତା ଦଳର ସଙ୍ଗଠକ ତପନ କୁମାର ସାମନ୍ତରାୟ  ଚେତାବନୀ ଦେଇଛନ୍ତି ।