Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଲୁଗାଁ ଏନ.ଏ.ସିର ଅଭିନଵ ପ୍ରୟାସ: ପ୍ରତ୍ୟେକ ଗୁରୁବାରକୁ ସଫେଇ ଦିବସ ପାଳନ ଲାଗି ନେଲା ନିଷ୍ପତ୍ତି

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ କରୋନା ସ୍ଥିତି ଅଣାୟତ୍ତ। ଏସମୟରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସମସ୍ତେ ଏକାସାଙ୍ଗରେ କରୋନାକୁ ଆୟତ୍ତ କରିବା ଦିଗରେ ଲାଗିପଡିଛନ୍ତି।

ତେବେ ଆଜି ବାଲୁଗାଁ ଏନଏସି ପ୍ରଶାସନ କରୋନା ଭୁତାଣୁକୁ ପ୍ରତିହିତ କରିବା ପାଇଁ ଏକ ଅଭିନଵ ଉପାୟ ଅବଲମ୍ବନ କରିଛି। ସାଧାରଣତଃ ଆମ ଓଡ଼ିଆ ଘରେ ଗୁରୁବାରକୁ ଶୁଭ ମାନନ୍ତି ଏବଂ ମା’ ଲକ୍ଷ୍ମୀଙ୍କ ଆଗମନକୁ ନେଇ ସମସ୍ତେ ନିଜ ନିଜ ଘର ସଫା କରିଥାନ୍ତି।  ତେବେ ଆଜି ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ପ୍ରତ୍ୟେକ ଗୁରୁବାରକୁ ସଫେଇ ଦିବସ ରୂପେ ପାଳନ କରିବାକୁ ବାଲୁଗାଁ ସହରବାସିଙ୍କୁ ନିବେଦନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ୧୦ ନମ୍ବର ୱାର୍ଡରେ ସଫେଇ ଦିବସର ଶୁଭାରମ୍ଭ ହୋଇଯାଇଛି। କରୋନା ମହାମାରୀର ଦ୍ଵିତୀୟ ଲହର କେତେ ତୀବ୍ର ତାହା କାହାକୁ ଅଗୋଚର ନାହିଁ। ଏହାକୁ ଏଡାଇବାକୁ ହେଲେ ସଫେଇର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ନିର୍ବାହୀ ଅଧିକାରିଣୀ ପ୍ରକାଶ କରିଛନ୍ତି।

ଏହି ଅବସରରେ ଆଜି ୧୦ ନମ୍ବର ୱାର୍ଡର ପ୍ରତ୍ୟେକ ଗୃହିଣୀମାନେ ନିଜ ନିଜ ଗୃହକୁ ଧୋଇବା ସହ ଦୁଆର, ଝରକା ଆଦି ଭଲଭାବେ ସଫା କରିଥିଲେ। ଏଥିରେ ବାଲୁଗାଁ ଏନଏସିର କର୍ମଚାରୀ ମାନେ ସେମାନଙ୍କୁ ସହଯୋଗ କରିଥିଲେ। ତେବେ ଏନଏସି ର ଏପରି ପ୍ରୟାସକୁ ସହରବାସି ସ୍ୱାଗତ କରିବା ସହ ପ୍ରତି ଗୁରୁବାରକୁ ସଫେଇ ଦିବସ ରୂପେ ସମସ୍ତେ ନିଜ ନିଜ ୱାର୍ଡରେ ପାଳନ କରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କୁ ପ୍ରତିଶୃତି ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁରେ ଆନ୍ତର୍ଜାତିକ ମହିଳା ଦିବସ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଆନ୍ତର୍ଜାତିକ ମହିଳା ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ.ଏ.ସି ର ସମସ୍ତ ମହିଳା ସଂଘଗୁଡିକର ମିଳିତ ଆନୁକୁଲ୍ୟରେ ଉକ୍ତ ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏନ୍ଏସିର ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ୍ଵ ମହିଳାମାନେ ସ୍ଥାନୀୟ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ କଲ୍ୟାଣମଣ୍ଡପ ଠାରେ ଏକତ୍ରିତ ହୋଇ ଉକ୍ତ ଦିବସ ପାଳନ କରଥିଲେ। ମହିଳା ମାନଙ୍କ ଦ୍ୱାରା ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତାରୂପେ ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବାଲୁଗାଁ ଶାଖାର ମୁଖ୍ୟ ଭଉଣୀ ବି. କେ ସରିତା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିରୂପେ ବାଲୁଗାଁ ଏନ୍ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଆକୃତି ଗୋଏଙ୍କା ଯୋଗଦେଇଥିଲେ।

ସମସ୍ତ ଅତିଥିମାନେ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିବା ସହ କରୋନା କଟକଣାକୁ ମାନି ଚଳିବା ପାଇଁ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲୁଗାଁ ସମବାୟ ସମିତିର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ମିଶ୍ର, ଚିଲିକା ବ୍ଲକ ସାଂସଦ ପ୍ରତିନିଧି ରମେଶ ମହାପାତ୍ର, ବାଣପୁର ବ୍ଲକ ବିଜେଡି ସମ୍ପାଦକ ସୁକାନ୍ତ ଭୋଳ, ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପରିଡା, ସୁକାନ୍ତ ମାଝୀ, ଅକ୍ଷୟ ରଣସିଂହ ଏବଂ ଯୁବ ସଂଗଠକ ରଂଜିତ ସାହୁ ଆଦି ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ର ଏହି ସବୁ ଗ୍ରାମକୁ କଣ୍ଟନମେଣ୍ଟ ଜୋନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତ ବଢୁଛନ୍ତି। ଗତକାଲି ରାତି ସୁଦ୍ଧା ଚିଲିକା ବ୍ଲକ ଆଙ୍କୁଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଲା ଗ୍ରାମରୁ ଚାରି ଜଣ ଏବଂ ସିଙ୍ଗେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁଆଁଳ ଏବଂ ଗୋବର୍ଦ୍ଧନପୁର ଗ୍ରାମରୁ ପାଞ୍ଚ ଜଣ କୋଭିଡ ପଜିଟିଭ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାସ୍ଥଳେ ବାଲୁଗାଁ ଏନ.ଏ.ସି ର ଏକ ନମ୍ବର ୱାର୍ଡ ଅନ୍ତର୍ଗତ ଅଶୋକ ନଗରର ଇଣ୍ଡି ଟ୍ରେଡ଼ ମାଇକ୍ରୋ ଫାଇନାନ୍ସ ଲିମିଟେଡ଼ ଅଫିସରୁ ଦାଶରଥି ପ୍ରଧାନଙ୍କ ଘର ମଧ୍ୟରୁ ଦୁଇ ଜଣ କୋଭିଡ ପଜିଟିଭ ଚି଼ହ୍ନଟ ହୋଇଛନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଉକ୍ତ ତିନି ଗ୍ରାମ ଏବଂ ଏନ.ଏ.ସି ର ଗୋଟେ ୱାର୍ଡ ର କିଛି ଅଂଶକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାପାଇଁ ପତ୍ର ସଂଖ୍ୟା ୧୬୬୪ ଏବଂ ୧୬୬୭ ରେ ଦୁଇ ଗୋଟି ଚିଠି ଚିଲିକା ବିଡ଼ିଓ ଏବଂ ପତ୍ର ସଂଖ୍ୟା ୯୦୯ ରେ ଗୋଟିଏ ଚିଠି ବାଲୁଗାଁ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଜିଲ୍ଲା ପ୍ରଶାସନ ନିକଟକୁ ଅନୁମୋଦନ ପାଇଁ ପଠାଇଥିଲେ।

ଏହାକୁ ଗମ୍ଭୀରତାର ସହ ନେଇ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଉକ୍ତ ଚିଠିଗୁଡ଼ିକୁ ଅନୁମୋଦନ ଦେଇ ଚିଲିକା ବ୍ଲକର ଆଙ୍କୁଲା, ଧୁଆଁଳ ଏବଂ ଗୋବର୍ଦ୍ଧନପୁର ଗ୍ରାମଗୁଡିକୁ ଏବଂ ବାଲୁଗାଁ ଏନ.ଏ.ସି ର ଏକ ନମ୍ବର ୱାର୍ଡ ଅଶୋକ ନଗରର ଇଣ୍ଡି ଟ୍ରେଡ଼ ମାଇକ୍ରୋ ଫାଇନାନ୍ସ ଲିମିଟେଡ଼ ଅଫିସରୁ ଦାଶରଥି ପ୍ରଧାନଙ୍କ ଘର ଯାଏଁ ତା ୦୯.୦୯ .୨୦(ବୁଧବାର ) ସନ୍ଧ୍ୟା ୭ ଘଟିକାରୁ ତା ୧୫.୦୯.୨୦(ମଙ୍ଗଳବାର ) ସଂଧ୍ୟା ୭ ଘଟିକା ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି।

ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

କଣ୍ଟନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅପରାଜିତା ସ୍ୱାଇଁ(ଏବିଡ଼ିଓ, ଚିଲିକା ବ୍ଲକ) ଏବଂ ଆକୃତି ଗୋଏଙ୍କା (କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଲୁଗାଁ ଫାୟାର ଷ୍ଟେସନ ଅଫିସରଙ୍କୁ କଣ୍ଟେନମେଣ୍ଟ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମହାନ୍ତି ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ୱ ଦିଆଯାଇଛି। ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ଚିଲିକା ତହସିଲଦାର ଡ଼ାଃ ପୁନମ ମହାପାତ୍ର ଏବଂ ଚିଲିକା ବିଡ଼ିଓ ଶ୍ରୀମତୀ ସୁଷମା ବାରିକ।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କଲେ ଖୋର୍ଦ୍ଧା ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ 

ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଲାରେ ଆଜି ୨୧୮ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l   ଅନୁରୂପ ଭାବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଣାୟତ୍ତ ଅବସ୍ଥାରେ। ଆଜି ସକାଳ ସୁଦ୍ଧା ଉକ୍ତ ଅଞ୍ଚଳରୁ ୩୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି।  ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ କୁ ପ୍ରତିହିତ କରିବାପାଇଁ ଆଜି ଚିଲିକା ବି.ଡ଼ି.ଓ ତଥା କୋଭିଡ କମିଟି ଚେୟାରମ୍ୟାନ ଶ୍ରୀମତୀ ସୁଷମା ବାରିକ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପତ୍ର ସଂଖ୍ୟା ୧୪୬୪ ରେ ଏକ ଚିଠି ଜିଲ୍ଲାପାଳ ଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା। ଏହି ସମୟରେ ତିନି ଗୋଟି ମେଡିକାଲ ଟିମ ଦ୍ୱାରା ଜୋରଦାର ଟେଷ୍ଟିଙ୍ଗ କରାଯିବା ର ଲକ୍ଷ୍ୟ ରଖାଯାଇଛି.।

ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ର ସମସ୍ତ ଅଞ୍ଚଳକୁ ତା ୧୧.୦୮.୨୦(ମଙ୍ଗଳବାର) ସନ୍ଧ୍ୟା ୭ ଘଟିକାରୁ ତା ୧୪.୦୮.୨୦(ଶୁକ୍ରବାର) ସଂଧ୍ୟା ୭ ଘଟିକା ଯାଏଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି ସଟ ଡ଼ାଉନ ଅଞ୍ଚଳରେ ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଉକ୍ତ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜେସନ କରାଯିବା ସହ ସ୍ଵାବ ନମୂନା ସଂଗ୍ରହ କରାଯିବ। ଏହି ସମୟରେ ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି ଉପ ଜିଲ୍ଲାପାଳ। ତେବେ ବ୍ଲକ ଏବଂ ଏନ.ଏ.ସି ପ୍ରଶାସନ ଦ୍ୱାରା ଗଠନ କରାଯାଇଥିବା ବିଭିନ୍ନ ଟିମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ମେଡ଼ିସିନ ଅଞ୍ଚଳବାସୀଙ୍କୁ ଯୋଗାଇଦିଆଯିବ।

ସଟ ଡ଼ାଉନ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସହ ବିଭିନ୍ନ କାର୍ଯ୍ୟ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିମ୍ନଲିଖିତ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ଅପରାଜିତା ସ୍ୱାଇଁ (ଅତିରିକ୍ତ ବି.ଡ଼ି.ଓ , ଚିଲିକା ବ୍ଲକ) ଏବଂ ଆକୃତି ଗୋଏଙ୍କା (କାର୍ଯ୍ୟନିର୍ବାହୀ ଅଧିକାରୀ, ବାଲୁଗାଁ ଏନ.ଏ.ସି )ଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଦାୟିତ୍ବ ଦିଆଯାଇଥିବାବେଳେ ବାଲୁଗାଁ ଫାୟାର ଷ୍ଟେସନ ଅଫିସରଙ୍କୁ ସଟ ଡ଼ାଉନ ଅଞ୍ଚଳ ଏବଂ ବଫର୍‌ ଜୋନ୍‌କୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରିବାକୁ ଦାୟିତ୍ବ ଦିଆଯାଇଛି। ଡ଼ାଃ ସୌମ୍ୟକାନ୍ତ ଦାସ ପଟ୍ଟନାୟକ (ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ) ଙ୍କୁ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ସମ୍ପୃକ୍ତ ଅଞ୍ଚଳରେ ସର୍ଭେଲାନ୍ସ ଓ ସ୍ବାବ୍‌ ଟେଷ୍ଟିଂ ଦାୟିତ୍ବ ଦିଆଯାଇଛି ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ ମହାନ୍ତି ( ସି.ଡ଼ି.ପି.ଓ )ଙ୍କୁ ଘରକୁ ଘର ବୁଲି ସର୍ଭେ କରିବା ଦାୟିତ୍ବ ସହ ବାଲୁଗାଁ ମେଡିକାଲ ଅଧିକାରୀଙ୍କୁ ସହାୟତା କରିବା ପାଇଁ ଦାୟିତ୍ୱ ଦିଆଯାଇଛି।  ଉକ୍ତ ସବୁ କାର୍ଯ୍ୟକୁ ତଦାରଖ କରିବେ ଚିଲିକା ବ୍ଲକ ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଏବଂ ଚିଲିକା ତହସିଲଦାର ଡ଼ାଃ ପୁନମ ମହାପାତ୍ର।