Categories
ଆଞ୍ଚଳିକ

ବିଜେପି ବାଲୁଗାଁ ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଗକୁ ଆସୁଛି ପୌର ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଧୀରେ ଧୀରେ ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।

ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି। ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ବୁଧବାର ଦିନ ବାଲୁଗାଁ ନଗର ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବାଲୁଗାଁ ଏନଏସି ସ୍ଥିତ ଉମାମହେଶ୍ୱର ବଣିକ ସଂଘ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବା ସ୍ଥଳେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଯୋଗ ଦେଇ ଭାରତ ମାତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ବୈଠକକୁ ଅନୁଷ୍ଠାନିକ ରୂପେ ଆରମ୍ଭ କରିଥିଲେ।

ଉକ୍ତ ସଭାରେ ବାଲୁଗାଁ ନଗର ମଣ୍ଡଳର ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଭାବେ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ପୌର ନିର୍ବାଚନରେ ଚିଲିକା ବାସି ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ମତ ରଖିଥିଲେ।