ଭୁବନେଶ୍ୱର, ଭାରତ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ବିହାର ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାଲେଶ୍ୱର ଓ ଜଗତସିଂହ ପୁରର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ଉପନିର୍ବାଚନ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ କରାଇଥିଲେ।
ସଂପ୍ରତି କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ସୁରୁଖୁରୁରେ ଉପନିର୍ବାଚନ ପରିଚାଳନା କରିବା ଆମ ସମସ୍ତଙ୍କ ପାଇଁ ଏକ ଚାଲେଞ୍ଜ ହେବ ଓ ନିର୍ବାଚନ ସମୟରେ କୋଭିଡ୍-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ ସହ ସାମାଜିକ ଦୂରତ୍ୱ, ଥର୍ମାଲ୍ ସ୍କ୍ରିନିଂ, ମାସ୍କ ପିନ୍ଧିବା, ଗ୍ଲୋବସ୍ ପରିଧାନ, ସାନିଟାଇଜର ବ୍ୟବହାର, ଉଭୟ ଭୋଟର ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲେ।
କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ସମୟରେ ଜଣେ ଅଭିଜ୍ଞ ଡାକ୍ତରଙ୍କୁ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ନୋଡ଼ାଲ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଲୋହାନୀ ଗୁରୁତ୍ୱ ଆରୋପ କରିଥିଲେ। କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ନିର୍ବାଚନ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ଗୋଟିଏ ବୁଥ୍ରେ ସର୍ବାଧିକ ଏକ ହଜାର ମତଦାତା ମତଦାନ କରି ପାରିବେ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସଂପୃକ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି ଅତିରିକ୍ତ ବୁଥ୍ ଗଠନ ଉପରେ ଗୁରୁତ୍ୱ ଦିଆଯିବ।
କୋଭିଡ୍ ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆଇସୋଲେସନ୍ ସେଣ୍ଟର ଓ କୋଭିଡ୍ ସଂକ୍ରମିତ ଭୋଟରଙ୍କୁ ଭୋଟଦାନ ସମୟରେ ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ଅନୁମତି ପ୍ରଦାନ କରାଯିବ। ନିର୍ବାଚନ କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀ ଓ ସେମାନଙ୍କୁ ତାଲିମ ବ୍ୟବ ସ୍ଥା, ଯାନବାହନର ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ୍ ଓ ଭୋଟ ଗଣତି କେନ୍ଦ୍ର ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।