Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନର ଉଦ୍ୟମ ଯୋଗୁଁ ବୃଦ୍ଧି ହେଲା ବାହାନଗା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ

ଭୁବନେଶ୍ୱର: ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ପୁଣି ସ୍କୁଲ ଫେରାଇ ଆଣିବା ଲାଗି ଉଦ୍ୟମକୁ ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ସହଯୋଗରେ ଜୁଲାଇ ମାସରେ ଦୁଇଟି ସ୍ନେହ ସୃଜନ ଅଧିବେଶନ ଆୟୋଜନ କରାଯାଇଛି। ଦିବସବ୍ୟାପୀ ଏହି ଦୁଇ ଅଧିବେଶନ ଜୁଲାଇ ୧ ଓ ୮ ତାରିଖରେ ଆୟୋଜନ କରାଯାଇଥିଲା। ଯେଉଁଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ପୂର୍ବରୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଜୁନ୍ ୧୯-୨୦ରେ ନିକଟବର୍ତୀ ଛଅଟି ଗ୍ରାମରେ ପ୍ରଥମ ପର୍ଯ୍ୟାୟ ସ୍ନେହ ସୃଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସ୍ନେହ ସୃଜନ କାର୍ଯ୍ୟକ୍ରମର ତିନିଟି ପର୍ଯ୍ୟାୟ ଚାପ ହ୍ରାସରେ ସହାୟକ ହୋଇଥିଲା ଓ ଏହାର ପ୍ରଭାବରେ ସ୍କୁଲକୁ ଆସୁଥିବା ଓ ଶ୍ରେଣୀରେ ଉପସ୍ଥିତ ରହୁଥିବା ଛାତ୍ରଛାତ୍ରୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ସାରା ଦେଶକୁ ମର୍ମାହତ କରିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ବାହାନଗା ହାଇ ସ୍କୁଲ ଆଖପାଖ ଗ୍ରାମଗୁଡ଼ିକର ପିଲାମାନଙ୍କୁ ମାନସିକ ସ୍ତରରେ ଗଭୀର ଭାବେ ପ୍ରଭାବିତ କରିଥିଲା। ଭୟଭୀତ ହୋଇପଡ଼ିଥିବା ଏବଂ ସ୍କୁଲ ଯିବାକୁ ଅମଙ୍ଗ ହେଉଥିବା ପିଲାମାନଙ୍କ ଚାପ ହ୍ରାସ କରିବା ପାଇଁ ଜୁନ୍ ୧୯-୨୦ରେ ନିକଟବର୍ତୀ ଛଅଟି ଗ୍ରାମରେ ପ୍ରଥମ ପର୍ଯ୍ୟାୟ ସ୍ନେହ ସୃଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ପିଲାମାନଙ୍କ ଶିକ୍ଷାରେ ପ୍ରତିବନ୍ଧକ ସାଜିଥିବା ସାମାଜିକ ବାଧା ଦୂର କରିବାରେ ସହାୟକ ହୋଇଥିଲା। ଏଥିରେ ପିଲାମାନଙ୍କୁ ସ୍କୁଲକୁ ଫେରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ସହ ଚାପ ସ୍ଥିତି, ବିଭ୍ରାନ୍ତି ମୁକାବିଲା, ଭ୍ରାନ୍ତ ଓ ଭୁଲଧାରଣାକୁ ଏଡ଼ାଇବା, ଭୟ ଉପରେ ବିଜୟ ହାସଲ କରିବା ଏବଂ ଚାପ ସମୟରେ ଅଭିଭାବକ କିଭଳି ଯତ୍ନ ନେବା ଦରକାର ସେବିଷୟରେ ପିଲା ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।

ଜୁଲାଇ ୧ରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ମୋ ସ୍କୁଲ ଓଡ଼ିଶା ସହଯୋଗରେ ବାହାନଗା ହାଇ ସ୍କୁଲ ପରିସରରେ ସ୍ନେହ ସୃଜନ ଅଧିବେଶନ ଆୟୋଜନ କରାଯାଇଥିଲା। ମୋ ସ୍କୁଲ ଓଡ଼ିଶାର ଅଧିକାରୀମାନେ ଯୋଗଦେଇ ଛାତ୍ରଛାତୀମାନଙ୍କୁ ପାଠପଢ଼ାରେ ଯୋଗ ଦେବା ଏବଂ ଉଭୟ ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାକୁ ଉତ୍ସାହିତ ଓ ଅନୁପ୍ରାଣିତ କରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଓ ପୂର୍ବତନ ଛାତ୍ରଛାତ୍ରୀ ସଂଘ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିବା ସହ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ, ଯାହା ଫଳରେ ଏହି କାର୍ଯ୍ୟକ୍ରମରେ ୩୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ସହକାରୀ ନିର୍ଦ୍ଦେଶକ ତଥା କାର୍ଯ୍ୟକ୍ରମ ଅଧିକାରୀ ଅବିନାଶ ଶତପଥୀ, ମୋ ଓଡ଼ିଶାର ଜୋନାଲ ପ୍ରକଳ୍ପ ନିରୀକ୍ଷଣ ଅଧିକାରୀ ସରୋଜ କୁମ୍ଭାର, ବାଲେଶ୍ୱରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧରଣୀଧର ପାତ୍ର, ଗ୍ରାମ୍ୟ ଉନ୍ନୟନ କେନ୍ଦ୍ରର ସମ୍ପାଦକ ରତିକାନ୍ତ ନାୟକ, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ମଧୁମିତା ଦାସ, ଶିଶୁ ସୁରକ୍ଷା ତଥା ସ୍କୁଲ ସୁରକ୍ଷା ବିଶେଷଜ୍ଞ ଯୁଧିଷ୍ଠିର ପାଣିଗ୍ରାହୀ, ଏଫ୍‌ଏମ୍ ମେଡିକାଲ୍ କଲେଜର ଏମ୍‌ବିବିଏସ୍ ଇଂଟର୍ଣ୍ଣ ଡକ୍ଟର ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ସେହିପରି, ଜୁଲାଇ ୮ରେ ରିଲାଏନ୍ସ ଫାଉଣ୍ଡେସନ ଓ ବାଲେଶ୍ୱର ଜିଲ୍ଲ ପ୍ରଶାସନ ସହଯୋଗରେ ସ୍ନେହ ସୃଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିିଥିଲେ। ସ୍କୁଲ ଭିତରେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କାଗଜ କଳାକୃତି ପ୍ରସ୍ତୁତି, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, କାହାଣୀ ବର୍ଣ୍ଣନା, ଗୀତ ଗାଇବା, ଚାପ ଦୂର କରିବା ଲାଗି ବେଲୁନ ଫୁଙ୍କିବା, ଦଉଡ଼ି କାର୍ଯ୍ୟକଳାପ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାମାନ ଆୟୋଜନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ସ୍କୁଲ ପ୍ରତି ରହିଥିବା ଭଲ ପାଇବାକୁ ଫେରାଇଆଣିବା ଲାଗି ଉଦ୍ୟମ କରାଯାଇଥିଲା। ଏହି ଭାବ ବିନିମୟ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ମନସ୍ତାତ୍ତ୍ୱିକ ଚାପକୁ ହ୍ରାସ କରିବା।

Categories
ବିଶେଷ ଖବର

୫ଟି ଉପକ୍ରମରେ ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ: ୨.୪୯ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବାଲେଶ୍ବର ଜିଲ୍ଲାର ବାହାନଗା ହାଇସ୍କୁଲର ୫ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି।
ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହାନଗା ରେଳଷ୍ଟେସନଠାରେ ସଂଗଠିତ ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ବାହାନଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ବତସ୍ଫୁର୍ତ୍ତ ଭାବରେ ଯୋଗ ଦେଇଥିଲେ। ସେମାନଙ୍କ ମହତ୍ ଯୋଗଦାନକୁ ଉତ୍ସାହିତ କରିବା ପାଇଁ ବାହାନଗା ହାଇସ୍କୁଲକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ବାହାନଗା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଲୋକପ୍ରତିନିଧି, ସ୍କୁଲ ପରିଚାଳନା କମିଟି ତଥା ଜିଲ୍ଲାପାଳଙ୍କ ସହିତ ବିସ୍ତୃତ ଆଲୋଚନା କରି ମତାମତ ନେଇଥିଲେ।