Categories
ଆଜିର ଖବର ରାଜ୍ୟ ଖବର

“ଗ୍ଲୋବାଲ ବାୟୋ ଇଣ୍ଡିଆ” କାର୍ଯ୍ୟକ୍ରମ: ବାୟୋଟେକ୍ନୋଲୋଜିର ବିକାଶ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମରେ ଆରମ୍ଭ ହୋଇଛି ତିନିଦିନିଆ “ଗ୍ଲୋବାଲ ବାୟୋ ଇଣ୍ଡିଆ ୨୦୨୩”। ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ଏବଂ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରଏସି) ପକ୍ଷରୁ “ଗ୍ଲୋବାଲ ବାୟୋ ଇଣ୍ଡିଆ କନକ୍ଲେଭ” କରାଯାଉଛି।

ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏଥିରେ ସାମିଲ ହୋଇ ଓଡ଼ିଶା, ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରର ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି।

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇଛି। ଏହି ପ୍ରଦର୍ଶନୀରେ ରାଜ୍ୟର ୧୦ଟି ପ୍ରମୁଖ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲଏସ) ଏବଂ କିଟ୍ ଟିବିଆଇ ଭଳି ଇନକ୍ୟୁବେଟରରେ ରହିଥିବା ଉଦ୍ୟୋଗ। ଏହି ଷ୍ଟାର୍ଟଅପଗୁଡ଼ିକୁ ନେଇ ଖୋଲାଯାଇଥିବା ଓଡ଼ିଶା ପାଭିଲିୟନକୁ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ।

ଏହି ଅବସରରେ ଆୟୋଜିତ ପ୍ଲେନାରି ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା କହିଥିଲେ ଯେ, “ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶା ଆଜି ବିଶେଷ ସଫଳତା ହାସଲ କରିପାରିଛି । ରାଜ୍ୟରେ ଥିବା ବ୍ୟାପକ ଜୈବ ସମ୍ପଦ, ଜଳ ସମ୍ପଦ ଏବଂ ସମୁଦ୍ର ବାୟୋଟେକ୍ନୋଲୋଜିର ପରିସରକୁ ସମୃଦ୍ଧ କରିଛି । ଏହାସହିତ ରାଜ୍ୟ ସରକାରଙ୍କ ଅନୁକୂଳ ଶିଳ୍ପନୀତି, ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ବାୟୋଟେକ୍ନୋଲୋଜି ପାର୍କ ଆଦି ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ନେଇଛି।”

ସେ ଆହୁରି କହିଥିଲେ ଯେ, ଓଡ଼ିଶା ମିଲେଟ୍ସ ମିଶନ ଅଧୀନରେ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଆଗାମୀ ଦିନରେ ପୁଷ୍ଟିଶସ୍ୟକୁ ବାୟୋଟେକ୍ନୋଲୋଜି ନୀତି ପରିସରଭୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।

ବାୟୋଟେକ୍ନାଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟ ଆଣିଥିବା ସ୍ୱତନ୍ତ୍ର ନୀତି ତଥା ନିବେଶ କାର୍ଯ୍ୟକ୍ରମକୁ ନେଇ ସୋମବାର ଦିନ ଏକ ବିଶେଷ ଅଧିବେଶନ ହୋଇଥିଲା। ଏହି ସମ୍ମିଳନୀରେ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ କହିଥିଲେ।

“ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟରେ ଥିବା ବିଭିନ୍ନ ଟେକ୍ନୋଲୋଜି ଇନକ୍ୟୁବେଟର ମାଧ୍ୟମରେ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି। ସେହିପରି ଭୁବନେଶ୍ୱର ନିକଟସ୍ଥ ଅନ୍ଧାରୁଆଠାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବାୟୋଟେକ୍ ପାର୍କ ନିର୍ମାଣ କରାଯାଇଛି। ଆଗାମୀ ଦିନରେ ସେଠାରୁ ଭାରତ ବାୟୋଟେକ୍ କମ୍ପାନି ଟିକା ଉତ୍ପାଦନ କରିବାକୁ ଯାଉଛି। ଏହାସହିତ ରାଜ୍ୟ ସରକାର ଯେଉଁ ସଂଶୋଧିତ ବାୟୋଟେକ୍ନୋଲୋଜି ନୀତି ଆଣିବାକୁ ଯାଉଛନ୍ତି, ତାହା ଏ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ବିଶେଷ ସହାୟକ ହୋଇପାରିବ”, କହିଛନ୍ତି ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍।

ସୋମବାର ଦିନ ଓଡ଼ିଶା ପାଭିଲିୟନ ବୁଲି ଦେଖିଥିଲେ ଭାରତୀୟ ବାୟୋଟେକ୍ନାଲୋଜି ଜଗତର ପରିଚିତ ବ୍ୟକ୍ତିତ୍ୱ ତଥା ବାୟୋକନ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା କିରଣ ମଜୁମଦାର ସ। ସେ ଓଡ଼ିଶାରୁ ଆଥିବା ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ଦେଖିବା ସହ ଏହି କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ନେଇ ପ୍ରଶଂସା କରିଥିଲେ।

ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ପୂଜା ମିଶ୍ର, ଉପନିର୍ଦ୍ଦେଶକ (ବାୟୋଟେକ୍ନୋଲୋଜି) ଡକ୍ଟର ଶଶିକାନ୍ତ ଦାଶ, ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ, ବିସିକେଆଇସିର ଅଧ୍ୟକ୍ଷ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ପ୍ରମୁଖ ଯୋଗ ଦେଇଛନ୍ତି। ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଲଷ୍ଟର (ବିସିକେଆଇସି) ଏହି କାର୍ଯ୍ୟକ୍ରମ ଲାଗି ବିଭାଗ ସହିତ ନଲେଜ ପାର୍ଟନର୍ ଭାବେ ଯୋଡ଼ି ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନର ଅଧ୍ୟାପକ ଓ ଗବେଷକମାନେ ମଧ୍ୟ ଯୋଗ ଦେଇଛନ୍ତି।

ଆଧୁନିକ ଜୀବନଶୈଳୀ, ଶିଳ୍ପ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ ତଥା ଆଜିର ବିକଶିତ ଅର୍ଥନୀତି କ୍ଷେତ୍ରରେ “ବାୟୋ-ଇକୋନମି” ଏକ ନୂତନ ବିଷୟ ଭାବେ ପରିଚିତ ହେଉଛି। ତେଣୁ ବିଶ୍ୱ ଅର୍ଥନୀତି ପାଇଁ ଆଜି ବାୟୋଟେକ୍ନୋଲୋଜି ଏକ ନୂଆ ଦିଗ ଆଣିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆର ଫାର୍ମାସି ଓ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀଙ୍କୁ ଗ୍ରାଜୁଏସନ୍ ଡିଗ୍ରୀ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍‌ ସାଇନ୍‌ସେସ (ଏସ୍‌ପିଏସ୍‌) ଓ ସେଂଟର ଅଫ୍  ବାୟୋଟେକ୍ନୋଲୋଜିର ଛାତ୍ରଛାତ୍ରୀଙ୍କୁ ବୁଧବାର ସ୍ୱତବ ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ଉପାଧି ପ୍ରଦାନ କରାଯାଇଛି।

୨୦୨୦, ୨୦୨୧ ଏବଂ ୨୦୨୨ ବ୍ୟାଚର ବି.ଫାର୍ମା, ଏମ୍ ଫାର୍ମା ଏବଂ ଏମ୍‌. ଏସ୍‌ସି (ବାୟୋଟେକ୍ନୋଲୋଜି)ର ଛାତ୍ରଛାତ୍ରୀମାନଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି। ମହାମାରୀ କରୋନା କାରଣରୁ ଏହି ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ ସମାରୋହ ଅନୁଷ୍ଠିତ ହୋଇପାରି ନଥିଲା।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସୋଆ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସହଭାଗିତା କରିଛି ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ।

ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଫେସର ନନ୍ଦ କହିଥିଲେ ଯେ ସେମାନେ ଏଭଳି ଏକ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଛନ୍ତି ଯାହାକି ଚଳିତ ୨୦୨୩ରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ସରେ ଦେଶର ଶ୍ରେଷ୍ଠ ୧୫ ତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି।

ପ୍ରଫେସର ନନ୍ଦ କହିଥିଲେ ଯେ ଗବେଷଣା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ସୋଆରେ ଅନେକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ଏବଂ ଅଟଳ ଇନୋଭେସନ୍ ମିଶନ ଅଧୀନରେ ଏକ ଇନ୍‌କ୍ୟୁବେସନ୍ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ମଧ୍ୟ ବିଶ୍ୱବିଦ୍ୟାଳୟକୁ ମଞ୍ଜୁରି ଦିଆଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା, ସହଭାଗିତା, ପାଟେଂଟ ଓ ଷ୍ଟାର୍ଟଅପ୍ ଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ।

ବିଭିନ୍ନ କ୍ଷେତ୍ରରେ ସହଭାଗିତା ନିମନ୍ତେ ଅନେକ ଶିଳ୍ପ ଓ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ସୋଆ ୧୩୭ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିବା ସେ କହିଛନ୍ତି।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର (ଡକ୍ଟର) ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍‌ ଏଗ୍‌ଜାମିନେସନ୍ ପ୍ରଫେସର (ଡକ୍ଟର) ମଞ୍ଜୁଳା ଦାସ, ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ ସି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ବିଭାଗର ମୁଖ୍ୟ, ଏକାଡେମିକ କାଉନ୍‌ସିଲ୍ ସଦସ୍ୟ ଏବଂ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ।