Categories
ବିଶେଷ ଖବର ରାଜ୍ୟ ଖବର

ସଭାରେ ଅନୁରୋଧ କଲେ ତାରାବାହିନୀ ପତି, ନବୀନ ଦେଖାଇ ଦେଲେ ଅନୁମତି

ଜୟପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଗସ୍ତରେ ଯାଇ ଜୟପୁରର ବିକ୍ରମଦେବ କଲେଜର ପ୍ଲାଟିନିୟମ ଜୁବୁଲି ସମାରୋହରେ ଯୋଗ ଦେଇଥିଲେ। ଏଥିରେ କୋରାପୁଟ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହିତ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଯୋଗ ଦେଇଥିଲେ।

ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ଜୟ ଜୟକାର କରିଥିଲେ। କାରଣ ଥିଲା ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମ ଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିସାରିଥିଲେ। ଫଳରେ ଏହି ଉତ୍ସବ ବେଶ ଉତ୍ସବ ମୁଖର ହୋଇ ଉଠିଥିଲା।

ନବୀନଙ୍କ ଏପରି ପଦକ୍ଷେପକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶଂସା ନ କରି ରହିପାରିଲେ ନାହିଁ। ସେ ନବୀନ ପଟ୍ଟନାୟକ, 5ଟି ସଚିବ ଭି କେ ପାଣ୍ଡିଆନ, କୋରାପୁଟର ସମସ୍ତ ବିଧାୟକ, ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସେ ପ୍ରଶଂସାରେ ପୋତି ପକାଇଲେ। ଏପରିକି ସଭା ସ୍ଥଳରେ ସେ ନବୀନ ପଟ୍ଟନାୟକ ସ୍ବାଗତଂ..ସ୍ବାଗତଂ ସହିତ ନବୀନ ପଟ୍ଟନାୟକ ଜିନ୍ଦାବାଦ ବୋଲି କହିଲେ। ଏହାକୁ ନବୀନ ବେଶ ଖୁସିର ସହିତ ଉପଭୋଗ କରିଥିଲେ।

ତେବେ ତାରାବାହିନୀ ପତି ସେହି ସଭାରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ପ୍ରଶଂସା ସହିତ ଛୋଟ ଅନୁରୋଧଟିଏ ମଧ୍ୟ କରିଥିଲେ। ତାହା ଥିଲା ଯେ, ବିକ୍ରମ ଦେବ କଲେଜରେ ଏକ ଅଡିଟୋରିୟମ ନାହିଁ। ତାହା କିପରି ହେବ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ସେ ସେହି ସଭାରେ ନବୀନଙ୍କୁ ଅନୁରୋଧ କଲେ। ଏଥିସହିତ ସହିତ କୋରାପୁଟର ପର୍ଯ୍ୟଟନ, ଶିକ୍ଷା ସ୍ବାସ୍ଥ୍ୟ ଉପରେ ଅନେକ ସମସ୍ୟା ସଂପର୍କରେ ମଧ୍ୟ ସେ ଅବଗତ କରାଇଥିଲେ।

ହେଲେ ସେହି ସଭାରେ ନବୀନ ପଟ୍ଟନାୟକଙ୍କ ପକ୍ଷରୁ 5ଟି ସଚିବ ଭି କେ ପାଣ୍ଡିଆନ ଏକ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଏହି କଲେଜରେ ଏକ ବଡ ଅଡିଟୋରିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇ ସାରିଛନ୍ତି। ସେତିକି ନୁହେଁ ସେହି ଅନୁମତି ପତ୍ର ମଧ୍ୟ ସେ ସାଥୀରେ ନେଇ ଆସିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ସେହି ଅନୁମତି ପତ୍ରକୁ ସଭାରେ ଦେଖାଇଥିଲେ।

ଏହି ଅଡିଟୋରିୟମ ପାଇଁ ତିନି କୋଟି ବ୍ୟୟ ଅଟକଳ ରଖାଯାଇଛି ବୋଲି ପାଣ୍ଡିଆନ କହିଥିଲେ। ଏହି ଅନୁମତି ପତ୍ର ଜିଲ୍ଲାପାଳ ଗ୍ରହଣ କରିବା ପାଇଁ ଅନୁରୋଧ କରୁଛି। ଏହାପରେ ମୁଖ୍ୟମନ୍ତ୍ରୀ ସେହି ଅନୁମତ୍ରକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏପରି ପରିସ୍ଥିତି ଦେଖି ଖାଲି ତାରାବାହିନୀ ପତି ନୁହଁନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ। ଛାତ୍ରଛାତ୍ରୀ ସମସ୍ତେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ପରିବେଶକୁ ପ୍ରକମ୍ପିତ କରିଥିଲେ।

Categories
ବିଶେଷ ଖବର

ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି: ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଏ ଘୋଷଣା ସଂପର୍କରେ ଉଲ୍ଲେଖକରି କହିଥିଲେ ‘ଆପଣମାନେ ଖୁସି ତ?’ ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିପୁଳ ଉତ୍ସାହ, ଆନନ୍ଦ, ଉଲ୍ଲାସ ଓ କରତାଳି ମଧ୍ୟରେ ସ୍ବାଗତ କରିଥିଲେ। ଏହି ଘୋଷଣା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ଏ ସଂପର୍କରେ ଅଧିକ ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କହିଥିଲେ ଯେ ଏହି ଅଡିଟୋରିଅମ ୧୦୦୦ ଆସନ ବିଶିଷ୍ଟ ହେବ ଏବଂ ଏଥିପାଇଁ ୮ କୋଟି ଟଙ୍କା ବିନିଯୋଗ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଆମ ଭିତରେ ଥିବା ସଂଭାବନାକୁ ବୃଦ୍ଧି କରିଥାଏ। ଯୁବସମାଜ ଉପରେ ତାଙ୍କର ପୁରା ଆସ୍ଥା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଭଲ ପାଠ ପଢନ୍ତୁ ଏବଂ ସମାଜ ସହିତ ଯୋଡି ହୋଇ ରୁହନ୍ତୁ। ନିଜର ତଥା ନିଜ ପରିବାରର ଏବଂ ସାରା ଓଡିଶାର ସ୍ବପ୍ନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।

କୋରାପୁଟ ତାଙ୍କ ପାଇ ସବୁବେଳେ ସ୍ବତନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମିର ବିକାଶ ଜରିଆରେ କୋରାପୁଟର ବିକାଶ ପାଇଁ କାମ କରାଯାଉଛି। ଭିତ୍ତିଭୂମିର ଗୁରୁତ୍ବ ସଂପର୍କରେ ଉଦାହରଣମ ଦେଇ ସେ କହିଲେ ଯେ ଗୋଟିଏ ଗୁରୁପ୍ରିୟା ସେତୁ ଆଜି ସ୍ବାଭିମାନ ଅଞ୍ଚଳରେ ବିକାଶର ନୂଆ ଧାରା ଆଣିପାରିଛି।

ଭିତ୍ତିଭୂମି ହିଁ ବିକାଶର ଆଧାର ବୋଲି ସେ ମତବ୍ୟକ୍ତ କରି ସେ କୋରାପୁଟ ପାଇଁ ୧୫୯୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଧିରେ ୨୦୭.୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥଇବା ବେଳେ ୧୩୭୮.୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା। ସେତୁ, ସଡକ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତୀକରଣ ଓ ପର୍ଯ୍ୟଟନ ଆଦି ପ୍ରକଳ୍ପ କାମ କରାଯାଇଛି।

ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଥିଲ ଯେ ମା ମାନେ ଭଲ କାମ କରି ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ସ୍ବାଧୀନତାର ୭୫ ବର୍ଷ ଅବସରରେ ଜାତୀୟ ପତାକା ପ୍ରସ୍ତୁତ କରି ସେମାନେ ନିଜର ଦକ୍ଷତା ଦେଖାଇଛନ୍ତି ଏବଂ ସେମାନଙ୍କ ଉପରେ ଥିବା ଆମର ବିଶ୍ବାସକୁ ଆହୁରି ମଜବୁତ କରିଛନ୍ତି। ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହେଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନରେ ପରିଣତ କରିବା ପାଇଁ କାମ ଆରମ୍ଭ ହୋଇଛି ଏବଂ ଏଥିପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ କହିଥିଲେ। ମା ମାନଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ବୋଲି ସେ କହିଥିଲେ।

ଏହି ଅବସରରେ ଜିଲ୍ଲାର ୧୨୩୫ ମିଶନ ଶକ୍ତି ଗୋଷ୍ଠୀକୁ ୫୦ କୋଟି ଟଙ୍କାର ସୁଧ ବିହୀନ ଋଣ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କୋରାପୁଟ ପର୍ଯ୍ୟଟନ ଉପରେ ଆଧାରିତ ଏକ ସ୍ବତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପେଡାଲ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲ୍ଲେକା ଏବଂ କୋରାପୁଟ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ବିଶ୍ବବିଦ୍ୟାଳୟ ଘୋଷଣାକୁ ସ୍ବାଗତ କରିଥିଲେ ଏବଂ ଏହାଦ୍ବାରା କୋରାପୁଟ ଜିଲ୍ଲା ଓ ସମଗ୍ର ଦକ୍ଷିଣ ଓଡିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି ହେବ ବୋଲି ମତବ୍ୟକ୍ତ କରିଥିଲେ।