Categories
ଆଞ୍ଚଳିକ

ପେନସନ ଓ ସାମ୍ବାଦିକ ସୁରକ୍ଷା ଆଇନ ଦାବିରେ ରଣପୁର ସାମ୍ବାଦିକ ୟୁନିୟନର ବିକ୍ଷୋଭ ପ୍ରଦର୍ଶନ

ରଣପୁର: ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ନେଇ ଆଜି ଓଡିଶା ସାମ୍ବାଦିକ ୟୁନିୟନ ଡାକରାରେ ସମଗ୍ର ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରଣପୁର ବ୍ଲକ ସାମ୍ବାଦିକ ୟୁନିୟନ ଏହାକୁ ସମର୍ଥନ କରି କଳାବ୍ୟାଚ ପରିଧାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସାମ୍ବାଦିକମାନଙ୍କ ସମ୍ମାନ, ସୁରକ୍ଷା ଓ ପେନସନ ଆଦି ଦାବି ନେଇ ଓଡିଶା ସାମ୍ବାଦିକ ୟୁନିୟନ ତରଫରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି।

ରଣପୁର ବ୍ଲକ ସାମ୍ବାଦିକ ସଂଘ ତରଫରୁ ସଭାପତି ସୁକାନ୍ତ ପଟ୍ଟନାୟକ, ସମ୍ପାଦକ ବ୍ରଜ ରଣସିଂହ, ବରିଷ୍ଠ ସଭ୍ୟ ରଘୁନାଥ ନାୟକ, କୃଷ୍ଣ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ପ୍ରଧାନ, ଉମେଶ ଚନ୍ଦ୍ର ସାହୁ,ଚନ୍ଦ୍ରଭାନୁ ପରିଡା, ରଜନୀକାନ୍ତ ମିଶ୍ର, ଆଲୋକ କୁମାର ମହାରଣା, ପ୍ରସନ୍ନ କୁମାର ସାମନ୍ତରାୟ, ବିପିନ ବିହାରୀ ସାହୁ, ରଂଜିତ ସାହୁ, ନିରଞ୍ଜନ ମହାପାତ୍ରଙ୍କ ସମେତ ବହୁ ସାମ୍ବାଦିକ ସ୍ଥାନୀୟ ପଞ୍ଚୁଦୋଳ ପଡିଆ ସ୍ଥିତ ରଘୁ-ଦିବାକର ସ୍ନୁତି ମଣ୍ଡପ ଠାରେ ଏକତ୍ରିତ ହୋଇଥିଲେ। ପରେ କଳା ବ୍ୟାଚ ପରିଧାନ କରିବା ସହିତ ସାମ୍ବାଦିକଙ୍କ ନିମନ୍ତେ ଉପରୋକ୍ତ ଦାବି ନେଇ ସରକାରୀ ବିରୋଧୀ ନାରା ଦେଇ ଶାନ୍ତି ଉପାୟ ଅବଲମ୍ବନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Categories
ବିଶେଷ ଖବର

କୁସ୍ତିଯୋଦ୍ଧାଙ୍କୁ ମିଳିଲା ପଞ୍ଜାବର ସବୁଠୁ ବଡ କୃଷକ ସଂଘର ସମର୍ଥନ, ଦିଲ୍ଲୀରେ ପହଞ୍ଚିବେ ହଜାର ହଜାର ମହିଳା

ନୂଆଦିଲ୍ଲୀ: ପଞ୍ଜାବର ବଡ କୃଷକ ସଂଘ ଭାରତ କିଷାନ ୟୁନିଅନ ଜନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛି। ମେ ୭ ତାରିଖରେ ସଭାପତି ଯୋଗୀନ୍ଦର ସିଂ ଉଗ୍ରାହାଁଙ୍କ ନେତୃତ୍ୱରେ ପଞ୍ଜାବର ହଜାର ହଜାର ମହିଳା ଖେଳାଳିଙ୍କୁ ସମର୍ଥନ କରିବା ପାଇଁ ଜନ୍ତର ମନ୍ତରରେ ପହଞ୍ଚିବେ। ଏହା ବ୍ୟତୀତ ୧୧, ୧୨ ଏବଂ ୧୩ ତାରିଖରେ ପଞ୍ଜାବ, ହରିୟାଣା ଏବଂ ଉତ୍ତରାଖଣ୍ଡରେ ମହିଳାଙ୍କ ଦ୍ୱାରା ତୀବ୍ର ବିରୋଧ କରାଯିବ।

କୃଷକ ନେତା ଚୌଧୁରୀ ନରେଶ ଟିକାଏତ ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ, ଦିଲ୍ଲୀର ଜନ୍ତର ମନ୍ତରରେ ଧର୍ମଘଟ କରୁଥିବା କୁସ୍ତିଯୋଦ୍ଧାମାନଙ୍କୁ ପୋଲିସ ଅସଦାଚରଣ କରିଥିଲା। ଯାହାକୁ ନେଇ ସର୍ଭଖପ ମୁଖ୍ୟାଳୟ ସୌରାମରେ ତୁରନ୍ତ ପଞ୍ଚାୟତ ଡକାଗଲା। ଯେଉଁଥିରେ ଖାପ୍ସର ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ ଏବଂ ସର୍ବସମ୍ମତି କ୍ରମେ ମଇ ୭ ତାରିଖରେ ଦିଲ୍ଲୀ ଯିବାକୁ ସ୍ଥିର କଲେ।

ଉଲ୍ଲେଖ ଯୋଗ୍ୟ ଯେ, ଏପ୍ରିଲ ୨୩ ତାରିଖରୁ କୁସ୍ତିଯୋଦ୍ଧାମାନେ ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସେମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି, ଯିଏକି ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଅଟନ୍ତି।

ବ୍ରିଜ ଭୂଷଣ ଶରଣ ସିଂଙ୍କୁ ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ଗିରଫ କରିବାକୁ ଦାବି କରୁଛନ୍ତି। ଏଥିସହ ବିରୋଧୀ କୁସ୍ତିଯୋଦ୍ଧା ଏବଂ କିଛି ପୋଲିସ କର୍ମଚାରୀଙ୍କ ମଧ୍ୟରେ ‘ଝଗଡା’ ହୋଇଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ କିଛି ବିକ୍ଷୋଭକାରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧା ଏବଂ ପୋଲିସ ମଧ୍ୟରେ ଚାଲିଥିବା ଝଗଡାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ଏବଂ ଜାତୀୟ ଖେଳାଳିଙ୍କ ପ୍ରତି ହେଉଥିବା ବ୍ୟବହାରକୁ ଦୁଃଖଦାୟକ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି। କେଜ୍ରିୱାଲ ଏକ ଟୁଇଟରେ ଅଭିଯୋଗ କରିଛନ୍ତି ଯେ, ଗର୍ବରେ ବିଜେପିର ମୁଣ୍ଡ ଖରାପ ହୋଇଛି। ସେ କହିଛନ୍ତି ଯେ, “ଏହି ଲୋକମାନେ କେବଳ ଗୁଣ୍ଡାଗର୍ଦ୍ଦି ସହିତ ସମଗ୍ର ସିଷ୍ଟମକୁ ନଷ୍ଟ କରିବାକୁ ଚାହୁଁଛନ୍ତି; ସେମାନେ ସମଗ୍ର ସିଷ୍ଟମକୁ ପରିହାସ କରିଛନ୍ତି।”

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ମହିଳା କୁସ୍ତି ଖେଳାଳିଙ୍କ ଅବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରି ବିଜେପି ଉପରେ ଆକ୍ରମଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୩ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ସରକାରୀ ସିବିଟି ଶିକ୍ଷକ ସଂଘ

ଭୁବନେଶ୍ୱର: ଏପ୍ରିଲ୍ ୩ ତାରିଖରେ ଓଡ଼ିଶା ସରକାରୀ ସିବିଟି ଶିକ୍ଷକ ସଂଘ (ମିଳିତମଞ୍ଚ ୨୦୧୬ ରୁ ୨୦୨୨) ନିୟମିତ କରିବା ଦାବିରେ ସେମାନେ ଲୋୟର୍ ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିବେ। ମିଳିତମଞ୍ଚ ୨୦୧୬ ରୁ ୨୦୨୨ ଏ ନେଇ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦେଇଛନ୍ତି।

ସଂଘର ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ ଘୋଷଣା କରିଥିଲେ। ଏହାପରେ ସମସ୍ତ ବିଭାଗର ସରକାରୀ କର୍ମଚାରୀଙ୍କୁ ନିୟମିତ କରାଯାଇଛି। ହେଲେ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଅଧିନରେ କାର୍ଯ୍ୟ କରୁଥିବା ୨୦୧୬ ରୁ ୨୦୨୨ ବ୍ୟାଚ୍ ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇନାହିଁ। ଅନ୍ୟ ବିଭାଗର କର୍ମଚାରୀମାନେ ନିୟମିତ ହେବାପରେ ସମସ୍ତ ସରକାରୀ ସୁବିଧା ଲାଭ କରୁଛନ୍ତି। ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ ଘୋଷଣା କରାଯାଇନାହିଁ। ଫଳରେ ୧୮୦୦୦ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହିପରିକି କିଛି ଶିକ୍ଷକ ନିୟମିତ ନ ହୋଇପାରି ମୃତ୍ୟୁବରଣ କରିଛନ୍ତି।

ତେଣୁ ଆସନ୍ତା ୩ ତାରିଖ ରୁ ୨୦୧୬ ରୁ ୨୦୨୨ ବ୍ୟାଚ୍ ର ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣା ଦେବେ ବୋଲି ରାଜ୍ୟ ସଂଘର ସଭାପତି ରାଜେନ୍ଦ୍ର ମଲ୍ଲିକ୍‌, ଆବାହକ ମନୋଜ ଜେନା, ମହା ସଚିବ ଦେବାଶିଷ ଜେନା, ସମ୍ପାଦକ ଦେବରାଜ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦରମା ବୃଦ୍ଧି ଦାବିରେ ଓଡ଼ିଶା ଅମଲା ସଙ୍ଘର ବିକ୍ଷୋଭ ପ୍ରଦର୍ଶନ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା: ଆଜି ଗ୍ରେଡ-ପେ ୪ ହାଜର ୨ ଶହ ଟଙ୍କା ଦାବିରେ ଡ଼ିଶା ଅମଲା ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡ଼ିଶା ଅମଲା ସଙ୍ଘର ଶତାଧିକ ସଭ୍ୟ ଏକ ଶୋଭଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ରାଜ୍ୟସରକାରଙ୍କ ନିକଟରେ ବହୁବାର ଦାବି ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳିନଥିବାରୁ ଅମଲା ସଂଘ କ୍ଷୋଭ ପ୍ରକାଶ କରିଛି।

ତେଣୁ ରାଜ୍ୟ ସରକାର ସେମାନଙ୍କ ଦାବି ଶୁଣୁନଥିବା ଅଭିଯୋଗ କରିବା ସହ ଆସନ୍ତା ୨୭ ତାରିଖ ଦିନ ଭୁବନେଶ୍ଵରଠାରେ ଏକ ବିରାଟ ରାଲି କରିବାକୁ ଯାଉଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ଶାଖା ତରଫରୁ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିକ୍ଷୋଭ ପ୍ରଦର୍ଶନ ବେଳେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା

ଅମୃତସର: ପଞ୍ଜାବର ଅମୃତସର ସହରରେ ଆଜି ଅପରାହ୍ନରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୂଚନାନୁସାରେ, ଏକ ପ୍ରଦର୍ଶନ ସମୟରେ ସୁରୀଙ୍କୁ ରାସ୍ତାରେ ଗୁଳି କରାଯାଇଛି। ସେ ଏକ ମନ୍ଦିର ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଆକ୍ରମଣ ସମୟରେ ଅନେକ ରାଉଣ୍ଡ ଗୁଳି ଚଳାଇବାର ଚର୍ଚ୍ଚା ହେଉଛି। ସୂଚନାନୁସାରେ, ପରିଚାଳନା ବିବାଦକୁ ନେଇ ସ୍ଥାନୀୟ ଶିବସେନା ନେତା ସୁରୀ ଏକ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଜଣେ ଦୋକାନୀ ତାଙ୍କୁ ଅତି କମରେ ପାଞ୍ଚଟି ଗୁଳି ଚଳାଇଥିଲା। ଯଦିଓ ସେ ପୋଲିସର ସୁରକ୍ଷା ଥିଲା, ତଥାପି ଆକ୍ରମଣକାରୀ ତାଙ୍କୁ ଟାର୍ଗେଟ କରିବାରେ ସଫଳ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ସୁରୀଙ୍କର ମୃତ୍ୟୁ ହୋଇଥିଲା

ପୋଲିସ କମିଶନରଙ୍କ କହିବାନୁସାରେ, ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି ଏବଂ ଅପରାଧରେ ବ୍ୟବହୃତ ପିସ୍ତଲ ଜବତ କରାଯାଇଛି। ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କୁ ଜେରା କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବ୍ଲକ ସମ୍ମୁଖରେ ହରିପୁର ସରପଞ୍ଚ ସମେତ ଶତାଧିକ ଜନତାଙ୍କ ବିକ୍ଷୋଭ

ସୀତାରାମ ଅଗ୍ରୱାଲ

ଚିଲିକା: ଗୁରୁବାର ପୂର୍ବାହ୍ନରେ ହରିପୁର ପଂଚାୟତର ନବନିର୍ବାଚିତ ସରପଞ୍ଚଙ୍କ ସମେତ ଶତାଧିକ ଲୋକ ଚିଲିକା ବ୍ଲକ ସମ୍ମୁଖରେ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ମୁତାବକ ଜନସାଧାରଣଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି ହେବା ସହ ସରକାରଙ୍କ ଧାର୍ଯ୍ୟ ୬ ଟି ପ୍ରକଳ୍ପ ଅଦ୍ୟାବଧି ସାଧିତ ହୋଇପାରୁନଥିବା ନେଇ ଚିଲିକା ମଣ୍ଡଳ ଉନ୍ନୟନ ଅଧିକାରୀଣି ୨୦/୦୬/୨୦୨୨ ରେ ଚିଠି ନଂ ୧୭୬୧ ରେ ନବନିର୍ବାଚିତ ସରପଞ୍ଚ ଗୀତାଞ୍ଜଳି ବେହେରାଙ୍କୁ ଅବଗତ କରାଇଥିଲେ।

ଏଥିସହିତ ୦୪/୦୬/୨୦୨୨ ରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ପଂଚାୟତ ନିରୀକ୍ଷଣ କରିବା ନେଇ ଧାର୍ଯ୍ୟ କରାଯାଇଥିବା ବେଳେ ସରପଞ୍ଚଙ୍କ ଅନୁପସ୍ଥିତ ଯୋଗୁଁ ତାହା ସମ୍ପାଦନ ହୋଇପାରିନଥିଲା।ଯାହାଫଳରେ ବିଡ଼ିଓ ଡ଼ା ସୁଷମା ବାରିକ ଏସମ୍ବନ୍ଧରେ ଉପରିସ୍ଥ ଅଧିକାରୀ ଜିଲ୍ଲା ପଞ୍ଚାୟତ, ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ମାତ୍ର ସରପଞ୍ଚ ଶ୍ରୀମତୀ ବେହେରା ତାଙ୍କ ଚାରି ମାସ କାର୍ଯ୍ୟକାଳ ମଧ୍ୟରେ ଧାର୍ଯ୍ୟ ଉକ୍ତ ୬ ପ୍ରକଳ୍ପ ସମ୍ବନ୍ଧରେ କୌଣସି ନଥିପତ୍ର ପାଇନଥିବା ବେଳେ ପଞ୍ଚାୟତ ନିରୀକ୍ଷଣ ନେଇ କୌଣସି କର୍ମଚାରୀ ସୂଚନା ଦେଇନଥିବା ଅଭିଯୋଗ କରିଛନ୍ତି।

ଏଥିସହିତ ପଞ୍ଚାୟତ ପିଇଓ ରବୀନ୍ଦ୍ର ପୃଷ୍ଟି ମନଇଚ୍ଛା କାର୍ଯ୍ୟାଳୟକୁ ଆସିବା ଏବଂ ନିଜ ଇଛା ମୁତାବକ କାର୍ଯ୍ୟ ସମ୍ପାଦନ କରିବା ନେଇ ସାଧାରଣ ଜନତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି ପରିପ୍ରେକ୍ଷୀରେ ସରପଞ୍ଚଙ୍କ ସମେତ ପୂର୍ବତନ ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଶତାଧିକ କର୍ମୀ ଚିଲିକା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିବାସହ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଯଦି ଉଚିତ ନ୍ୟାୟ ନମିଳେ ତେବେ ଆଗାମି ଦିନରେ ଏହାକୁ ତୀବ୍ରତର କରାଯିବ ନେଇ ଚେତାବନୀ ଦେଇଛନ୍ତି। ଏନେଇ ବିଡ଼ିଓଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସମ୍ପୃକ୍ତ ସରପଞ୍ଚ ଉକ୍ତ କାର୍ଯ୍ୟଗୁଡ଼ିକ ବିଷୟରେ ଅବଗତ ଅଛନ୍ତି ଏବଂ ଜାଣି ଶୁଣି ବିଲ ପାସ କରୁନଥିବାର କହିଛନ୍ତି।

ତେବେ ପୁଣି ଆସନ୍ତାକାଲି ଏ ନେଇ ସମ୍ପୃକ୍ତ ସରପଞ୍ଚଙ୍କୁ ପୁଣି ଚିଠି କରାଯିବା ସହ ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ବିଡ଼ିଓ ଡ଼ା ବାରିକ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଏହି ୩୫ ଟି ହ୍ଵାଟସ୍ ଆପ୍ ଗୃପ ଉପରେ ଲାଗିଲା ବ୍ୟାନ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହି ପ୍ରଦର୍ଶନରେ ଅନେକ ଟ୍ରେନ୍ ଜଳି ଯାଇଛି। ଜନସାଧାରଣଙ୍କ ସମ୍ପତ୍ତି ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଅଗ୍ନିପଥ ଯୋଜନା ବିରୋଧରେ ଦଙ୍ଗା ବିସ୍ତାର ପାଇଁ ପ୍ରାୟ ୩୫ ହ୍ଵାଟସ୍ ଆପ୍ ଗୋଷ୍ଠୀ ଦାୟୀ। ଏହି ହ୍ଵାଟସ୍ ଆପ୍ ମାଧ୍ୟମରେ ସମଗ୍ର ଦେଶରେ ଅଗ୍ନିପଥ ଯୋଜନା ବିରୋଧରେ ମିଥ୍ୟା ଖବର ପ୍ରଚାରିତ ହେଉଥିଲା, ଯାହା ପରେ ସାରା ଦେଶରୁ ହିଂସା ଓ ଅଗ୍ନିକାଣ୍ଡର ଖବର ସାମ୍ନାକୁ ଆସିଥିଲା।

ଗଣମାଧ୍ୟମ ଖବର ଅନୁଯାୟୀ, ହିଂସାକୁ ବଢାଇବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାର ଏହି ମାମଲାରେ ଦାୟୀ ୩୫ ଟି ହ୍ଵାଟସ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସହିତ ଏହି ହିଂସାର ୧୦ ମାଷ୍ଟରମାଇଣ୍ଡ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ନିଯୁକ୍ତି ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣକୁ ରୋକିବା ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ଏହି ବର୍ଗରେ ତିନି ସେନା ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଏହାକୁ ଲୋକଙ୍କ ପାଖକୁ ନେବା କାମ ମଧ୍ୟ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଆତ୍ମନିଯୁକ୍ତି ଦାବି କରି ପ୍ରାଣୀ ସମ୍ପଦ ବିକାଶ କାର୍ଯ୍ୟାଳୟ ଆଗରେ ଧାରଣା

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଗୋ-ବିକାଶ କେନ୍ଦ୍ରର ଅଧିକାରୀମାନେ ଆତ୍ମନିଯୁକ୍ତି ପାଇବା ପାଇଁ ଓୟୁଏଟିସ୍ଥିତ ଓଡ଼ିଶା ପାଣି ସମ୍ପଦ ବିକାଶ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ। ଓଡ଼ିଶାରେ ଥିବା ୩୦୦ ଗୋ-ବିକାଶ କେନ୍ଦ୍ର ଅଧିକାରୀମାନେ ପୂର୍ବରୁ ଭାରତୀୟ ଆଗ୍ରୋ ଇଣ୍ଡଷ୍ଟ୍ରିଜ ଫାଉଣ୍ଡେସନ ଅଧୀନରେ କାର୍ଯ୍ୟ କରୁଥିଲେ।

ଏହି ଫାଉଣ୍ଡେସନର କର୍ମଚାରୀଙ୍କ ପ୍ରତି ମନୋମୁଖୀ ବ୍ୟବହାର ଏବଂ କମ୍ ଦରମା ଯୋଗୁଁ ଗୋ-ବିକାଶ କେନ୍ଦ୍ରର ଅଧିକାରୀମାନେ କମ୍ ଦରମାରେ ଆଉ ସେଠାରେ କାର୍ଯ୍ୟ କରିବେ ନାହିଁ ବୋଲି ସରକାରଙ୍କୁ ଜଣାଇଥିଲେ। ସେହି ସମୟରେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ବେସରକାରୀ ଭାବେ କୃତିମ ପ୍ରଜନନକାରୀ ଓ ଜାତୀୟ ପଶୁ ରୋଗ ପ୍ରତିଷେଧ ଟୀକା କାର୍ଯ୍ୟକ୍ରମରେ ଆତ୍ମ ନିଯୁକ୍ତି ପାଇଁ ଚିଠି ପ୍ରକାଶ କରିଥିଲେ। ଗୋବିକାଶ କେନ୍ଦ୍ରର ଅଧିକାରୀମାନେ ଓଡ଼ିଶା ପଶୁ ସମ୍ପଦ ବିକାଶ ସମିତିର ଅଧିକାରୀଙ୍କୁ ୨୨.୯.୨୦୨୧ରେ ପତ୍ର ସଂଖ୍ୟା ୧୭୪୫/୧୬ ଆଧାରରେ ଆତ୍ମ ନିଯୁକ୍ତି ପାଇଁ ଦରଖାସ୍ତ କରିଥିଲେ ଏବଂ କର୍ତ୍ତୃପକ୍ଷ ମଧ୍ୟ ଏମାନଙ୍କର ମତାମତ ନେଇ ଚୁପ୍ ବସି ଯାଇଥିଲେ। ପୁନର୍ବାର ଗୋବିକାଶ କେନ୍ଦ୍ର ଅଧିକାରୀମାନେ ଆତ୍ମନିଯୁକ୍ତି ପାଇଁ ୨୯.୧୧.୨୦୨୧ରେ ସରକାରଙ୍କୁ ଦ୍ୱିତୀୟଥର ପାଇଁ ଚିଠି ଦେଇଥିଲେ। ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ।

ଏପରିକି କୋଭିଡ଼ ସମୟରେ ଗୋବିକାଶ କେନ୍ଦ୍ର ଅଧିକାରୀମାନଙ୍କୁ ଗ୍ରାମାଞ୍ଚଳରେ ସରକାର ଗୋ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଦାୟିତ୍ୱ ଦେଇଥିଲେ ସେଥିଲାଗି କୌଣସି ପ୍ରାପ୍ୟ ପ୍ରଦାନ କରିନାହାଁନ୍ତି। ଏଣୁ ଦୀର୍ଘ ୪ ମାସ ଘରେ ବେକାର ବସିବା ପରେ ମଧ୍ୟ ଏବଂ ସରକାର ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଠକି ଚାଲିଥିବାରୁ ବକେୟା ପାଉଣା ଦେଇନଥିବାରୁ ଗୋସମ୍ପଦ ବିକାଶ ସମିତି କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣା ଦେବା ଦେଇଥିଲେ। ଯଦି ସରକାର ଆମର ଦାବି ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ବାଧ୍ୟ ହୋଇ ସବୁ ଅଧିକାରୀମାନେ ଆତ୍ମହୁତି ଦେବୁ ବୋଲି ସଂଘର ସଭାପତି ସୌମେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ବିକ୍ଷୋଭ ପ୍ରଦର୍ଶନ, ଆଲୋଚନା ପରେ ସ୍ଥଗିତ ହେଲା ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକ କର୍ମଚାରୀ ମାରଣନୀତି ଜାରି ରଖିଛନ୍ତି। ସରକାର ସମସ୍ତଙ୍କ ପାଇଁ ବହୁ ଯୋଜନା କରୁଥିବା ବେଳେ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକମାନଙ୍କ ପାଇଁ କୌଣସି ସୁଚିନ୍ତିତ ଯୋଜନା କରୁନାହାଁନ୍ତି। ଯାହାଦ୍ୱାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା ହେଉନାହିଁ। ଶିକ୍ଷା ଅଧିକାର ଆଇନ, ୨୦୧୦କୁ ଆମ ରାଜ୍ୟରେ ଆଦୌ କାର୍ଯ୍ୟକାରୀ କରୁନାହାଁନ୍ତି। ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୮୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାର ଶିକ୍ଷକ ପଦବୀ ପୂରଣ କରୁନାହାଁନ୍ତି।

ବିଭିନ୍ନ ଜିଲ୍ଲାରେ ପ୍ରଧାନ ଶିକ୍ଷକ, ଗ୍ରାଜୁଏଟ ଶିକ୍ଷକ, ଲେବୁଲ୍‌-ଭି(ବି) ପଦବୀ ବହୁ ସଂଖ୍ୟାରେ ଖାଲି ପଡ଼ିଥିଲେ ମଧ୍ୟ ସରକାର ପଦୋନ୍ନତି କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ବିଭିନ୍ନ ଜିଲ୍ଲାରେ ଠିକା ଓ ଚୁକ୍ତିରେ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକଯୁବତୀମାନଙ୍କୁ ଶୋଷଣ କରୁଛନ୍ତି। ରାଜ୍ୟର ସମସ୍ତ ଠିକା କର୍ମଚାରୀମାନଙ୍କୁ ଇନ୍‌ସିଆଲ ଆପଏଣ୍ଟିଜ୍ ଘୋଷଣା କରି ସେମାନଙ୍କ ଦରମା ବୃଦ୍ଧି କରିଥିଲେ ମଧ୍ୟ କନିଷ୍ଠ ଶିକ୍ଷକମାନଙ୍କୁ ଏଥିରୁ ବାଦ୍ ଦେଇଛନ୍ତି। ୮ ବର୍ଷ ଧରି କନିଷ୍ଠ ଶିକ୍ଷକମାନଙ୍କର ଏକଟଙ୍କା ବୃଦ୍ଧି କରିନାହାଁନ୍ତି। ୬ ବର୍ଷ କାଳ କନିଷ୍ଠ ଶିକ୍ଷକମାନଙ୍କୁ କମ୍ ଦରମା ଦେଇ ନିୟମିତ କରିବା ପରେ ମଧ୍ୟ ନିୟମିତ ଶିକ୍ଷକମାନଙ୍କୁ ଅଣଦେଖା କରୁଛନ୍ତି।

ଆମ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ ୪୨୦୦ ଟଙ୍କା ଗ୍ରେଡ୍ ପେ ଦେଇ ସପ୍ତମ ବେତନ ସଂଶୋଧନ କରିଥିବା ବେଳେ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କ ଦରମା ସପ୍ତମ ବେତନ କମିଶନରେ ମାତ୍ର ୨୨୦୦ ଟଙ୍କା ଗ୍ରେଡ଼ ପେ ଦେଇ ସଂଶୋଧନ କରାଯାଇଛି ଯାହାକି ସମସ୍ତ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କ ଦରମା ଠାରୁ ଆମ ରାଜ୍ୟର ଶିକ୍ଷକମାନେ କମ୍ ଦରମା ପାଉଛନ୍ତି। ସର୍ବୋଚ୍ଚ ଅଦାଲତ ସମାନ କାମକୁ ସମାନ ଦରମା ଦେବା ପାଇଁ କହିଥିବା ବେଳେ ରାଜ୍ୟ ସରକାର ତାହାକୁ କାର୍ଯ୍ୟକାରୀ କରୁନାହାଁନ୍ତି। ଶିକ୍ଷା ଅଧିକାର ଆଇନ୍ ଅଧିନିୟମ ୧୮(୨)ଗରେ ସମସ୍ତ ଶିକ୍ଷକମାନଙ୍କୁ ପେନସନ, ଗ୍ରାଚୁଇଟି, ମେଡ଼ିକାଲ ଭତ୍ତା, ଭବିଷ୍ୟତନିଧି ପାଣ୍ଠି, ଡ଼ାକ୍ତରୀ ସୁବିଧା, ସ୍ୱାସ୍ଥ୍ୟବୀମା ଓ ଅବସରକାଳୀନ ସୁବିଧା ସୁଯୋଗ ଦେବା ପାଇଁ ରାଜ୍ୟ ସରକାର ଆଇନ କରିଥିବା ବେଳେ ତାହାକୁ ନିଜେ ଉଲଂଘନ କରୁଛନ୍ତି। ଶିକ୍ଷକ କର୍ମଚାରୀମାନେ ୩୦ରୁ ୩୫ ବର୍ଷ କାର୍ଯ୍ୟ କରିସାରିବା ପରେ ସେମାନଙ୍କୁ ଖାଲି ହାତରେ ଅବସର ନେବାକୁ ପଡୁଛି। ଶିକ୍ଷକ କର୍ମଚାରୀମାନଙ୍କୁ କୌଣସି ଅବସରକାଳୀନ ସୁବିଧା ସୁଯୋଗ ମିଳୁନାହିଁ।

ଜଗତୀକରଣ ଉଦାରୀକରଣ ଅର୍ଥନୀତି ଚାପରେ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୫ ମସିହା ଠାରୁ ପୁରୁଣା ପେନସନ ବ୍ୟବସ୍ଥାକୁ ବନ୍ଦ କରି ଯେଉଁ ନୂତନ ପେନସନ ବ୍ୟବସ୍ଥା ପ୍ରଚଳନ କରିଛନ୍ତି, ସେଥିରେ ବିଶେଷକିଛି ଅବସରକାଳୀନ ସୁବିଧା ସୁଯୋଗ ମିଳୁନାହିଁ। ଜଣେ ଶିକ୍ଷକ ଅବସର ନେବା ପରେ ନୂତନ ପେନସନ ନିୟମ ଅନୁଯାୟୀ ସେମାନଙ୍କୁ ୫୦୦ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ପେନସନ ମିଳୁଛି। ଯାହାଦ୍ୱାରା ସେମାନେ ଶିକ୍ଷକମାନେ ଅବସରର ଅବଶିଷ୍ଟ ଜୀବନକାଳ ଓ ସେମାନଙ୍କ ପରିବାରକୁ ଦୁଃଖକଷ୍ଟରେ ଅତିବାହିତ କରିବାକୁ ପଡୁଛି । ନିୟମ ଯଦି ସମସ୍ତଙ୍କ ପାଇଁ ସମାନ ଲାଗୁ କରାଯାଇଛି, ତେବେ ପୁରୁଣା ପେନସନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଉଚ୍ଛେଦ କରିଥିଲେ ମଧ୍ୟ ମାତ୍ର ୫ ବର୍ଷ କାର୍ଯ୍ୟ କରିସାରିଲା ପରେ ମାନ୍ୟବର ବିଧାୟକ ଓ ସାଂସଦମାନଙ୍କୁ କାହିଁକି ପୁରୁଣା ପେନସନ ଦିଆଯାଉଛି ବୋଲି ସଂଘ ଅଭିଯୋଗ କରିଛି। ଯେଉଁମାନେ ଦେଶ ଓ ରାଜ୍ୟ ପାଇଁ ଆଇନ୍ ତିଆରି କରୁଛନ୍ତି, ସେମାନେ ଆଇନ୍ ଭାଙ୍ଗୁଛନ୍ତି ବୋଲି ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଅଭିଯୋଗ କରିଛନ୍ତି। ରାଜ୍ୟରେ ସମସ୍ତଙ୍କ ପାଇଁ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନ କରୁଥିବା ବେଳେ ସରକାର ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରୁ ବଞ୍ôଚତ କରୁଛନ୍ତି।

ତେଣୁ ସରକାର ଶିକ୍ଷକ କର୍ମଚାରୀମାନଙ୍କୁ ତୁରନ୍ତ ପୁରୁଣା ପେନସନ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ଆଦର୍ଶ ଶିକ୍ଷକମାନଙ୍କ ଦରମା ଭଳି ଆମ ରାଜ୍ୟର ଶିକ୍ଷକମାନଙ୍କୁ ଦରମା ପ୍ରଦାନ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ଶିକ୍ଷକମାନଙ୍କୁ ସ୍ୱାସ୍ଥ୍ୟବୀମାରେ ସାମିଲ୍ କରିବା, କନିଷ୍ଠ ଶିକ୍ଷକମାନଙ୍କ ସର୍ବନିମ୍ନ ୧୬୦୦୦କୁ ବୃଦ୍ଧି କରିବା, ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା, ଶିକ୍ଷକମାନଙ୍କ ବଦଳି ନୀତିକୁ କୋହଳ କରିବା, ସିଟି କରିଥିବା ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକମାନଙ୍କୁ ବିଇଡ଼ି କିରବାର ସୁଯୋଗ ଦେବା ଓ ଶିକ୍ଷା ଅଧିକାର ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ଆଦି ନ୍ୟାୟୋଚିତ ଦାବିକୁ ସରକାର ତୁରନ୍ତ ମାନିବାକୁ ସଂଘ ଦାବି କରିଛି।

ସରକାର ଯଦି ଦାବିଗୁଡ଼ିକୁ ତୁରନ୍ତ ପୂରଣ ନକରନ୍ତି, ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସରକାର ତାହାର ଫଳ ଭୋଗିବାକୁ ପଡ଼ିବ ବୋଲି ସଂଘର ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭ ସଭାରେ ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଅଧ୍ୟାପକ ସୁରେନ୍ଦ୍ର କୁମାର ଜେନା, ଓଲଷ୍ଟାର ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ଓଷ୍ଟା ଶିକ୍ଷା ପ୍ରଦୀପ ସମ୍ପାଦକ ଶଙ୍କର ସୁବୁଦ୍ଧି, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ, ପସନ୍ନ କୁମାର ଜେନା, କୃଷ୍ଣଚନ୍ଦ୍ର ବେହେରା, ସୁଧାଂଶୁ ମଣ୍ଡଳ, ଟୁଲୁ ଦେଇ, ସୁଦାମ ଦଳବରା, ସବୀରଅଲ୍ଲୀ ଖାନ, କେଶବ ଚନ୍ଦ୍ର କର, ନରେଶ ଚନ୍ଦ୍ର ପାତ୍ର, ସୁଶିଲ କୁମାର ସେଠୀ, ଜିତେନ୍ଦ୍ର କୁମର ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ଶେଷରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏକ ଛଅଜଣିଆ ପ୍ରତିନିଧି ଦଳ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବଙ୍କ ସହ ଆଲୋଚନା କରିଥିଲେ। ସରକାର ଏହିଦାବି ପ୍ରତି ସମ୍ବେଦନଶୀଳ ଓ ଦାବିଗୁଡ଼ିକ ବିଚାର ବିମର୍ଷ କରି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପାଇଲା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ: ଭୁବନେଶ୍ୱରର ବିଭିନ୍ନ ରାସ୍ତା ଏବଂ ଡ୍ରେନେଜ ସମସ୍ୟାର ସମାଧାନ ଦାବି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର, ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଅଞ୍ଜନ ନାଥଙ୍କ ନେତୃତ୍ୱରେ ଆଜି ଦିବା ୧୧ ଘଟିକା ସମୟରେ ଜୟଦେବ ବିହାର ଛକଠାରୁ ଶହ ଶହ ସଂଖ୍ୟାର ବିଜେପି କାର୍ଯ୍ୟକର୍ତ୍ତାମାନେ ମେ ଫେୟାର ହୋଟେଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୱାର୍ଡ଼ ନଂ-୨୭ ଅଞ୍ଚଳରେ ବିଜୁ ପଟ୍ଟନାୟକ କଲେଜ ଛକ ଠାରୁ ନେଇ ମେ ଫେୟାର ହୋଟେଲ ଛକ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ଜାଗାରେ ଖାଲ ହୋଇଅଛି। ଯାହାଫଳରେ କି ପ୍ରତିଦିନ ସେହି ରାସ୍ତାରେ ଯାଉଥିବା ବାଟୋଇମାନେ ସେହି ଖାଲରେ ପଡ଼ି କ୍ଷତବିକ୍ଷତ ହେଉଛନ୍ତି।

ତା ସହିତ ଏକାମ୍ର କାନନ ପାର୍କ ପାଖରୁ ଜୟଦେବ ବିହାର ଛକ ପର୍ଯ୍ୟନ୍ତ ମୁଖ୍ୟ ଡ୍ରେନେଜ ବିଭିନ୍ନ ଜାଗାରେ ଅଣଚଉଡ଼ା ହୋଇଯିବା ହେତୁ ଲେନ୍‌-୩ ଏବଂ ଲେନ୍‌-୪ ଅଞ୍ଚଳରେ ରହୁଥିବା ବାସିନ୍ଦାମାନଙ୍କ ଘର ଭିତରେ ପାଣି ପଶିଯାଉଛି। ଯାହାଫଳରେ କି ଲେନ୍‌-୩, ଲେନ୍‌-୪ରେ ରହୁଥିବା ବାସିନ୍ଦାମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲେନ୍‌-୩, ଲେନ୍‌-୪ରେ ରହୁଥିବା ବରିଷ୍ଠ ନାଗରିକମାନେ ବିଏମ୍‌ସି ଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଛନ୍ତି।

ଉପର ଲିଖିତ ସମସ୍ୟାଗୁଡ଼ିକୁ ନେଇ ପୂର୍ବରୁ ଭାରତୀୟ ଜନତା ପାର୍ଟି, ଭୁବନେଶ୍ୱର ଶ୍ରୀକୃଷ୍ଣ ମଣ୍ଡଳ ମଧ୍ୟ ଆନ୍ଦୋଳନ କରିଥିଲେ। ଯଦି ଏହି ସମସ୍ୟାର ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି ସଭାରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ବାବୁ ସିଂ, ଉତ୍ତର ନିର୍ବାଚନ ମଣ୍ଡଳୀର ନେତା ତଥା ରାଜ୍ୟ ପ୍ରବକ୍ତା ଦିଲ୍ଲିପ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲିପ ବେହେରା, ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଛୋଟରାୟ, ପ୍ରମୋଦିପ ସିଦ୍ଦିକ ଖାନ୍‌, ବଟକୃଷ୍ଣ ରାଉତ, ସୁଧାଂଶୁ ସାମଲ ପ୍ରମୁଖ କାର୍ଯ୍ୟକର୍ତ୍ତା ବକ୍ତବ୍ୟ ରଖିଥିଲେ। ଶେଷରେ ମଣ୍ଡଳ ସାଧାରଣ ସମ୍ପାଦକ ସ୍ୱପ୍ନେନ୍ଦୁ ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାରେ ଶ୍ରମିକ, କୃଷି ଓ କୃଷକଙ୍କ ସମସ୍ୟା ସମାଧାନ ନେଇ ସ୍ମାରକପତ୍ର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ସମସ୍ତ ଶ୍ରମିକ, କୃଷିକ୍ଷେତ୍ର ଓ କୃଷକଙ୍କ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏନେଇ ଏକ ଦାବିପତ୍ରଙ୍କୁ ଶ୍ରମଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି।

ସେମାନେ ଅଭିଯୋଗ କରିଛନ୍ତି ରାଜ୍ୟରେ ୨୨ ବର୍ଷ ବିଜେଡ଼ି ଶାସନରେ ମଧ୍ୟ ଜିଲ୍ଲାରେ କୌଣସି ଶିଳ୍ପ, କାରଖାନା ଓ କୃଷିର ବିକାଶ ହୋଇନାହିଁ। ପ୍ରାୟ ୭ ଲକ୍ଷ ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। କୃଷକ ଏବଂ ଶ୍ରମିକଙ୍କ ପାଇଁ ଯେଉଁ ଆଇନମାନ ରହିଛି ତାହାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ବେଖାତିର କରୁଛନ୍ତି।

ଅନ୍ୟ ରାଜ୍ୟରେ ଶ୍ରମିକଙ୍କୁ କରୋନା ସମୟରେ ୧୨ହଜାର ସାହାଯ୍ୟ ପ୍ରଦାନ କରାଯାଇଥିବାବେଳେ ଓଡ଼ିଶାରେ ମାତ୍ର ୧୫ଶହ ଟଙ୍କା ଦେଇ ରାଜ୍ୟ ସରକାର ଚୁପ୍ ରହିଛନ୍ତି। ଜିଲ୍ଲାରେ ଜମିକୁ ପାଣିର ଅଭାବ, ଶୀତଳଭଣ୍ଡାର ଅଭାବ ଓ ଚାଷୀଙ୍କୁ ବିହନ ସୁଲଭ ଦରରେ ଯୋଗାଇଦେବାରେ ସରକାର ବିଫଳ।

ଜିଲ୍ଲାରେ ମଦବେପାର ବେଧଡ଼କ ଚାଲିଥିବାବେଳେ ଶିଳ୍ପ ପ୍ରତିଷ୍ଠାନ ଶୂନ ରହିଛି। ମଦ ମାଫିଆ, ବାଲିମାଫିଆମାନେ ଜିଲ୍ଲାରେ ସମାନ୍ତରାଳ ଶାସନ ବ୍ୟବସ୍ଥା ଚଳାଇଛନ୍ତି। ଖଣିଜ ସଂପଦ ଲୁଣ୍ଠନ ହେବା ସହ ସାମାଜିକ ସୁରକ୍ଷା ବାଧାପ୍ରାପ୍ତ ହୋଇଛି। କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ୪୪ଟି ଶ୍ରମ ଆଇନ ବାତିଲ ସହ ୪ଟି ଲେବର କୋଡ଼ରେ ସୀମିତ କରି ଶ୍ରମିକଙ୍କ ଅଧିକାରକୁ ଜବତ କରିବାକୁ ହୀନ ଚକ୍ରାନ୍ତ କରାଯାଇଛି।

ତେଣୁ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ତରଫରୁ ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଶ୍ରମିକ, କୃଷି, କୃଷକ, ବେକାରୀ, ଦାଦନ ଓ ଗରିବଲୋକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

ଦାବିପତ୍ର ପ୍ରଦାନ ବେଳେ ସଭାପତି ପୀତବାସ ପଣ୍ଡା, ତ୍ରିନାଥ ବେହେରା, ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ, ରବି ଅଧିକାରୀ, ରଂଜନ ତରେଇ, ସୌଭାଗ୍ୟ ସାସମଲ, ଆରତୀ ପଟ୍ଟନାୟକ, ସ୍ମୃତିମୟୀ ପଟ୍ଟନାୟକ, ରଂଜିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କେନ୍ଦ୍ର ଯୋଜନାକୁ ରାଜ୍ୟ ହାଇଜାକ୍ କରିଛି: ବିଜେପି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟ ସରକାର ନିଜର ବୋଲି କହି ହାଇଜାକ୍ କରୁଥିବା ଅଭିଯୋଗ କରି ଆଜି ଛତ୍ରପୁର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ହଡ଼ପ ପରି ରାଜ୍ୟ ସରକାର ବିଜୁ ପକ୍କା ଘର କରିଛି। ସେହିପରି ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷା କରି ଶାସକ ବିଜୁ ଜନତା ଦଳର ନେତା ଓ କର୍ମୀମାନଙ୍କୁ ଏହି ଘରଗୁଡ଼ିକ ଅକ୍ତିଆର କରିଛନ୍ତି। ଛତ୍ରପୁର ବିଡ଼ିଓ ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରି ଏହି କାର୍ଯ୍ୟରେ ସହଯୋଗ କରିଛନ୍ତିି ବୋଲି ବିଜେପି ଅଭିଯୋଗ କରିଛି।

ବୁଧବାର ମଧ୍ୟାହ୍ନରେ ବିଜେପି ପକ୍ଷରୁ ଏକ ବିଶାଳ ରାଲି ଛତ୍ରପୁର ସହର ପରିକ୍ରମା କରି ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟଠାରେ ପହଞ୍ଚି ରାଜ୍ୟ ସରକାର ବିରୋଧରେ ସ୍ଲୋଗାନ ମାନ ଦେଇଥିଲେ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଜିଲ୍ଲା ବିଜେପି ସଭାପତି ବିଭୂତି ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର ଉଦ୍‌ବୋଧନ ଦେଇଥିବାବେଳେ ଗଂଜାମ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ, ସଂଜିତ ରାଉଳଙ୍କ ସହ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ନେତାଙ୍କ ହତ୍ୟା ପ୍ରତିବାଦରେ ଯୁବମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ ସ୍ୱର୍ଗତ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ବଡ଼ବଜାର ଥାନା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ଲକ୍ ଅଧ୍ୟକ୍ଷ ସ୍ୱର୍ଗତ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ରାଜ୍ୟ ସରକାରଙ୍କ ଆଇନମନ୍ତ୍ରୀଙ୍କ ସମର୍ଥକ ମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି, ଯାହା କାପୁରୁଷର ପରିଚୟ ବୋଲି ସ୍ଲୋଗାନମାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଯୁବମୋର୍ଚ୍ଚା ଅଭିଯୋଗ କରିଛି ଯେ, ଶାସକ ଦଳ ଆକ୍ରୋଶ ମନୋଭାବ ରଖି ବିଭିନ୍ନ ସମୟରେ ବିଜେପି କର୍ମୀଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏଣୁ ଏହି ହତ୍ୟା ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଯୁବମୋର୍ଚ୍ଚା ଦାବି କରିବା ସହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ବରଖାସ୍ତ କରି ଗିରଫ କରାଯାଉ ବୋଲି କହିଛି। ଏହି ଅବସରରେ ବିଜେପି କର୍ମୀମାନେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରିଥିଲେ।

ଏହି ବିକ୍ଷୋଭ ପ୍ରଦର୍ଶନରେ ବିଜେପି ବରିଷ୍ଠ ନେତା କାହ୍ନୁଚରଣ ପତି, ରାମ ପାତ୍ର, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଂପାଦକ କିରଣ କୁମାର ସାହୁ, ବିକାଶ ପାଣିଗ୍ରାହୀ, ଜଗଦିଶ ପ୍ରଧାନ, ସୁନିଲ କୁମାର ସାହୁ, ଏନ୍‌. ରାଜେନ୍ଦ୍ର କୁମାର, ଶିବଶଙ୍କର ଶତପଥୀ, ପ୍ରକାଶ ସାବତ, କାଳିଆ ଜେନା, ଅର୍ଜୁନ ପଣ୍ଡା, କିରଣ ପଣ୍ଡା, ନବିତା ପଣ୍ଡା, ଭାବଗ୍ରାହୀ ପାଳ ପ୍ରମୁଖ ବହୁ ଯୁବମୋର୍ଚ୍ଚାର ନେତା ଏବଂ କର୍ମୀ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଆମେରିକା ନିର୍ବାଚନର ଫଳାଫଳକୁ ନେଇ ବିକ୍ଷୋଭ ପ୍ରଦର୍ଶନ: ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତି

ୱାଶିଂଟନ: ଆମେରିକା ନିର୍ବାଚନର ଫଳାଫଳକୁ ନେଇ ଟ୍ରମ୍ଫ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ରାଜଧାନୀ ୱାଶିଂଟନ: ଡିସିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମର୍ଥନରେ ରାଲି ହେଉଛି। ଡୋନାଲ୍ଡ ଟ୍ରମ୍ଫଙ୍କ ହଜାର ହଜାର ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଫଳାଫଳକୁ ନେଇ ବିକ୍ଷୋଭ ଆରମ୍ଭ ହୋଇଯାଇଛ। ସମର୍ଥକ ମାନେ ପ୍ଲାକାର୍ଡ ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଲି ଚାଲିଥିବା ସମୟରେ ହିଂସା ହେଉଥିବା ସୂଚନା ମିଳୁଛି। ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ରାଜରାସ୍ତାରେ ସଙ୍ଗରୋଧୀ ପ୍ରବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ: ତିର୍ତ୍ତୋଲରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ରମେଶ ମହାନ୍ତି

ଜଗତସିଂହପୁର: ସଙ୍ଗରୋଧ କେନ୍ଦ୍ରରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥାକୁ  ନେଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ ସଙ୍ଗରୋଧୀ ପ୍ରବାସୀ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ।

ସୂଚନା ଯୋଗ୍ୟ ଯେ, ତିର୍ତ୍ତୋଲ ଆଦିକବି ସାରଳାଦାସ କଲେଜରେ ଚାଲୁଥିବା କରୋନା ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଅସ୍ୱାସ୍ଥ୍ୟକର ପରିବେଶ, ନିମ୍ନମାନର ଖାଦ୍ୟ ଦିଆଯିବା ସାଙ୍ଗକୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏପରିକି ଏହି ସଙ୍ଗରୋଧ କେନ୍ଦ୍ରରେ କରୋନା ପଜିଟିଭ ଚିହ୍ନଟ ହେବାପରେ ମଧ୍ୟ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ତେବାସୀଙ୍କୁ କରୋନା ପରୀକ୍ଷା କରାନଯାଇ ଜୋରଜବରଦସ୍ତ ଘରକୁ ପଠାଇଦିଆଯାଉଥିବା ଅଭିଯୋଗ ହୋଇଛି।

ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କଥା ଶୁଣୁନାହାଁନ୍ତି ଘରୁ ଉଠାଇଆଣି ଏଠାରେ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ କରିଥିଲେ। ଜିଲ୍ଲାରେ ତିର୍ତ୍ତୋଲ ବ୍ଲକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଠାରେ କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କ ମନମାନି ଚାଲିଥିବା କୁହାଯାଉଛି। ସଙ୍ଗରୋଧ କେନ୍ଦ୍ରରେ ତିର୍ତ୍ତୋଲ କଲେଜ ସଙ୍ଗରୋଧ କେନ୍ଦ୍ରରେ ନେଗେଟିଭ ଚିହ୍ନଟ ହୋଇସାରିଥିବା ଓ ଘର ସଙ୍ଗରୋଧରେ ରହୁଥିବା ପ୍ରବାସୀଙ୍କୁ ଜୋରଜବରଦସ୍ତ ଘରୁ ଉଠାଇଆଣି ସଙ୍ଗରୋଧ କେନ୍ଦ୍ରରେ ରଖି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଲା ପରେ ମଧ୍ୟ ସେମାନଙ୍କ କରୋନା ଟେଷ୍ଟ କରାନଯାଇ ଘରକୁ ଜୋରଜବରଦସ୍ତ ପଠାଇବା ଘରୁ ରୋଗମୁକ୍ତ ହୋଇଆସି ଘରକୁ ରୋଗନେଇ ଯିବାର ବନ୍ଦୋବସ୍ତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। କରୋନା ନିୟନ୍ତ୍ରଣ ପାଇଁ ପ୍ରଶାସନ ଦିନରାତି ଏକ କରିଦେଇଥିବା କହୁଥିବା ବେଳେ କରୋନା ସଙ୍ଗରୋଧ କେନ୍ଦ୍ର ଗୁଡିକରେ ବ୍ୟାପକ ଅନିୟମିତତା ଚାଲିଥିବା ଏହି ଘଟଣାରୁ ବାରିହୋଇ ପଡୁଥିବା କୁହାଯାଉଛି।

ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ନଶୁଣିବାରୁ ତିର୍ତ୍ତୋଲ କଲେଜ ସଙ୍ଗରୋଧ କେନ୍ଦ୍ରରେ ଥିବା ୮୦ଜଣ ଅନ୍ତେବାସୀ କଲେଜ ଫାଟକ ସମ୍ମୁଖରେ ଥିବା କଟକ-ପାରାଦ୍ୱୀପ ରାସ୍ତାରେ ଆଜି ମଧ୍ୟାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଏନେଇ ତିର୍ତ୍ତୋଲ ତହସିଲଦାର ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନେକ ସମୟଧରି ସେମାନଙ୍କୁ ବୁଝାସୁଝା କରିଥିଲେ ଓ କରୋନା ଟେଷ୍ଟର ପ୍ରତିଶୃତି ପାଇବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା। ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସଙ୍ଗରୋଧ କେନ୍ଦ୍ରରେ କରୋନା ପଜିଟିଭ ରୋଗୀଙ୍କ ସହ ମିଶିଥିବା ଅନ୍ତେବାସୀଙ୍କୁ ବିନା ଟେଷ୍ଟରେ ଘରକୁ ଛାଡିବା ଏହା ଗୋଷ୍ଠୀ ସଂକ୍ରମଣର ବାଟ ଖୋଲୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଉଲ୍ଲେଖ୍ୟ ଯୋଗ୍ୟ କି, ଜଗତସିଂହପୁର ଜିଲ୍ଲାରେ ସାତଶହ ସାତଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକ ମଧ୍ୟରୁ ତିର୍ତ୍ତୋଲ ବ୍ଲକରେ ସର୍ବାଧିକ ୧୩୬ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି।