Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଜେଲରେ ଥିବା ଆଜମ ଖାନଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା: ସୀତାପୁର ଜିଲ୍ଲା ଡାକ୍ତରଖାନାରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସୀତାପୁର ଜେଲରେ ରହୁଥିବା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି। ଆଜି ସକାଳେ ଆଜମ ଖାନଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଦଳ ଜେଲରେ ପହଞ୍ଚିଥିଲା। ତାଙ୍କର ସ୍ୱାସ୍ଥ୍ୟ ଅଧିକ ଗୁରୁତର ହେବାରୁ ଆଜାମ ଖାନଙ୍କୁ ବର୍ତ୍ତମାନ ସୀତାପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳୁ ସୀତାପୁର ଜେଲ୍ ସାମ୍ନାରେ ବହୁ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଆଜମ ଖାନଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା। କରୋନା ସଂକ୍ରମଣ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ପାଖାପାଖି ଅଢେଇ ମାସ ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିଥିଲା। ହେଲେ ହସ୍ପିଟାଲରୁ ଛୁଟି ମିଳିବା ପରେ ପୁଣିଥରେ ସେ ଅସୁସ୍ଥ ହୋଇପଡିଛନ୍ତି।

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ ଗତ ବର୍ଷ ଫେବୃୟାରୀ ମାସରୁ ସୀତାପୁର ଜେଲରେ ଅଛନ୍ତି। ଅବୈଧ ଭାବେ ଜମି ଦଖଲ କରିବା, କାଗଜପତ୍ରର ନକଲି ଏବଂ ଅନ୍ୟ କେତେକ ମାମଲାକୁ ନେଇ ତାଙ୍କ ବିରୋଧରେ କେସ ଚାଲୁରହିଛି। ଆଜମ ଖାନଙ୍କ ବ୍ୟତୀତ ତାଙ୍କ ପୁଅ ଅବଦୁଲା ମଧ୍ୟ ଜେଲରେ ଅଛନ୍ତି। ହେଲେ ତାଙ୍କ ପତ୍ନୀ ତାଜୀନଙ୍କୁ ଜାମିନ ମିଳିସାରିଛି।