Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ କ୍ରୀଡା ଦିବସରେ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର 

ଭୁବନେଶ୍ବର: ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ହଲ୍‌ ଠାରେ ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି।

ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଭାରତୀୟ ହକି ପ୍ରତି ବଳିଷ୍ଠ ଅବଦାନକୁ ଦେଶବାସୀଙ୍କ ମନରେ ଅବିସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, କ୍ରୀଡା ମନ୍ତ୍ରୀ ଓ ଅନ୍ୟଅତିଥି ମାନେ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଧ୍ୟାନଚାନ୍ଦଙ୍କ ଖେଳରେ ମ୍ୟାଜିକ ଥିଲା। ଭାରତବର୍ଷ ପାଇଁ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସ୍ୱର୍ଣ୍ଣ ପଦକ ଜିତି ସେ ଏକ ବିରଳ କୃତିତ୍ୱ ଅର୍ଜନ କରିଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କ ଭଳି ହକି ଖେଳାଳି ଆଉ କେହି ବାହାରି ନାହାନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମ କ୍ରୀଡାବିତ୍‌ମାନେ ହେଉଛନ୍ତି ଆମର ଗର୍ବ ଓ ଗୌରବ। ସେମାନଙ୍କର ତ୍ୟାଗ, ସାହସ ଓ ଉତ୍କର୍ଷ ଆମ ସମସ୍ତଙ୍କୁ, ଆମ ଯୁବ ସମାଜକୁ ପ୍ରେରଣା ଦେଇ ଆସୁଅଛି। କ୍ରୀଡା କ୍ଷେତ୍ରରେ ସେମାନଙ୍କ ଅବଦାନ ପାଇଁ ଧନ୍ୟବାଦ ଜଣାଇ କହିଥିଲେ ଯେ ଆଗାମୀ ଦିନରେ ସେମାନେ ଆହୁରି ଅଧିକ ସଫଳତା ହାସଲ କରନ୍ତୁ ଓ ଆମ ପାଇଁ ଆହୁରି ଗୌରବ ଆଣନ୍ତୁ। କ୍ରୀଡାବୀତ୍‌ମାନଙ୍କ ସଫଳତା ହେଉଛି ସାରା ଓଡିଶାର ସଫଳତା। ପ୍ରତ୍ୟେକ ଓଡିଆ ଏହି ସଫଳତାରେ ଗର୍ବିତ ବୋଲି ସେ କହିଥିଲେ।

ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରି ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଦିଗରେ ଆଗେଇ ଚାଲିଛି । ଆମର କ୍ରୀଡାବିତ୍ ମାନେ ମଧ୍ୟ ଅନ୍ତର୍ଜାତୀୟ କ୍ରୀଡା ଜଗତରେ ନିଜର ଦ‍କ୍ଷତା ଏବଂ ପରାକାଷ୍ଠା ପ୍ରମାଣ କରିଚାଲିଛନ୍ତି । ୧୯୭୨ ମସିହା ପରଠାରୁ ପ୍ରଥମ ଥର ପାଇଁ ଭାରତୀୟ ହକି ଦଳ ୨୦୨୦ ଓ ୨୦୨୪ ଅଲମ୍ପିକ୍ସରେ ଲଗାତାର ଭାବେ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି।

ହକିରେ ଭାରତ ତାର ପୂର୍ବ ଗୌରବ ଫେରିପାଇବା ପାଇଁ ନିଶ୍ଚିତ ଭାବେ ସଫଳତାର ସହ ଅଗ୍ରଗତି କରି ଚାଲିଛି । ନିକଟରେ ଭାରତୀୟ ହକି ଦଳ ଭୁବନେଶ୍ବର ଆସିଥିଲେ ଏବଂ ଓଡିଶାବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଅଭୂତପୂର୍ବ ସମ୍ବର୍ଦ୍ଧନା ଦିଆଯାଇଥିଲା। ଖେଳାଳିମାନଙ୍କ ଆତ୍ମବିଶ୍ବାସ ଓ ଦୃଢ ମନୋବଳ ଦେଖି ମୁଁ ଦୃଢ ନିଶ୍ଚିତ ଯେ ଆଗାମୀ ଅଲମ୍ପିକ୍ସରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିବ ବୋଲି ସେ କହିଥିଲେ।

ସେ କହିଥିଲେ, କ୍ରୀଡା କ୍ଷେତ୍ରରେ ଆମର ସ୍ଵପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ସଦା ସର୍ବଦା ଚେଷ୍ଟିତ ଏବଂ ଏହି ଦିଗରେ ମଧ୍ୟ ଅନେକ ଯୁଗାନ୍ତକାରୀ ପଦକ୍ଷେପମାନ ନିଆଯାଉଛି। ଆଗକୁ ଭାରତ ତଥା ଓଡିଶା କ୍ରୀଡ଼ା ଜଗତରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଚିତ ହେବ ଏହା ହିଁ ମୁଁ ଆଶା କରୁଛି। ଏହା ସହିତ ଆଜିର ଏହି ଜାତୀୟ କ୍ରୀଡ଼ା ଦିବସରେ ଆମେ ସମସ୍ତେ ଏକ ସୁସ୍ଥ ଏବଂ ନିରାମୟ ଜୀବନ ଯାପନ କରିବା ପାଇଁ କ୍ରୀଡ଼ାକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ପ୍ରତିଜ୍ଞାବଦ୍ଧ ହେବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

ଆଜି ଉତ୍ସବରେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାରରେ ସମ୍ମାନିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ଶ୍ରୀମତୀ ଜୟନ୍ତୀ ମଲ୍ଲିକ ଓ ତାଙ୍କ ୧୨ ବର୍ଷର ପୁଅ ରୁଦ୍ର ମଲ୍ଲିକ ନିଜ ଜୀବନକୁ ବାଜି ଲଗାଇ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କର ଏହି ସାହସିକତା ପାଇଁ ୨ ଲକ୍ଷ ଟଙ୍କାର ଚେକ୍ ଓ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା।

କ୍ରୀଡା ସାମ୍ବାଦିକତା ପାଇଁ ସମ୍ମାନିତ ହୋଇଥିବା କ୍ରୀଡା ସାମ୍ବାଦିକ ସୁକେଶ ରଞ୍ଜନ ବେହେରାଙ୍କୁ ୨ ଲକ୍ଷ ଟଙ୍କା, ଟ୍ରଫି ଏବଂ ଫଳକ ପ୍ରଦାନ କରାଯାଇଥିଲା। ଭାରୋତ୍ତଳନ କ୍ଷେତ୍ରରେ କିର୍ତ୍ତିମାନ ସ୍ଥାପନ କରିଥିବା ୧୪ ବର୍ଷିୟା ଶ୍ରେଷ୍ଠ ଉଦିୟମାନ ପ୍ରତିଭା ପ୍ରୀତିସ୍ମିତା ଭୋଇଙ୍କୁ ୨ ଲକ୍ଷ ଟଙ୍କା ଏବଂ ଫଳକ ପ୍ରଦାନ କରାଯାଇଥିଲା।

ସେହିଭଳି ଟେକ୍‌ନିକାଲ୍‌ ଅଫିସିଆଲ୍ ରୂପନ୍ୱିତା ପଣ୍ଡା, ଦୃଷ୍ଟିହୀନ କ୍ରିକେଟିଅର ମହମ୍ମଦ ଜାଫର ଇକବାଲ୍, ହକି ପ୍ରଶିକ୍ଷକ ବିଜୟ କୁମାର ଲାକ୍ରା ଏବଂ କ୍ରୀଡା ପ୍ରୋତ୍ସାହନ ପାଇଁ ନାଲ୍‌କୋକୁ ୨ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ଏବଂ ଅଲମ୍ପିଆନ୍ କିଶୋର କୁମାର ଜେନାଙ୍କ ଜାଭଲିନ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୩ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ସହିତ ହକି ଖେଳ ପ୍ରତି ଜୀବନବ୍ୟାପୀ ଅବଦାନ ପାଇଁ ଲାଜରୁସ୍ ବାର୍ଲାଙ୍କୁ ୪ ଲକ୍ଷ ଟଙ୍କା, ଟ୍ରଫି ଓ ମାନପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା, ଉଚ୍ଚ ଶିକ୍ଷା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ହକିର ଯାଦୁଗର ଥିଲେ ମେଜର ଧ୍ୟାନଚାନ୍ଦ। ତାଙ୍କ ଜୀବନକାଳ ମଧ୍ୟରେ ସେ ହଜାରରୁ ଅଧିକ ଗୋଲ୍‌ ଦେଇଛନ୍ତି। ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି।

କ୍ରୀଡା କ୍ଷେତ୍ର ପ୍ରତି ଆଗ୍ରହ ରଖିଥିବା ସବୁ ପ୍ରତିଭାମାନେ ମେଜର ଧ୍ୟନଚାନ୍ଦଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କଲେ ନିଶ୍ଚିତ ରୂପେ ସଫଳତା ହାସଲ କରିବେ। ଆମ ମାନ୍ୟବର ପ୍ରଧାନମନ୍ତ୍ରୀ କ୍ରୀଡାର ବିକାଶକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଓଡିଶାରେ ମଧ୍ୟ କ୍ରୀଡାକୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦିଆଯାଉଛି। ଆମ ମୁଖ୍ୟମନ୍ତ୍ରୀ କ୍ରୀଡାକୁ ସମାଜର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରି ଏ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି।

ଅନ୍ୟତମ ଅତିଥିଭାବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ ଜାତୀୟ କ୍ରୀଡା ଦିବସ ପାଳନ ଆମକୁ ଖେଳର ମହତ୍ୱ ବିଷୟରେ ଚେତାଇ ଦେଇଥାଏ। ଖେଳ ଆମର ଟିମ୍‌ ସ୍ପିରିଟ୍, ଏକାଗ୍ରତା ଓ ମନୋବଳ ବୃଦ୍ଧି କରିଥାଏ। ଓଡିଶାର କ୍ରୀଡାବିତ୍‌ମାନଙ୍କ ପାଇଁ ଆମେ ଗର୍ବିତ।

କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ କ୍ରୀଡା ବିଭାଗ ପ‍କ୍ଷରୁ ସପ୍ତାହବ୍ୟାପୀ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି। କାର୍ଯ୍ୟକ୍ରମରେ ବହୁ କ୍ରୀଡାବିତ୍‌, କ୍ରୀଡା ପ୍ରଶିକ୍ଷକ ଏବଂ କ୍ରୀଡା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ମାମଲା: ଗଣମାଧ୍ୟମକୁ ସ୍ପଷ୍ଟିକରଣ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟିକାରଣ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନ ବିଷୟରେ ଗଣମାଧ୍ୟମରୁ ସୂଚନା ପାଇଲି। ନାମ ପରିବର୍ତ୍ତନ ନେଇ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ।

ମୋ ସରକାର ଓଡ଼ିଶାର ବରପୁତ୍ର ମାନଙ୍କୁ ଯଥୋଚିତ ସମ୍ମାନ ଦିଏ। ବିଜୁ ବାବୁ ନିଜର ଦୀର୍ଘ ଦଶନ୍ଧିର ରାଜନୈତକ ଓ ସାମାଜିକ ଜୀବନରେ କରିଥିବା ଅବଦାନ ସ୍ମରଣୀୟ ହୋଇ ରହିବ।

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବପରି ଚାଲୁ ରହିବ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ହେଲା ପରିବର୍ତ୍ତନ, ହଟିଲା ବିଜୁବାବୁଙ୍କ ନାମ

ଭୁବନେଶ୍ବର: ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ଦୀର୍ଘ ବର୍ଷ ଧରି ପ୍ରଦାନ କରାଯାଇଆସୁଛି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର। ଏହା କ୍ରୀଡା କ୍ଷେତ୍ରରେ ରାଜ୍ୟ ସ୍ତରୀୟ ସର୍ବୋଚ୍ଚ ସମ୍ମାନ। ହେଲେ ଆଜି ରାଜ୍ୟ ସରକାର ଏହି ପୁରସ୍କାରର ନାମ ପରିବର୍ତ୍ତନ କରିଦେଇଛନ୍ତି। ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପରିବର୍ତ୍ତେ ଏହା ଏବେ ହେବ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ।

ଏ ନେଇ ଆଜି ରାଜ୍ୟ କ୍ରୀଡା ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ପୂର୍ବରୁ ପ୍ରଦାନ କରାଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ କରାଯାଇଛି। ନୂଆ ନାମ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରାଯାଇଛି। ଏଥର ଏହି ନୂଆ ନାମରେ ପୁରସ୍କାର ପ୍ରଦାନ କରାଯିବ।

ମୋହନ ମାଝୀ ସରକାର ଆସିବା ପରେ ବର୍ତ୍ତମାନ ବିଜେଡି ସରକାର ବିଭିନ୍ନ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରିଦେଇଛି। 5ଟି କୁ ହଟାଇବା ସହିତ ଲକ୍ଷ୍ମୀ ବସ୍ ର ନାମ ଓ ରଂଗ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେହିପରି ଆଗକୁ ଆହୁରି କିଛି ଯୋଜନାର ନାମ ଓ ରଂଗ ବଦଳିବ ବୋଲି ଜଣାପଡିଛି।

Categories
ଖେଳ ବିଶେଷ ଖବର ରାଜ୍ୟ ଖବର

ଜାତୀୟ କ୍ରୀଡା ଦିବସରେ ରାଜ୍ୟର ଖେଳାଳୀମାନଙ୍କୁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରତିବର୍ଷ କିମ୍ବଦନ୍ତୀ ହକି ଖେଳାଳି ମେଜର ଧିଆନ ଚାନ୍ଦଙ୍କ ଜନ୍ମ ବାର୍ଷିକୀରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଛି। ଏହି ଅବସରରେ ଓଡ଼ିଶା କ୍ରୀଡା ଏବଂ ଖେଳ ପ୍ରତି ଉଲ୍ଲେଖନୀୟ ଅବଦାନକୁ ରାଜ୍ୟ ସରକାର ସମ୍ମାନିତ କରିଥିଲେ। ଭୁବନେଶ୍ୱରରେ ଆୟୋଜିତ ଏକ ବିଶାଳ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା କ୍ଷେତ୍ରରେ ଅତୁଳନୀୟ ପ୍ରଦର୍ଶନ ପାଇଁଏହି ପୁରସ୍କାର ପ୍ରଦାନ କରିଛନ୍ତି।

ଏଥିରେ ସାଇକେଲ ଚାଳକ ସ୍ବାତୀ ସିଂଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଥିଲେ। ଅସାଧାରଣ ସଫଳତା ଏବଂ ସାଇକେଲ ଚଲାଇ ସ୍ବାତୀ ସିଂ ଓଡିଶା ପାଇଁ ସଫଳତା ଆଣିଥିଲେ। ତାଙ୍କର ଉଲ୍ଲେଖନୀୟ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ ରାଜ୍ୟ କ୍ରୀଡ଼ାର ସର୍ବୋଚ୍ଚ ସମ୍ମାନ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ତାଙ୍କୁ ଦୁଇ ଲକ୍ଷ ଟଙ୍କା ନଗଦ ପୁରସ୍କାର ଏବଂ ଫଳକ ପ୍ରଦାନ କରିଥିଲେ।

କ୍ରୀଡା ଜଗତର ଉଲ୍ଲେଖନୀୟ ଅବଦାନ ରଖିଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି। ହକି କୋଚ୍ ପିଟର ତିର୍କି ଏବଂ ଫୁଟବଲ କୋଚ୍ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମାନେ ଯୁବ କ୍ରୀଡ଼ାବିତଙ୍କୁ ସେମାନଙ୍କର ଭବିଷ୍ୟତ ଗଠନ କରିବାରେ ନିରନ୍ତର ନିଷ୍ଠା ଏବଂ ମାର୍ଗ ଦର୍ଶନ ଦେଇ ଆସିଛନ୍ତି। ପ୍ରତ୍ୟେକ କୋଚଙ୍କୁ ତିନି ଲକ୍ଷ ଟଙ୍କା ନଗଦ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।

ଏହି ସମାରୋହରେ କୋଚ ଏବଂ କ୍ରୀଡା ସାମ୍ବାଦିକତାର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। କୋଚ୍ ପ୍ରଦୀପ କୁମାର ସାରଙ୍ଗୀ ଏବଂ କ୍ରୀଡ଼ା ସାମ୍ବାଦିକ ଅଜୟ କୁମାର ଦାସଙ୍କୁ ଯଥାକ୍ରମେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଏବଂ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନଙ୍କର ଅମୂଲ୍ୟ ଅବଦାନ ଓଡିଶାର କ୍ରୀଡା ଦୃଶ୍ୟପଟ୍ଟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ପ୍ରତ୍ୟେକ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ନଗଦ ପୁରସ୍କାର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। କ୍ରୀଡ଼ାର ପ୍ରୋତ୍ସାହନ ତଥା କ୍ରୀଡ଼ାବିତଙ୍କୁ ଚାକିରି ଯୋଗାଇବା ପାଇଁ ସାଂଗଠନିକ ପ୍ରୟାସ ନିମନ୍ତେ  ଓଡିଶା ପୋଲିସକୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ପୋଲିସ ଡିଜି ସୁନୀଲ ବନସାଲ ଏବଂ ଏଡିଜି ଆର କେ ଶର୍ମା ଏହି ପୁରସ୍କାର ଗ୍ରହଣ କରିଥିଲେ।

ପାରା ବ୍ୟାଡମିଣ୍ଟନ ଖେଳାଳି ଦୀପ ରଂଜନ ବିଶୋଇଙ୍କୁ ବର୍ଷର ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ଭାବରେ ସମ୍ମାନିତ କରାଯାଇଥିଲା।  ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସେହିପରି ଅପାର ସମ୍ଭାବନା ଥିବା ଭବିଷ୍ୟତର ଆଥଲେଟ୍ ସବିତା ଟପ୍ପୋଙ୍କୁ ଶ୍ରେଷ୍ଠ ଆଗାମୀ ଆଥଲେଟ୍ ଭାବରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ମଧ୍ୟ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କାରଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବୈଷୟିକ ଅଧିକାରୀଙ୍କ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗୁରୁତ୍ବ ଦିଆଯାଇଥିଲା। କ୍ରୀଡା ଇକୋସିଷ୍ଟମରେ ତାଙ୍କର ଅବଦାନ ପାଇଁ ବ୍ରିଗେଡିୟର୍ ବିଭୂ ଭୂଷଣ ନାୟକଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ସ୍ବର୍ଗତ ଶ୍ରୀ ସରୋଜ କୁମାର ଦାସ ଏବଂ ସ୍ବର୍ଗ ଶ୍ରୀ ସୁଦର୍ଶନ ସ୍ବାଇଁ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ ଉଲ୍ଲେଖନୀୟ ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିଛନ୍ତି। ଯାହା ଆମ ସମାଜ ପାଇଁ ସାହସିକତାର ଜ୍ୱଳନ୍ତ ଉଦାହରଣ ଅଟେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ବଳିଦାନକୁ ସାହସିକତା ପୁରସ୍କାର ଭାବେ ସମ୍ମାନିତ କରିଥିଲେ। ସେମାନଙ୍କ ପରିବାର ସଦସ୍ୟ ଏହି ସମ୍ମାନକୁ ଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟର କ୍ରୀଡ଼ା ଦୃଶ୍ୟପଟ୍ଟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଥଲେଟ୍, ପ୍ରଶିକ୍ଷକ ଏବଂ ବ୍ୟକ୍ତିବିଶେଷଙ୍କ ଅଦମ୍ୟ ଉତ୍ସର୍ଗ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି।

5T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଏବଂ କ୍ରୀଡ଼ାବିତମାନଙ୍କ ସହ ଆଲୋଚନା କରିଥିଲେ। ସେ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଯୁବ କ୍ରୀଡାବିତଙ୍କୁ କଠିନ ପରିଶ୍ରମ କରିବାକୁ ତଥା ରାଜ୍ୟର ସମ୍ମାନ ରଖିବାକୁ ଉତ୍ସାହିତ କରିଥିଲେ।

ପୁରସ୍କାର ବିତରଣ ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା, ହକି ଫେଡେରସନର ସଭାପତି ଦିଲୀପ ତିର୍କି, କ୍ରୀଡ଼ା ସଚିବ ଭିନିଲ କୃିଷ୍ଣା ଏବଂ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ପୂର୍ବରୁ  388 କ୍ରୀଡାବିତଙ୍କୁ ସମ୍ମାନିତ କରିଥିଲେ। ସେମାନଙ୍କୁ 899 ନଗଦ ପୁରସ୍କାର ହିସାବରେ ମୋଟ 2 କୋଟି 23 ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ।

ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ବିଭିନ୍ନ ସଙ୍ଗଠନର କ୍ରୀଡ଼ା ପ୍ରଶାସକ, ବିଶିଷ୍ଟ କ୍ରୀଡ଼ାପ୍ରେମୀ, କ୍ରୀଡ଼ା ସାମ୍ବାଦିକ ଏବଂ ଯୁବ କ୍ରୀଡ଼ାବ୍ୟକ୍ତି  ଅଂଶଗ୍ରହଣ କରିଥିଲେ।