Categories
ବିଶେଷ ଖବର

କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଗସ୍ତ କରି ସେଠାରେ ନବନିର୍ମିତ ଧରଣୀଧର ମେଡିକାଲ କଲେଜ ଓ ହସ୍‌ପିଟାଲର ଲୋକାର୍ପଣ କରିଛନ୍ତି। ହଜାର ହଜାର ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଆନନ୍ଦ ଉଲ୍ଲାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହା ଉଦ୍‌ଘାଟନ କରି ଯେତେବେଳେ ପଚାରିଲେ ‘ଆପଣମାନେ ଖୁସି ତ ?’ ସେତେବେଳେ ବହୁଗୁଣିତ ଉତ୍ସାହର ସହ ପ୍ରତିଧ୍ବନିତ ହୋଇଥିଲା ‘ହଁ’। ତା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ବି ବହୁତ ଖୁସି।

ଏହାପରେ ଧରଣୀଧର କଲେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ସ୍ବୟଂ ଏହି ମାନ୍ୟତା ପତ୍ର ପିଲାମାନଙ୍କୁ ଦେବାକୁ ଚାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଥିଲେ। ଆନନ୍ଦ, ଉଲ୍ଲାସ ମଧ୍ୟରେ ଛାତ୍ରଛ୍ରତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବିଶ୍ବବିଦ୍ୟାଳୟ ମାନ୍ୟତାର ନିର୍ଦ୍ଦେଶନାମା ଦେଖାଇଥିଲେ।

କେନ୍ଦୁଝରରେ ମେଡିକାଲ କଲେଜ ସହ ଏକ କ୍ୟାନସର ଚିକିତ୍ସା କେନ୍ଦ୍ର ଓ ନର୍ସିଂ କଲେଜ ପାଇଁ ଭିତ୍ତିଭୂମି ଦିଆଯାଇଛି ଏବଂ ଏହା ଖୁବଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଦ୍ବାରା ଡାକ୍ତର ଅଭାବ ଦୂର ହେବା ସହିତ ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ ଏବଂ ଜିଲ୍ଲାବାସୀ ଆଉ କଟକ-ଭୁବନେଶ୍ବର ଯାଇ ହଇରାଣ ହେବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ସବୁ ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୀତିରେ ରାଜ୍ୟର ସ୍ବାସ୍ଥ୍ୟସେବାର ବିକାଶ କରାଯାଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାରା ରାଜ୍ୟରେ ୮ ଲକ୍ଷ ୩୦ ହଜାର ୭୭୩ ଲୋକ ଉପକୃତ ହୋଇଥିବା ବେଳେ ଏଥିପାଇଁ ୧୮୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। କେବଳ କେନ୍ଦୁଝରରେ ୨୪ ହଜାର ଲୋକ ଉପକାର ପାଇଛନ୍ତି ଏବଂ ୪୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ପାଇଁ ୪୭୦୩ କୋଟି ଟଙ୍କାର ୨୫୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୧୧୦୩ କୋଟି ଟଙ୍କାର ୧୩୮ଟି ପ୍ରକଳ୍ପ ପାଇଁ ଭିତ୍ତିଭୂମି ଦିଆଯାଇଥିବା ବେଳେ, ୮୬୮ କୋଟି ଟଙ୍କାର ୯୮ଟି ପ୍ରକଳ୍ପ ଉଦ୍‌ଘାଟନ କରାଯାଇଥିଲା ଏବଂ ୨୭୩୧ କୋଟି ଟଙ୍କାର ୨୩ଟି ନୂଆ ପ୍ରକଳ୍ପ ପାଇଁ ଘୋଷଣା ରହିଛି ।

ଜିଲ୍ଲାରେ ୧୪,୩୭୨ ମିଶନ ଶକ୍ତି ଗୋଷ୍ଠୀ ଜରିଆରେ ୧.୬୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି । ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩୭୮ କୋଟି ଟଙ୍କାର ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି । ବାଂଶପାଳର ବଣପୁଷ୍ପ ସ୍ବୟଂ ସହାୟକ ଗୋଷ୍ଠୀକୁ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଟଙ୍କାର ଋଣ ଚେକ୍‌ ଆକାରରେ ପ୍ରଦାନ କରିଥିଲେ ଏବଂ ଘଷିପୁରାର ବିଜୟା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୫,୭୫୭ ଟଙ୍କାର ସୁଧ ରିହାତି ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା ମାନେ ରାଜ୍ୟର ସୁନାମ ବୃଦ୍ଧି କରିଛନ୍ତି। ସେମାନଙ୍କୁ ଉଦ୍ୟୋଗୀ କରିବା ମୋର ଲକ୍ଷ୍ୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ଯେ ଏହି ଅର୍ଥରେ ସେମାନେ ଭଲ ବିଜିନେସ୍‌ କରି ନିଜର, ନିଜ ପରିବାରର ଓ ନିଜ ଅଞ୍ଚଳର ଆର୍ଥିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ, ମହିଳା ଓ ଯୁବସମାଜ ଆମ ରାଜ୍ୟର ତ୍ରିଶକ୍ତି। ଏମାନେ ହିଁ ଆମ ରାଜ୍ୟର ପ୍ରଗତୀର ସାରଥୀ ଏବଂ ଏକ ବିକଶିତ ଓଡିଶାର ସ୍ବପ୍ନକୁ ପୂରଣ କରିବାରେ ଏହି ତ୍ରିଶକ୍ତି ହିଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆ ମେଡିକାଲ କଲେଜର ଅଡିଟୋରିଅମରେ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ଆଦାନପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅର୍ଥ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଚନ ପୂଜାରୀ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ, ଚମ୍ପୁଆ ବିଧାୟକ ମିନାକ୍ଷୀ ମହନ୍ତ, କେନ୍ଦୁଝର ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୨୮ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ। ଏହାଦ୍ବାରା ଗରିବ ଲୋକମାନେ ପ୍ରକୃତରେ ସଶକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ BSKY Smart Health Card ରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ସେ କହିଥିଲେ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ନୟାଗଡରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜଗତସିଂହପୁରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦର୍ଶୀ କାର୍ଯ୍ୟକ୍ରମ ଯୋଗୁ ଓଡିଶା ଆଜି ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିଛି ବୋଲି ସେମାନେ କହିଥିଲେ। ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଡି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଗଜପତି ଜିଲ୍ଲାବାସୀଙ୍କୁ ଦଶହରା ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତିବାସୀଙ୍କୁ ଦେବେ ଦଶହରା ଭେଟି। ମୁଖ୍ୟମନ୍ତ୍ରୀ ଆଜି ଗଜପତି ଗସ୍ତରେ ଯାଉଛନ୍ତି। ସେଠାରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ  ହେଲିକାପ୍ଟର ଯୋଗେ ଯାଇ ପୂର୍ବାହ୍ନ ୧୧ଟାରେ ଗଜପତି ଷ୍ଟାଡିୟମରେ ପହଞ୍ଚିବେ। ସେ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ୪୯୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବେ। ଏହା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ।

ପରେ ୧୧ଟା ୨୨ ମିନିଟରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ନବୀନ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ ଜିଲ୍ଲାର ୭ଟି ବ୍ଲକରେ ୭ଜଣ ମନ୍ତ୍ରୀ ଓ ଦଳୀୟ ଉପଦେଷ୍ଟାଙ୍କୁ ଦାୟିତ୍ବ ଦିଆଯାଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।