Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେଡି କକ୍ଷତ୍ୟାଗ ନେଇ ବିଜେପି କଲା ସମାଲୋଚନା, ଆଇନ ମନ୍ତ୍ରୀ କହିଲେ ଏପରି କଥା

ଭୁବନେଶ୍ୱର: ପ୍ରଥମ ଥର ପାଇଁ ବିଜେଡି ବିରୋଧି ଦଳ ହୋଇଥିବାରୁ ଅସହିଷ୍ଣୁ ହୋଇପଡ଼ିଛି। ଏହିପରି ଅଭିଯୋଗ କରିଛି ବିଜେପି। ଦଳ କହିଛି ଯେ, ବିଧାନସଭାରେ ଆଜି ଥିଲା ନୂତନ ସରକାରଙ୍କ ପ୍ରଥମ ଅଧିବେଶନ। ଏହି ଅବସରରେ ରାଜ୍ୟପାଳ ଉପସ୍ଥାପନା କରିଥିବା ଅଭିଭାଷଣରେ ନୂତନ ସରକାରଙ୍କ ଆଗାମୀ ଦିନର ଯୋଜନା ଏବଂ ଓଡ଼ିଶା ବିକାଶର ଚିତ୍ର ପ୍ରତିଫଳିତ ହୋଇଛି । ଏହା ନ ଶୁଣି ବିଭିନ୍ନ ବାହାନା ଦେଖାଇ ବିଧାନସଭା କକ୍ଷ୍ୟ ପରିତ୍ୟାଗ କରିବା ଦୁର୍ଭାଗ୍ୟଜନକ ବୋଲି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଗତ ୭ ତାରିଖରେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଏହି ଘଟଣାର ତଦନ୍ତ କରି ସତ୍ୟାସତ୍ୟ ଯାଂଚ କରିବାକୁ ପୁରୀର ଜିଲାପାଳଙ୍କୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ୧୫ ଦିନ ଭିତରେ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗତ ବିଜେଡି ସରକାର ସମୟରେ ସ୍ଥାନ, କାଳ ଓ ପାତ୍ର ଅନୁଯାୟୀ ଆଇନକୁ ତା ବାଟରେ ଯିବାକୁ ଦିଆଯାଉନଥିଲା। ମାତ୍ର ବର୍ତମାନ ମୋହନ ମାଝୀ ସରକାରରେ ଆଇନକାନୁନକୁ ତା’ବାଟରେ ଯିବା ପାଇଁ ସଂପୂର୍ଣ୍ଣ ଅଗ୍ରାଧିକାର ଦିଆଯିବା ଏବଂ କୈାଣସି ପ୍ରତିବନ୍ଧକ ସୃଷ୍ଟି ନକରିବାକୁ ବିଜେପି ସରକାର ପ୍ରତିଶୃତିବଦ୍ଧ। ବିଜେପି ସରକାର ଉପରେ ରାଜ୍ୟବାସୀଙ୍କ ଭରପୁର ଭରଷା ରହିଛି। ଏଣୁ ବିରୋଧି ଦଳ ମଧ୍ୟ ରାଜ୍ୟ ସରକାରଙ୍କୁ ଅସହଯୋଗ କରିବାର ମାନସିକତା ଛାଡ଼ି ଧୈର୍ଯ୍ୟ ଧରିବା ଆବଶ୍ୟକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତିି।