Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି କାର୍ଯ୍ୟକାରିଣୀ ବୈଠକରେ ବିରୋଧୀଙ୍କୁ କଡା ସମାଲୋଚନା କଲେ ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଭୁବନେଶ୍ବରର ଶଙ୍ଖ ଭବନରେ ବସିଥିଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ତେବେ ଏହି ବୈଠକରେ ସେ ନେତାମାନଙ୍କୁ ଯାହା କହିଥିଲେ ତାହା ହେଲା

ଆଜି ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି।

ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି। ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ। ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି। ସେମାନଙ୍କୁ ମୋର ପ୍ରଣାମ। ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ।

ଆମ ଦଳ ମହିଳା ସଶକ୍ତିକରଣରେ ବିଶ୍ବାସ କରେ। ସବୁବେଳେ ଆମେ ମା ମାନଙ୍କ କଲ୍ୟାଣକୁ ଅଗ୍ରାଧିକାର ଦେଇ ଆସିଛୁ। ତେଣୁ ବହୁ ସଂଖ୍ୟାରେ ମା ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ମା ମାନଙ୍କ ନେତୃତ୍ବ ନେଉଥିବା ଆମର ମହିଳା ନେତୃତ୍ବକୁ ମୋର ପ୍ରଣାମ। ମା ମାନଙ୍କ ପସନ୍ଦ ବିଜୁ ଜନତା ଦଳ। ଛାତ୍ର ଓ ଯୁବଶକ୍ତିର ପସନ୍ଦ ବିଜୁ ଜନତା ଦଳ। ଓଡିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ।

ସମସ୍ତେ କହୁଛନ୍ତି ବିଜେଡି ହେଉଛି ଦେଶରେ ଏକ ଶ୍ରେଷ୍ଠ ଆଞ୍ଚଳିକ ଦଳ। କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ ବିଜେଡି ହେଉଛି ଦେଶର ସର୍ବଶ୍ରେଷ୍ଠ ସାମାଜିକ ଅର୍ଥନୈତିକ ଆନ୍ଦୋଳନର ଦଳ।

ଆମ ଦଳର ମୂଳ ମନ୍ତ୍ର ସେବା। ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ। ଏଥିପାଇଁ ଓଡିଶାବାସୀ ଆମକୁ ଆଶୀର୍ବାଦ ଦେଇ ଆସିଛନ୍ତି। ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ। ଏହି ଦାୟିତ୍ବକୁ ଠିକ୍‌ ଭାବେ ପାଳନ କରିବା ପାଇଁ ତୃଣମୂଳ ସ୍ତରରୁ ଆମର କର୍ମୀ ଓ ଆମର ବିଭିନ୍ନ ସ୍ତରର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି।

କିଛି ଲୋକ ପଚାରୁଛନ୍ତି, ଆପଣଙ୍କ ଦଳରେ ନିର୍ବାଚନ ପ୍ରସ୍ତୁତି କେମିତି ଚାଲିଛି। ମୁଁ କହିବାକୁ ଚାହେଁ ଯେ ନିର୍ବାଚନ ପ୍ରସ୍ତୁତି ନୁହେଁ। ଆମେ ଲେକଙ୍କ କାମରେ ବିଶ୍ବାସ କରୁ। ସେବାରେ ବିଶ୍ବାସ କରୁ।

ଇତିହାସ କେବେ ଏତେ ବଡ ରୂପାନ୍ତର ଦେଖି ନ ଥିଲା। ଆପଣମାନେ ହେଉଛନ୍ତି ସେହି ବୃହତ ରୂପାନ୍ତରର ଜଣେଜଣେ ଅଂଶୀଦାର। ମଠ, ମନ୍ଦିର , ସ୍କୁଲ, କଲେଜ, ହସପିଟାଲ,  ଜଳସେଚନ ସୁବିଧା ହେଉ ବା ଗାଁ ଗାଁରେ ବ୍ୟାଙ୍କ ସୁବିଧା, ଲକ୍ଷ୍ମୀ ଯୋଜନା ହେଉ, ବା ଜନଜାତି ଭାଇଭଉଣୀଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଦେଶ ଦେଖୁଛି ଓଡିଶାର ରୂପାନ୍ତର।

ଓଡିଶା ଆଜି ଦେଶର କ୍ରୀଡା ରାଜଧାନୀ ହୋଇ ପାରିଛି। ଶିଳ୍ପ  କ୍ଷେତ୍ରରେ ବିପୁଳ ସୁଯୋଗ, ନୂଆ ନୂଆ ଆଇଟି କଂପାନୀ ଖୋଲିବାରେ ହେଉ ବା, ଦକ୍ଷତା ବୃଦ୍ଧି ବା ମା ମାନଙ୍କ ସଶକ୍ତିକରଣ, ଚାଷୀ ମାନଙ୍କ ଶସକ୍ତ କରିବା ପ୍ରଭୃତି ସବୁ କ୍ଷେତ୍ରରେ, ଓଡିଶା ସାରା ଭାରତରେ ଆଜି ଉଦାହରଣ ହୋଇଛି।

ବିରୋଧୀ ମାନେ ସବୁବେଳେ ମିଛ ପ୍ରଚାର କରିବେ। ବିରୋଧୀଙ୍କ ପାଖରେ କିଛି ପ୍ରସଂଗ ନାହିଁ। ଓଡ଼ିଶାର ରୂପାନ୍ତରିକରଣ ସେମାନଙ୍କ ପାଇଁ ବଡ଼ ଧକ୍କା ଦେଇଛି। ସେମାନେ ଅପପ୍ରଚାର କରିବା ପାଇଁ ଚେଷ୍ଟା କରିବେ। ମିଛ କହିବେ। ତୃଣମୂଳ ସ୍ତରରୁ ଆମକୁ ଏହାର ଦୃଢ ମୁକାବିଲା କରିବାକୁ ହେବ। ସାମାଜିକ ଗଣମାଧ୍ୟମରେ ଏହାକୁ ବିରୋଧ କରିବାକୁ ହେବ। ତା ସହିତ ଆମର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ହେବ। ଓଡିଶାବାସୀ ଜାଣିଛନ୍ତି, ହଜାରେ ମିଛ କେବେ ସତ ହେବ ନାହିଁ।

ଘରେ ଘରେ ଶଙ୍ଖ ବାଜିବ। ସତ୍ୟର ବିଜୟ ହେବ। ବିକାଶର ବିଜୟ ହେବ ଏବଂ ଆମେ ଗଢିବା ନୂଆ ଓଡିଶା। ସଶକ୍ତ ଓଡିଶା।

Categories
ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ବିଜେଡି କାର୍ଯ୍ୟକାରିଣୀ ବୈଠକ, ପୁଣି ଥରେ ସେହି କେନ୍ଦ୍ରକୁ ଆକ୍ରମଣ, ବରପୁତ୍ରଙ୍କ ଗାଁକୁ ଆଦର୍ଶ ଗ୍ରାମ ଦାବୀ

ଭୁବନେଶ୍ୱର, ଆଜି ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟକାର୍ଯ୍ୟାଳୟଠାରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଯାଇଛି । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବୈଠକ ଆରମ୍ଭ ହୋଇଥିଲା । ଦିବଙ୍ଗତ ନେତାଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା ହୋଇଥିଲା । ବିଜେଡି ହେଉଛି ଲୋକଙ୍କ ଦଳ; ଲୋକଙ୍କ ସେବାରେ ସମର୍ପିତ ।

ପ୍ରତିଦିନ ଲୋକଙ୍କ କାମ କରିବାକୁ କାର୍ଯ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଙ୍ଗଠନିକ ସଂପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତୃଣମୂଳସ୍ତରରେ ବିଜେଡିକୁ ଅଧିକ ସଂଗଠିତ କରାଯିବା ସହ ଦଳର ସଦସ୍ୟଙ୍କ ସଂଖ୍ୟା ୧ କୋଟିରୁ ଅଧିକରେ ପହଞ୍ଚିଛି । ଦଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରତିଦିନ ସାଧାରଣ ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ଆଜି ମୁଣ୍ଡ ଟେକି ଠିଆ ହୋଇଛି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଛବିକୁ କଦାପି ମଳିନ କରିବାକୁ ଦିଆଯିବ ନାହିଁ ଏବଂ ସାରା ରାଜ୍ୟରେ ବିଜେଡି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପହଞ୍ଚାଇବାକୁ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ କହିଥିଲେ ।

ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ୯ଟି ପ୍ରସ୍ତାବ ଆଗତ କରିଥିଲେ । କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ବୋଲି ବରିଷ୍ଠ ନେତାମାନେ ମତ ଦେଇଥିଲେ । ଏସବୁ ସତ୍ତ୍ୱେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଦିଗଦର୍ଶନ ପାଇଁ ରାଜ୍ୟର ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ ।

କେବଳ ଏତିକି ନୁହେଁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ରାଜ୍ୟକୁ ବାରମ୍ବାର ଆଘାତ ଦେଇଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏହାକୁ ସଠିକ ଭାବେ ମୁକାବିଲା କରିପାରିଛନ୍ତି । ସେହିପରି କୃଷି ଓ କୃଷକଙ୍କୁ ଅଗ୍ରାଧିକାର ତଥା ସାମଗ୍ରିକ ବିକାଶ ପାଇଁ ବିଜେଡି ସଦାସର୍ବଦା କାର୍ଯ୍ୟ କରିଆସିଛି । ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଏମ୍‌ଏସ୍‌ପି ପାଇଁ ଲଢେଇ ଜାରି ରହିବ । ଓଡିଶା ସ୍ୱତନ୍ତ୍ର ରାଜ୍ୟ ପାଇଁ ସଂପୂର୍ଣ୍ଣ ହକଦାର । କିନ୍ତୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ସତ୍ତ୍ୱେ ବାରମ୍ବାର ପ୍ରତାରଣା କରୁଛି । ତେଣୁ ଆଗକୁ କିଭଳି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବ ସେଥିପାଇଁ ଦଳ ଦାବି ଉପସ୍ଥାପନ ଜାରି ରଖିବ ।

ମହିଳା ସଶକ୍ତିକରଣ ପାଇଁ ରାଜନୈତିକ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି । ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦାବି ହୋଇଛି । ଏହି ବୈଠକରେ ମଧ୍ୟ ଓଡିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ପ୍ରସ୍ତାବ ଅନୁମୋଦିତ ହୋଇଛି । ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଁ ଦାବି ହୋଇଛି । କେବଳ ସେତିକି ନୁହେଁ ଓଡିଶାର ବରପୁତ୍ରଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯିବାକୁ ପ୍ରସ୍ତାବ କରାଯାଇଛି । ବରପୁତ୍ର ମାନଙ୍କର ଜୀବନୀକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ପ୍ରସ୍ତାବ ଦିଆଯାଇଛି ।

ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପୂର୍ଣ୍ଣ ସଶକ୍ତିକରଣ ପାଇଁ ପ୍ରସ୍ତାବ ହୋଇଛି । ଦଳର ବିଭିନ୍ନ ସାମୁଖ୍ୟ ତରଫରୁ ମଧ୍ୟ ସେମାନଙ୍କୁ ସଶକ୍ତ କରିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ କିଭଳି ପଛୁଆ ବର୍ଗଙ୍କ ବିକାଶ ହୋଇପାରିବ ସେଥିପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରି ସଭାକୁ ଆନୁଷ୍ଠାନିକ ଭାବେ ସମାପନ କରିଥିଲେ ପ୍ରଣବ ପ୍ରକାଶ ଦାସ।

ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ପିନାକୀ ମିଶ୍ର, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀ କିଶୋର କୁମାର ମହାନ୍ତି, ଶ୍ରୀ କଳିକେଶ ନାରାୟଣ ସିଂହଦେଓ, ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଶ୍ରୀ ଚନ୍ଦ୍ରଶେଖର ସାହୁ ସାଧାରଣ ସମ୍ପାଦକ(ଗଣମାଧ୍ୟମ ଓ ଯୋଗାଯୋଗ) ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଓ ଡଃ.ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।