Categories
ବିଶେଷ ଖବର ରାଜ୍ୟ ଖବର

ଅକ୍ଷୟ ତୃତୀୟାରେ ବିଜେଡିର ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଆଜି ଭୁବନେଶ୍ବର ଠାରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଜୁ ଜନତାଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ସେବାରେ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ଶଙ୍ଖ ଭବନରୁ ଓଡିଶାବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାକୁ ଭଲ ପାଉଥିବା ଓଡିଶାର ବିକାଶ ପାଇଁ , ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ତଥା ଏକ ନୂଆ ଓଡିଶା ଓ ସଶକ୍ତ ଓଡିଶା ଗଠନ ପାଇଁ କାମ କରିବାକୁ ଆଗ୍ରହୀ ସମସ୍ତଙ୍କର ମିଳନସ୍ଥଳୀ ହେବ ଶଙ୍ଖ ଭବନ। ଏହା ହେବ ସାଢେ ଚାରିକୋଟି ଓଡିଆଙ୍କ ପ୍ରିୟ ଭବନ। ଶଙ୍ଖ ଭବନର ସବୁ କାର୍ଯ୍ୟକ୍ରମ ଓଡିଶା ବାସୀଙ୍କ ସେବାରେ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ୧୯୯୭ ଥିଲା, ଓଡିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ। ବିଜୁ ବାବୁଙ୍କ ଆଦର୍ଶ, ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ର ନେଇ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ଆଞ୍ଚଳିକ ଦଳ ଭାବରେ ଓଡିଶାବାସୀଙ୍କ ସେବାରେ ରହି ସେଦିନର ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଯାଇଛି। ବିଜୟର ଶୁଭଶଙ୍ଖ ବାଜି ଚାଲିଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଏ ଶଙ୍ଖ ଭବନ ହେବ ସାଢେ ଚାରି କୋଟି ଓଡିଶାବାସୀଙ୍କ ପ୍ରିୟ ଭବନ। ଓଡିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡିବ। ସାଢେ ଚାରି କୋଟି ଓଡଶାବାସୀକୁ ଏକାଠି କରିବ। ଓଡିଶାର ବିକାଶ ପାଇଁ ସମର୍ପିତ ହେବ। ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମର୍ପିତ ହେବ। ଓଡିଶାର କଳା, ସାହିତ୍ୟ, ସଂସ୍କୃତିର ବିକାଶ ପାଇଁ ସମର୍ପିତ ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଶଙ୍ଖ ଭବନ କେବଳ ଆମର ଭୌତିକ, ସାମାଜିକ, ଅର୍ଥନୈତିକ ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ନାହିଁ, ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ଵ ଆଧାରରେ ଆମର ଆଧ୍ୟାତ୍ମିକ ଉତ୍ତରଣର କେନ୍ଦ୍ର ମଧ୍ୟ ହେବ।

ଜୟ ଜଗନ୍ନାଥ ଧ୍ୱନିରେ ଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶ୍ଵ ଦରବାରରେ ଓଡ଼ିଶାର ଇଷ୍ଟ ଦେବତା ଶ୍ରୀ ଜଗନ୍ନାଥଙ୍କ ମହାନ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଶଙ୍ଖ ଭବନ କାମ କରି ଚାଲିବ ଏବଂ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚାର କରିଚାଲିବ।

ବିଜୁ ଜନତା ଦଳର ସଫଳତା ମନ୍ତ୍ର ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ଥିରତା ଆମକୁ ସଫଳତା ଦେଇଛି। ସାଧୁତା ଆନନ୍ଦ ର ମାର୍ଗ ଖୋଲିଛି। ଶାନ୍ତି ଆମକୁ ସମୃଦ୍ଧି ଦେଇଛି ଏବଂ ପ୍ରଶାନ୍ତ ଚେତନା ରୂପାନ୍ତରଣରେ ସହାୟକ ହୋଇଛି।

ଶଙ୍ଖ ଭବନ ନିର୍ମାଣରେ ଅବଦାନ ରଖିଥିବା ଶ୍ରମିକଙ୍କ ଠାରୁ ଆରମ୍ଭ କରି ସ୍ଥପତି ପର୍ଯ୍ୟନ୍ତ ତଥା ଯୁବ , ଛାତ୍ର ,ମହିଳା କର୍ମୀ ଏବଂ ନେତା, ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଧନ୍ୟବାଦ ଜଣାଇଥିଲେ। ସେବାର ସଂସ୍କୃତିକୁ ଆଗକୁ ନେବା , ବିକାଶକୁ ଆଗକୁ ନେବା ,ଓଡିଶା ମା’ର ଗୌରବକୁ ଆହୁରି ଉଜ୍ଜଳ କରିବା ପାଇଁ ନିଜକୁ ସମର୍ପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ଵାନ ଜଣାଇଥିଲେ।

ସୂଚନା ଯୋଗ୍ୟ ଯେ ଶଙ୍ଖ ଭବନର ସମ୍ମିଳନୀ କକ୍ଷଗୁଡିକରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ଆଦିକବି ସାରଳା ଦାସ, ବୀର ସୁରେନ୍ଦ୍ର ସାଏ , ବକ୍ସି ଜଗବନ୍ଧୁ, ଭୀମ ଭୋଇ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସହିଦ୍ ଲକ୍ଷ୍ମଣ ନାୟକ ପଣ୍ଡିତ ରଘୁନାଥ ମୁର୍ମୁ, ବିର୍ସା ମୁଣ୍ଡା, ରେଣ୍ଡୋ ମାଝି , ଧରଣୀଧର ଭୂୟାଁ, ମା ରମାଦେବୀ , ପାର୍ବତୀ ଗିରି , ଫକୀମୋହନ ସେନାପତି , ଗଙ୍ଗାଧର ମେହେର , କୁନ୍ତଳାକୁମାରୀ ସାବତ ଓ ବାଜି ରାଉତଙ୍କ ପରି ବରପୁତ୍ରମାନଙ୍କ ଉକ୍ତି ଖୋଦିତ ହେବ। ଏହା ସହିତ ଏଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ତାବିଜ ଶୋଭା ପାଇବ ଏବଂ ଓଡ଼ିଶାର ୩୦ଟି ଜିଲ୍ଲାର ପ୍ରସିଦ୍ଧ ସାମଗ୍ରୀ ଓ ଶ୍ରେଷ୍ଠ କଳାକୃତି ମଧ୍ୟ ସ୍ଥାନ ପାଇବ।

ଶଙ୍ଖ ଭବନରେ ପ୍ରତି ସପ୍ତାହରେ ରକ୍ତ ଦାନ କାର୍ଯ୍ୟକ୍ରମ କରାଯିବ। ଏହା ସହିତ ଗରିବ ଲୋକଙ୍କ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ ନିୟମିତ ଜାରି ରହିବ।

Categories
ବିଶେଷ ଖବର ରାଜ୍ୟ ଖବର

ନବକଳେବର ହେବ ବିଜେଡି କାର୍ଯ୍ୟାଳୟ, ରଥଯାତ୍ରାରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଆଜି ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳ ତାହାର ନୂଆ କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି କାର୍ଯ୍ୟାଳୟରେ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,

‘ପବିତ୍ର ରଥଯାତ୍ରା ଅବସରରେ ଦଳର ନୂତନ କାର୍ଯ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି। ଏହା ଓଡ଼ିଶାର ଲୋକଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବା ସହ ଓଡ଼ିଆ ସ୍ବାଭିମାନର ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରିବ। ଓଡ଼ିଶାବାସୀଙ୍କ ସେବା ପାଇଁ ଏଠାରେ ରକ୍ତଦାନ ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଜାରି ରହିବ।’

ବର୍ତ୍ତମାନ କ୍ୟାପିଟଲ ହସପିଟାଲ ପଛପଟେ ଥିବା ବିଜେଡି କାର୍ଯ୍ୟାଳୟକୁ ନବେକଳେବର କରାଯିବ। ଏହି ଏକ ମହଲା ବିଶିଷ୍ଠ କାର୍ଯ୍ୟାଳୟକୁ 4 ମହଲା ବିଶିଷ୍ଠ କରାଯିବ ବୋଲି ଜଣାପଡିଛି। ଏକ କର୍ରପୋରେଟ ଅଫିସ ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ସେଥିପାଇଁ ଏକ ଡିଜାଇନକୁ ମନୋନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ।

ଏହି କାର୍ଯ୍ୟାଳୟରେ ଏକ ବଡ କନଫ୍ରେନସ ରୁମ ରହିବ, ମିଡିଆ ସେଣ୍ଟର ରହିବ ଏଥିସହିତ ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କର ଚ୍ୟାମ୍ବର ମଧ୍ୟ କରାଯିବ। ବିଜେଡି ସୁପ୍ରିମୋଙ୍କ ମଧ୍ୟ ଏକ ସ୍ବତନ୍ତ୍ର ଚ୍ୟାମ୍ପର କରାଯିବାକୁ ନିଷ୍ପତି କରାଯାଇଛି। ବର୍ତ୍ତମାନ ଥିବା ଅଫିସକୁ ହଠାତ ନ ଭାଙ୍ଗି ପଛପଟେ ଥିବା ଖାଲିସ୍ଥାନରେ ଏହାର କାମ ଆରମ୍ଭ କରାଯିବ ବୋଲି ଦଳ ନିଷ୍ପତି କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଶାରଳାରୋଡ ଛକରେ ଖୋଲିଲା ବିଜେଡି କାର୍ଯ୍ୟାଳୟ : ଉଦଘାଟନ କଲେ ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସ

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତ ସ୍ଥିତ ଶାରଳାରୋଡ ଛକରେ ଏକ ବିଜେଡି କାର୍ଯ୍ୟାଳୟ ଖୋଲାଯାଇଛି। ଏହି ବିଜେଡି କାର୍ଯ୍ୟାଳୟକୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସ  ଫିତା କାଟି ଉଦଘାଟନ କରିଥିବା ବେଳେ ତାଙ୍କ ସହିତ ଥିଲେ ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ,ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି, ବିଜେଡି ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଓ ନିର୍ବାଚନମଣ୍ଡଳୀ ବିଜେଡିର ଯୁବ ସଭାପତି ସୁବ୍ରତ ଦାଶ। ଏଠାରେ ଦେଖିବାକୁ ମିଳିଛି ନେତାଙ୍କ ଭାବପ୍ରବଣତା।

ବିଧାୟକ ପ୍ରାର୍ଥୀ ବିଜୟ ଶଙ୍କର ଦାସ ଓ ସାଂସଦ ଙ୍କୁ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ମିଠା ଖୁଆଇ ଦେଉଥିବାର ଦୃର୍ଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା , ପଞ୍ଚାୟତ ସଭାପତି ସୁଦର୍ଶନ ପଣ୍ଡା, ବିରଜା ପ୍ରସନ୍ନ ପରିଜା (ପୁଟୀ), ବାପି ସାମଲ, ଶୁସାନ୍ତ ପଣ୍ଡା, ନୃସିଂହ ମହାପାତ୍ର (ବାହାନା), ଶୁସାନ୍ତ ପରିଜା, ଶ୍ରୀନିବାସ ଦାସ, ନନ୍ଦନନ୍ଦନ ନାୟକ, ଆଶିଷ ମହାପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।