Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ହାତରେ ଯୋଡି ଶଙ୍ଖ ଧରି ଡିଜିଟାଲ ପ୍ରଚାର ଆରମ୍ଭ କଲେ ନବୀନ ଏବଂ ପାଣ୍ଡିଆନ

ଭୁବନେଶ୍ବର: ଏଥର ଯୋଡି ଶଙ୍ଖ। ଗୋଟିଏ ଏମପି ପାଇଁ ଗୋଟିଏ ଏମଏଲଏ ପାଇଁ। ଆପଣମାନେ ଆର୍ଶିବାଦ କରନ୍ତୁ। ଧନ୍ୟବାଦ। ଏହା କହି ହାତରେ ଧରିଥିବା ଦୁଇଟି ଶଙ୍ଖ ଚିତ୍ରକୁ ଉପରକୁ ଟେକି ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଖେଇ ଆସିବା ଏବଂ ପ୍ରାର୍ଥୀ ଘୋଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ତ୍ତମାନ ନବୀନ ଡିଜିଟାଲ ପ୍ରଚାର ଆରମ୍ଭ କରିଦେଲେଣି।

ସେହିପରି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ନବୀନଙ୍କ ସ୍ବର ସହିତ ସ୍ବର ମିଳାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି। ସେ ପ୍ରଥମେ ଜୟ ଜଗନ୍ନାଥ କହିଛନ୍ତି। ଏହାପରେ ସେ କହୁଛନ୍ତି ଯେ, ଆସନ୍ତା 24 ତାରିଖରେ ନବୀନବାବୁ ପ୍ରଚାରରେ ହିଞ୍ଜିଳି ଆସୁଛନ୍ତି। ଏଥର ଯୋଡି ଶଙ୍ଖ, ଥରେ ଏମପି ପାଇଁ ଥରେ ଏମଏଲଏ ପାଇଁ, ଆର୍ଶିବାଦ କରନ୍ତୁ।

ଆସନ୍ତାକାଲି ନବୀନ ପଟ୍ଟନାୟକ ତାଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିକୁ ପ୍ରଚାର କରିବାକୁ ଯିବେ। ସେଠାରେ ସେ ଏକ ବଡ ଜନସମାବେଶକୁ ସମ୍ବୋଧନ କରିବେ। ସେଠାରେ ସେ ନିଜ ନିର୍ବାଚନ ମଣ୍ଡଳି ସହିତ ଆସ୍କା ଲୋକସଭା ଏବଂ ଏହା ଅଧିନରେ ଥିବା ସମସ୍ତ ବିଧାନସଭା ପାଇଁ ପ୍ରଚାର କରିବେ। ଏହାପରେ ନବୀନ 25 ତାରିଖରେ ଜୟପୁର ଯିବେ। ସେଠାରେ ମଧ୍ୟ କୋରାପୁଟ ଏବଂ ଏହା ଅଧିନରେ ଥିବା ସମସ୍ତ ବିଧାନସଭା ପାଇଁ ପ୍ରଚାର କରିବେ।

ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ କୋରାପୁଟ, ନବରଂଗପୁର, ବ୍ରହ୍ଣପୁର ଏବଂ ଆସ୍କା ଲୋକସଭା ପାଇଁ ନିର୍ବାଚନ ହେବ। ସେଥିପାଇଁ ନବୀନ ପ୍ରଥମେ ଏହି ନିର୍ବାଚନ ମଣ୍ଡଳିଗୁଡିକରେ ପ୍ରଚାର ଶେଷ କରିଦେବେ। ସେଥିପାଇଁ ବିଜେଡି ପକ୍ଷରୁ ବଡ ପ୍ରସ୍ତୁତି କରାଯାଇଛି। ଦଳ ଏଥର କ୍ଷେତ୍ରୀୟ ପ୍ରଚାର ସହିଚ ଡିଜିଟାଲ ପ୍ରଚାର ପାଇଁ ପଦକ୍ଷେପ ଆରମ୍ଭ କରିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ସବୁ କଟକଣାକୁ ପରିତ୍ୟାଗ କରି ପୁଅ ପାଇଁ ଭୋଟ ଭିକ୍ଷା କଲେ ସୁରେଶ ରାଉତରାୟ

ଭୁବନେଶ୍ବର: ସବୁ କଟକଣାକୁ ବେଖାତିର କରି ଆଜି ପୁଅ ମନ୍ନଥ ରାଉତରାୟଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଆଜି ଭୁବନେଶ୍ବରର ଚନ୍ଦ୍ରଶେଖରପୁରେ ଥିବା ବୁଦ୍ଧ ପାର୍କରେ ବାପପୁଅ ପ୍ରଚାର କରିଛନ୍ତି। ସାଥିରେ ଅଛନ୍ତି ଭୁବନେଶ୍ବର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଏବଂ ମେୟର ସୁଲଚନା ଦାସ। ମନ୍ମଥଙ୍କୁ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ ଭାବେ ଭୋଟ ଦେବାକୁ ସମସ୍ତେ ନିବେଦନ କରିଛନ୍ତି।

ବିଜେଡି ନେତାମାନେ ପାର୍କରେ ମଣ୍ଣିଂ ୱାର୍କ କରୁଥିବା ଲୋକମାନଙ୍କୁ ଭେଟିଛନ୍ତି। ଭୋଟ ଭିକ୍ଷା କରିଛନ୍ତି। ପୁଅକୁ ଭୋଟ ଦିଅ ବୋଲି ସୁର ରାଉତରାୟ କହିଛନ୍ତି। ହେଲେ କେଉଁ ଚିହ୍ନରେ ଭୋଟ ଦେବେ ସେ କଥା ସେ କହି ନାହାଁନ୍ତି। କିଛିଦିନ ତଳେ ମନ୍ମଥ ଫରେଷ୍ଟ ପାର୍କକୁ ମଧ୍ୟ ପ୍ରଚାର ପାଇଁ ଯାଇଥିଲେ, ହେଲେ ସେତେବେଳେ ସାଥିରେ ବାପା ସୁର ରାଉତରାୟ ନ ଥିଲେ। ବର୍ତ୍ତମାନ ପୁଅ ପାଇଁ ସୁର ରାଉତରାୟ ଜୋରଦାର ପ୍ରଚାର କରିବେ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉପନିର୍ବାଚନ ପାଇଁ ପ୍ରଚାର କଲେ ନବୀନ, କହିଲେ ଧାମନଗର ବିକାଶ ମୋର ଦାୟିତ୍ବ

ଧାମନଗର : ଧାମନଗର ହେଉଛି ଶାନ୍ତି, ସଦ୍‌ଭାବ ଓ ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ । ବିଜୁ ଜନତା ଦଳ ସୁଖଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଆପଣମାନଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଧାମନଗରର ବିକାଶ ମଧ୍ୟ କେମିତି ଆଗକୁ ବଢ଼ିବ, ତାହା ମୁଁ ନିଜେ ଦେଖିବି।

ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ବ ମୋର। ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ଆମେ ପାଞ୍ଚ ବର୍ଷର କାମ କରିପାରିବା। ଆଜି ଧାମନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜନସଭାକୁ ସମ୍ବୋଧିତ କରି ‌ଧାମନଗରବାସୀଙ୍କୁ ଏଭଳି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆଗାମୀ ୩ ତାରିଖରେ ଧାମନଗର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତି ଦାସଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀର ୧୩ଟି ସ୍ଥାନରେ ଆୟୋଜିତ ଏହିସବୁ ନିର୍ବାଚନୀ ସଭାରେ ବିପୁଳ ଜନସମାଗମ ହୋଇଥିଲା।

ପ୍ରତ୍ୟେକ ସଭାରେ ଧାମନଗରର ଅଞ୍ଚଳର ହଜାର ହଜାର ମହିଳା ଏବଂ ଆବାଳବୃଦ୍ଧବନିତା ନିଜ ହୃଦୟରେ ସ୍ଥାନ ଦେଇଥିବା ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ମୁହଁରୁ ପଦେ ଭାଷଣ ଶୁଣିବା ପାଇଁ ଉତ୍କଣ୍ଠାର ସହ ‌ଅପେକ୍ଷା କରିଥିଲେ। ନାଚ, ଗୀତ, ବାଜା ଓ ସ୍ଳୋଗାନରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅବସାନ ଘଟାଇ ସନ୍ଧ୍ୟା ଠିକ୍ ସାଢ଼େ ୫ଟାବେଳେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ଖୁସି ବ୍ୟକ୍ତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କାଳିଆ ଯୋଜନା ହେଉ, ବା ମିଶନ ଶକ୍ତି, ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସବୁ ଯୋଜନାର ସୁବିଧା ଆପଣମାନଙ୍କ ପାଖରେ ପହଞ୍ଚି ପାରିଛି । ମା’ ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କୁ ନୂଆ ପରିଚୟ ହୋଇଛି । ମା’ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି। ମା’ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ତେଣୁ ଜଣେ ମା’ଙ୍କୁ ମୁଁ ଆପଣଙ୍କ ବିଧାୟିକା ଭାବରେ ଦେଖିବାକୁ ଚାହେଁ, ଯାହା ଆପଣମାନେ ବି ଚାହାନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ୨୦୧୯ ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି ଏବଂ ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ।

ଧାମନଗରର ୬ଟି ଯାକ ଜିଲ୍ଲା ପରିଷଦ ଆସନରେ ଆପଣମାନେ ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି। ତେଣୁ ମୋର ପୂରା ବିଶ୍ବାସ, ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢ଼ିବ।

ଶେ‌ଷରେ ଧାମନଗରର ବିକାଶ କାର୍ଯ୍ୟ ସେ ନିଜେ ଦେଖିବେ ଏବଂ ଆଗାମୀ ୧୮ ମାସ ଭିତରେ ଧାମନଗରରେ ୫ ବର୍ଷର କାର୍ଯ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୃଢ଼ତା ଓ ପ୍ରତିବଦ୍ଧତାର ସହ କହିଥିଲେ ଏବଂ ବିଜୁ ଜନତା ଦଳର ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେବା ପୂର୍ବରୁ ଏହିସବୁ ଜନସଭାରେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ବ‌ାଇଁ, ପ୍ରୀତିରଞ୍ଜନ ଘଡ଼େଇ, ସାଂସଦ ମୁନ୍ନା ଖ‌ାଁ, ସୁଲତା ଦେଓ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ପ୍ରମୁଖ ବରିଷ୍ଠ ନେତୃବନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ନେତା ଭାବିଲା ବେଳକୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରଚାରକୁ ହାଇଜାକ କରିନେଲା ବିଜେଡି

ଭୁବନେଶ୍ବର: ଓଡିଶା ରାଜନୀତିରେ ଏକ କଥା ଅଛି ବିଜେପି ଡାଳରେ ଡାଳରେ ଯାଉଥିବା ବେଳେ ବିଜେଡି ପତ୍ରେ ପତ୍ରେ ଯାଉଛି। ଏହା ପୂର୍ବରୁ ବହୁଥର ପ୍ରମାଣିତ ହୋଇଛି। ଏବେ ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। ଅତୀତରେ ଅନେକ ଘଟଣା ଘଟିଛି ଯାହା ବିଜେପି ଭାବିବା ବେଳକୁ ବିଜେଡି ତାହାକୁ କାର୍ଯ୍ୟରେ ଲଗାଇ ସାରିଲାଣି।

ସେହିପରି ଘଟଣା ବର୍ତ୍ତମାନ ଘଟିବାରେ ଲାଗିଛି। ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ବାହାବ ନେବା ବେଳକୁ ତାହାକୁ ହାଇଜାକ କରିନେଲାଣି ବିଜେଡି। କହିବା କଥା ହେଲା ଆସନ୍ତା ଆଠ ତାରିଖରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ପ୍ରଚାରରେ ଆସିବେ। ସେଥିପାଇଁ ବିଜେପି ଶିବିରରେ ପ୍ରସ୍ତୁତି ଚାଲିଛି। ତାଙ୍କ ସହିତ କେଉଁମାନେ ଯିବେ, କୁଆଡେ ଯିବେ ତାହାର ତାଲିକା ଚାଲିଛି।

ହେଲେ ଆଶ୍ଚର୍ଯ୍ୟର କଥା ଏପଟେ ଦ୍ରୌପଦୀ ମୁର୍ମୁ ଓଡିଶା ଆସିବା ପୂର୍ବରୁ ବିଜେଡି ତାଙ୍କର ପ୍ରଚାର ଆରମ୍ଭ କରିଦେଇଛି। ମଙ୍ଗଳବାର ଦିନ ରାୟଗଡାର ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ମୁଦୁଲି ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଛନ୍ତି । ତାଙ୍କୁ ବିଜେଡି ତରଫରୁ ଯୋଗାଯୋଗ କରାଯାଇ ନବୀନ ନିବାସ ଅଣାଯାଇଥିଲା। ଆଉ ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କଲେ। ଏହାକୁ ନିଜେ ମୁଦୁଲି ସମର୍ଥନ ମଧ୍ୟ କଲେ।

ସେହିପରି ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ସାକ୍ଷାତ କଲେ ବିଜେଡି ସଂଗଠନ ସଂପାଦକ ପ୍ରଣବ ଦାସ। ସେ ମଧ୍ୟ ତାଙ୍କୁ ଓଡିଶା ଝିଅକୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଖୋଦ ନବୀନ ପଟ୍ଟନାୟକ ମଧ୍ୟ ନରସିଂହଙ୍କୁ ଫୋନ କରି ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି।

ସେତିକି ନୁହେଁ ପ୍ରଣବ ଦାସ, ସୁଶାନ୍ତ ସିଂ, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ବଳବନ୍ତରାୟ ପ୍ରମୁଖ ତୁଙ୍ଗ ବିଜେଡି ନେତା କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଓଡିଶା ମାଟିକୁ ଦେଖି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି। ଦିନତମାମ ବିଜେଡି ନେତାମାନେ ନିଜନିଜ ରାସ୍ତାରେ ଦ୍ରୌପଦୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି।

ବିଜେଡିର ଏପରି ତତ୍ପରତାକୁ ଦେଖିଲେ ଲାଗୁଛି ସତେ ଯେପରି ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ପ୍ରାର୍ଥୀ କରିଛି। ତାଙ୍କୁ ନବୀନ ରାଷ୍ଟ୍ରପତି ପ୍ରାର୍ଥୀ କରାଇଛନ୍ତି। ଅର୍ଥାତ ଏହାର ପୁରା ଫାଇଦା ବର୍ତ୍ତମାନ ବିଜେଡି ହାଇତେଇବାରେ ଲାଗିଛି। ସେଥିପାଇଁ କୁହାଯାଉଛି ଯେ ବିଜେଡି ରଣନୀତି ଆଗରେ ବିଜେପି ଏ ପର୍ଯ୍ୟନ୍ତ ସମକକ୍ଷ ହୋଇପାରୁ ନାହିଁ।