Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଯୋଗଦେଲେ ଜେଡିୟୁ ନେତା କେସି ତ୍ୟାଗୀଙ୍କ ପୁଅ ଅମ୍ରିଶ

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ (ଜେଡିୟୁ) ର ଜାତୀୟ ସାଧାରଣ ସମ୍ପାଦକ କେସି ତ୍ୟାଗୀଙ୍କ ପୁଅ ଅମ୍ରିଶ ତ୍ୟାଗୀ ଆଜି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିବା ପରେ ଅମ୍ରିଶ କହିଛନ୍ତି ଯେ, ତାଙ୍କ ଦଳର ‘ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସର ମୂଳ ମନ୍ତ୍ର ଉପରେ ବିଶ୍ୱାସ ରହିଛି।

“ମୋ ବାପାଙ୍କ ଦଳ ଜେଡି (ୟୁ) ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ଏକ ଅଂଶ। ତେଣୁ ମୁଁ ଯଦି ମୋ ବାପାଙ୍କ ପାର୍ଟିରେ ଯୋଗ ଦେଇଥାନ୍ତି, ତେବେ ପରିବାରବାଦର ଅଭିଯୋଗ ହୋଇଥାନ୍ତା। ସେଥିପାଇଁ ମୁଁ ବିଜେପିକୁ ବାଛିଲି। ”ଅମ୍ରିଶ କହିଛନ୍ତି ଯେ, ସେ ନିଜେ ବିଜେପିରେ ଯୋଗଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ତାଙ୍କ ପିତା ନିଜେ ଅନୁମତି ଦେଇଛନ୍ତି।

ଅମ୍ରିଶଙ୍କ ସହ ଅନେକ ନେତା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏଥିମଧ୍ୟରେ ସମାଜବାଦୀ ପାର୍ଟି (ଏସପି) ଏବଂ ବାହୁଜନ ସମାଜ ପାର୍ଟି (ବିଏସପି) ର କିଛି ନେତା ଅଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଅମ୍ରିଶ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ୟାମା ପ୍ରସାଦ ମୁଖାର୍ଜୀ ମହାବିଦ୍ୟାଳୟର ଛାତ୍ର ସଂଗଠନର ସଭାପତି ମଧ୍ୟ ରହିଛନ୍ତି। ସେ ଓଭଲିନୋ ବିଜନେସ୍ ଇଣ୍ଟେଲିଜେନ୍ସ ପିଭି ଲି ର ଏମଡି ଅଛନ୍ତି। ସେ ବିଭିନ୍ନ ଦଳ ସହିତ ମିଶି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାର କାର୍ଯ୍ୟ ମଧ୍ୟ କରନ୍ତି।